ସ୍ବେଚ୍ଛାସେବୀ ସଂଗଠନ ‘ଆଇସି୩ ଇନ୍ଷ୍ଟିଚ୍ୟୁଟ୍ ଇଣ୍ଡିଆ’ର ସଦ୍ୟ ଅନୁଧ୍ୟାନ ଅନୁଯାୟୀ, ୨୦୨୧ରୁ ୨୦୨୨ ମଧ୍ୟରେ ଦେଶରେ ଛାତ୍ର ଆତ୍ମହତ୍ୟା ହାର ୪.୨ ପ୍ରତିଶତ ବଢ଼ିଛି। କେବଳ ଗତ ୧୦ ବର୍ଷ ଭିତରେ ଛାତ୍ର ଆତ୍ମହତ୍ୟା ସଂଖ୍ୟା ୬,୬୫୪ରୁ ୧୩,୦୪୪କୁ ବୃଦ୍ଧି ପାଇଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି)ର ତଥ୍ୟ ମୁତାବକ, ବିଶ୍ବରେ ସର୍ବାଧିକ ଆତ୍ମହତ୍ୟା ଘଟୁଛି ଭାରତରେ। ସୁତରାଂ, ଯୁବାବସ୍ଥାରେ ମାନସିକ ସ୍ବାସ୍ଥ୍ୟରେ ସଂକଟ ଏକ ସାର୍ବଜନୀନ ସ୍ବାସ୍ଥ୍ୟ ସମସ୍ୟା ହୋଇଥିବାରୁ ଅବିଳମ୍ବେ ଏହାର ସମାଧାନ ଆବଶ୍ୟକ। ଏ ଦିଗରେ ସମଗ୍ର ଚିକିତ୍ସା (ହୋଲିଷ୍ଟିକ୍ ଥେରାପି) ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ, ଯାହା କେବଳ ଗୋଟିଏ ଲକ୍ଷଣର ଚିକିତ୍ସା କରି ନ ଥାଏ, ବରଂ ବ୍ୟକ୍ତିର ସବୁପ୍ରକାର ସୁସ୍ଥତା ପ୍ରତି ଧ୍ୟାନ ଦେଇଥାଏ। ଆୟୁର୍ବେଦ ହେଉଛି ସେଭଳି ଏକ ପୂର୍ଣ୍ଣାଙ୍ଗ ଚିକିତ୍ସା ପ୍ରଣାଳୀ।
ଆୟୁର୍ବେଦ କେବଳ ଲକ୍ଷଣଗୁଡ଼ିକର ଚିକିତ୍ସା କରିବା ପରିବର୍ତ୍ତେ ସମସ୍ୟାର ମୂଳ କାରଣକୁ ମଧ୍ୟ ସୁଧାରିଥାଏ। ଯତ୍ନ ରଣନୀତି ଦ୍ବାରା ଦୋଷ (ବାତ, ପିତ୍ତ ଓ କଫ)ଗୁଡ଼ିକର ସନ୍ତୁଳନ ସହ ବିଭିନ୍ନ ଶ୍ବାସକ୍ରିୟା ବ୍ୟାୟାମ (ସୂର୍ଯ୍ୟ ନାଡ଼ି, ଚନ୍ଦ୍ରନାଡ଼ି ଓ ପ୍ରାଣାୟାମ), ନିୟମିତ ଧ୍ୟାନ ଓ ଯୋଗାଭ୍ୟାସ ଦ୍ବାରା ଶରୀରର କୋର୍ଟିସଲ୍ ସ୍ତର ହ୍ରାସ କରିବା ସହ ଚିନ୍ତା ଓ ଉତ୍କଣ୍ଠା ହ୍ରାସ କରି ଉତ୍ତମ ନିଦ ଓ ଶକ୍ତି ଉଦ୍ରେକ କରିହେବ। ସେହିପରି ନିୟମିତ ଜଳଗ୍ରହଣ ସହ ସନ୍ତୁଳିତ ସୁଷମ ଖାଦ୍ୟ ଓ ନିର୍ଦ୍ଦିଷ୍ଟ ଦିନଚର୍ଯ୍ୟା ଦ୍ବାରା ଉଭୟ ମାନସିକ ଓ ଶାରୀରିକ ସୁସ୍ଥତା ମିଳିପାରିବ। ଆଧୁନିକ ମାନସିକ ଚିକିତ୍ସା ଓ ବୈଦିକ ସିଦ୍ଧାନ୍ତକୁ ଏକତ୍ର କରି ଯୁବବର୍ଗର ମାନସିକ ସ୍ବାସ୍ଥ୍ୟ ପରିଚାଳନା ଅଧିକ ଉପାଦେୟ ହେବ। କାରଣ ଆୟୁର୍ବେଦର ଉଦ୍ଦେଶ୍ୟ ବ୍ୟକ୍ତିର ସଂପୂର୍ଣ୍ଣ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସ୍ବାସ୍ଥ୍ୟକୁ ବିଚାର କରି ଚିକିତ୍ସା କରିବା।