ନିକଟରେ ପୂର୍ବତନ କ୍ରିକେଟର୍ ନବଜୋତ ସିଂହ ସିଦ୍ଧୁ ଦାବି କରିଛନ୍ତି ଯେ ଲେମ୍ବୁପାଣି, କଞ୍ଚା ହଳଦୀ, ନିମ୍ବପତ୍ର ଓ ପରିବା ଜୁସ୍ ଆଦି ଖାଇ ତାଙ୍କ ପତ୍ନୀ ଷ୍ଟେଜ୍-୪ ସ୍ତନ କର୍କଟରୁ ମୁକ୍ତ ହୋଇଛନ୍ତି? ତାଙ୍କର ଏହି ଦାବି କେତେ ଦୂର ଗ୍ରହଣୀୟ?
ଆୟୁର୍ବେଦ ଚିକିତ୍ସା ବିଜ୍ଞାନ ୫ ହଜାର ବର୍ଷ ପୁରୁଣା ବ୍ୟବସ୍ଥା। ଏଲୋପାଥି ଚିକିତ୍ସା ୨୦୦ ବର୍ଷ ହେଲା ଆସିଛି। ପୂର୍ବରୁ ଆମ ଜେଜେ, ଅଜା ଆଦି ସମସ୍ତେ ପାରମ୍ପରିକ ଉପାୟରେ ହିଁ ଚିକିତ୍ସା କରାଉଥିଲେ। ହଳଦୀ, ନିମ୍ବ, ଗୁଳୁଚି ଆଦି ଖାଇ କଠିନରୁ କଠିନ ରୋଗରୁ ମୁକ୍ତି ପାଇପାରୁଥିଲେ। ଏବେ ଏହାକୁ ଆମେ ଭୁଲିଯାଉଛେ। ହଳଦୀ ଆଣ୍ଟି-ଇନ୍ଫ୍ଲାମାଟୋରି ଓ ଆଣ୍ଟି-କ୍ୟାନ୍ସର୍ ତତ୍ତ୍ବରେ ଭରପୂର ଏବଂ ହଳଦୀ ପୀଡ଼ାନାଶକ। ଏଣୁ ଆମେରିକା ଏହାକୁ ପେଟେଣ୍ଟ୍ କରିବାକୁ ବସିଛି। କ୍ୟାନ୍ସର କୋଷ ଉପରେ ହଳଦୀ ପ୍ରଭାବ ପକାଇଥାଏ। କିନ୍ତୁ ନବଜୋତ ସିଂହ ସିଦ୍ଧୁଙ୍କ ଦାବି ନେଇ ତାଙ୍କ ପତ୍ନୀଙ୍କ ଚିକିତ୍ସା କରୁଥିବା ଡାକ୍ତର ହିଁ ଅଧିକ ଭଲ କହିପାରିବେ।
କୁହାଯାଉଛି, ଆଜିକାଲିର ଭେଜାଲ ଓ ସାର ଦିଆ ଖାଦ୍ୟ ଯୋଗୁଁ ଆଉ ମଣିଷ ଶରୀରରେ ଆୟୁର୍ବେଦ ଔଷଧ କାମ ଦେଉନାହିଁ। ଏଥିରେ କିଛି ସତ୍ୟତା ରହିଛି କି?
ଆଗରୁ ଗୋବର, ଗୋମୂତ୍ର ଓ ନିମ୍ବପିଡ଼ିଆ ଆଦିକୁ ନେଇ ଜୈବିକ ଚାଷ ହେଉଥିଲା। ଏବେ କିନ୍ତୁ ଅଧିକ ଅମଳ ପାଇଁ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ହେଉଛି। ଏହାର ପ୍ରଭାବ ମଣିଷ ଶରୀର ଉପରେ ନିହାତି ରହୁଛି। ଫଳରେ ଶରୀର ଔଷଧକୁ ନେଇ ଯେତିକି ପ୍ରତିକ୍ରିୟା ପ୍ରକାଶ କରିବା କଥା ତାହା କମିଯାଉଛି। ଏଲୋପାଥି ଔଷଧ ଶରୀରରେ ଦେଖାଯାଉଥିବା ରୋଗ ଲକ୍ଷଣକୁ ଭଲ କରିଥାଏ କିନ୍ତୁ ଆୟୁର୍ବେଦ ଔଷଧ ରୋଗର ମୂଳ କାରଣକୁ ହିଁ ଭଲ କରିଥାଏ। ଏଣୁ ସାର ଦିଆ ଖାଦ୍ୟର ଆୟୁର୍ବେଦ ଔଷଧ ଉପରେ ବିଶେଷ ପ୍ରଭାବ ନାହିଁ।
ଆୟୁର୍ବେଦ ଔଷଧ ବର୍ତ୍ତମାନ କେଉଁ କେଉଁ ରୋଗ ପାଇଁ ସର୍ବଶ୍ରେଷ୍ଠ ଉପଚାର ହୋଇପାରିଛି?
ଏମିତି କୌଣସି ରୋଗ ନାହିଁ, ଯାହାର ଉତ୍ତର ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ନାହିଁ। କିନ୍ତୁ ଆଜିକା ସମୟରେ ଶ୍ବେତକ ଜ୍ବର, ଋତୁସ୍ରାବଜନିତ ସମସ୍ୟା ଓ ଆଣ୍ଠୁଗଣ୍ଠି ବାତ ଆଦିର ଚିକିତ୍ସା ଲାଗି ଆୟୁର୍ବେଦ ଔଷଧ ଉପରେ ଲୋକେ ଅଧିକ ନିର୍ଭରଶୀଳ।
ଅଧିକ ଆୟୁର୍ବେଦ ଔଷଧ ବୃକ୍କ ଉପରେ ଖରାପ ପ୍ରଭାବ ପକାଏ ବୋଲି ସାଧାରଣରେ ଧାରଣା ରହିଛି। ଏହା କ’ଣ ଠିକ୍?
ଆୟୁର୍ବେଦୀୟ ଔଷଧ ଚେରମୂଳିକା, ପତ୍ର, ଫୁଲ ରସ ଅାଦିରୁ ପ୍ରସ୍ତୁତ କରାଯାଇଥାଏ। ଏହିସବୁ ଦ୍ରବ୍ୟକୁ ବୈଜ୍ଞାନିକ ପଦ୍ଧତିରେ ଭଲ ଭାବେ ଶୋଧନ କରିବାର ଆବଶ୍ୟକତା ଯେତିକି ରହିଛି, ଏହା ସେତିକି ଶୁଦ୍ଧ ହେବାର ବି ଜରୁରି। କିନ୍ତୁ ଅଧିକ ଲାଭ ଆଶାରେ ବହୁ ଆୟୁର୍ବେଦ ଔଷଧ ପ୍ରସ୍ତୁତକାରୀ କମ୍ପାନି ଏଥିରେ ମିଶ୍ରଣ କରିଥା’ନ୍ତି ବୋଲି ଜଣାପଡ଼ିଛି, ଯାହାକି ବୃକ୍କ ଉପରେ କୁପ୍ରଭାବ ପକାଇଥାଏ।
ବର୍ତ୍ତମାନ ଋତୁ ପରିବର୍ତ୍ତନ ସମୟରେ ଦେଖାଯାଉଥିବା ବିଭିନ୍ନ ଆଲର୍ଜିଜନିତ ରୋଗର ଘରୋଇ ଉପଚାର କ’ଣ?
ଋତୁସନ୍ଧି ସମୟରେ ଆମକୁ ବହୁପ୍ରକାର ଆଲର୍ଜି ଓ ଚର୍ମଜନିତ ସମସ୍ୟା ଦେଖାଯାଇଥାଏ। ଥଣ୍ଡା ପାଇଁ ଆମେ ପାଇଁ ଗୁଳୁଚି ରସ ଓ ମହୁ ମିଶାଇ ଖାଇପାରିବା। ତୁଳସୀ ଓ ମହୁ ବି ଉପକାରୀ। ଚର୍ମରୋଗ ପାଇଁ ୧୦୦ ଗ୍ରାମ ମରା ନଡ଼ିଆ ତେଲରେ ୨୦ ଗ୍ରାମ ଶ୍ରୀକପୁର ମିଶାଇ ଖରାରେ ରଖି ଲଗାଇଲେ ଉପକାରୀ ହୋଇପାରେ।
ଆୟୁର୍ବେଦ ରୋଗର ମୂଳ କାରଣକୁ ଭଲ କରିଥାଏ
ଆୟୁର୍ବେଦ ଚିକିତ୍ସା ବିଜ୍ଞାନ ୫ ହଜାର ବର୍ଷ ପୁରୁଣା ବ୍ୟବସ୍ଥା। ଏଲୋପାଥି ଚିକିତ୍ସା ୨୦୦ ବର୍ଷ ହେଲା ଆସିଛି। ପୂର୍ବରୁ ଆମ ଜେଜେ, ଅଜା ଆଦି ସମସ୍ତେ ପାରମ୍ପରିକ ଉପାୟରେ ହିଁ ଚିକିତ୍ସା କରାଉଥିଲେ। ହଳଦୀ, ନିମ୍ବ, ଗୁଳୁଚି ଆଦି ଖାଇ କଠିନରୁ କଠିନ ରୋଗରୁ ମୁକ୍ତି ପାଇପାରୁଥିଲେ।
/sambad/media/media_files/2024/11/27/ZzZ57hMVTJMRb5hdrDdD.jpg)