ଆଧୁନିକ ଜୀବନଚର୍ଯ୍ୟାରେ ସମ୍ପ୍ରତି ମେଦବହୁଳତା ବା ଓଜନବୃଦ୍ଧି ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଜୀବନଶୈଳୀ ସାଙ୍ଗକୁ ଅସ୍ବାସ୍ଥ୍ୟକର ଖାଦ୍ୟାଭ୍ୟାସ ଯୋଗୁଁ ଖୁବ୍ ଅଳ୍ପ ବୟସର କିଶୋରକିଶୋରୀଙ୍କ ଠାରେ ହୃଦ୍ଘାତ ଓ ମଧୁମେହ ପରି ରୋଗ ଦେଖାଦେଉଛି। ତେଣୁ ଶରୀରର ବର୍ଦ୍ଧିତ ଓଜନକୁ କମାଇବା ଲାଗି ଅନେକଙ୍କ ଆଖିରୁ ନିଦ ହଜିଯାଇଛି। ଏହାର ଉପଚାର ପାଇଁ ବଜାରରେ ଆଧୁନିକ ଚିକିତ୍ସା ପଦ୍ଧତି ଓ ଔଷଧ ଉପଲବ୍ଧ। ତେବେ ଆମ ପାରମ୍ପରିକ ଚିକିତ୍ସା ପଦ୍ଧତି ଆୟୁର୍ବେଦରେ ବି ରହିଛି ଏହାର ଉପଚାର। ଏହି ଚିକିତ୍ସା ପଦ୍ଧତି ମଣିଷର ଶରୀର, ମନ ଓ ଚେତନା ମଧ୍ୟରେ ତାଳମେଳ ରଖି ସ୍ବାଭାବିକ ସ୍ବାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରେ। ଏହି କ୍ରମରେ ଏପରି ଅନେକ ଆୟୁର୍ବେଦୀୟ ଉପାୟ ରହିଛି, ଯାହା ଶରୀରରେ ଅନାବଶ୍ୟକ ଭାବେ ଗଚ୍ଛିତ ଚର୍ବିକୁ ତରଳାଇ ଓଜନ କମାଇବାରେ ସହାୟକ ହୁଏ।
ଏହି ଧାରାରେ ପ୍ରଥମେ ଆସେ ପିପଳି। ଏହା ହଜମ ପ୍ରକ୍ରିୟାକୁ ସୁଗମ କରିବା ସହ ଓଜନ ହ୍ରାସ ପାଇଁ ଏକ ଅମୋଘ ଅସ୍ତ୍ର ଭାବେ କାମ କରିଥାଏ। ପିପଳିରେ ଥିବା ପିପରମିନ୍ ନାମକ ଉପାଦାନ ଶରୀରରେ ତାପ ସୃଷ୍ଟି କରି ବଳକା ଚର୍ବିକୁ ଜଳାଇଦେଇଥାଏ। ଏଥି ସହିତ ଏହାର ଆଣ୍ଟିଅକ୍ସିଡାଣ୍ଟ୍ ଗୁଣ ଶରୀରରେ ସୃଷ୍ଟ କ୍ଷତିକାରକ ମୁକ୍ତ ଅଣୁସମୂହକୁ ପ୍ରତିରୋଧ କରି ସ୍ବାସ୍ଥ୍ୟ ଠିକ୍ ରଖିଥାଏ। ଏହା କୋଷୀୟ କ୍ରିୟା ଓ ଶରୀର ଗଠନରେ ମଧ୍ୟ ସହାୟକ ହୋଇଥାଏ। ଡାଳଚିନି ହେଉଛି ଅନ୍ୟତମ ମହୌଷଧି, ଯାହା ରକ୍ତଶର୍କରା ନିୟନ୍ତ୍ରଣ ଓ ଶରୀର ଗଠନକୁ ନିୟମିତ କରିଥାଏ। ଡାଳଚିନି ମନରେ ପୂର୍ଣ୍ଣତା ଭାବ ଆଣିବା ସହ କ୍ଷୁଧା ଦୂର କରି ଓଜନବୃଦ୍ଧିକୁ ରୋକିଥାଏ। ଏହା ମଧ୍ୟ ପିପଳି ଅନୁରୂପ ଚର୍ବି ଦହନକୁ ପ୍ରୋତ୍ସାହିତ କରି ମେଦବହୁଳତା କମାଇଥାଏ। ଭାରତୀୟ କିନୋ ବୃକ୍ଷ ଭାବେ ପରିଚିତ ପିଆଶାଳ କାଠ ରସର ମଧ୍ୟ ଓଜନହ୍ରାସ ଗୁଣ ରହିଛି। ଏହା ଶରୀରର ପୋଷକତତ୍ତ୍ବ ଆହରଣ କ୍ଷମତାକୁ ବଢ଼ାଇବା ସହ କୋଲେେଷ୍ଟରଲ ସ୍ତର ଓ ଚର୍ବିସୃଷ୍ଟିକୁ କମାଇଥାଏ।
ତ୍ରିଫଳା (ହରିଡ଼ା, ବାହାଡ଼ା ଓ ଅଁଳାର ସମାହାର) ଅନ୍ତନାଳୀରେ ଖାଦ୍ୟପଦାର୍ଥର ଗତିକୁ ସୁଗମ କରି କୋଷ୍ଠକାଠିନ୍ୟ ଦୂର କରିଥାଏ। ଶରୀରରୁ ବିଷାକ୍ତ ଉପାଦାନ ନିଷ୍କାସନ କରିବାର ଗୁଣ ମଧ୍ୟ ଏହାର ରହିଛି। ତେଣୁ ତ୍ରିଫଳା ଗୁଣ୍ଡ ସେବନ ଦ୍ବାରା ଚର୍ବି ଓ ଓଜନ ହ୍ରାସ ହୋଇଥାଏ।
ବାଡ଼ିବଗିଚାରେ ବଢୁଥିବା ଗୁଳୁଚିର ଓଜନହ୍ରାସ ଦିଗରେ ଗୁରୁ ଭୂମିକା ରହିଛି। ଏହା ଶରୀରର ରୋଗପ୍ରତିରୋଧକତା ବଢ଼ାଇବା ସହ ଶରୀର ଗଠନକୁ ଉନ୍ନତ କରି ଶାରୀରିକ ଓଜନକୁ ନିୟନ୍ତ୍ରିତ କରିଥାଏ। ଜଣେ ଆୟୁର୍ବେଦ ଚିକିତ୍ସକଙ୍କ ସହ ପରାମର୍ଶ ପରେ ଏସବୁ ଗ୍ରହଣୀୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/ssfhhhsf.jpg)