ଭୀମରାଓ ରାମଜୀ ଆମ୍ବେଦକର ଥିଲେ ଭାରତୀୟ ସମ୍ବିଧାନର ପ୍ରଣେତା ତଥା ଦେଶର ପ୍ରଥମ ଆଇନ ମନ୍ତ୍ରୀ। ୧୮୯୧ ଏପ୍ରିଲ ୧୪ରେ ସେ ମଧ୍ୟ ପ୍ରଦେଶର ଏକ ଦଳିତ ମରାଠୀ ପରିବାରରେ ଜନ୍ମ ହୋଇଥିଲେ। ସେ ଛୋଟ ବେଳୁ ସାମାଜିକ-ଅର୍ଥନୈତିକ ଭେଦଭାବର ଶିକାର ହୋଇଥିଲେ। ୧୪ ଜଣ ଭାଇଭଉଣୀଙ୍କ ମଧ୍ୟରୁ କେବଳ ସେ ହାଇସ୍କୁଲ୍ ଯାଏଁ ପହଞ୍ଚିପାରିଥିଲେ। ୧୮୯୭ରେ ତାଙ୍କ ପରିବାର ମୁମ୍ବାଇ ଚାଲିଆସିଥିଲା। ଏଲ୍ଫିନଷ୍ଟୋନ୍ ହାଇସ୍କୁଲ୍ରେ ଏକମାତ୍ର ଦଳିତ ଛାତ୍ର ଭାବେ ଆମ୍ବେଦକର ଯୋଗ ଦେଇଥିଲେ। ଏହାପରେ ଏଲ୍ଫିନଷ୍ଟୋନ୍ କଲେଜରୁ ସ୍ନାତକ ହାସଲ କରିବା ପରେ ସେ ବିଦେଶକୁ ଉଚ୍ଚ ଶିକ୍ଷା ପାଇଁ ଯାଇ ଅର୍ଥନୀତିରେ ପିଏଚ୍.ଡି ହାସଲ କରିଥିବା ପ୍ରଥମ ଭାରତୀୟ ପାଲଟିଥିଲେ।
ଭାରତ ଫେରି ସିଡ଼େନହମ୍ କଲେଜରେ ପ୍ରଫେସର ଥିବା ବେଳେ ସେ ଅନ୍ୟ ଅଧ୍ୟାପକଙ୍କ ଦ୍ବାରା ଭେଦଭାବର ଶିକାର ହୋଇଥିଲେ। ତେଣୁ ସେ ଅଧ୍ୟାପନା ଛାଡ଼ି ଓକିଲାତି କରିବା ସଙ୍ଗେ ସଙ୍ଗେ ଦଳିତ ଅଧିକାର ଆନ୍ଦୋଳନ ଆରମ୍ଭ କରିଥିଲେ। ସାମାଜିକ ଭେଦଭାବ ବିରୋଧରେ ଲଢ଼ିବା ପାଇଁ ଆହ୍ବାନ କରି ସେ ନିଷ୍ପେଷିତ ବର୍ଗର ପ୍ରତିନିଧି ସାଜିଥିଲେ। ସ୍ବାଧୀନତା ପରେ ସେ ଭାରତର ପ୍ରଥମ ଆଇନ ମନ୍ତ୍ରୀ ହୋଇଥିଲେ। ସମ୍ବିଧାନର ଖସଡ଼ା ପ୍ରସ୍ତୁତ କରିବା ଓ ଅଛୁଆଁ ଭେଦଭାବକୁ ବେଆଇନ କରିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ଅଛୁଆଁ ଭେଦଭାବର ବ୍ୟାପକତା ଯୋଗୁଁ ସେ ହିନ୍ଦୁ ଧର୍ମ ଛାଡ଼ି ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ୧୯୫୬ ଡିସେମ୍ବର ଆଜିର ଦିନରେ ତାଙ୍କର ମୃତ୍ୟୁ ଘଟିଥିଲା।