ନୂଆଦିଲ୍ଲୀ: ଦିଲ୍ଲୀର ‘ବାବା କା ଢ଼ାବା’ର ବୃଦ୍ଧ ଦମ୍ପତି ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏଥର ଦମ୍ପତି ତାଙ୍କ ଢ଼ାବାରେ ହେଉଥିବା ଭିଡ଼ କିମ୍ବା ଖାଦ୍ୟ ପାଇଁ ନୁହେଁ ବରଂ ଦିଲ୍ଲୀର ହସ୍ପିଟାଲରେ ତାଙ୍କ ଆଖିର ହୋଇଥିବା ମାଗଣା ଚିକିତ୍ସା ପାଇଁ ଚର୍ଚ୍ଚାରେ ଅଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ‘ବାବା କା ଢ଼ାବା’ ଦମ୍ପତିଙ୍କ ଆଖିର ଚିକିତ୍ସା ସାର୍ପ ସାଇଟ୍ ଆଇ ହସ୍ପିଟାଲରେ ମାଗଣାରେ ହୋଇଛି। ଏହାପରେ ସୋସିଆଲ ମିଡିଆରେ ଦିଲ୍ଲୀର ସାର୍ପ ସାଇଟ୍ ଆଇ ହସ୍ପିଟାଲର ଭୁରିଭୁରି ପ୍ରଶଂସା କରାଯାଉଛି।
ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଦୁହେଁ କରୋନା ମହାମାରୀ ପାଇଁ ଜାରି ହୋଇଥିବା ଲକଡାଉନ କାରଣରୁ ରୋଜଗାର ହେଉ ନଥିବା କଥା କାନ୍ଦି କାନ୍ଦି କହିଥିଲେ। ଏହି ଦୃଶ୍ୟର ଭିଡିଓ ଭାଇରାଲ ହେବା ପରେ ତାଙ୍କ ଢ଼ାବାରେ ଲୋକମାନଙ୍କ ଲମ୍ବା ଧାଡ଼ି ଲାଗିଥିବା ଦେଖିବାକୁ ମିଳିଥିଲା। ‘ବାବା କା ଢ଼ବା’ ଦିଲ୍ଲୀର ମାଲବ୍ୟ ନାଗରରେ ଅଛି।
ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କାନ୍ତ ପ୍ରସାଦ ଏବଂ ବାଦାମୀ ଦେବୀଙ୍କ ଆର୍ଥିକ ସଙ୍କଟ ବିଷୟରେ ଦିଲ୍ଲୀର ସାର୍ପ ସାଇଟ୍ ଆଇ ହସ୍ପିଟାଲ ଜାଣିବାକୁ ପାଇଥିଲେ। ଏହା ପରେ ଉକ୍ତ ଡାକ୍ତରଖାନାରେ ବୃଦ୍ଧ ଓ ବୃଦ୍ଧାଙ୍କ ମାଗଣାରେ ଚିକିତ୍ସା ସୁବିଧା ଦେବାକୁ ସ୍ଥିର କରିଥିଲେ। ଏହାପରେ ଡାକ୍ତରଖାନାରେ କାନ୍ତା ପ୍ରସାଦ ଏବଂ ତାଙ୍କ ପତ୍ନୀ ବାଦାମୀ ଦେବୀଙ୍କ ମୋତିଆବିନ୍ଦୁର ମାଗଣାରେ ଅସ୍ତ୍ରୋପଚାର କରାଯାଇଥିଲା। ଚିକିତ୍ସା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ବୃଦ୍ଧ ଓ ବୃଦ୍ଧାଙ୍କ ଠାରୁ ଗୋଟିଏ ଟଙ୍କା ବି ନେଇ ନ ଥିଲେ।
ହସ୍ପିଟାଲର ଏହି ନିଷ୍ପତ୍ତିକୁ ସୋସିଆଲ ମିଡିଆରେ ବ୍ୟାପକ ପ୍ରଶଂସା କରାଯାଉଛି | ବସୁନ୍ଧରା ଶର୍ମା ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି ଯେ ମୋର ପିତାଙ୍କର ଜଣେ ବନ୍ଧୁ ଯିଏ ବୃତ୍ତିରେ ଡାକ୍ତର, ସେ ‘ବାବା କା ଢ଼ାବା’ ଦମ୍ପତିଙ୍କ ମାଗଣାରେ ଚିକିତ୍ସା କରିଛନ୍ତି। ଟୁଇଟର ଜରିଆରେ ଡାକ୍ତରଖାନା ପକ୍ଷରୁ ଏହି ଖବର ପୋଷ୍ଟ କରାଯାଇଥିଲା।
We at Sharp Sight Eye Hospital provided ‘Baba ka Dhaba’ fame Kanta Prasad and his wife ‘joy of vision’. We performed advanced cataract surgery on the old couple and brought back colors to their life. #smallactofkindness #babakadhaba #sharpsight #AaoAcchhaDekhein pic.twitter.com/Behb5aj2y8
— Sharp Sight Eye Hospital (@sharpsightdelhi) October 27, 2020
ବସୁନ୍ଧରା ଶର୍ମା ମଧ୍ୟ ଟ୍ୱିଟ୍ କରି କାନ୍ତ ପ୍ରସାଦଙ୍କ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ବସୁନ୍ଧରା ଶର୍ମାଙ୍କ ଟ୍ୱିଟ ଭାଇରାଲ ହୋଇଛି। ଟୁଇଟ୍ ତଳେ ପ୍ରତିକ୍ରିୟା ଦେଇ ଲୋକମାନେ ଏହାକୁ ପ୍ରଶଂସା କରିଛନ୍ତି।