ବିଂଶ ଶତାବ୍ଦୀରେ ମହାତ୍ମା ଗାନ୍ଧୀଙ୍କ ପରେ ସର୍ବଶ୍ରେଷ୍ଠ ଭାରତୀୟ ବୋଲି ଯିଏ ଅଧିକ ଚର୍ଚ୍ଚାକୁ ଆସନ୍ତି ସେ ହେଉଛନ୍ତି ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକର (୧୮୯୧-୨୦୫୬)। ସେ ଥିଲେ ଏକ ବହୁମୁଖୀ ପ୍ରତିଭା ଓ ଭାରତରେ ବାବା ସାହେବ ‌ଭାବେ ସେ ପରିଚିତ। ଜଣେ ଅର୍ଥଶାସ୍ତ୍ରୀ, ଶିକ୍ଷାବିତ୍‌, ଆଇନଜୀବୀ, ସଂବିଧାନ ବିଶାରଦ ଓ ଲେଖକ ଭାବେ ଦେଶର ସାଧାରଣ ଜୀବନରେ ସେ ନିଜର ସ୍ବାକ୍ଷର ରଖିଛନ୍ତି। ବହୁ ପ୍ରତିଭା ଓ ପ୍ରଜ୍ଞାର ଅଧିକାରୀ ହୋଇଥିଲେ ମଧ୍ୟ ତାଙ୍କ ଜୀବନ ଥିଲା ବହୁ ଦୁଃଖ, ନୈରାଶ୍ୟ ଓ ହତାଶାର କାହାଣୀ। ନାନା ଅଭାବ, ଅସୁବିଧା, ଅସମ୍ମାନ, ପାରିବାରିକ ବିପର୍ଯ୍ୟୟ ଓ ଦୁର୍ଦ୍ଦଶା ତାଙ୍କ ଜୀବନକୁ ନାନା ଭାବରେ ଯନ୍ତ୍ରଣା ଜର୍ଜରିତ କରିଥିଲା। ବାଳୁତ ଅବସ୍ଥାରେ ମାତୃ ବିୟୋଗ, ଯୁବକ ଅବସ୍ଥାରେ ପତ୍ନୀଙ୍କର ତିରୋଧାନ, ଗୋଟିଏ ପରେ ଗୋଟିଏ ଚାରିଟି ସନ୍ତାନଙ୍କର ଅପମୃତ୍ୟୁ ଓ ଜୀବନରେ ବହୁ ପ୍ରତିକୂଳ ସ୍ଥିତି ତାଙ୍କୁ ସାମ୍ନା କରିବାକୁ ହୋଇଥିଲା। ବ୍ୟକ୍ତିଗତ ଜୀବନରେ ବହୁ ଦୁଃଖଦ ଅନୁଭୂତି ଓ ଯନ୍ତ୍ରଣା ସତ୍ତ୍ବେ ସେ ଥିଲେ ଜଣେ କ୍ରାନ୍ତିକାରୀ ବ୍ୟକ୍ତିତ୍ବ ଓ ଭାରତରେ କୋଟି କୋଟି ମୂକ ଜନତାର ମୁକ୍ତିଦାତା, ଆଶାର ପ୍ରତୀକ ଓ ମେସିଆ।

Advertisment

ବାବାସାହେବଙ୍କର ଜନ୍ମ ୧୮୯୧ରେ ଏକ ମାହାର ଦଳିତ ପରିବାରରେ ହୋଇଥିଲା। ପିଲାବେଳ ଓ ଛାତ୍ର ଜୀବନ ବମ୍ବେର ଏକ ସ୍ଲମ ଓ ଶ୍ରମଜୀବୀ ଦଳିତ ବସ୍ତିରେ ଅତିବାହିତ ହୋଇଥିଲା। ତାଙ୍କର ଜନ୍ମ ଏକ ଦଳିତ ପରିବାରରେ ହୋଇଥିବା ଯୋଗୁ ପିଲାଟି ବେଳୁ ଅସ୍ପୃଶ୍ୟତାର ଭେଦଭାବକୁ ସେ ଅଙ୍ଗେ ଲିଭାଇଥିଲେ। ବିଂଶ ଶତାବ୍ଦୀ ଆରମ୍ଭ ସମୟକୁ ଦେଶ ପରାଧୀନତାର ଶୃଙ୍ଖଳ ଭିତରେ ରହିବା ସହ ଭାରତୀୟ ସମାଜ ନାନା ଭାବରେ କଳୁଷିତ ଓ ବିଭାଷିତ ରହିଥିଲା। ଜାତିଆଣ ଭେଦଭାବ ଓ ଅସ୍ପୃଶ୍ୟତା ପରି କଳଙ୍କ ଆମ ଦେଶର ସାମାଜିକ ଜୀବନକୁ ନାନା ଭାବରେ ବିପର୍ଯ୍ୟସ୍ତ କରି ରଖିଥିଲା। ପରାଧୀନ ଭାରତରେ ରହିଥିବା ପାଞ୍ଚ ଲକ୍ଷରୁ ଅଧିକ ଗ୍ରାମରେ ହିନ୍ଦୁମାନେ ଥିଲେ ସଂଖ୍ୟା ଗରିଷ୍ଠ ଓ ଦଳିତ ଅସ୍ପୃଶ୍ୟମାନେ ଥିଲେ ଏକ ସଂଖ୍ୟା ଲଘୁ ଅବହେଳିତ ଶ୍ରେଣୀ। ଏହି ସଂଖ୍ୟାଲଘୁ ଶ୍ରେଣୀଟି ପ୍ରତି ଗ୍ରାମରେ ଅସ୍ପୃଶ୍ୟ, ଅସହାୟ, ଦରିଦ୍ର ଓ ନିରକ୍ଷର ରହି ଉପମାନବୀୟ ସ୍ତରରେ ଜୀବନ ନିର୍ବାହ କରୁଥିଲେ। ଦଳିତମାନେ ସର୍ବସାଧାରଣ କୂଅ, ପୋଖରୀ ବା ଜଳାଶୟ ବ୍ୟବହାର କରିପାରୁନଥିଲେ। ସବର୍ଣ୍ଣ ହିନ୍ଦୁମାନଙ୍କର ପିଲାମାନେ ଯେଉଁ ବିଦ୍ୟାଳୟରେ ପାଠ ପଢ଼ୁଥିଲେ ଅସ୍ପୃଶ୍ୟ ପିଲାମାନେ ସେଠାରେ ପଢ଼ିବା ସମ୍ଭାବନା ନ ଥିଲା। ହିନ୍ଦୁମାନେ ଯେଉଁ ଦିଅଁ ଦେବତାଙ୍କୁ ପୂଜା କରୁଥିଲେ ‌ଓ ଯେଉଁ ପର୍ବପର୍ବାଣି ପାଳନ କରୁଥିଲେ ଅସ୍ପୃଶ୍ୟମାନେ ତାହା କରୁଥି‌େଲ ମଧ୍ୟ ହିନ୍ଦୁମାନଙ୍କର ପୂଜା ସ୍ଥଳରେ ପ୍ରବେଶ କରିବାର ଅଧିକାର ସେମାନଙ୍କର ନ ଥିଲା। ସେମାନଙ୍କର କୌଣସି ସାମାଜିକ, ମାନବିକ ଓ ନାଗରିକ ଅଧିକାର ନ ଥିଲା। ସେମାନେ ଥିଲେ ସମାଜର ଏକ ବହିଷ୍କୃତ ଜନଗୋଷ୍ଠୀ ଓ ପଶୁଠାରୁ ମଧ୍ୟ ନ୍ୟୂନ ବିବେଚିତ ହେଉଥିଲେ। ପୁରୁଷାନୁକ୍ରମେ ସାମାଜିକ ଶୋଷଣ କାରଣରୁ ସେମାନେ ଦରିଦ୍ର ଓ ଅସହାୟ ହୋଇ ଜୀବନ ବଞ୍ଚିବାକୁ ବାଧ୍ୟ ହେଉଥିଲେ। ସେମାନେ ଅସ୍ପୃଶ୍ୟ ହୋଇ ଜନ୍ମ ‌େହଉଥିଲେ, ଅସ୍ପୃଶ୍ୟ ହୋଇ ଜୀବନ ବଞ୍ଚୁଥିଲେ ଓ ଅସ୍ପୃଶ୍ୟ ହୋଇ ମୃତ୍ୟୁବରଣ କରୁଥିଲେ। ମଲା ପରେ ବି ଗ୍ରାମର ଶ୍ମଶାନରେ ଅସ୍ପୃଶ୍ୟ ଲୋକମାନଙ୍କର ଶବ ପୋଡ଼ିବା ପାଇଁ ଅଧିକାର ନ ଥିଲା। ଆମ୍ବେଦକରଙ୍କ ସମୟକୁ ଆମ ଦେଶର ସାମାଜିକ ବ୍ୟବସ୍ଥା ଏହିପରି ଅମାନବିକ, ଅନୈତିକ ଓ ଭେଦଭାବ ମୂଳକ ହୋଇ ରହିଥିଲା।

ଆମ୍ବେଦକରଙ୍କର ବାପା ବମ୍ବେରେ ଏକ ଦଳିତ ବସ୍ତିରେ ରହୁଥିବା ଯୋଗୁ ସେ ବହୁ ପ୍ରତିକୂଳତା ମଧ୍ୟରେ କୌଣସି ମତେ ଏକ ଖ୍ରୀଷ୍ଟିଆନ ଶିକ୍ଷାନୁଷ୍ଠାନ ଏଲଫିନ୍‌ଷ୍ଟୋନ ସ୍କୁଲ ଓ କଲେଜରୁ ମାଟ୍ରିକ ଓ ବି.ଏ ପାସ୍‌ କରିଥିଲେ। ଘଟଣାକ୍ର‌େମ ଆମ୍ବେଦକର ଘର ପାଖରେ ଥିବା ଏକ ପାର୍କରେ ଯାଇ ସକାଳେ ପଢୁଥିବା ବେଳେ ଜଣେ ଶିକ୍ଷକ ଓ କବି କ୍ରିଷ୍ଣଜୀ ଅର୍ଜୁନ କେଲୁସ୍କରଙ୍କ ସହ ପରିଚୟ ହୋଇଥିଲା। ତାଙ୍କ ସହଯୋଗରେ ଆମ୍ବେଦକର ବରୋଦା ମହାରାଜା ସାୟଜୀରାଓ ଗାଏକୱାଡ୍‌ଙ୍କୁ ସାକ୍ଷାତ କଲେ। ମହାରାଜା ତାଙ୍କ ରାଜ୍ୟରୁ ଚାରିଜଣଙ୍କୁ ଆର୍ଥିକ ସାହାଯ୍ୟ ଦେଇ ଉଚ୍ଚଶିକ୍ଷା ପାଇଁ ବିଦେଶକୁ ପଠାଇବାକୁ ସ୍ଥିର କରିଥାନ୍ତି। ଉଦ୍ଦେଶ୍ୟ ଥାଏ ସେମାନେ ବିଦେଶରୁ ଶିକ୍ଷାଲାଭ କରି ଫେରିବା ପରେ ବରୋଦାରେ ଅନ୍ତତଃ ଦଶବର୍ଷ ଚାକିରି କରିବେ। କେଲୁସ୍କରଙ୍କ ଅନୁରୋଧକ୍ରମେ ସାୟଜୀରା ଓ ଆମ୍ବେଦକରଙ୍କୁ ମନୋନୀତ କଲେ। ଫଳରେ ଆମ୍ବେଦକର ରାଜାଙ୍କ ସାହାଯ୍ୟରୁ ଆମେରିକାସ୍ଥିତ କ‌‌ଲମ୍ବିଆ ବିଶ୍ବବିଦ୍ୟାଳୟକୁ ଯାଇ ପଢ଼ିବାର ଅବକାଶ ପାଇ‌େଲ। ନିଜର ନିଷ୍ଠା ଓ ପରିଶ୍ରମ ଦ୍ବାରା ସେ ତିନିବର୍ଷରେ ସେଠାରୁ ଅର୍ଥନୀତି‌େର ଏମ.ଏ ଓ ପିଏଚ୍‌.ଡ଼ି କଲେ। ରାଜାଙ୍କର ବୃତ୍ତି ଚାରିବର୍ଷ ପାଇଁ ଥିବାରୁ ‌େସ ଶେଷ ବର୍ଷ ଲଣ୍ଡନ ସ୍କୁଲ ଅଫ୍‌ ଇ‌େକ‌ାନୋମିକ୍‌ସରେ ଆସି ନାମ ଲେଖାଇଲେ। ପରେ ଏହି ଅନୁଷ୍ଠାନରୁ ଏମ.ଏସସି ଓ ଡି.ଏସ୍‌ସି ଡିଗ୍ରି ଲାଭ କ‌େଲ। ଏହା ସହିତ ଲଣ୍ଡନ ବିଶ୍ବବିଦ୍ୟାଳୟରୁ ଆଇନ୍‌ରେ ମଧ୍ୟ ସ୍ନାତକ ଡିଗ୍ରି ଲାଭକଲେ। ଦୁଇଟି ବିଶ୍ବବିଖ୍ୟାତ ବିଶ୍ବବିଦ୍ୟାଳୟରୁ ଏପରି ଡିଗ୍ରି ହାସଲ କରିବାରେ ସେ ତାଙ୍କ ସମୟରେ ଅଦ୍ବିତୀୟ ଥିଲେ। ପୂର୍ବ ସର୍ତ୍ତ ଅନୁଯାୟୀ ସେ ବରୋଦା ଫେରିଆସି ମହାରାଜାଙ୍କ ଅଧୀନରେ ଚାକିରିରେ ଯୋଗ ‌େଦଲେ। କିନ୍ତୁ ଅସ୍ପୃଶ୍ୟ ଦଳିତ ହୋଇଥିବାରୁ କେଉଁଠି ହେଲେ ରହିବାକୁ ଘର ପାଇଲେ ନାହିଁ। ବହୁ ଅସମ୍ମାନକୁ ସାମ୍ମା କରି ଭଗ୍ନ ମନୋଭାବ ଓ ବ୍ୟଥାଭରା ହୃଦୟ ନେଇ ବରୋଦାରୁ ବିଦାୟ ନେଇ ବମ୍ବେ ଫେରି ଆସିଥିଲେ। ବ‌େମ୍ବ ଫେରି ଓକିଲାତି ବୃତ୍ତିରେ ଯୋଗ ଦେଲେ, ସେଥିରେ ମଧ୍ୟ ବିଫଳ ହେଲେ। ତାଙ୍କ ପାଖକୁ କେହି ମହକିଲ ଆସିଲେ ନାହିଁ। ଏହାପରେ ବମ୍ବେରେ ଏକ କଲେଜରେ ସେ ଅଧ୍ୟାପକ ପଦରେ ଯୋଗ ଦେଲେ।

ଆମେରିକାରର କଲମ୍ବିଆ ବିଶ୍ବବିଦ୍ୟାଳୟ, ଇଂଲଣ୍ଡର ଲଣ୍ଡନ ସ୍କୁଲ ଅଫ୍‌ ଇ‌େକାନୋମିକ୍‌ସ ଓ ଜର୍ମାନୀର ବନ୍‌ ବିଶବିଦ୍ୟାଳୟ‌େର ସଂସ୍କୃତ ପଢ଼ିବ‌ା‌ର ସୁଯୋଗ ପାଇବା ଅବସରରେ ଏହି ତିନିଟି ଦେଶର ସାମାଜିକ ବ୍ୟବସ୍ଥାକୁ ଭଲ ଭାବରେ ବୁଝିବାକୁ ପ୍ରୟାସ କରିଛନ୍ତି। ଜଣେ ବିଦେଶୀ ହୋଇ ମଧ୍ୟ ସେ ସେସବୁ ଦେଶରେ ଶ୍ରଦ୍ଧା ଓ ସମ୍ମାନ ଲାଭ କରିଛନ୍ତି ଓ କେହି ତାଙ୍କୁ ଘୃଣା କରିନାହାନ୍ତି ବା ତାଙ୍କର ଜାତିଗତ ପରିଚୟ ଲୋଡ଼ିନାହାନ୍ତି। କିନ୍ତୁ ନିଜ ଭୂମିରେ ସେ ଜାତିଗତ କାରଣରୁ ବହୁ ଅସମ୍ମାନ, ଘୃଣା ଓ ଅମାନବିକ ବ୍ୟବହାରର ସାମ୍ନା କରିଛନ୍ତି। ଜଣେ ଉଚ୍ଚ ଶିକ୍ଷିତ ଓ ଧୀଶକ୍ତି ସମ୍ପନ୍ନ ବ୍ୟକ୍ତି ହୋଇ ମଧ୍ୟ ଅସ୍ପୃଶ୍ୟତାର ଶରବ୍ୟ ହୋଇଛନ୍ତି। ବାସ୍ତବ ଜୀବନରେ ବହୁ ଅସମ୍ମାନଜନିତ ଅନୁଭୂତିରୁ ସେ ଭାରତୀୟ ସମାଜର ଅମାନବିକ କଳଙ୍କିତ ପ୍ରଥାମାନଙ୍କୁ କିପରି ଦୂର କରିପାରିବେ ସେଥିପାଇଁ ସଂଳକ୍ପବଦ୍ଧ ହୋଇଛନ୍ତି। ଭେଦଭାବ ମୂଳକ ଜାତିପ୍ରଥା ଓ ଅସ୍ପୃଶ୍ୟତା ପରି ଏକ ଅହେତୁକ, ଅମାନବିକ ଓ ଅନୈତିକ ବ୍ୟବସ୍ଥା ଭାରତରେ କିପରି ସୃଷ୍ଟି ହୋଇଛି ଓ ଜନଜୀବନକୁ କଳୁଷିତ କରିଛି ଏହା ଜାଣିବା ପାଇଁ ବିଭିନ୍ନ ଧର୍ମଗ୍ରନ୍ଥ, ଶାସ୍ତ୍ର ଓ ସମାଜ-ବିଜ୍ଞାନ ଅଧ୍ୟୟନ କରିଛନ୍ତି ଓ ବହୁ ବିଷୟରେ ପାଣ୍ଡିତ୍ୟପୂର୍ଣ୍ଣ ଗ୍ରନ୍ଥମାନ ରଚନା କରିଛନ୍ତି।

ଆମ୍ବେଦକର ୧୯୨୭ରୁ ସାଧାରଣ ଜୀବନ ପ୍ରବାହକୁ ଆସିଛନ୍ତି। ବମ୍ବେର ରାଜ୍ୟପାଳ ୧୯୨୭ରେ ବମ୍ବେ ପ୍ରେସିଡେନ୍‌ସିର ବ୍ୟବସ୍ଥାପକ ସଭାରେ ତାଙ୍କୁ ସଭ୍ୟ ମନୋନୀତ କରିଛନ୍ତି। ଏହା ପରଠାରୁ ଭାରତୀୟ ସମାଜରେ ଦଳିତମାନଙ୍କର ମାନବିକ ଅଧିକାର ପାଇଁ ସେ ନିଜକୁ ଉତ୍ସର୍ଗ କରିଛନ୍ତି। ସେମାନେ କିପରି ସମାଜର ମୁଖ୍ୟ ସ୍ରୋତକୁ ଆସିବେ, ସେମାନଙ୍କ ଭିତରେ କିପରି ଶିକ୍ଷାର ପ୍ରସାର ହେବ, ସର୍ବନିମ୍ନ ମାନବିକ ଅଧିକାର ପାଇବା ସହ ସମ୍ମାନର ସହ ଜୀବନ ନିର୍ବାହ କରିବେ ଏହା ହିଁ ତାଙ୍କ ଜୀବନର ମୁଖ୍ୟ ବ୍ରତ ହୋଇଛି। ମହାରାଷ୍ଟ୍ରର ମାହାଦଠାରେ ସର୍ବସାଧାରଣ ଜଳାଶୟରୁ ଦଳିତମାନେ ପାଣି ନେବା ପାଇଁ ତାଙ୍କର ସତ୍ୟାଗ୍ରହ ଓ ନାସିକଠାରେ ରହିଥିବା କଲାରାମ ମନ୍ଦିରରେ ପ୍ରବେଶ କରିବାର ଅଧିକାର ପାଇଁ ତାଙ୍କ ନେତୃତ୍ବରେ ହୋଇଥିବା ଆନ୍ଦୋଳନ ଭାରତୀୟ ସମାଜ ସଂସ୍କାର ଆନ୍ଦୋଳନର ଇତିହାସରେ ଦୁଇଟି ମହତ୍ତ୍ବପୂର୍ଣ୍ଣ ଘଟଣା। ଏହି ସବୁ କାର୍ଯ୍ୟରେ ସେ ବହୁ ସମାଲୋଚନା ଓ ଆକ୍ରମଣର ଶରବ୍ୟ ହୋଇଛନ୍ତି, ତେବେ ଦଳିତ ଏକତା ଓ ଅଧିକାର ପାଇଁ ତାଙ୍କର ସଂଗ୍ରାମ ଅବ୍ୟାହତ ରହିଛି।

ଦଳିତ ଓ ଆଦିବାସୀମାନେ କିପରି ସଭ୍ୟ ସମାଜର ଅଙ୍ଗ ହୋଇପାରି‌େବ ଓ ମାନବିକ ଅଧିକାର ପାଇବେ ଏହି ଉପଲକ୍ଷେ ସେ ଗୋଲ ଟେବୁଲ ବୈଠକରେ ଦଳିତମାନଙ୍କ‌ର ରାଜନୈତିକ ଅଧିକାର ଓ ଦ୍ବୈତ ଭୋଟଦାନ ପାଇଁ ଦାବି କରିଥିଲେ। ଏହି ପ୍ରସଙ୍ଗକୁ ନେଇ ମହାତ୍ମା ଗାନ୍ଧୀଙ୍କ ସହ ତାଙ୍କର ମତପାର୍ଥକ୍ୟ ସୃଷ୍ଟି ହୋଇଥିଲା ଓ ଗାନ୍ଧୀଜୀ ଅନଶନ କରିଥିଲେ। ଏହି ଘଟଣା ଆମ୍ବେଦକରଙ୍କ ପାଇଁ ଏକ ଅଗ୍ନିପରୀକ୍ଷା ଥିଲା। ଶେଷରେ କଂଗ୍ରେସ ନେତୃବୃନ୍ଦଙ୍କ ସହ ବୁଝାମଣା ହୋଇ ପୁନଃ ଚୁକ୍ତି ସ୍ବାକ୍ଷରିତ ହେଲା ଯାହା ଆମ ଦେଶର ଇତିହାସରେ ଥିଲା ଏକ ଗୁରୁତ୍ବପୂର୍ଣ୍ଣ ଘଟଣା। ୧୯୩୨ରେ ଏହି ଘଟଣା ପରଠାରୁ ମହାତ୍ମା ଗାନ୍ଧୀ ସମାଜରୁ ଅସ୍ପୃଶ୍ୟତା ଦୂରୀକରଣକୁ ପ୍ରାଧାନ୍ୟ ଦେଲେ। ସମାଜରୁ ଅସ୍ପୃଶ୍ୟତା ଓ ସାମାଜିକ ଭେଦଭାବ ଦୂର ନ ହେଲେ ରାଜନୈତିକ ସ୍ବାଧୀନ‌ତାର ଯେ କିଛି ମୂଲ୍ୟ ରହିବ ନାହିଁ ଏହା ଥିଲା ସେ ସମୟର ବଡ଼ ଉପଲବ୍‌ଧି। ଦେଶର ରାଜନୈତିକ ସ୍ବାଧୀନତା ଓ ବ୍ରିଟିସ ସାମ୍ରାଜ୍ୟବାଦର ବିଲୋପ ପାଇଁ ମହାତ୍ମା ଗାନ୍ଧୀଙ୍କର ଆନ୍ଦୋଳନ ଓ ଦେଶର ସାଧାରଣ ଜୀବନରୁ ସାମାଜିକ ସାମ୍ରାଜ୍ୟବାଦର ବିଲୋପ କରି ଦଳିତମାନଙ୍କୁ ସାମାଜିକ ମୁଖ୍ୟ‌ ସ୍ରୋତରେ ମିଶାଇବାକୁ ଆମ୍ବେଦକରଙ୍କର ନିଷ୍ଠାପର ପ୍ରୟାସ ପରାଧୀନ ଭାରତର ଦୁଇ ପ୍ରମୁଖ ଆଲୋଡ଼ନ ଭାବେ ଇତିହାସର କାହାଣୀ।

ଦେଶର ରାଜନୈତିକ ସ୍ବାଧୀନତା ପାଇଁ ଜନ ଜାଗରଣ ଓ ଦ୍ବିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତୀ ଘଟଣା ପ୍ରବାହ ଭିତରେ ବ୍ରିଟିସ୍‌ ସରକାର ଭାରତକୁ ସ୍ବାଧୀନତା ଦେବାକୁ ସ୍ଥିର କରିଥି‌େଲ। ‌େତବେ ସ୍ବାଧୀନ ଭାରତରେ କେଉଁ ପ୍ରକାରର ଶାସନ ବ୍ୟବସ୍ଥା ଭାରତୀୟମାନେ ପ୍ରଚଳନ କରିବାକୁ ଚାହାନ୍ତି ସେ ପାଇଁ ନିଜର ସଂବିଧାନ ପ୍ରସ୍ତୁତ କରିବାକୁ ବ୍ରିଟିସ୍‌ ସରକାର ଏକ ସଂବିଧାନ ସଭା ଗଠନ କରିଥିଲେ। ଘଟଣାକ୍ରମରେ ଆମ୍ବେଦକର ସଂବିଧାନ ସଭାର ସଭ୍ୟ ପାଇଁ ମହାରାଷ୍ଟ୍ରରୁ ନିର୍ବାଚନରେ ହାରି ପରେ ବଙ୍ଗପ୍ର‌େଦଶରୁ ସଭ୍ୟ ହୋଇଥିଲେ। ସଂବିଧାନ ସଭା ଗଠନ କରିଥିବା ବିଭିନ୍ନ କମିଟି ମଧ୍ୟରୁ ସଂବିଧାନ ଚିଠା ପ୍ରସ୍ତୁତ ବା ଡ୍ରାଫ୍‌ଟିଂ କମିଟିର ଅଧ୍ୟକ୍ଷ ହେବାର ସୁଯୋଗ ପାଇଥିଲେ। ଭାରତୀୟ ସଂବିଧାନକୁ ରୂପରେଖ ଦେବାରେ ସେ ଏକ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି। ତାଙ୍କର ନିଷ୍ଠାପର ପ୍ରୟାସ ଯୋଗୁ ଦେଶ ଏକ ପ୍ରଗତିଶୀଳ ଓ ଉତ୍କୃଷ୍ଟ ସଂବିଧାନ ଲାଭ କରିଛି। ସଂବିଧାନର ମୁଖବନ୍ଧରେ ଆମ ରାଷ୍ଟ୍ର ସାମାଜିକ, ଅର୍ଥନୈତିକ, ରାଜନୈତିକ, ଲୋକତାନ୍ତ୍ରିକ ସମାଜ ଗଠନକୁ ଲକ୍ଷ୍ୟ ଭାବରେ ଗ୍ରହଣ କରିଛି। ମୌଳିକ ଅଧିକାର କ୍ଷେତ୍ରରେ ସମସ୍ତ ନାଗରିକ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମାନ ବିବେଚିତ ହେବେ, ଆଇନ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବ, କେହି କୌଣସି ଭେଦଭାବର ସମ୍ମୁଖୀନ ହେବେ ନାହିଁ, ସମସ୍ତ ନାଗରିକ ସମ୍ମାନଜନକ ଜୀବନ ଅତିବାହିତ କରିବାର ପରିବେଶ ପାଇବେ ଇତ୍ୟାଦି ପବିତ୍ର ପ୍ରତିଶ୍ରୁତିମାନ ସଂବିଧାନ ସମସ୍ତ ନାଗରିକଙ୍କୁ ପ୍ରଦାନ କରିଛି। ମୋଟ ଉପରେ ଏକ ସମତାପୂର୍ଣ୍ଣ, ନ୍ୟାୟିକ ଓ ମୈତ୍ରୀପୂର୍ଣ୍ଣ ରାଷ୍ଟ୍ର ନିର୍ମାଣ ପାଇଁ ସଂବିଧାନରେ ସ୍ବପ୍ନ ରହିବା ସହ ଜନମଙ୍ଗଳକାରୀ ଆଭିମୁଖ୍ୟକୁ ପ୍ରାଧାନ୍ୟ ଦିଆଯାଇଛି।
ସ୍ବାଧୀନ ଭାରତରେ ଆମ୍ବେଦକର ଦେଶର ପ୍ରଥମ ଆଇନ୍‌ ମନ୍ତ୍ରୀ ହୋଇଥିଲେ। ସଂବିଧାନ ପ୍ରସ୍ତୁତି ପରେ ହିନ୍ଦୁ ସମାଜରେ ସଂସ୍କାର ପାଇଁ, ମହିଳା ସଶକ୍ତୀକରଣ ଓ ସାମାଜିକ ନ୍ୟାୟ ଲକ୍ଷ୍ୟରେ ସେ ହିନ୍ଦୁ କୋର୍ଡ ବିଲ୍‌ ପ୍ରସ୍ତୁତ କରିଥିଲେ। ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁଙ୍କ ସମର୍ଥନ ସତ୍ତ୍ବେ ରକ୍ଷଣଶୀଳ ସଭ୍ୟମାନଙ୍କର ବିରୋଧ ଯୋଗୁ ହିନ୍ଦୁ କୋର୍ଡ ବିଲ ସଂବିଧାନ ସଭାରେ ପାରିତ ହୋଇପାରିଲା ନାହିଁ। ଏହାର ପ୍ରତିବାଦରେ ଆମ୍ବେଦକର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ। ସ୍ବାଧୀନ ଭାରତରେ ହୋଇଥିବା ପ୍ରଥମ ନିର୍ବାଚନରେ ସେ ହାରିଥିଲେ। ପରେ ମହାରାଷ୍ଟ୍ରରୁ ରାଜ୍ୟସଭାର ସଦସ୍ୟ ହୋଇଥିଲେ।
ଆମ୍ବେଦକର ତାଙ୍କ ଦେହାନ୍ତର ମାତ୍ର ଦୁଇ ମାସ ପୂର୍ବରୁ ବୌଦ୍ଧଧର୍ମରେ ଦୀକ୍ଷିତ ହେବା ଥିଲା ତାଙ୍କ ଜୀବନର ଏକ ମହତ୍ତ୍ବପୂର୍ଣ୍ଣ ଘଟଣା। ବୁଦ୍ଧ ସମାଜରୁ ସକଳ କୁପ୍ରଥା, କୁସଂସ୍କାର, ଭେଦଭାବ, ପାରଲୌକିକ ବିଶ୍ବାସ, ଅହେତୁକ କର୍ମକାଣ୍ଡ ଓ ପଶୁବଳି ଇତ୍ୟାଦିକୁ ଦୂର କରିବାକୁ ପ୍ରୟାସ କରିଥିଲେ।

ଭାରତରୁ ବୌଦ୍ଧଧର୍ମ ପରି ଏକ ଗଣଧର୍ମର ବିଲୋପ ହେବା ଓ ଜାତିବାଦ, ମନୁବାଦର ପ୍ରସାର ଘଟିବା ଦେଶ ପାଇଁ ଶୁଭଙ୍କର ନ ଥିଲା। ବୌଦ୍ଧଧର୍ମ ସାମାଜିକ ଜୀବନରେ ଉତ୍କର୍ଷ, ବିଚାରଶୀଳତା, ସ‌େମ୍ବଦନଶୀଳତା ଓ ନୈତିକତାର ପ୍ରସାରକୁ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଦେଇଆସିଛି। ସମତା, ସଦ୍‌ଗୁଣ, ସତ୍ୟ ଓ ଅହିଂସା ବୌଦ୍ଧଧର୍ମର ଏହି ବାର୍ତ୍ତା ଆମ୍ବେଦକରଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା। ତାଙ୍କ ରଚିତ ‘‘ବୁଦ୍ଧ ଓ ତାଙ୍କ ଧର୍ମ’’ ଏକ ଗବେଷଣାମୂଳକ ପାଣ୍ଡିତ୍ୟପୂର୍ଣ୍ଣ କୃତି। ଆମ୍ବେଦକରଙ୍କ ଜୀବନକାଳ ମଧ୍ୟରେ ତାଙ୍କ ଲେଖାର ଏକ ଚତୁର୍ଥାଂଶ ମଧ୍ୟ ପ୍ରକାଶ ପାଇପାରି ନ ଥିଲା। ତାଙ୍କ ଦେହାନ୍ତ‌ର ତିନି ଦଶନ୍ଧି ପରେ ମହାରାଷ୍ଟ୍ର ସରକାରଙ୍କ ପ୍ରୟାସ ଯୋଗୁ ତାଙ୍କର ପାଣ୍ଡୁଲିପିମାନଙ୍କୁ ସଂଗ୍ରହ କରାଯାଇ ‘‘ବାବା ସାହେବ ଆମ୍ବେଦକର ରାଇଟିଙ୍ଗ୍‌ସ ଆଣ୍ଡସ୍ ସ୍ବିଚେସ୍‌’ ଶିରୋନାମାରେ ୨୧ ଖଣ୍ଡରେ ତାଙ୍କର ଲେଖାମାନ ପ୍ରକାଶ ପାଇଛି। ତାଙ୍କ ଲେଖାରୁ ତାଙ୍କ ବୌଦ୍ଧିକ ଗଭୀରତା, ପାଣ୍ଡିତ୍ୟ ଓ ଜୀବନ-ଦର୍ଶନର ସୂଚନା ମିଳେ।

ଆମ୍ବେଦକର କେବଳ ସମତାଭିତ୍ତିକ ସମାଜର ସ୍ବପ୍ନ ଦେଖି ନ ଥିଲେ ସେ ମଧ୍ୟ ଏକ ପ୍ରବୁଦ୍ଧ ଭାରତର ପରିକଳ୍ପନା କରିଥିଲେ। ଦେଶକୁ ଏକ ବିକଶିତ ରାଷ୍ଟ୍ର କରିବାରେ ଓ ସମାଜକୁ ପ୍ରଗତିଶୀଳ, ନ୍ୟାୟିକ ଓ ବିଜ୍ଞାନଧର୍ମୀ କରିବାରେ ସେ ଗମ୍ଭୀର ସମ୍ପୃକ୍ତି ରଖିଥିଲେ। ଏହା ସହିତ ମାନବିକ ଅଧିକାର, ସାମାଜିକ ନ୍ୟାୟ ଓ ମାନବବାଦକୁ ସେ ସର୍ବଦା ପ୍ରାଧାନ୍ୟ ଦେଇ ଆସିଥିଲେ। ଏସବୁ ତାଙ୍କ ଜୀବନ-ଦର୍ଶନର ମୂଳମନ୍ତ୍ର ରହିଥିଲା। ଜଣେ କ୍ରାନ୍ତିକାରୀ ବ୍ୟକ୍ତି ଭାବେ ଇତିହାସର ବେଳାଭୂମିରେ ସେ ଯେଉଁ ପାଦଚିହ୍ନ ରଖିଛନ୍ତି ତାହା ସବୁଦିନ ପାଇଁ ଯେ ଅଲିଭା ରହିବ ଏହା ଆଶା କରାଯାଏ।
ଏ୪/୪୦୫, ଜୀବନ ଆନନ୍ଦ ଏଲ୍ଆଇସି ଫ୍ଲାଟ୍‌ସ
ଖଣ୍ଡଗିରି, ଭୁବନେଶ୍ବର-୩୦