ସାଧାରଣତଃ ଶିଶୁମାନଙ୍କର କାନ୍ଦ ଶୁଣିଲେ କେହି କେହି ବିରକ୍ତି ଭାବ ପ୍ରକାଶ କରିଥା’ନ୍ତି ତ ଆଉ କେହି ବ୍ୟସ୍ତ ହୋଇପଡ଼ନ୍ତି। ଶିଶୁଟିଏ ନିଜର ଶାରୀରିକ କଷ୍ଟ ସମ୍ପର୍କରେ କିଛି କହିପାରୁ ନଥିବାରୁ, ତା’ର କାନ୍ଦିବା ଅସୁସ୍ଥତାର ସୂଚନା ଦେଉଛି ଭାବି ଜଣେ ବ୍ୟସ୍ତ ହୋଇପଡ଼ିବା ସ୍ବାଭାବିକ। ଅପରପକ୍ଷେ, ଶିଶୁର ଚିତ୍କାର ଧ୍ବନି ମନରେ ଶାନ୍ତି ଭଙ୍ଗ କରୁଛି ଭାବି ଅନେକ ବିରକ୍ତ ହୋଇଥା’ନ୍ତି। ତେବେ ଜାପାନରେ ଶିଶୁମାନଙ୍କ କାନ୍ଦ ସେମାନଙ୍କ ପାଇଁ ଶୁଭଙ୍କର ବୋଲି ଏକ ବିଶ୍ବାସ ରହିଆସିଛି। ସେଠାରେ ଶିଶୁମାନଙ୍କୁ ସୁମୋ ଯୋଦ୍ଧାଙ୍କ ହାତରେ କନ୍ଦାଇବା ଦ୍ବାରା ସେମାନଙ୍କର ଦୀର୍ଘ ତଥା ସୁସ୍ଥ ଜୀବନ କାମନା କରାଯାଇଥାଏ ବୋଲି ଅଭିଭାବକମାନଙ୍କ ଧାରଣା। ସେଥିପାଇଁ ଜାପାନର ରାଜଧାନୀ ଟୋକିଓ ସହର ସ୍ଥିତ ବହୁ ପୁରାତନ ଇରୁଗି ପୀଠରେ ଶିଶୁ କ୍ରନ୍ଦନର ଏକ ବାର୍ଷିକ ଉତ୍ସବ ପାଳିତ ହୋଇ ଆସୁଛି।
ଅଭିଭାବକମାନେ ସେଠାକୁ ନିଜର ୬ ମାସରୁ ଦେଢ଼ ବର୍ଷ ବୟସର ସନ୍ତାନସନ୍ତତିଙ୍କୁ ଆଣି ସେମାନଙ୍କୁ ଖାସ୍ କନ୍ଦାଇବା ପାଇଁ ସୁମୋ ଯୋଦ୍ଧାଙ୍କ ହାତରେ ସମର୍ପି ଦେଇଥାନ୍ତି। ବିଶାଳକାୟ ସୁମୋ ଯୋଦ୍ଧାମାନେ ଶିଶୁମାନଙ୍କୁ ହଲାଇ, ଝୁଲାଇ ବା ସାମାନ୍ୟ ଆଘାତ ଦେଇ ସେମାନଙ୍କ ପାଟିରୁ କୌଣସିମତେ କାନ୍ଦ ବାହାର କରିଥା’ନ୍ତି। ଜାପାନୀ ପିତାମାତାଙ୍କର ବିଶ୍ବାସ, ଶିଶୁର କ୍ରନ୍ଦନ ସ୍ବର ହିଁ ଈଶ୍ବରଙ୍କ ପାଖରେ ପହଞ୍ଚିଥାଏ। ତେଣୁ କାନ୍ଦୁଥିବା ଶିଶୁମାନଙ୍କୁ ସର୍ବବ୍ୟାପୀ ଈଶ୍ବର ଆଶୀର୍ବାଦ କରି ସେମାନଙ୍କୁ ଜୀବନ ସାରା ସୁସ୍ଥ ରଖିବା ସହ ଦୀର୍ଘାୟୁ କରିଥା’ନ୍ତି। ଜାପାନ ପରି ଉନ୍ନତ ତଥା ଅତ୍ୟାଧୁନିକ ଦେଶରେ ଏପରି ପ୍ରଥାକୁ କେହି ଅନ୍ଧବିଶ୍ବାସ ନଭାବି ଉକ୍ତ ପରମ୍ପରାକୁ ବଜାୟ ରଖିଛନ୍ତି।