କୋଭିଡ୍ର ତୃତୀୟ ଲହର ପିଲା ମାନଙ୍କ ପାଇଁ ଅଧିକ ବିପଦ ସୃଷ୍ଟି କରିବ ବୋଲି ଚାଲିଥିବା ଚର୍ଚ୍ଚା ମଧ୍ୟରେ ୫ ବର୍ଷରୁ କମ୍ ଶିଶୁଙ୍କୁ ମାସ୍କ ପିନ୍ଧିବା ଦରକାର ନାହିଁ ବୋଲି ସରକାର କହିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକାରେ ଏଭଳି ନିର୍ଦ୍ଦେଶ ଦିଆ ଯାଇଛି। ସେହିପରି ୬ରୁ ୧୧ ବର୍ଷର ପିଲା ମାନେ ପିତାମାତାଙ୍କ ତତ୍ତ୍ବାବଧାନରେ ମାସ୍କ ପିନ୍ଧିବେ ବୋଲି ପରାମର୍ଶ ଦିଆଯାଇଛି। ଏହାଛଡ଼ା ୧୮ ବର୍ଷରୁ କମ୍ ଶିଶୁ ଓ କିଶୋରଙ୍କ କ୍ଷେତ୍ରରେ ରେମ୍ଡେସିଭିର୍ ବ୍ୟବହାରକୁ ବାରଣ କରାଯାଇଛି। ଏହା ଛୋଟ ପିଲାଙ୍କ ପାଇଁ ନିରାପଦ ନୁହେଁ ବୋଲି ନିର୍ଦ୍ଦେଶାଳୟ କହିଛି। ଲକ୍ଷଣ ବିହୀନ ବା ସାମାନ୍ୟ ଲକ୍ଷଣ ଯୁକ୍ତ ଶିଶୁଙ୍କ ପାଇଁ କୋଭିଡ୍ ପରୀକ୍ଷା ବା କୌଣସି ନିର୍ଦ୍ଦିଷ୍ଟ ଔଷଧ ସୁପାରିସ୍ କରାଯାଇ ନାହିଁ। ସେମାନଙ୍କୁ ପୋଷଣଯୁକ୍ତ ଖାଦ୍ୟ ଓ କୋଭିଡ୍ ଉପଯୁକ୍ତ ବ୍ୟବହାର ପାଳନ ଉପରେ ନିର୍ଦ୍ଦେଶାଳୟ ଗୁରୁତ୍ବ ଦେଇଛି।
ଡାକ୍ତରଙ୍କ କହିବା ହେଲା ମାସ୍କ ପିନ୍ଧୁଥିବା ଲୋକେ ଏହା ପରିଧାନର ମୂଳତତ୍ତ୍ବ ଓ ଉପାୟ ସଂପର୍କରେ ଜାଣିବା ଦରକାର। ୫ ବର୍ଷରୁ କମ୍ ପିଲା କ୍ଷେତ୍ରରେ ଏହା ଅବଲମ୍ବନ କରିବା ଅସମ୍ଭବ ହୋଇଥିବାରୁ ତାହା ସୁରକ୍ଷା ବଦଳରେ ସଂକ୍ରମଣର ଆଶଂକା ବୃଦ୍ଧି କରିବ। ସେହି କାରଣରୁ କମ ବୟସର ଶିଶୁଙ୍କୁ ମାସ୍କ ପିନ୍ଧା ନଯାଉ ବୋଲି ସ୍ବାସ୍ଥ୍ୟସେବା ନିର୍ଦ୍ଦେଶାଳୟ ମତ ରଖିଛି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେମାନଙ୍କ ପ୍ରତି ସଂକ୍ରମଣର ଭୟ ନାହିଁ। ଯେହେତୁ ସେହି ଶିଶୁ ମାନେ ମାସ୍କ ପିନ୍ଧିବେ ନାହିଁ, ତେଣୁ ସେମାନଙ୍କ ଅଭିଭାବକଙ୍କୁ ଅତିରିକ୍ତ ସାବଧାନ ଓ ଯତ୍ନବାନ ହେବାକୁ ପଡ଼ିବ। ସରକାର ଏବଂ ଭୂତାଣୁବିତ୍ଙ୍କ ମୁତାବକ ବର୍ତ୍ତମାନ ସୁଦ୍ଧା ତୃତୀୟ ଲହର ଛୋଟ ପିଲାଙ୍କୁ ଅଧିକ ପ୍ରଭାବିତ କରିବାର ସେଭଳି କୌଣସି ନିର୍ଦ୍ଦିଷ୍ଟ ସୂଚନା ବା ପ୍ରମାଣ ମିଳି ନାହିଁ। ଏଭଳି ଯୁକ୍ତିର ସମର୍ଥନ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ତଥ୍ୟ ନଥିବା ଏମ୍ସ ନୂଆଦିଲ୍ଲୀର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ମଧ୍ୟ ମତ ଦେଇଛନ୍ତି। କିନ୍ତୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସରକାର ଦେଶରେ ଶିଶୁ ଚିକିତ୍ସାର ଭିତ୍ତିଭୂମି ସଂପର୍କରେ ସର୍ବେକ୍ଷଣ ଓ ତର୍ଜମା ଆରମ୍ଭ କରି ଦେଇଛନ୍ତି।
ସ୍ବାସ୍ଥ୍ୟସେବା ନିର୍ଦ୍ଦେଶାଳୟ ନିଜ ମାର୍ଗଦର୍ଶିକାରେ ଏହା ବି କହିଛି ଯେ ପିଲାଙ୍କ କ୍ଷେତ୍ରରେ ଷ୍ଟେରଏଡ୍ ବା ଆଣ୍ଟିକୋଆଗୁଲାଣ୍ଟର ବ୍ୟବହାର ବିପଜ୍ଜନକ। ଏହା କେବଳ ଡାକ୍ତରଖାନାରେ ଭର୍ତ୍ତି ଅତି ଗୁରୁତର ବା ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବିଶେଷଜ୍ଞ ଡାକ୍ତରଙ୍କ ତତ୍ତ୍ବାବଧାନରେ ବ୍ୟବହାର କରା ଯାଇପାରେ। ଏ ସଂପର୍କରେ ଜଣେ ଶିଶୁରୋଗ ବିଶେଷଜ୍ଞଙ୍କ କହିବା ହେଲା ଯେ ସାରା ଦେଶରେ ଏହି ନିୟମର ପାଳନ କରାଯାଉଛି। ଅଧିକାଂଶ ଶିଶୁ କୋଭିଡ୍ ଆକ୍ରାନ୍ତଙ୍କ କ୍ଷେତ୍ରରେ ଚିକିତ୍ସା କମ୍ ଯତ୍ନ ଅଧିକ ଲୋଡ଼ା। ପିଲାଙ୍କ କ୍ଷେତ୍ରରେ ଭୁତାଣୁନାଶକର ବିଶେଷ ଭୂମିକା ନାହିଁ। ଶିଶୁ ରୋଗୀଙ୍କ ଛାତିର ଉଚ୍ଚ ରିଜୋଲ୍ୟୁସନ୍ ସିଟି ସ୍କାନ୍ କରିବାବେଳେ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବାକୁ ନିର୍ଦ୍ଦେଶାଳୟ ପକ୍ଷରୁ ଶିଶୁରୋଗ ବିଶେଷଜ୍ଞ ମାନଙ୍କୁ ପରାମର୍ଶ ଦିଆଯାଇଛି। ଏଥିରୁ ହେଉଥିବା ବିକିରଣ ପରବର୍ତ୍ତୀ ସମୟରେ କ୍ୟାନ୍ସର୍ର କାରଣ ହୋଇପାରେ ବୋଲି ସଚେତନ କରାଯାଇଛି। ଶ୍ବାସକ୍ରିୟାରେ ଜଟିଳତା (ଏଆର୍ଡିଏସ୍) କ୍ଷେତ୍ରରେ ଶିଶୁ ମାନଙ୍କୁ ମାସ୍କ ସାହାଯ୍ୟରେ ନାକ ଦେଇ ଉଚ୍ଚପ୍ରବାହଯୁକ୍ତ ଅମ୍ଳଜାନ ଜରିଆରେ ଚିକିତ୍ସା କରିବା ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି।
ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକାରେ ପୋଷ୍ଟ ମଲ୍ଟିସିଷ୍ଟମ୍ ଇନ୍ଫ୍ଲାମାଟୋରି ସିଣ୍ଡ୍ରୋମ୍ (ପିଏମ୍ଆଇଏସ୍) ବା କୋଭିଡ୍ ପରବର୍ତ୍ତୀ ଜଟିଳତା ସଂପର୍କରେ ବି ଉଲ୍ଲେଖ ରହିଛି। କରୋନାରୁ ସୁସ୍ଥ ହେବାର ୨ରୁ ୪ ସପ୍ତାହ ମଧ୍ୟରେ ଶିଶୁ ମାନଙ୍କଠାରେ ଏହା ଦେଖା ଦେଉଥିବାବେଳେ ଏଥିରେ ଜ୍ବର, ପେଟବଥା, ବାନ୍ତି ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ। ଏଭଳି କ୍ଷେତ୍ରରେ ଶିଶୁକୁ ଆଇସିୟୁ ଚିକିତ୍ସାର ଆବଶ୍ୟକତା ପଡ଼ିଥାଏ। ଏଥିରେ ହୃଦ୍ଘାତ ବା ଅନ୍ୟ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଅଚଳ ହେବାର ବି ଆଶଂକା ରହିଛି। ତେଣୁ ଲକ୍ଷଣ ଦେଖା ଦେବା ମାତ୍ରେ ହାଲୁକାରେ ନନେଇ ତୁରନ୍ତ ବିଶେଷଜ୍ଞ ପରାମର୍ଶ ନେବାକୁ ନିର୍ଦ୍ଦେଶାଳୟ ପକ୍ଷରୁ କହାଯାଇଛି।