ନୂଆଦିଲ୍ଲୀ: ଜଣେ ମା’ ପାଇଁ ସନ୍ତାନକୁ ହରାଇବା ଦୁଃଖ ଜୀବନର ସବୁଠାରୁ ବଡ଼ ଦୁଃଖ। ସନ୍ତାନକୁ ହରାଇ ଦେବା ପରେ ତା’ପାଇଁ ବଞ୍ଚିବାର ଆଉ କିଛି କାରଣ ନଥାଏ। ତେବେ ମଣିଷ ଯେମିତି ତା’ର ସନ୍ତାନ ପାଇଁ ଜୀବନ ଦେବାକୁ ପଛାଏ ନାହିଁ ପଶୁପକ୍ଷୀଙ୍କ କ୍ଷେତ୍ରରେ ବି ସେମିତି ଦେଖିବାକୁ ମିଳିଥ‌ାଏ।

Advertisment

ଅନେକ ସମୟରେ ରାସ୍ତାରେ ଗଲାବେଳେ କୁକୁର/ବିଲେଇ ଛୁଆଙ୍କ ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଯାଇଥାଏ। ଯେପର୍ଯ୍ୟନ୍ତ କେହି ସେହି ରାସ୍ତାରୁ ମଲା କୁକୁର/ବିଲେଇ ଛୁଆଙ୍କୁ ଉଠାଇ ନାହାନ୍ତି ‌। ଉକ୍ତ ଛୁଆଙ୍କ ମା’ ସେମିତି ସେଠାରେ ବସି ରହିଥାଏ। କିଛି କହି ନପାରୁ ଥିଲେ ବି ଆଖିରୁ ଲୁହ ଝରାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ।

ଏମିତି ଏକ ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ଟୁଇଟ କରି ସେୟାର କରିଛନ୍ତି। ଯେଉଁଥିରେ ତିନିହେବ ଏକ ହାତୀ ଛୁଆ ମରି ଯାଇଛି। କିନ୍ତୁ ତାର ମା’ ତାକୁ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ। ସେ ତାର ଛୁଆକୁ ଘୋଷାଡ଼ି ଘୋଷାଡ଼ି ୨କିମି ପର୍ଯ୍ୟନ୍ତ ନଦୀ ପାଖକୁ ନେଇଯାଉଛି। ଆଉ ସେଠାରେ ତାକୁ ଜୀବିତ କରିବାକୁ ଚେଷ୍ଟାକରୁଛି। ଯେମିତି ମା’ ହାତୀ ତାର ଛୁଆକୁ କହୁଛି, ‘ଉଠ ଧନ ଉଠ... ତୋ ବିନା ମୁଁ କେମିତି ବଞ୍ଚିବି କହ।’

ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଏହି ଭିଡିଓକୁ ଯିଏ ଦେଖୁଛନ୍ତି ସିଏ ଭାବବିହ୍ବଳ ହୋଇପଡ଼ୁଛନ୍ତି।