ଏଲନ୍ ମସ୍କଙ୍କ କୃତ୍ରିମ ବୁଦ୍ଧିମତ୍ତା ଷ୍ଟାର୍ଟଅପ୍ ‘ଏକ୍ସଏଆଇ’ ଶିଶୁ- ଅନୁକୂଳ ବିଷୟବସ୍ତୁ ପ୍ରଦାନ କରିବା ଉପରେ ଧ୍ୟାନ ଦେଇ ‘ବେବି ଗ୍ରକ୍’ ନାମକ ଏକ ନୂତନ ଆପ୍ଲିକେସନ୍ ବିକଶିତ କରୁଛି। ଶିଶୁମାନଙ୍କ ପାଇଁ ଉତ୍ସର୍ଗୀକୃତ ଏଆଇ ଉପକରଣ ତିଆରି କରିବାରେ ଏହା ‘ଏକ୍ସଏଆଇ’ର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଶିଶୁମାନେ ଅନୁପଯୁକ୍ତ କିମ୍ବା କ୍ଷତିକାରକ ସାମଗ୍ରୀର ସଂସ୍ପର୍ଶ ବିନା ଏହି ଆପ୍ ଜରିଆରେ ଡିଜିଟାଲ୍ ସହାୟତା ଲାଭ କରିପାରିବେ ବୋଲି ମସ୍କ ଦାବି କରିଛନ୍ତି।
ବେବି ଗ୍ରକ୍ ହେଉଛି ଏକ ନୂତନ ଏଆଇ ଚାଟବଟ୍ ଯାହା ସାଧାରଣ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ଗ୍ରକ୍ ମଡେଲ୍ ଠାରୁ ଭିନ୍ନ। ଏହାର ଲକ୍ଷ୍ୟ ହେଉଛି ପ୍ରାପ୍ତବୟସ୍କ କିମ୍ବା ବିବାଦୀୟ ବିଷୟବସ୍ତୁକୁ ଛାଣି କେବଳ ବୟସ-ଉପଯୁକ୍ତ ପ୍ରତିକ୍ରିୟା ପ୍ରଦାନ କରିବା। ଏଭଳି ଏକ ସୁରକ୍ଷିତ ଅନ୍ଲାଇନ୍ ପରିବେଶରେ ପିଲାମାନେ ଆକର୍ଷଣୀୟ ତଥା ଶିକ୍ଷଣୀୟ ଅଭିଜ୍ଞତା ହାସଲ କରିପାରିବେ ବୋଲି ଆଶା କରାଯାଉଛି।