ସନ୍ତାନର ନାମ ଡୋନାଲ୍ଡ ଟ୍ରମ୍ପ ରଖି ଅଡ଼ୁଆରେ ଅଭିଭାବକ, ମିଳିଲା ମୃତ୍ୟୁ ଧମକ

କାବୁଲ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମୁସଲମାନ ବିରୋଧି ବୋଲି କୁହାଯାଉଛି। ତେବେ ଆଫଗାନିସ୍ଥାନରେ ଜଣେ ଅଭିଭାବକ ନିଜ ପିଲାର ନାମ ଡୋନାଲ୍ଡ ଟ୍ରମ୍ପ ରଖିଥିବା ନେଇ ବିବାଦ ଦେଖା ଦେଇଛି। ଏହି ଅଭିଭାବକ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସଫଳତାରେ ପ୍ରେରିତ ହୋଇ ତାଙ୍କ ନାମ ଅନୁସାରେ ନିଜ ସନ୍ତାନ ନାମ ଦେଇଥିଲେ।

ଏହି ଶିଶୁ ନାମ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ନେଇ ଇସ୍‌ଲାମିକ୍‌ କଠୋରପନ୍ଥି ପକ୍ଷରୁ ସଇଦ ଅସଦୁଲ୍ଲାହ ପୁୟା ଓ ତାଙ୍କ ପତ୍ନୀଙ୍କୁ ମୃତ୍ୟୁର ଧମକ ଆସୁଛି। ଇସଲାମିକ୍‌ ବିରୋଧୀ ନାମ ରଖିଥିବାରୁ ତାଙ୍କୁ ଏଭଳି ଧମକ ଆସୁଥିବା କୁହାଯାଉଛି।

ସଇଦି କହିଛନ୍ତି, ‘ହାଓ ଟୁ ଗେଟ୍‌ ରିଚ’ ପୁସ୍ତକ ପଢ଼ିଥିଲି। ଯାହାପରେ ମୁଁ ଟ୍ରମ୍ପଙ୍କ ଠାରୁ ପ୍ରେରିତ ହୋଇ ନିଜର ପିଲାର ନାମ ଡୋନାଲ୍ଡ ଟ୍ରମ୍ପ ରଖିବା ପାଇଁ ନିଷ୍ପତ୍ତି ନେଇଥିଲି। କେହି ଜଣେ ଆମ ପିଲାର ଫଟୋ ଓ ନାମକୁ ଫେସ୍‌ବୁକ୍‌ରେ ପୋଷ୍ଟ କରିବା ପରେ ଲୋକମାନେ ଆପତ୍ତି କରିଛନ୍ତି।

ସୂଚନାଯୋଗ୍ୟ, ଆମେରିକାରେ ୨୦୧୬ରେ ସାଧାରଣ ନିର୍ବାଚନ କିଛି ମାସ ପୂର୍ବରୁ ସଇଦ ନିଜର ତୃତୀୟ ସନ୍ତାନକୁ ଜନ୍ମ ଦେଇଥିଲେ। ଯାହାପରେ ସେ ନିଜ ତୃତୀୟ ସନ୍ତାନର ନାମ ଆମେରିକା ରାଷ୍ଟ୍ରପତିଙ୍କ ନାମ ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପ ରଖିଥିଲେ। ସଇଦଙ୍କ ପରିବାର ଆଫଗାନିସ୍ଥାନର ଦାଇକୁଣ୍ଡିରେ ବାସବାସ କରନ୍ତି। ଯେଉଁମାନେ କି ବଦାମ୍‌, ଗହମ ଓ ମକା ଚାଷ କରି ଜୀବିକା ନିର୍ବାହ କରିଥାଆନ୍ତି।

କାବୁଲର ପପୁଲେସନ୍‌ ରେଜିଷ୍ଟ୍ରସନ୍‌ର ସିନିୟର ଆଡଭାଇଜର ରୋହୁଲ୍ଲାହ ଅହମଦଜାଇ ଏହି ବିବାଦ ପ୍ରସଙ୍ଗରେ କହିଛନ୍ତି, ଆଫଗାନିସ୍ଥାନର ଶିଶୁ ଡୋନାଲ୍ଡ ଟ୍ରମ୍ପର ପିତା ସଇଦ କୌଣସି ପ୍ରକାରେ ନିୟମ ଉଲଂଘନ୍ନ କରି ନାହାନ୍ତି। ପିଲାର ନାମ ଡୋନାଲ ଟ୍ରମ୍ପ ରଖିବା ଇସଲାମିକ୍‌ ବିରୋଧୀ ନୁହେଁ। ପ୍ରତ୍ୟେକଙ୍କୁ ନିଜ ସନ୍ତାନର ଯେକୌଣସି ନାମ ରଖିବାର ଅଧିକାର ଅଛି। ସଇଦ ନିଜ ପିଲାର ନାମକୁ ପରିବର୍ତ୍ତନ କରିବା ପାଇଁ ଆଦୌ ରାଜି ନୁହନ୍ତି।

ସମ୍ବନ୍ଧିତ ଖବର