ଉଜୁଡ଼ା ଜଙ୍ଗଲକୁ ସଜାଡୁ ସଜାଡୁ ଚାଲିଗଲା ଦୁଇଟି ଅମୂଲ୍ୟ ଜୀବନ। ଉଜୁଡ଼ା ଅରଣ୍ୟରେ ସବୁଜିମାର ଜୁଆର ସୃଷ୍ଟି କରିବା ପାଇଁ ଅଗ୍ରଦୂତ ସାଜିଥିବା ସୁବ୍ରତଙ୍କୁ ଦୁର୍ଘଟଣାରେ ପକାଇ ଟାଣିନେଲା ଯମ! ପୁଅର ଅଧୁରା ସ୍ବପ୍ନକୁ ସାକାର କରିବା ଲାଗି ପରିଣତ ବୟସରେ ଅଣ୍ଟାଭିଡ଼ି ସଫଳତାର ବୀଜ ବୁଣିଥିବା ଶିକ୍ଷାବିତ୍ ଧ୍ରୁବରାଜ ହେଲେ ଜଣେ ଉଦ୍ଭ୍ରାନ୍ତ ଯୁବକର ଟାଙ୍ଗିଆ ଚୋଟର ଶିକାର। ଏହି ଘଟଣାକୁ ବର୍ଷେ ନପୂରୁଣୁ ଜଙ୍ଗଲ ସୁରକ୍ଷାର ସୈନିକ ସାଜିଥିବା ହତ୍ୟା ଅଭିଯୁକ୍ତ ପ୍ରବୀରର ବାପା ଦୈତାରୀ ଧୁରୁଆଙ୍କର ଜଙ୍ଗଲରେ ଅପମୃତ୍ୟୁ ହେଲା। ଏମିତି ଅନେକ ଅଘଟଣର ମୂକସାକ୍ଷୀ ‘ଅନ୍ଧାରୀ ଜଙ୍ଗଲ’। କେଉଁଠି ଏ ଜଙ୍ଗଲ? କ’ଣ ତା’ର ଇତିହାସ? କାହିଁକି ରକ୍ତରଞ୍ଜିତ ଏହାର ମାଟି? ଗ୍ରାଉଣ୍ଡ୍ ଜିରୋରୁ ବିଭୂତି ପତିଙ୍କ ରିପୋର୍ଟ।
ଜଙ୍ଗଲ ହେଉଛି ଜଳର ଉତ୍ସ, ଜୀବନଜୀବିକାର ଆଧାର ଓ ଜୈବବିବିଧତାର ରକ୍ଷାକବଚ। ପୃଥିବୀ ପୃଷ୍ଠରେ ଜୀବସତ୍ତା ସୃଷ୍ଟି ହୋଇଛି ଏବଂ ତିଷ୍ଠି ରହିଛି ଏହି ଜଙ୍ଗଲ ପାଇଁ। ଜଙ୍ଗଲର ଧ୍ବଂସସାଧନରେ ସମଗ୍ର ଜୀବଜଗତର ବିନାଶ ଅବଶ୍ୟମ୍ଭାବୀ। ଆଜିର ଦିନରେ ଜଙ୍ଗଲର ସୁରକ୍ଷା ପାଇଁ ସମଗ୍ର ବିଶ୍ବରେ ଜାତିସଂଘରୁ ନେଇ ଏକାଧିକ ଅନୁଷ୍ଠାନ ଓ ପରିବେଶବିତ୍ ଏହି ବାର୍ତ୍ତା ବାଣ୍ଟୁଛନ୍ତି। ୧୯୯୧ ମସିହାରେ ଏହି ଆହ୍ବାନରେ ଅନୁପ୍ରାଣିତ ହୋଇ ଉଚ୍ଚପଦବିର ମୋହ ତୁଟାଇ, ଉପାର୍ଜନର ଆକାଂକ୍ଷା ପରିତ୍ୟାଗ କରି ଏବଂ ପରିବାରର ବନ୍ଧନରୁ ମୁକୁଳି କୁଅଁରମାଲ ବାସିନ୍ଦା ତଥା ସ୍ଥାନୀୟ ଗୌନ୍ତିଆଙ୍କ ପୁଅ ଇଞ୍ଜିନିୟର୍ ସୁବ୍ରତ ନାୟକ ଉଜୁଡ଼ା ଅନ୍ଧାରୀ ଜଙ୍ଗଲର ସୁରକ୍ଷାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ। ପ୍ରିୟାର ପଣତକୁ ପରକରି ଏବଂ ସୁଖ ସଂସାରକୁ ପଛରେ ପକାଇ ଅନ୍ଧାରୀ ଜଙ୍ଗଲର ପୁନରୁଦ୍ଧାର ଏବଂ ନଣ୍ଡା ପାହାଡ଼ରେ ସବୁଜବନାନୀ ସୃଷ୍ଟିର ସ୍ବପ୍ନ ବୁଣିଥିଲେ ସୁବ୍ରତ। ଜୀବନକୁ ବାଜିଲଗାଇ ସେ ଅନ୍ଧାରୀ ଜଙ୍ଗଲକୁ ଘଞ୍ଚ ବୃକ୍ଷଲତାରେ ଭରପୂର କରିଦେଲେ। ହେଲେ ସୁବ୍ରତ ଜାଣି ନ ଥିଲେ ଏହି ଅନ୍ଧାରୀ ଜଙ୍ଗଲର ଅନ୍ଧାର ଭିତରେ ତାଙ୍କ ଜୀବନର କାଳ ଲୁଚିରହିଛି। ଝାରସୁଗୁଡ଼ା ଜିଲ୍ଲାର ଲଇକେରା ଓ କିର୍ମିରା ବ୍ଲକ୍ରେ ଅବସ୍ଥିତ ଅନ୍ଧାରୀ ଜଙ୍ଗଲ। ଅନ୍ଧାରୀ ଜଙ୍ଗଲକୁ ଲାଗିରହିଛି ସାତଟି ଡୁଙ୍ଗରୀ (ଛୋଟ ପାହାଡ଼)। ଏକଦା ଏହି ପାହାଡ଼ରେ ଅନେକ ଝରଣା ଥିଲା, କିନ୍ତୁ କ୍ରମଶଃ ସେଗୁଡ଼ିକ ଶୁଖି ମୃତପ୍ରାୟ ହୋଇ ଯାଇଥିଲା। ୨୫ ବର୍ଗ କିଲୋମିଟର ପରିବ୍ୟାପ୍ତ ଅନ୍ଧାରୀ ଜଙ୍ଗଲ ନିକଟରେ ରହିଛି ଅନ୍ଧାରୀମୁଣ୍ଡା, କୁଅଁରମାଲ, ପାକେଲଖୋଲ, ଡୁଡୁକାବାହାଲ ଓ ବାବୁଚିପିଡ଼ି ଆଦି ୧୫ ଖଣ୍ଡ ଆଦିବାସୀ ଅଧ୍ୟୁଷିତ ଗଁା।
ଏହି ଗଁାଗୁଡ଼ିକର ଅଧିବାସୀ ମୁଖ୍ୟତଃ ଗରିବଶ୍ରେଣୀର। ୧୯୯୦ ମସିହା ବେଳକୁ ଅନ୍ଧାରୀ ଜଙ୍ଗଲ ସଂପୂର୍ଣ୍ଣ ଉଜୁଡ଼ି ଯାଇଥିଲା ଏବଂ ପାହାଡ଼ଗୁଡ଼ିକ ବୃକ୍ଷଲତା ଶୂନ୍ୟ ହୋଇ ଟାଙ୍ଗରା ପାଲଟି ଯାଇଥିଲା।
ଇଞ୍ଜିନିୟର୍ ସୁବ୍ରତ ନାୟକ ଉଜୁଡ଼ା ଅନ୍ଧାରୀ ଜଙ୍ଗଲର ସୁରକ୍ଷାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ। ପ୍ରିୟାର ପଣତକୁ ପରକରି ଏବଂ ସୁଖ ସଂସାରକୁ ପଛରେ ପକାଇ ଅନ୍ଧାରୀ ଜଙ୍ଗଲର ପୁନରୁଦ୍ଧାର ଏବଂ ନଣ୍ଡା ପାହାଡ଼ରେ ସବୁଜବନାନୀ ସୃଷ୍ଟିରେ ସ୍ବପ୍ନ ବୁଣିଥିଲେ ସୁବ୍ରତ। ଜୀବନକୁ ବାଜିଲଗାଇ ଅନ୍ଧାରୀ ଜଙ୍ଗଲକୁ ଘଞ୍ଚ ବୃକ୍ଷଲତାରେ ଭରପୂର କରିଦେଲେ ସୁବ୍ରତ। ହେଲେ ସୁବ୍ରତ ଜାଣି ନ ଥିଲେ ଏହି ଅନ୍ଧାରୀ ଜଙ୍ଗଲର ଅନ୍ଧାର ଭିତରେ ତାଙ୍କ ଜୀବନର କାଳ ଲୁଚିରହିଛି।
ଅନ୍ଧାରୀ ଠାକୁରାଣୀଙ୍କ ମହିମା!
କୌଣସି ମନ୍ଦିର ନଥିଲା କି କେହି ପୂଜକ ନଥିଲେ। ଜଙ୍ଗଲର ଏକ ଗୁମ୍ଫା ଭିତରେ ଥିବା ପଥରକୁ ଲୋକେ ଅନ୍ଧାରୀ ଜଙ୍ଗଲର ଠାକୁରାଣୀଙ୍କ ପ୍ରତିମା ମନେକରି ପୂଜାର୍ଚ୍ଚନା କରୁଥିଲେ। ମା’ ଅନ୍ଧାରୀଙ୍କ ଶକ୍ତି ସେମାନଙ୍କ ସାଥିରେ ଥିବାରୁ ଉଜୁଡ଼ା ଜଙ୍ଗଲ ପୁଣି ସଜାଡ଼ି ହୋଇଗଲା ବୋଲି ସେମାନେ ବିଶ୍ବାସ କରୁଥିଲେ। ସ୍ଥାନୀୟ ଗ୍ରାମବାସୀ ଅରୁଣ ପଟେଲ କହନ୍ତି, ‘‘ଦ୍ରୁତ ଶିଳ୍ପାୟନ ସଙ୍ଗକୁ କାଠ ତସ୍କରି ହେତୁ ଏକଦା ଘଞ୍ଚ ଅରଣ୍ୟ ଥିବା ଅନ୍ଧାରୀ ଜଙ୍ଗଲ ୧୯୯୦ ମସିହା ବେଳକୁ ଉଜୁଡ଼ି ଯାଇଥିଲା। ପାହାଡ଼ ସବୁ ବୃକ୍ଷହୀନ ହୋଇ ଲଣ୍ଡିତ ପାଲଟି ଯାଇଥିଲା। ଏକଦା ଚାଷଜମିକୁ ଜଳ ଯୋଗାଉଥିବା ଜଙ୍ଗଲର ୬/୭ଟି ଝରଣା ଶୁଖି ଯାଇଥିଲା। ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଅନ୍ଧାରୀ ଜଙ୍ଗଲକୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଥିଲା। ସ୍ଥାନୀୟ ଗରିବ ଜନସାଧାରଣ ଓ ଆଦିବାସୀମାନଙ୍କର ଜୀବନଜୀବିକା ଭୁଶୁଡ଼ି ପଡ଼ିଥିଲା। ଜଙ୍ଗଲ ଚଉହଦିରେ ଥିବା ଚାଷଜମି ଫାଟି ଅଁା’ କରୁଥିଲା। ୧୯୯୧ ମସିହାରୁ ବୃକ୍ଷ ରୋପଣ ଆରମ୍ଭ ହେବା ପରେ କିଛି ବର୍ଷ ମଧ୍ୟରେ ଅନ୍ଧାରୀ ଠାକୁରାଣୀଙ୍କ ଅପାର କରୁଣାରୁ ଜଙ୍ଗଲ ଭରିଉଠିଲା, ଝରଣାରେ ଜଳ ପ୍ରବାହିତ ହେଲା ଏବଂ ଚାଷଜମି ଶସ୍ୟଶ୍ୟାମଳ ହେଲା।’’ କେବଳ ସେତିକି ନୁହେଁ, ଗଛଲତା ବଢ଼ିବା ପରେ ଜଙ୍ଗଲ ଭିତରେ ପୁଣିଥରେ ଜୀବଜନ୍ତୁ ଓ ପକ୍ଷୀଙ୍କ କଳରବ ଶୁଭିବା ଆରମ୍ଭ ହୋଇଥିଲା। ଏଥିସହ ପ୍ରାୟ ୧୨ଟି ଝରଣାର ଝର ଫିଟି ଯାଇଥିଲା। ଲୋକେ ଜୀବିକା ଫେରିପାଇବା ପରେ ପୁଣି ଗ୍ରାମବାସୀଙ୍କ ହସଖୁସିରେ ମୁଖରିତ ହେଲା ‘ଗାଁ ଦେମୂଲ’ଙ୍କ ବିଜେସ୍ଥଳୀ। ମା’ ଅନ୍ଧାରୀ ଠାକୁରାଣୀଙ୍କ ପର୍ବପର୍ବାଣି ଅବସରରେ ପର୍ବତ ଶିଖରରେ ଉତ୍ସବ ପାଳନହେଲା। ଅମୂଲ୍ୟ ପ୍ରାକୃତିକ ସଂପଦ ଅନ୍ଧାରୀ ଜଙ୍ଗଲର ପୁର୍ନବିନ୍ୟାସ ପାଇଁ ୧୫ଖଣ୍ଡ ଗଁାର ଜୀବନଜୀବିକା ସମୃଦ୍ଧ ହେଲା।
ଏହି ସଫଳତାର ନାୟକ ଥିଲେ ସୁବ୍ରତ । ‘‘ସୁବ୍ରତଙ୍କ ଅକ୍ଳାନ୍ତ ପରିଶ୍ରମ ଓ ନେତୃତ୍ବ ଏବଂ ଗ୍ରାମବାସୀମାନଙ୍କ କର୍ମଶକ୍ତି ବଳରେ ‘ଗାଁ ଦେମୂଲ’ (ଆବହମାନକାଳରୁ ତୋଟାର ଗଛମୂଳେ ପୂଜିତ ଦେବଦେବୀ)ଙ୍କ ପୂଜାର୍ଚ୍ଚନା ଆରମ୍ଭ ହେଲା। ସୁବ୍ରତବାବୁ ସମସ୍ତଙ୍କୁ ବୁଝାଇ ଦେଇଥିଲେ ଯେ ଅନ୍ଧାରୀ ଜଙ୍ଗଲର ସୁରକ୍ଷା ଓ ସଂରକ୍ଷଣ ସହ ‘ଗଁା ଦେମୂଲ’ଙ୍କ ପୂଜାର୍ଚ୍ଚନା କଲେ ମନସ୍କାମନା ପୂର୍ଣ୍ଣହେବ। ଏହାବାଦ୍ ତାଙ୍କ ପ୍ରୋତ୍ସାହନରେ ମା’ ଅନ୍ଧାରୀଙ୍କୁ ବନଦୁର୍ଗାଙ୍କ ଆଖ୍ୟା ଦିଆଯାଇ ୧୯୯୪ କାର୍ତ୍ତିକ ଶୁକ୍ଳପକ୍ଷ ଅଷ୍ଟମୀରେ ପର୍ବତ ଶିଖରରେ ଆରମ୍ଭ ହେଲା ମା’ ଅନ୍ଧାରୀ ବନଦୁର୍ଗା ପୂଜାଯାତ୍ରା। ସେଠାକାର ପରମ୍ପରା ଅନୁସାରେ ଅଁଳା ନବମୀରେ ପାକେଲଖୋଲ ଓ କୁଅଁାରମାଲ ହାଟଦାଣ୍ଡରେ ଥିବା ପବିତ୍ର ତୋଟାରେ ଅନ୍ଧାରୀ ଠାକୁରାଣୀଙ୍କର ଏକ ବିଜେ ପ୍ରତିମା ମଣ୍ଡପରେ ସ୍ଥାପନ କରାଯାଏ। େସଠାରେ ପୂଜାର୍ଚ୍ଚନା ଆରମ୍ଭ କରି ଲୋକେ ପର୍ବତ ଶିଖରରେ ଥିବା ଠାକୁରାଣୀଙ୍କ ଗୁମ୍ଫାକୁ ଯାଇ ସେଠାରେ ସମାପନ କରନ୍ତି। ପ୍ରାୟ ୫୦ ହଜାର ଭକ୍ତ ଏହି ଉତ୍ସବରେ ସାମିଲ ହୋଇଥାଆନ୍ତି। ମା’ ଅନ୍ଧାରୀଙ୍କ ପୂଜା ହେଉଛି ବନ ସୁରକ୍ଷା ଓ ବନ୍ୟଜୀବ ସଂରକ୍ଷଣ ପାଇଁ ଜନମାନସରେ ସଚେତନତା ସୃଷ୍ଟି କରିବା ଲାଗି ଏକ ଅଭିନବ ପରମ୍ପରା’’ ବୋଲି କହନ୍ତି ସ୍ଥାନୀୟ ଗ୍ରାମବାସୀ କ୍ଷେତ୍ରମୋହନ କାଲୋ।
ଝାରସୁଗୁଡ଼ା ଜିଲ୍ଲାର ଲଇକେରା ଓ କିର୍ମିରା ବ୍ଲକ୍ରେ ଅବସ୍ଥିତ ଅନ୍ଧାରୀ ଜଙ୍ଗଲ। ଅନ୍ଧାରୀ ଜଙ୍ଗଲକୁ ଲାଗିରହିଛି ସାତଟି ଡୁଙ୍ଗରୀ (ଛୋଟ ପାହାଡ଼)। ଏକଦା ଏହି ପାହାଡ଼ରେ ଅନେକ ଝରଣା ଥିଲା, କିନ୍ତୁ କ୍ରମଶଃ ସେଗୁଡ଼ିକ ଶୁଖି ମୃତପ୍ରାୟ ହୋଇ ଯାଇଥିଲା। ୨୫ ବର୍ଗ କିଲୋମିଟର ପରିବ୍ୟାପ୍ତ ଅନ୍ଧାରୀ ଜଙ୍ଗଲ ନିକଟରେ ରହିଛି ଅନ୍ଧାରୀମୁଣ୍ଡା, କୁଅଁରମାଲ, ପାକେଲଖୋଲ, ଡୁଡୁକାବାହାଲ ଓ ବାବୁଚିପିଡ଼ି ଆଦି ୧୫ ଖଣ୍ଡ ଆଦିବାସୀ ଅଧ୍ୟୁଷିତ ଗଁା। ଏହି ଗଁାଗୁଡ଼ିକର ଅଧିବାସୀ ମୁଖ୍ୟତଃ ଗରିବଶ୍ରେଣୀର। ୧୯୯୦ ମସିହା ବେଳକୁ ଅନ୍ଧାରୀ ଜଙ୍ଗଲ ସଂପୂର୍ଣ୍ଣ ଉଜୁଡ଼ି ଯାଇଥିଲା ଏବଂ ପାହାଡ଼ଗୁଡ଼ିକ ବୃକ୍ଷଲତା ଶୂନ୍ୟ ହୋଇ ଟାଙ୍ଗରା ପାଲଟିଯାଇଥିଲା। ଗାଁରେ ରହି ଉଜୁଡ଼ା ଅନ୍ଧାରୀ ଜଙ୍ଗଲର ପୁନରୁଦ୍ଧାର ଯୋଜନା ଆରମ୍ଭ କଲେ ଇଞ୍ଜିନିୟର୍ ସୁବ୍ରତ ନାୟକ। ୧୫ ଖଣ୍ଡ ଗଁା’ର ବାସିନ୍ଦାଙ୍କୁ ଏକାଠି କଲେ। ସବୁଜବନାନୀ ସୃଷ୍ଟି କରିବାର ଶପଥପାଠ କରାଇଲେ। ୧୯୯୧ରେ ଆରମ୍ଭ ହେଲା ଜଙ୍ଗଲ ସଂରକ୍ଷଣ ଲାଗି ବିଧିବଦ୍ଧ ଉଦ୍ୟମ। ଗ୍ରାମବାସୀଙ୍କ ସହାୟତାରେ ସ୍ଥାନୀୟ ତଥା ପାରମ୍ପରିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ପରିଚାଳନା କଲେ ସୁବ୍ରତ। ଜଙ୍ଗଲର ଜଗୁଆଳି ସାଜିଲେ ଗଁାର ମହିଳା। ଧୀରେ ଧୀରେ ଗଛ ବଢ଼ିଲା ଓ ପତ୍ର କଅଁଳିଲା। ଟାଙ୍ଗରରେ ସବୁଜିମା ସୃଷ୍ଟିହେଲା। ଏହି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ଲାଗି ଗଠନ ହେଲା ମା’ ଅନ୍ଧାରୀ ବନସୁରକ୍ଷା ସମିତି। ଉଦ୍ଦେଶ୍ୟ ଥିଲା ସମସ୍ତେ ସଂଗଠିତ ହୋଇ ଅନ୍ଧାରୀ ଜଙ୍ଗଲ ସଂରକ୍ଷଣ କାର୍ଯ୍ୟରେ ମାତିଉଠିବେ। ଏହି ଆନ୍ଦୋଳନକୁ ବଳ ଦେଲା ଜଙ୍ଗଲର ଅଧିଷ୍ଠାତ୍ରୀ ମା’ ଅନ୍ଧାରୀ ଠାକୁରାଣୀଙ୍କ ପ୍ରତି ଥିବା ଗଭୀର ଆସ୍ଥା ଓ ବିଶ୍ବାସ।
ଅନ୍ଧାରୀ ଜଙ୍ଗଲ ଆକାଶର ଧ୍ରୁବତାରା
୨୦୦୮ରେ ଅନ୍ଧାରୀ ଜଙ୍ଗଲକୁ ମାଡ଼ିଆସିଲା ଅନ୍ଧାର। ଜାନୁଆରି ୯ ତାରିଖ ଦିନ ଅନ୍ଧାରୀ ଜଙ୍ଗଲର ଜନକ ସୁବ୍ରତ ନାୟକଙ୍କର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦେହାନ୍ତ ହୋଇଗଲା। ଜଙ୍ଗଲ ଜଗୁଆଳି ସାବିତ୍ରୀ ବରିହା, ଗୀତା ନାଏକ ଓ ବିନତା ଧୁରୁଆ କହନ୍ତି, ‘‘ସୁବ୍ରତବାବୁଙ୍କ ଦେହାନ୍ତ ହେବାର କିଛି ଦିନ ପରେ ଲୋକେ ପୁଣି ଢିଲା ପଡ଼ିଗଲେ। ଅନ୍ଧାରୀ ଜଙ୍ଗଲ ଉଜୁଡ଼ିବା ଆରମ୍ଭ କଲା। କାଠଚୋର ମାତିଲେ। ଗଁାଲୋକମାନେ ଏକାଠି ହୋଇ ସୁବ୍ରତଙ୍କ ବାପା ଗୌନ୍ତିଆ (ଜମିଦାର) ପ୍ରଫେସର୍ ଧ୍ରୁବରାଜ ନାୟକଙ୍କୁ ଅନ୍ଧାରୀ ଜଙ୍ଗଲର ସୁରକ୍ଷା ଦାୟିତ୍ବ ନେଇ ସେମାନଙ୍କ ଜୀବନଜୀବିକା ବଞ୍ଚାଇବାକୁ ଅନୁରୋଧ କଲେ। ପୁତ୍ରଶୋକରେ ଭାଙ୍ଗିପଡ଼ିଥିବା ଧ୍ରୁବରାଜ ଗଁାଲୋକଙ୍କ ଅଭାବୀ ଜୀବନର ଦୁଃଖଦୁର୍ଦ୍ଦଶା ଅନୁଭବ କରିପାରିଲେ। ସାହସ ସଞ୍ଚୟ କରି ୨୦୦୯ରେ ସେ ଅନ୍ଧାରୀ ଜଙ୍ଗଲ ସୁରକ୍ଷା ଅଭିଯାନରେ ପ୍ରତ୍ୟକ୍ଷ ଭାବେ ସାମିଲ ହେଲେ।’’ ଅନ୍ଧାରୀ ଜଙ୍ଗଲ ଆକାଶରେ ଧ୍ରୁବତାରା ସାଜି ଜଙ୍ଗଲ ଓ ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ସୁରକ୍ଷାରେ ଲାଗିପଡ଼ିଲେ ଓଡ଼ିଶାର ଜଣାଶୁଣା ଶିକ୍ଷାବିତ୍ ତଥା ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକ। ଜଙ୍ଗଲର ପାଣିପବନରେ ଗୁଞ୍ଜରିତ ହେଲା ଧ୍ରୁବରାଜଙ୍କ ସ୍ବର- ‘‘ବନ ସୁରକ୍ଷା ବ୍ରତ ମୋର, ପଶୁପକ୍ଷୀ ମୋ ସହଚର’’। ଏହି ବାର୍ତ୍ତାର ସୁଦୂରପ୍ରସାରୀ ପ୍ରଭାବ ସମସ୍ତଙ୍କ ଉପରେ ପଡ଼ିଲା। ସ୍ଥାନୀୟ ଅଧିବାସୀ ରାଜେନ୍ଦ୍ର ପଟ୍ଟନାୟକ କହନ୍ତି, ‘‘ଜଙ୍ଗଲରେ ଜୈବବିବିଧତା ସଂରକ୍ଷଣ ସହିତ ପୁଅ ସୁବ୍ରତର ଅଧୁରା ସ୍ବପ୍ନ ସାକାର କରିବାକୁ ଧ୍ରୁବରାଜ ଆରମ୍ଭ କରିଥିଲେ ଜଙ୍ଗଲୀ ଝରଣାରେ ଜଳ ଅମଳ ପ୍ରକଳ୍ପ ପରିଚାଳନା। ଗଁା ପୋଖରୀରେ ମାଛଚାଷ କରିବା ପାଇଁ ତାଲିମ ଦେଇ ଗ୍ରାମବାସୀଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବାରେ ମଧ୍ୟ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣକଲେ। ଗବେଷଣାରୁ ଜଣାପଡ଼ିଲା, ମୁକ୍ତାଚାଷ ପାଇଁ ଏ ଅଞ୍ଚଳର ପାଣି ଅତି ଉତ୍ତମ। ଗବେଷକମାନଙ୍କୁ ଡାକି ଧ୍ରୁବରାଜ ଗଁା ପୋଖରୀରେ ଗ୍ରାମବାସୀମାନଙ୍କୁ ମୁକ୍ତାଚାଷ ତାଲିମଦେବା କାର୍ଯ୍ୟ ଆରମ୍ଭ କରିବା ଦିନ ଧାର୍ଯ୍ୟ କରାଇ ତାହାର ସଂପୂର୍ଣ୍ଣ ରୂପରେଖ ପ୍ରସ୍ତୁତ କରାଇଲେ। ୨୦୦୯ରୁ ୨୦୨୧ ଜୁନ୍ ୨୬ ମଧ୍ୟରେ ଧ୍ରୁବରାଜ ଏହିସବୁ ଆଦିବାସୀ ଗଁାର ଅର୍ଥନୈତିକ ପ୍ରଗତି ପାଇଁ ନୂଆ ସୁଯୋଗ ଆଣିଥିଲେ।’’
ଅବେଳରେ ଲିଭିଗଲା ଧ୍ରୁବତାରା
୨୦୨୧ ଜୁନ୍ ୨୭ ତାରିଖରେ ଅନ୍ଧାରୀ ଜଙ୍ଗଲ ଆକାଶରୁ ଅପସରିଗଲେ ଧ୍ରୁବତାରା ସାଜିଥିବା କୁଅଁରମାଲର ଗୌନ୍ତିଆ ଧ୍ରୁବରାଜ। ସେଦିନ ସକାଳର ସୂର୍ଯ୍ୟୋଦୟ ଡାକି ଆଣିଥିଲା ଧ୍ରୁବରାଜଙ୍କ ଜୀବନର ଅସ୍ତଗାମୀ ସୂର୍ଯ୍ୟଙ୍କୁ। ପ୍ରବୀଣ ଧୁରୁଆ ନାମକ ଜଣେ ଉଦ୍ଭ୍ରାନ୍ତ ଯୁବକର ଟାଙ୍ଗିଆ ଚୋଟରେ ପ୍ରାଣ ହରାଇଲେ ପ୍ରଫେସର ନାୟକ। ଘଟଣା ଦିନ ସକାଳୁ ସକାଳୁ ଧ୍ରୁବରାଜ ଚାରା ଲାଗିଥିବା ବଗିଚା ଓ ମୁକ୍ତାଚାଷ ପାଇଁ ଉଦ୍ଦିଷ୍ଟ ପୋଖରୀ ଆଡ଼କୁ ବୁଲି ଯାଇଥିଲେ। ସେତିକିବେଳେ ଗଁା’ର ଆଦିବାସୀ ଯୁବକ ପ୍ରବୀଣ ଧୁରୁଆ ଗୋଟାଏ ଟାଙ୍ଗିଆରେ ଅତର୍କିତ ଭାବେ ତାଙ୍କୁ ଆକ୍ରମଣ କଲା। ଅତି ବୀଭତ୍ସ ଭାବେ ଧ୍ରୁବରାଜଙ୍କୁ ଚୋଟ ପରେ ଚୋଟ ମାରି ହତ୍ୟାକଲା। ପ୍ରବୀଣ ଗ୍ରାମବାସୀଙ୍କ ପୋଖରୀରୁ ମାଛ ଓ ଜଙ୍ଗଲରୁ କାଠ ଚୋରି କରିବା ସହିତ ମାର୍ପିଟ୍ ଭଳି କେତେକ ଛୋଟବଡ଼ ଅପରାଧରେ ସମ୍ପୃକ୍ତ ଥିଲା। ସ୍ଥାନୀୟ ଥାନାରେ ପ୍ରବୀଣ ନଁାରେ ପୂର୍ବରୁ ମଧ୍ୟ ମାମଲା ଦାଏର କରାଯାଇଥିଲା। ଅନେକ ବୁଝାଇବା ସତ୍ତ୍ବେ ସେ ସୁଧୁରି ନ ଥିଲା। ପ୍ରବୀଣର କାର୍ଯ୍ୟକଳାପକୁ ଧ୍ରୁବରାଜ ବିରୋଧ କରୁଥିଲେ। ତାଙ୍କ ପ୍ରତି ମନରେ ଥିବା ଆକ୍ରୋଶର ବଶବର୍ତ୍ତୀ ହୋଇ ପ୍ରବୀଣ ସେଦିନ ସୁଯୋଗ ପାଇ ଧ୍ରୁବରାଜଙ୍କୁ ହତ୍ୟାକଲା। ବିଶିଷ୍ଟ ଶିକ୍ଷାବିତ୍ ଧ୍ରୁବରାଜଙ୍କ ବୀଭତ୍ସ ହତ୍ୟା ଘଟଣା ସେଦିନ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମରେ ପ୍ରମୁଖ ଖବର ପାଲଟିଥିଲା। ପୂର୍ବରୁ ଜାମିନରେ ଆସିଥିବା ପ୍ରବୀଣ ପୁଣି ଜେଲ୍ ଗଲା। ଇତିମଧ୍ୟରେ ପ୍ରାୟ ଚାରିବର୍ଷ ପୂରିବାକୁ ବସିଲାଣି। ହେଲେ ଭାରତୀୟ ଆଇନ ବ୍ୟବସ୍ଥା ଅନୁଯାୟୀ ବିଚାର ଚାଲିଛି ଏବଂ ଅପରାଧୀ ପ୍ରବୀଣ ଜେଲ୍ରେ ଅଛି। କେବେ ତା’ର ବିଚାର ସରିବ ଓ ତାକୁ ଶାସ୍ତି ମିଳିବ, ତାହାକୁ ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ।
ପ୍ରବୀଣର ବଡ଼ବାପା ମିଲନ ଧୁରୁଆ କହନ୍ତି, ‘‘ଏହି ଘଟଣାକୁ ବର୍ଷେ ନପୂରୁଣୁ ଏକଦା ଅନ୍ଧାରୀ ଜଙ୍ଗଲ ସଂରକ୍ଷଣର ସୈନିକ ସାଜିଥିବା ପ୍ରବୀଣର ବାପା ଦୈତାରୀ ଧୁରୁଆ ଜାଳେଣି କାଠ ନେଇ ସଂଧ୍ୟାରେ ଘରକୁ ଫେରୁଥିବା ବେଳେ ଗୋଟିଏ ଖାଲରେ ଖସିପଡ଼ି ମୃତ୍ୟୁବରଣ କରିଥିଲେ। ଛୋଟବେଳୁ ପ୍ରବୀଣର ମାଆ ମରିଯାଇଥିଲେ। ବାପା ଦୈତାରୀ ପ୍ରବୀଣର ମାଉସୀ ବିନତାକୁ ବିବାହ କରିଥିଲେ ଏବଂ ସେ ତା’ର ଲାଳନପାଳନ କରିଥିଲେ। ବିନତା ମଧ୍ୟ ଅନ୍ଧାରୀ ଜଙ୍ଗଲର ଜଗୁଆଳି ଥିଲେ। ଆମ ଗଁା’ର ଭଗବାନଙ୍କ ଭଳି ଗୌନ୍ତିଆଙ୍କୁ ପ୍ରବୀଣ ଏମିତି ହତ୍ୟା କରିଦେବ ବୋଲି ଆମେ କେବେ ଭାବି ନ ଥିଲୁ। ପୁଅ ପ୍ରବୀଣ କରିଥିବା ପାପର ଫଳ ବାପା ଦୈତାରୀ ଭୋଗିଲା। ମାଆ ବିନତା ଆଜି ମୂଲିଆଣୀ। ସରକାରୀ ଭତ୍ତା ଭରସାରେ ଜୀବନ କାଟୁଛି। ଜଙ୍ଗଲ ଉଜୁଡ଼ିଯାଉଛି। ଚାଷବାସ ମରିଗଲାଣି।’’
ହତ୍ୟାକାରୀ ପ୍ରବୀଣ ବିଷୟରେ ପଚାରିଲେ ତା’ର ମା’ ବିନତା କହନ୍ତି, ‘‘ଜଙ୍ଗଲ ଜଗି ବହୁତ ଭଲରେ ଥିଲୁ। ଚାଷବାସ କରୁଥିଲୁ। ଜାଳେଣି କାଠ ବିକି ପ୍ରବୀଣର ବାପା ଦି’ପଇସା ରୋଜଗାର କରୁଥିଲେ। ହେଲେ ସେ ଆମ ପରିବାରକୁ ଉଜାଡ଼ି ଦେଲା। ସେ ଦୋଷୀ, ଶାସ୍ତି ପାଇବା ଜରୁରି।’’ ‘‘ସୁବ୍ରତ ସିନା ଆମ ଉଜୁଡ଼ା ଜଙ୍ଗଲକୁ ବଞ୍ଚାଇ ଦେଇଥିଲେ, ହେଲେ ୧୫ ଖଣ୍ଡ ଗଁା’ର ଗରିବ ଆଦିବାସୀମାନଙ୍କ ଜୀବନକୁ ନୂଆକରି ଗଢ଼ିତୋଳିଥିଲେ ଆମ ଗୌନ୍ତିଆ ଧ୍ରୁବରାଜ ନାୟକ। ତାଙ୍କର ମୃତ୍ୟୁ ପରେ ଏହି ଜଙ୍ଗଲରୁ କାଠକଟା ଓ ଚୋରି ବଢ଼ି ଚାଲିଲାଣି। ପୁଣି ଜଙ୍ଗଲ ଉଜୁଡ଼ିବା ଆରମ୍ଭ ହେଲାଣି। ବନ ବିଭାଗ ନାମଫଳକ ଲଗାଇ ନିରବରେ ବସି ଯାଇଛି। ଜଙ୍ଗଲ କମି କମି ଯାଉଛି। ଏହା ଦେଖି ସମସ୍ତେ ନ ଦେଖିଲା ପରି ହେଉଛନ୍ତି। ଚାଷଜମିକୁ ଆଉ ପୂର୍ବଭଳି ପାଣି ମାଡୁନାହିଁ। ମୁକ୍ତା ଚାଷ ହେବାକୁ ଥିବା ପୋଖରୀ ସବୁ ପୁଣିଥରେ ମଇଳା ଦଳ ଆବର୍ଜନା ହୋଇଗଲାଣି। ମହିଳାମାନେ ଜଙ୍ଗଲ ଜଗୁଆଳି ଭାବେ ଯେଉଁ କିଛି ପାରିଶ୍ରମିକ ପାଉଥିଲେ ସେସବୁ ବନ୍ଦ ହୋଇଯିବାରୁ ସେମାନଙ୍କ ହାତଖର୍ଚ୍ଚ ନିଅଣ୍ଟ ହେଉଛି। ଜଙ୍ଗଲ ଜଗିବାକୁ ସେମାନେ ଆଉ ମନ ବଳାଉ ନାହାନ୍ତି। ଗୌନ୍ତିଆଙ୍କ ସାନପୁଅ ଡାକ୍ତର ସୁଜିତ୍ ନାୟକ ବାପା ଓ ବଡ଼ଭାଇଙ୍କ ଭଳି ଜଙ୍ଗଲ ସୁରକ୍ଷା ପାଇଁ ବେଶି ସମୟ ଦେଉନାହାନ୍ତି। ସେ ତ ଗଁା’ରେ ବି ରହୁନାହାନ୍ତି। କିଏ ଆମକୁ ଓ ଆମ ଅନ୍ଧାରୀ ଜଙ୍ଗଲକୁ ପୁଣି ଆଲୁଅରେ ଭରିଦେବ ଏଇ ଚିନ୍ତା ଖାଉଛି,’’ ବୋଲି କହନ୍ତି ୫୮ ବର୍ଷୀୟ ଅଭିନ୍ନ ବରିହା। ଅନ୍ଧାରୀ ଜଙ୍ଗଲ ଅଞ୍ଚଳର ଗଁା’ଗଣ୍ଡା ଜନସାଧାରଣ ଆଜି ବି ଚାହିଁ ବସିଛନ୍ତି ଗୌନ୍ତିଆ ଧ୍ରୁବରାଜଙ୍କ ହତ୍ୟାକାରୀ କେବେ ଶାସ୍ତି ପାଇବ? କେବେ ପୁଣି ସବୁଜିମାରେ ଭରିଉଠିବ ଅନ୍ଧାରୀ ଜଙ୍ଗଲ ଏବଂ ଚାଷୀଙ୍କ ଜମିରେ ପୁଣିଥରେ ମାଡ଼ିବ ଝରଣାର ଜଳ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/01/19/ovzsO3hut6LpcC0tkq0v.jpg)