ବଡ଼ଦାଣ୍ଡ କେବଳ ଏକ ଶବ୍ଦ ନୁହେଁ କି ଏକ ସ୍ଥାନ ନୁହେଁ। ଏହା ମଧ୍ୟ କେବଳ ଏକ ଉତ୍ସବକ୍ଷେତ୍ର ନୁହେଁ। ଏହା ଏକ ପ୍ରତୀକ। ଏକ ମହାପ୍ରତ୍ୟୟ। ଏହି ପ୍ରତ୍ୟୟ ଓଡ଼ିଶାର ମହାଦେବତା ଶ୍ରୀଜଗନ୍ନାଥ-ଦାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନେଇ ପରିକଳ୍ପିତ। କେଉଁ ଆବହମାନ କାଳରୁ ଓଡ଼ିଆଙ୍କ ଜାତୀୟ ମାନସିକତା ବିଶ୍ୱାସ କରିଆସିଛି- ଯେଉଁଠାକୁ ବଡ଼ଠାକୁର ଶ୍ରୀବଳଭଦ୍ର, ଭାଇ ମହାପ୍ରଭୁ ଶ୍ରୀଜଗନ୍ନାଥ, ଭଦ୍ରଦାୟିନୀ ଭଉଣୀ ଶ୍ରୀସୁଭଦ୍ରା ଓ ମହାତେଜା ଶ୍ରୀସୁଦର୍ଶନଙ୍କୁ ଧରି ସ୍ୱୟଂ ଚାଲିଆସନ୍ତି, ସେଇଟି ହିଁ ‘ବଡ଼ଦାଣ୍ଡ’।

Advertisment

ଯେଉଁଠି ଶ୍ରୀମନ୍ଦିରର ବାଇଶିପାହାଚର ଶେଷ, ସେଇଠୁ ବଡ଼ଦାଣ୍ଡ ନାମକ ବାହାରି ମାର୍ଗର ଆରମ୍ଭ। ସେଠାରେ ପହଞ୍ଚିବାମାତ୍ରକେ ଦାରୁବ୍ରହ୍ମ-ଚତୁର୍ଦ୍ଧାମୂର୍ତ୍ତି ଗଣଦେବତା ହୋଇଯା’ନ୍ତି। ହୁଳହୁଳି, ହରିବୋଲ, ଘଣ୍ଟାଧ୍ୱନିର ଲୋକାଚାର ଭିତରେ ସବୁ ଆର୍ଷମତ, ସିଦ୍ଧାନ୍ତ, ଦର୍ଶନ, ବିଧି ଓ ପ୍ରବିଧି ମିଳେଇଯାଏ। ଏଣୁ ଯେଉଁ ଦାଣ୍ଡ-ମାର୍ଗରେ ପତିତପାବନ ଦାରୁବ୍ରହ୍ମ ମାନବୀ ଲୀଳାକରି ମହାଭାବ ବିସ୍ତାର କରନ୍ତି, ଶ୍ରୀପୁରୁଷୋତ୍ତମ-ପୁରୀର, ଶ୍ରୀମନ୍ଦିରର ସମ୍ମୁଖସ୍ଥ ସେହି ବାହାରି ଦାଣ୍ଡଟି ହିଁ ‘ବଡ଼ଦାଣ୍ଡ’।

ନୀଳାଚଳ ଧାମର ଏହି ବଡ଼ଦାଣ୍ଡର ରହିଛି ତିନିଟି ଭାବସତ୍ତା। ପ୍ରଥମଟି- ଦୃଶ୍ୟମାନ ବାହ୍ୟିକ ସତ୍ତା। ଶ୍ରୀମନ୍ଦିର ସମ୍ମୁଖରେ ଥିବା ଅରୁଣସ୍ତମ୍ଭଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ପର୍ଯ୍ୟନ୍ତ ବିସ୍ତୃତ, ସ୍ଥୂଳ ଅବୟବର ରଥମାର୍ଗ ହିଁ ବଡ଼ଦାଣ୍ଡ। ଏହି ବାହ୍ୟ ସତ୍ତାରେ ଅନେକ ମଠ, ବାଡ଼ି, ରାଜଉଆସ, ଭକ୍ତଙ୍କ ସ୍ମୃତିପୀଠ, ଦେବଦେବୀଙ୍କ ବିଜେସ୍ଥଳୀ ରହିଛି। ହରଚଣ୍ଡୀ ସାହି, ଗୌଡ଼ବାଡ଼ ସାହି, ବାଲିସାହି, ଦୋଳମଣ୍ଡପ ସାହି, ହେରାଗୋହିରୀ ସାହି, କୁଣ୍ଢେଇ ବେଣ୍ଟ ସାହି ଇତ୍ୟାଦି ସାହିର ଦାଣ୍ଡସବୁ ଆସି ଏହି ବଡ଼ଦାଣ୍ଡ ସହ ମିଶିଛି। ଉପଦାଣ୍ଡର ଉପନଈ ସବୁ ଯେମିତି ଆସି ମିଶିଛି ମହାଦାଣ୍ଡର ମହାନଈରେ।

ଦ୍ୱିତୀୟଟି ହେଉଛି- ଭାବସତ୍ତା। ଭାବସତ୍ତା ଭାବରେ ବଡ଼ଦାଣ୍ଡ ‘ରଥ୍ୟା’ ବା ରଥମାର୍ଗ ଭାବରେ ଲୋକାଦୃତ। ମହାପ୍ରଭୁ ଏହି ପଥରେ ରଥଚଢ଼ି ଯାଆନ୍ତି ବୋଲି ଶ୍ରୀଶଙ୍କରାଚାର୍ଯ୍ୟ ‘ଶ୍ରୀଜଗନ୍ନାଥାଷ୍ଟକମ୍‌’ରେ ଲେଖିଛନ୍ତି। ଏହି ପଥ ମୋକ୍ଷଦାୟିନୀ ବୋଲି ଶାସ୍ତ୍ରଗ୍ରନ୍ଥରେ ଉଲ୍ଲେଖ ଅଛି। ଶାନ୍ତି, ମୈତ୍ରୀ, ସମତା ଓ ସମଦୃଷ୍ଟି ଯୋଗୁଁ ବିଶ୍ୱାଦୃତ ଶ୍ରୀଜଗନ୍ନାଥ ଚେତନାର ପ୍ରକୃତ ସମଭାବ ଏହି ବଡ଼ଦାଣ୍ଡରେ ହିଁ ପରିଲକ୍ଷିତ ହୁଏ। ଏହି ମହାଭାବ ଉଦ୍ରେକକାରୀ ମହାଦାଣ୍ଡ ହିଁ ବଡ଼ଦାଣ୍ଡ। କାରଣ, ଏଠାରେ ସେବକ-ସାମନ୍ତ, ରାଜା-ପ୍ରଜା, ଧନୀ-ଦରିଦ୍ର, ସ୍ୱଦେଶୀ-ବିଦେଶୀ, ବ୍ରାହ୍ମଣ-ଅବ୍ରାହ୍ମଣ, ଆର୍ଯ୍ୟ-ଅନାର୍ଯ୍ୟ, ସମସ୍ତେ ସମାନ। ସେଥିପାଇଁ କୁହାଯାଇଛି, ଶ୍ରୀମନ୍ଦିରରେ ଠାକୁର ଶ୍ରୀଲକ୍ଷ୍ମୀଙ୍କର, ଶ୍ରୀଗୁଣ୍ଡିଚାବାଡ଼ିରେ ଶ୍ରୀଗୁଣ୍ଡିଚାଙ୍କର, ଅଣସର ପିଣ୍ଡିରେ ଦଇତାପତିଙ୍କର, ମଣୋହି ବ୍ୟବସ୍ଥାରେ ସୁଆରଙ୍କର; ମାତ୍ର ବଡ଼ଦାଣ୍ଡରେ ସେ ଭାବଗ୍ରାହୀ ଠାକୁର। ଭାବ ଓ ଭକ୍ତିରେ ଯେ ତାଙ୍କୁ ଦର୍ଶନ କରେ ସେ ତା’ର। ସେଠି କୌଣସି ଜାତି ବା ଗୋଷ୍ଠୀ ନାହିଁ। ଶ୍ରୀଚୈତନ୍ୟଙ୍କଠାରୁ ମତ୍ତ ବଳରାମ ଦାସ, ଦାସିଆ ବାଉରିଙ୍କଠାରୁ ଆର୍ତ୍ତଦାସ, ପରମେଷ୍ଟି ଦର୍ଜୀଙ୍କଠାରୁ ସାରିଆ ଭିକ, ସାଲବେଗଙ୍କଠାରୁ ବନମାଳୀ- ଅଗଣିତ ଭକ୍ତ ରଥ୍ୟା ଭାବରେ ସ୍ୱୟଂ ବଡ଼ଦାଣ୍ଡକୁ ଭୋଗିଛନ୍ତି ଆଉ ମାନିଛନ୍ତି। ରଥ୍ୟା-ବଡ଼ଦାଣ୍ଡ ମୋକ୍ଷଦାୟକ ବାମନଙ୍କୁ ନିଜ ବକ୍ଷରେ ବହନ କରି ଦୟା-କ୍ଷମା-କରୁଣା ବିତରଣ କରିଛି।

‘ବଡ଼’ ସହିତ ‘ଦାଣ୍ଡ’ ଯୁକ୍ତ ହୋଇ, ହୋଇଛି- ବଡ଼ଦାଣ୍ଡ। ଏହା ଏକ ଯୁଗ୍ମ ଶବ୍ଦ। ‘ଦାଣ୍ଡ’ ଏକ ଦେଶଜ ବିଶେଷ୍ୟପଦ। ତାହାର ଭାବ, ଗୁଣ ଓ ଅବସ୍ଥାକୁ ବିଶେଷିତ କରୁଛି ‘ବଡ଼’ ଶବ୍ଦଟି। ଗୁଣାତ୍ମକ ଅର୍ଥରେ ବଡ଼ଦାଣ୍ଡର ଅର୍ଥ- ଶ୍ରେଷ୍ଠ ଦାଣ୍ଡ ବା ଶ୍ରେୟ ଦାଣ୍ଡ। ଅବସ୍ଥାବାଚକ ଅର୍ଥ ଦୃଷ୍ଟିରୁ, ଦୈର୍ଘ୍ୟ ଓ ପ୍ରସ୍ଥ ଦିଗରୁ, ଏହା ବୃହତ୍‌ଦାଣ୍ଡ ବା ବଡ଼ଦାଣ୍ଡ। ଭାବାତ୍ମକ ଦିଗରୁ ବଡ଼ଠାକୁର ବଳଭଦ୍ରଙ୍କ ସହିତ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ଏବଂ ଅନ୍ୟାନ୍ୟ ମାନଙ୍କର ଭ୍ରମଣଯାତ୍ରା ବା ମହୋତ୍ସବ ଯେଉଁ ପ୍ରଶସ୍ତ ପଥରେ ହୁଏ- ତାହା ବଡ଼ଦାଣ୍ଡ। ତେଣୁ ଯେଉଁ ଯେଉଁ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ଦାରବୀ ଚତୁର୍ଦ୍ଧାମୂର୍ତ୍ତି ଉପାସିତ ହୁଅନ୍ତି, ସେହି ଉପାସନାପୀଠର ବାହ୍ୟମାର୍ଗକୁ ପ୍ରତୀକାତ୍ମକ ଭାବରେ ‘ବଡ଼ଦାଣ୍ଡ’ର ନାମ ଓ ମାନ୍ୟତା ଦିଆହୋଇ ଆସିଛି।

ସମୁଦାୟ ‘ବଡ଼ଦାଣ୍ଡ’ଟି ଅରୁଣପିଣ୍ଡି, ଦ୍ୱାରଖଳା, ଶ୍ରୀପାଟଣା, ରଥଖଳା, ଶ୍ରୀନଅର, ବଳଗଣ୍ଡି, ଶରଧାବାଲି ଓ ଇନ୍ଦ୍ରଦ୍ୟୁମ୍ନ-କାୟାପାଟଣା- ଏହିପରି ଭାବରେ ବିସ୍ତୃତ ଥିଲା। ରକ୍ତବାହୁର ଆକ୍ରମଣଠାରୁ ତକି ଖାଁର ଆକ୍ରମଣ ଓ ଲୁଣ୍ଠନ ପର୍ଯ୍ୟନ୍ତ, ଅନେକବାର ଶ୍ରୀଜଗନ୍ନାଥଙ୍କୁ ଏବଂ ତାଙ୍କ ସହିତ ଓଡ଼ିଆ ଜାତିର ଉତ୍‌ଥାନ-ପତନକୁ, ଏହି ବଡ଼ଦାଣ୍ଡ ଦେଖିଛି ଓ ଭୋଗିଛି। ଓଡ଼ିଆ ଜାତିର ସକଳ ପ୍ରକାରର ତରଙ୍ଗର ଉତ୍‌ଥାନ ଓ ପତନର ମୂକଦର୍ଶକ ଏହି ବଡ଼ଦାଣ୍ଡ।

ବଡ଼ଦାଣ୍ଡ ବା ପୁରୁଷୋତ୍ତମ ପୁରୀର ଦିଅଁଦାଣ୍ଡଟି, କେବେ, କାହାଦ୍ୱାରା, କେଉଁ ବାସ୍ତୁବିଧି ଅନୁସାରେ ନିର୍ମାଣ ହେଲା, ତାହାର ଐତିହାସିକ ଭିତ୍ତି ଏ ଯାଏ ନିର୍ଦ୍ଦିଷ୍ଟ ହୋଇପାରି ନାହିଁ। ପୁରାଣ ଓ ଲୋକଗାଥାରେ ବର୍ଣ୍ଣିତ ଏହାର ଭିତ୍ତି ଆମକୁ ଉଲ୍ଲସିତ କରେ। ଏହି ଦାଣ୍ଡରେ ଶଙ୍କରାଚାର୍ଯ୍ୟ, ରାମାନୁଜ, ନରହରିତୀର୍ଥ, ନିମ୍ବାର୍କ, ମାଧ୍ୱାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ, ରାମାନନ୍ଦ, ଶ୍ରୀଚୈତନ୍ୟ, ଜଗନ୍ନାଥ, ବଳରାମ, ନାନକ, କବୀର, ହରିଦାସ, ସାଲବେଗ- ଏପରି ଅନେକ ମହତ୍ ଆତ୍ମାପୁରୁଷ ଖାଲିପାଦରେ ଚାଲିଯିବା ବେଳର ବିହ୍ୱଳଗାଥା ଆମର ଅଧ୍ୟାତ୍ମ ଭାବସଂପଦ ହୋଇରହିଛି। ଦାକ୍ଷିଣାତ୍ୟ ଆକ୍ରମଣ କରି ଏହି ଦାଣ୍ଡଦେଇ ୬୦ଟି ହାତୀ ପିଠିରେ ସୁବର୍ଣ୍ଣ ଆଣି କପିଳେନ୍ଦ୍ର ଦେବ ଏ ଦାଣ୍ଡ ଉପରେ ଠିଆହୋଇ ନିଜକୁ ମହାସେବକ ମହାରାଉତ ବୋଲି ଘୋଷଣା କରିଛନ୍ତି। ଏହି ଦାଣ୍ଡକୁ ସାକ୍ଷୀ ରଖି ଗଜପତି ପୁରୁଷୋତ୍ତମ ଦେବ କାଞ୍ଚି ରାଜକନ୍ୟାଙ୍କୁ ଓଡ଼୍ରରାଷ୍ଟ୍ରର ପଟ୍ଟମହିଷୀ କରିଛନ୍ତି।

ଯଯାତି କେଶରୀଙ୍କ ସମୟରୁ ବଡ଼ଦାଣ୍ଡ ‘ଦିବ୍ୟଦାଣ୍ଡ’ (ଦିଅଁଦାଣ୍ଡ) ଓ ‘ମୋକ୍ଷମାର୍ଗ’ ଭାବରେ ପରିଚିତ ଥିଲା। ଅନଙ୍ଗଭୀମଦେବଙ୍କ ରାଜତ୍ୱ କାଳରୁ ଏହା ‘ପଙ୍‌କ୍ତିଦାଣ୍ଡ’, ‘ଶ୍ରୀଦାଣ୍ଡ’, ‘ବିଜେଦାଣ୍ଡ’ ଭାବରେ କଥିତ ହେଉଥିଲା। ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ଦୁଇଭାଗ ହୋଇ ରହିଥିଲା। ଶଙ୍ଖୁଆ ନଦୀର ଧାରା ମିଟିକାଣୀ (ମାଳିନୀ/ସାରଦା/ଶ୍ରଦ୍ଧା) ନଈର ବଳବତ୍ତର ଗଣ୍ଡ ଶ୍ରୀକ୍ଷେତ୍ରକୁ ଦୁଇଟି ପାଟଣାରେ ବିଭକ୍ତ କରିଥିଲା। ବଡ଼ଦାଣ୍ଡର ଦକ୍ଷିଣ ଦିଗର ଶ୍ରୀମନ୍ଦିର ବା ଶ୍ରୀପୁର ଭାଗଟି ଥିଲା ‘ଶ୍ରୀପାଟଣା’। ଗଣ୍ଡର ଉତ୍ତରଦିଗଟି ଥିଲା ‘ଆଡ଼ପପାଟଣା’ ବା ‘ଇନ୍ଦ୍ରଦ୍ୟୁମ୍ନ ପାଟଣା’। ଚତୁର୍ଦ୍ଧାମୂର୍ତ୍ତିଙ୍କର ଶ୍ରୀକାୟା ଏହି ଧାମରେ ନିର୍ମାଣ ହୋଇଥିବାରୁ ଏହି ଉତ୍ତର ଭାଗଟି ‘ଶ୍ରୀଧାମ’ ବା ‘କାୟାପାଟଣା’ ଭାବରେ ମଧ୍ୟ ସୁପରିଚିତ ଥିଲା। ‘ଶ୍ରୀପୁର’ରୁ ‘ଶ୍ରୀଧାମ’ ମିଶି ଶ୍ରୀକ୍ଷେତ୍ର ପୁରୀ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଭାବେ ପରିଚିତ ଥିଲା। ଶ୍ରୀପୁରରୁ ବାରଚକିଆ ତିନୋଟି ରଥରେ (ପରେ ଅନଙ୍ଗ ଭୀମ ଦେବ-୩ୟଙ୍କ ସମୟରେ ୧୨/୧୪/୧୬ ଚକିଆ ରଥ ନିର୍ମିତ ହେଲା) ବଳବତ୍ତର ଗଣ୍ଡସ୍ଥ ‘ମାଉସୀମା’, ‘ଅର୍ଦ୍ଧାଶିନୀ’ ବା ‘ଅର୍ଦ୍ଧଶୋଷିଣୀ’ଙ୍କ ମନ୍ଦିର ପର୍ଯ୍ୟନ୍ତ ରଥ ଯାଉଥିଲା। ମାଳିନୀ ନଦୀର ବଳବତ୍ତର ଗଣ୍ଡକୁ ଦିଅଁମାନେ ବାଉଁଶଚାପ, ଭେଳାଚାପ, ନାବଚାପ ଓ ଦୋଳଚାପରେ ପାର ହେଉଥିଲେ। ସେଠାରୁ ଚାରିଚକିଆ ରଥରେ ‘କାୟାମଣ୍ଡପ’ ବା ‘ଆଡ଼ପ ମଣ୍ଡପ’କୁ ଶ୍ରୀମୂର୍ତ୍ତିମାନେ ଯାଉଥିଲେ। ଶ୍ରୀମୂର୍ତ୍ତିଙ୍କ ରଥମହୋତ୍ସବରେ ଅନେକ ସମୟରେ ବାଧା ଘଟିବାରୁ, ତ୍ରିକଳିଙ୍ଗାଧିପତି ପ୍ରଥମ ଭାନୁଦେବ, ନରହରି ତୀର୍ଥଙ୍କ ପରାମର୍ଶରେ ୧୨୬୫ରୁ ୧୨୭୨ ମସିହା ମଧ୍ୟରେ ବଳବତ୍ତର ଗଣ୍ଡକୁ ବାଲିରେ ପୋତାଇଲେ। ମାଳିନୀ ଗଣ୍ଡକୁ ପୋତାଇ ଶ୍ରୀମନ୍ଦିରରୁ ଆଡ଼ପ ମଣ୍ଡପ ପର୍ଯ୍ୟନ୍ତ ଦୀର୍ଘ ରଥମାର୍ଗ ନିର୍ମାଣ କରିଥିଲେ।

ଭାନୁଦେବଙ୍କ ପୁତ୍ର ଦ୍ୱିତୀୟ ନରସିଂହଦେବଙ୍କ ବେଳକୁ ବଡ଼ଦାଣ୍ଡ ‘ଶ୍ରୀପଥ’ (ଶ୍ରୀମାର୍ଗ) ଭାବରେ କଥିତ ହେଉଥିଲା। ସଂପୂର୍ଣ୍ଣ ବଡ଼ଦାଣ୍ଡ ସାତଟି ଅଂଶରେ ଚିହ୍ନିତ ଥିଲା। ବଡ଼ଦାଣ୍ଡର ଏହି ସାତଗୋଟି ଅଂଶ ଥିଲା- ରଥଚକଡ଼ା ବା କର୍ମାଣୀ ଚକଡ଼ା, ମଠ ଚକଡ଼ା, ରଥଖଳା, ମଧୁପୁରୀ, ଗଣ୍ଡଘାଟି ବା ଚଣ୍ଡୀଘାଟ, ବଡ଼ମଙ୍ଗ ଓ କାୟାପାଟଣା ବା ଆଡ଼ପ ମଣ୍ଡପ। ଭାନୁଦେବଙ୍କ ପୁତ୍ର ଦ୍ୱିତୀୟ ନରସିଂହ ଦେବ (୧୨୭୮-୧୩୦୬)ଖଣ୍ଡ ପଥର, ବାଲିଗରଡ଼ା ଓ ଉପର ଭାଗରେ ମୋଟା ବାଲି ପକାଇ ଶ୍ରୀରଥମାର୍ଗକୁ ସମତୁଲ କଲେ। କାୟାପାଟଣାଠାରୁ ଗଣ୍ଡଘାଟି ପର୍ଯ୍ୟନ୍ତ ସ୍ଥାନର ବାଲୁକା ସ୍ଥଳକୁ ନିଜ ପତ୍ନୀଙ୍କ ନାମରେ ପବିତ୍ର ଶ୍ରଦ୍ଧାବାଲି (ଶରଧାବାଲି) ରଖିଲେ। ଭାନୁଦେବ ୩ୟ (୧୩୦୮ରୁ ୧୩୨୮) ଶ୍ରୀଜଗନ୍ନାଥଙ୍କୁ ଶ୍ରୀରାଜାଧିରାଜ ରୂପେ ବନ୍ଦନା କରି ଶ୍ରୀପଥକୁ ବଡ଼ଦାଣ୍ଡ ରୂପେ ଘୋଷଣା କଲେ। ବଡ଼ଦାଣ୍ଡରେ ପଙ୍‌କ୍ତି ଭୋଜନର ବିଧି ପ୍ରଚଳନ କରି ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦୀ ଛପନପଉଟି ପାଇଁ ନିଷ୍କର ଭୂମି ଦାନ କରି ବଡ଼ଦାଣ୍ଡରେ ଆପଣାଙ୍କୁ ‘ମହାଶ୍ରମ’ ଘୋଷଣା କଲେ। ଏହି ସମୟରୁ ବଡ଼ଦାଣ୍ଡ ମହାପୁଣ୍ୟକ୍ଷେତ୍ର, ଦାନକ୍ଷେତ୍ର ଓ ଆଶ୍ରୟ କ୍ଷେତ୍ରରେ ପରିଣତ ହେଲା।

ଆଜି ବଡ଼ଦାଣ୍ଡରେ ଶରଧା ବାଲି ଆଉ ନାହିଁ। କାଦୁଆ ବା ଧୂଳିଆ ଗୁଣ୍ଡିଚାର ରଥଟଣା ଦୃଶ୍ୟ ମଧ୍ୟ ନାହିଁ। ମାତ୍ର ଏବେ ବି ଓଡ଼ିଆଟିଏ ବଡ଼ଦାଣ୍ଡ ଦେଖି ତୋଷ ହୁଏ; ତା’ର ରେଣୁକଣାକୁ ତୁଣ୍ଡରେ ନିଏ, ମୁଣ୍ଡରେ ମାରେ ଏବଂ ମୁକ୍ତ ମନରେ କହେ- ଏ ବଡ଼ଦାଣ୍ଡ ହିଁ ମୋର ଶେଷ ଭରସା। ସଂକ୍ଷେପରେ ଶ୍ରୀକ୍ଷେତ୍ର ପୁରସ୍ତମର ‘ବଡ଼ଦାଣ୍ଡ’ ହେଉଛି- କାଳିଆ ଠାକୁରଙ୍କ ରଥଦାଣ୍ଡ, ଓଡ଼ିଆର ଆତ୍ମାଭିମାନର ମୁକ୍ତଦାଣ୍ଡ ଏବଂ ବିଶ୍ୱଭାବୁକମାନଙ୍କ ପାଇଁ ଐଶ୍ୱର୍ଯ୍ୟଦର୍ଶୀ ଭାବଦାଣ୍ଡ।

ମୋ: ୯୪୩୯୯୧୭୬୨୦