ବଡ଼ ତଡ଼ାଉ ବେଶ

ମହୀମୋହନ ତ୍ରିପାଠୀ

ଶ୍ରୀମନ୍ଦିରରେ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରା ବର୍ଷ ସାରା ବିବିଧ ବେଶରେ ବିମଣ୍ଡିତ ହୋଇଥାନ୍ତି। ତାଙ୍କର ଦୈନନ୍ଦିନ ନୀତି, ବିଶେଷ ନୀତି ଓ ପର୍ବପର୍ବାଣି ନୀତିମାନଙ୍କର ବିଭିନ୍ନ ବେଶ ସାମଗ୍ରୀ ଭିତରେ ରହିଛି- ସୂତାବସ୍ତ୍ର, ପାଟବସ୍ତ୍ର, ଫୁଲ, ଫୁଲର ଅଳଙ୍କାର, ସୁନା ବା ରତ୍ନଜଡ଼ିତ ସୁନା ଅଳଙ୍କାର, ସୋଲର ଜରି, ସୋଲର ଫୁଲ, ତୁଳସୀ, ଦୂବ ଏବଂ ଦୟଣାପତ୍ର ଇତ୍ୟାଦି। ରତ୍ନବେଦିରେ ବିରାଜିତ ତ୍ରିମୂର୍ତ୍ତିଙ୍କ ଶ୍ରୀଅଙ୍ଗରେ ବର୍ଷ ତମାମ (ଅନବସର ସମୟ ବ୍ୟତୀତ) କିଛିନାକିଛି ରତ୍ନ ଅଳଙ୍କାର ଲାଗି ହୁଏ। କେତୋଟି ପର୍ବପର୍ବାଣି ଦିନମାନଙ୍କରେ ଅଧିକ ଅଳଙ୍କାର ଲାଗି ହୋଇଥାଏ। ସେସବୁ ପର୍ବନୀତି ହେଉଛି- ବାମନ ଜନ୍ମ, ରାଧାଦାମୋଦର ବେଶ, ଚାଚେରୀ ବେଶ ଇତ୍ୟାଦି। ସର୍ବାଧିକ ଏବଂ ସଂପୂର୍ଣ୍ଣ ସୁନା ଅଳଙ୍କାର ବେଶକୁ ‘ରାଜବେଶ’ କୁହାଯାଏ। ସୁତରାଂ କୁହାଯାଇପାରେ ଯେ ସବୁ ରାଜବେଶ ହେଉଛି ସୁନାବେଶ, କିନ୍ତୁ ସବୁ ସୁନାବେଶ ରାଜବେଶ ନୁହେଁ। ଶ୍ରୀମନ୍ଦିରର ସ୍ୱତ୍ୱଲିପି ଅନୁସାରେ- ରାଜବେଶ ପ୍ରତିବର୍ଷ ପାଞ୍ଚ ଥର ହୁଏ। ତାହା ହେଉଛି- ୧. ବିଜୟା ଦଶମୀ, ୨. କାର୍ତ୍ତିକ ପୂର୍ଣ୍ଣିମା, ୩. ଅଭିଷେକ ବା ପୌଷପୂର୍ଣ୍ଣିମା, ୪. ଦୋଳପୂର୍ଣ୍ଣିମା, ୫. ରଥରେ ବଡ଼ ଏକାଦଶୀ ବା ଆଷାଢ଼ ଶୁକ୍ଳ ଏକାଦଶୀ।

ଏହି ରାଜବେଶ ବା ବଡ଼ ସୁନାବେଶର ମଧ୍ୟ ବିଭିନ୍ନ ନାମ ଅଛି। ରଥ ଉପରେ ହେଉଥିବା ରାଜବେଶକୁ ‘ବଡ଼ ତଡ଼଼ାଉ ବେଶ’ ଓ କାର୍ତ୍ତିକ ପୂର୍ଣ୍ଣିମାରେ ହେଉଥିବା ରାଜବେଶକୁ ‘ରାଜରାଜେଶ୍ୱର ବେଶ’ କୁହାଯାଏ।

ରଥରେ ବଡ଼ତଡ଼ାଉ ବେଶର ଅଳଙ୍କାର:
ଶ୍ରୀ ପୟର-୪ (ଦେବୀଙ୍କର ନାହିଁ), ଶ୍ରୀଭୁଜ-୪ (ଦେବୀଙ୍କର ନାହିଁ), କିରୀଟ-୩, କାନ-୬, ବାହାଡ଼ା ମାଳି-୨ (ଶ୍ରୀବଳଭଦ୍ର-୧, ଶ୍ରୀଜଗନ୍ନାଥ-୧), ତାବିଜ ମାଳି-୧ (ଶ୍ରୀଜଗନ୍ନାଥ), ବାଘନଖି ମାଳି (ଶ୍ରୀଜଗନ୍ନାଥ), କଦମ୍ବ ମାଳି-୪ (ଶ୍ରୀବଳଭଦ୍ର-୨, ଶ୍ରୀଜଗନ୍ନାଥ-୧, ଦେବୀ ସୁଭଦ୍ରା-୧), ହରିଡ଼ା କଦମ୍ବ ମାଳି-୧ (ଶ୍ରୀଜଗନ୍ନାଥ), ସେବତୀ ମାଳି-୩ (ପ୍ରତେକଙ୍କର ଗୋଟିଏ), ହଳ ଓ ମୂଷଳ (୧+୧, ଶ୍ରୀବଳଭଦ୍ର), ଚକ୍ର-୧ (ଶ୍ରୀଜଗନ୍ନାଥ), ତିଳକ-୨ (ଶ୍ରୀବଳଭଦ୍ର-୧, ଶ୍ରୀଜଗନ୍ନାଥ-୧), ଆଡ଼କାନି-୪ (ଶ୍ରୀବଳଭଦ୍ର-୨, ଶ୍ରୀଜଗନ୍ନାଥ-୨) ଚନ୍ଦ୍ରସୂର୍ଯ୍ୟ-୬ (ପ୍ରତ୍ୟେକ ୨ଟି), ଅଳକା-୩ (ପ୍ରତ୍ୟେକ ଗୋଟିଏ), ଓଡ଼ିଆଣି-୩ (ପ୍ରତ୍ୟେକ ଗୋଟିଏ), ଚନ୍ଦ୍ରିକା-୨ (ଶ୍ରୀବଳଭଦ୍ର-୧, ଶ୍ରୀଜଗନ୍ନାଥ-୧), ତଡ଼କୀ-୨ (ଶ୍ରୀବଳଭଦ୍ର-୧, ଶ୍ରୀଜଗନ୍ନାଥ-୧), ଶଙ୍ଖ (ରୂପା)-୧ (ଶ୍ରୀଜଗନ୍ନାଥଙ୍କର)
(ଦ୍ରଷ୍ଟବ୍ୟ: ଏହି ବେଶରେ କେବଳ ଶଙ୍ଖଟି ରୂପା)

ସବୁ ସୁନାବେଶ / ରାଜବେଶ ଶ୍ରୀମନ୍ଦିର ଭିତରେ, ରତ୍ନବେଦିରେ ହେଉଥିବାବେଳେ, କେବଳ ବର୍ଷକରେ ଗୋଟିଏ ଦିନ, ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ତିନି ରଥରେ ତିନି ଦିଅଁଙ୍କର ଏହି ବେଶ, ଦ୍ୱିପ୍ରହର ଧୂପ ଶେଷ ହେବାପରେ ହୁଏ। ଯେଉଁ ଦର୍ଶନାର୍ଥୀ ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ଯାଇପାରିବାରେ କଟକଣା ରହିଛି, ସେମାନେ ଶ୍ରୀମନ୍ଦିର ବାହାରେ, ରଥ ଉପରେ ଅନୁଷ୍ଠିତ ଏହି ଚିତ୍ତାକର୍ଷକ ବେଶ ଦର୍ଶନର ସୁଯୋଗ ପାଆନ୍ତି।

ରଥ ଉପରେ ହେଉଥିବା ଏହି ବେଶକୁ ‘ବଡ଼ ତଡ଼ାଉ ବେଶ’ ବୋଲି କୁହାଯାଏ। ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁସାରେ ଏହା ଏକ ରାଜବେଶ। ଏହାକୁ ‘ବଡ଼ ସୁନାବେଶ’ ମଧ୍ୟ କୁହାଯାଇପାରେ। ରାଜବେଶର ଅନ୍ୟନାମ ‘ବଡ଼ ତଡ଼ାଉ ବେଶ’ ବୋଲି ଗବେଷକ ସିଦ୍ଧେଶ୍ୱର ମହାପାତ୍ରଙ୍କ ‘ପୁରୀ ବୋଲି’ ପୁସ୍ତକରେ ଲେଖାଅଛି। ‘ମାଦଳା ପାଞ୍ଜି’ (ସମ୍ପାଦନା-ଆର୍ତ୍ତବଲ୍ଲଭ ମହାନ୍ତି)ରେ ‘ସୁନା’ ଅର୍ଥରେ ‘ତଡ଼ାଉ’ ଶବ୍ଦ ବ୍ୟବହୃତ ହୋଇଛି। ‘ତଡ଼ାଉ’ ଶବ୍ଦର ଅର୍ଥ ମଧ୍ୟ ଅଳଙ୍କାର। ଅନ୍ୟ ଏକ ମତରେ, ଉତ୍କଳର ସୂର୍ଯ୍ୟବଂଶୀୟ ରାଜା କପିଳେନ୍ଦ୍ରଦେବ (ପଞ୍ଚଦଶ ଶତାବ୍ଦୀ) ଶ୍ରୀମନ୍ଦିରର ବରିଷ୍ଠ ବା ବଡ଼ ତଡ଼ାଉ କରଣଙ୍କ ଅନୁରୋଧ ରକ୍ଷାକରି ଏହି ବେଶ ପ୍ରଥମେ ପ୍ରଚଳନ କରାଇଥିଲେ। ରାଜା କପିଳେନ୍ଦ୍ର ଦେବ ଏହି ବେଶପାଇଁ ୧୩୮ ପ୍ରକାର ସୁନା ଓ ରତ୍ନ ଜଡ଼ିତ ସୁନା ଅଳଙ୍କାର ନିର୍ମାଣ କରାଇଥିଲେ। ବଡ଼ ତଡ଼ାଉ କରଣ ସେବକଙ୍କ ନାମରେ ଏହି ବେଶର ନାମ ‘ବଡ଼ ତଡ଼ାଉ ବେଶ’ ହେଲା। ଶ୍ରୀମନ୍ଦିରର ଜଣେ ବିଶିଷ୍ଟ ସେବକ ହେଉଛନ୍ତି ତଡ଼ାଉ କରଣ। ସେ ମଧ୍ୟ ଭଣ୍ଡାର ବା ରତ୍ନଭଣ୍ଡାର ସଂପର୍କିତ କରଣ-ସେବକ।

ରଥରେ ହେଉଥିବା ବଡ଼ ତଡ଼ାଉ ବେଶର ଏକ ସ୍ୱତନ୍ତ୍ରତା ରହିଛି। ଏହି ବେଶରେ ଦୁଇଟି ବିଶିଷ୍ଟ ଅଳଙ୍କାର- ରତ୍ନଚିତା ଓ ରାହୁରେଖା ନଥାଏ। ରଥରେ ଦିଅଁମାନେ ସୋଲ ଚିତା ପରିଧାନ କରିଥାନ୍ତି। ସୋଲଚିତା ମଝିରେ ଅଳ୍ପ ପରିମାଣରେ ସୁନା ଓ ରତ୍ନପଥର ବସାଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମା ଦିନ ଦିଅଁମାନେ ସ୍ନାନମଣ୍ଡପରୁ ଅଣସର ପିଣ୍ଡିକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଦଇତାପତି ସେବକମାନେ ତିନିଦିଅଁଙ୍କ ଶ୍ରୀମୁଖରୁ ରତ୍ନଚିତା ଓ ସୁବର୍ଣ୍ଣ ରାହୁରେଖା ଅଳଙ୍କାରମାନ ବାହାର କରିଦିଅନ୍ତି। ରତ୍ନଚିତାମାନ ଶ୍ରାବଣ ଅମାବାସ୍ୟାଦିନ ଓ ରାହୁରେଖାମାନ ଭାଦ୍ରବମାସ କୃଷ୍ଣ ପଞ୍ଚମୀ ଦିନ ଦିଅଁଙ୍କୁ ଲାଗି କରାଯାଏ। ଏହିଦିନମାନଙ୍କୁ ଯଥାକ୍ରମେ ‘ଚିତାଲାଗି ଅମାବାସ୍ୟା’ ଓ ‘ରେଖା ପଞ୍ଚମୀ’ କୁହାଯାଏ।

ବଡ଼ ତଡ଼ାଉ ବେଶ ତଥା ରାଜବେଶ କେବେଠାରୁ ଆରମ୍ଭ ହେଲା ଏ ନେଇ ମତୈକ୍ୟର ଅଭାବ ପରିଲକ୍ଷିତ ହୁଏ। କେତେଜଣ ଗବେଷକଙ୍କ ମତରେ, ଏହା ଗଙ୍ଗବଂଶର ରାଜା ଅନଙ୍ଗଭୀମ ଦେବ (୩ୟ)ଙ୍କ ରାଜତ୍ୱ ସମୟରୁ, ଅର୍ଥାତ୍ ତ୍ରୟୋଦଶ ଶତାବ୍ଦୀରୁ ଆରମ୍ଭ ହୋଇଛି। ‘ମାଦଳାପାଞ୍ଜି’ (ସଂ.-ଆର୍ତ୍ତବଲ୍ଲଭ)ରେ ଉଲ୍ଲେଖ ଅଛି ଯେ ରାଜା ଅନଙ୍ଗଭୀମ ଦେବ, “ନଗର କଟକେ ଥାଇ ଶ୍ରୀପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଦେବଙ୍କୁ ସମସ୍ତ ସମର୍ପି ରାଉତପଣେ ଥାଆନ୍ତି। ଓଡ଼ିଶା ରାଜ୍ୟ ରଜା ଶ୍ରୀଜଗନ୍ନାଥ ମହାପ୍ରଭୁ ଏମନ୍ତ କହି ଅଭିଷେକ ନୋହିଲେ।” ଏହି ରାଜା “ପ୍ରମେଶ୍ୱରଙ୍କ ଅଳଙ୍କାରକୁ ୨ଲକ୍ଷ ୫୦ ହଜାର ମାଢ଼” ଦେଇଥିଲେ। ଆଉ କେତେକଙ୍କ ମତରେ, ସୂର୍ଯ୍ୟବଂଶର ରାଜା କପିଳେନ୍ଦ୍ରଦେବ ଏହି ବେଶ ପ୍ରବର୍ତ୍ତନ କରାଇଥିଲେ। ସେ ବହୁ ରାଜ୍ୟ ଜୟକରି ଅନେକ ହାତୀ ପିଠିରେ ଧନ ଓ ରତ୍ନ ଅଳଙ୍କାର ବୋହି ଆଣିଥିଲେ।

ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଦେବାଧିଦେବ ଓ ରାଜାଧିରାଜ! ତାଙ୍କର ଦୈନନ୍ଦିନ ନୀତି ଏବଂ ପର୍ବପର୍ବାଣି ନୀତିରେ ମଣିଷ ସୁଲଭ ଚଳଣି ସହିତ ରାଜକୀୟ ଠାଣି ପରିଲକ୍ଷିତ ହୁଏ। ମହାପ୍ରଭୁଙ୍କ ସୁନାବେଶ, ରାଜବେଶ ଓ ବଡ଼ ତଡ଼ାଉ ବେଶ ତାଙ୍କର ଐଶ୍ୱର୍ଯ୍ୟ ଓ ରାଜକୀୟତାର ପ୍ରତୀକ।

ମୋ: ୮୦୯୩୫ ୮୦୮୪୮

ସମ୍ବନ୍ଧିତ ଖବର