‘ଆଗରୁ କାମ କରିବାକୁ ଯିବା ଆସିବାରେ ଅଧିକ ସମୟ ଯାଉଥିଲା। ଏବେ ସମସ୍ତେ ଘରେ। ସମସ୍ତଙ୍କ ପାଖରେ ସମୟ ମଧ୍ୟ ଯଥେଷ୍ଟ। ସମସ୍ତଙ୍କ ଖବର ମଧ୍ୟ ମୋବାଇଲ ଫୋନ୍‌, ହ୍ବାଟସ୍‌ ଅଫ୍‌, ଭିଡିଓ କଲିଂରେ ରଖି ହେଉଛି। ବିଦେଶରେ ଥିବା ବନ୍ଧୁଙ୍କ ଖବର ବି ରଖୁଛି। ମୁଁ ଏବେ ଦିଲ୍ଲୀରେ ଲକ୍‌ଡାଉନ୍‌। କାରଣ ମାର୍ଚ୍ଚରେ ଦିଲ୍ଲୀ ଆସିଥିଲି, ଫେରିବା ସମୟରେ ଲକ୍‌ଡାଉନ୍‌ ହେଲା। ତେଣୁ ରହିଯାଇଛି,' ବୋଲି କହିଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ତଥା ବିଶିଷ୍ଟ ସାହିତ୍ୟିକ ଦେବଦାସ ‌ଛୋଟରାୟ। ସେ ଆହୁରି କହିଛନ୍ତି ଯେ, ‘ଏଭଳି ସମୟରେ ଘର ଭିତରେ ଥିବା ଆବସାବପତ୍ର, ଝରକା ବାହାରେ ଥିବା ପରିବେଶକୁ ଦେଖୁଛି। ଆଗରୁ ଯେମିତି ସମୟ କେବଳ ବହି ପଢାରେ ଲେଖାରେ କଟୁଥିଲା। ଏବେ ବହି ପଢାରେ ଓ ପ୍ରକୃତିକୁ ଝରକା ଫାଙ୍କରୁ ମୁଁ ଉପଭୋଗ କରୁଛି।'

Advertisment

publive-image

ହସ୍ତତନ୍ତ ଜ୍ଞାନକୌଶଳ ପ୍ରଦ‌ାନ କରୁଛି: ଡ. ଚତୁର୍ଭୁଜ ମେହେର
ସୋନପୁର ସହର ନୂଆପଡ଼ାରେ ରହନ୍ତି ପଦ୍ମଶ୍ରୀ ଡ. ଚତୁର୍ଭୁଜ ମେହେର। ବର୍ତ୍ତମାନ ଲକ୍‌ଡାଉନ୍‌ ଯୋଗୁଁ ସେ ମଧ୍ୟ ଘରେ ରହିଛନ୍ତି ଏବଂ ସାମାଜିକ ଦୂରତା ରକ୍ଷା କରୁଛନ୍ତି। ସେ କହିଛନ୍ତି ଯେ, ‘ଲକ୍‌ଡାଉନ୍‌ ପୂର୍ବରୁ ସକାଳୁ ନିତ୍ୟକର୍ମ ସାରି ପ୍ରତ୍ୟେକ ଦିନ ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ ଥିବା ବୟନ ବିହାରକୁ ଯାଇ ସେଠାରେ ବୁଣାକାର ଏବଂ କର୍ମଚାରୀଙ୍କୁ ବାନ୍ଧକଳା ସଂପର୍କରେ ବୈଷୟିକ ଜ୍ଞାନ ପ୍ରଦାନ କରୁଥିଲି। ଏବେ ଆଉ ବୟନ ବିହାରକୁ ଯାଉନାହିଁ। ଘରେ ରହି ହସ୍ତତନ୍ତ କାର୍ଯ୍ୟ କରିବା ସହିତ ମନମୁଣ୍ଡା ବୟନ ବିହାରର କର୍ମଚାରୀ ଏବଂ ବୁଣାକାରମାନଙ୍କୁ ଘରକୁ ଡାକି ଆବଶ୍ୟକ ହସ୍ତତନ୍ତ କଳାର ବୈଷୟିକ ଜ୍ଞାନ ପ୍ରଦାନ କରୁଛି। ଏଥିସହିତ ଦୂରଦର୍ଶନରେ ପ୍ରସାରିତ ହେଉଥିବା ଉଭୟ ସକାଳେ ଏବଂ ରାତିରେ ରାମାୟଣ ଓ ମହାଭାରତ ଦେଖି ସମୟ କାଟୁଛି।’

publive-image

ଉପନ୍ୟାସ ଲେଖି ସମୟ ବିତାଉଛି : ଡ. ଅଟଳ ବିହାରୀ ପଣ୍ଡା
ବିନିକା ସହର ୱାର୍ଡ ନମ୍ବର ୯ ଗଡ଼ଭିତର ଠା‌ରେ ରହନ୍ତି ଗୀତିକାର, ନାଟ୍ୟକାର ତଥା ଅଭିନେତା ୯୦ ବର୍ଷ ବୟସ୍କ ଡ. ଅଟଳ ବିହାରୀ ପଣ୍ଡା। ଲକ୍‌ଡାଉନ୍‌ ପୂର୍ବରୁ ସକାଳ ଓ ସନ୍ଧ୍ୟ‌ାରେ ୪୫ ମିନିଟ ପର୍ଯ୍ୟନ୍ତ ରାସ୍ତାରେ ଭ୍ରମଣ ପରେ ଘରକୁ ଆସି ନିତ୍ୟକର୍ମ ସାର ପ୍ରଭୁଙ୍କ ସେବା କରିବା ସହ ବିଭିନ୍ନ ସ୍ଥାନକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ସମୟ ଅଭାବ ହେଉଥିଲା। କିନ୍ତୁ, ଲକ୍‌ଡାଉନ୍‌ ଘୋଷଣା ହେବା ଦିନଠାରୁ ସରକାରଙ୍କ କଥା ମାନି ତାଙ୍କ ପରିବାର ସହିତ ଘର ଭିତରେ ରହୁଛନ୍ତି।

ସେ କହିଛନ୍ତି ‌ଯେ, 'ସକାଳର ନିତ୍ୟକର୍ମ, ପୂଜାର୍ଚ୍ଚନା ପରେ ଚା, ଜଳଖିଆ ସାରି ରାମାୟଣ ଓ ମହାଭାରତ ଦେଖୁଛି। ହାତରେ କଷ୍ଟ ହେଲେ ମଧ୍ୟ ଉପନ୍ୟାସ ଲେଖିବା ସହ ଆଗକୁ କିପରି ଚଳଚ୍ଚିତ୍ର ତିଆରି କରିହେବ ତା ଉପରେ ଚିନ୍ତା କରି ସମସ୍ତ ପ୍ରସ୍ତୁତି କରି ସମୟ ଅତିବାହିତ କରୁଛନ୍ତି। ପୂର୍ବରୁ ପରିବାର ପ୍ରତି ସମୟ ଦେଇ ହେଉନଥିଲା ବେଳେ ବର୍ତ୍ତମ‌ାନ ପୂରା ପରିବାର ଭିତରେ ରହୁଛି।'