‘ବାହୁବଳୀ’ ଥାଳି ଖାଇଦେଲେ ମିଳିବ ଏକ ଲକ୍ଷ ଟଙ୍କାର ପୁରସ୍କାର

ହାଇଦ୍ରାବାଦ: ଆପଣ ପେଟପୁରା ଖାଇବେ ଆଉ ଥାଳି ସଫା କରିଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ପାଇବେ | କଥାଟି ଶୁଣିବାକୁ ଟିକେ ଅଜବ ଲାଗୁଛି କି? କିନ୍ତୁ ଏକଥା ଏକଦମ ସତ | ହାଇଦ୍ରାବାଦର ଏକ ପ୍ରସିଦ୍ଧ ରେଷ୍ଟୁରାଣ୍ଟ ‘ବାହୁବଳୀ ଥାଳି’ ଲଞ୍ଚ କରିଛି | ବିଶେଷ କଥା ହେଉଛି ଏହି ପ୍ଲେଟରେ ଥିବା ସମସ୍ତ ଖାଦ୍ୟ ୩୦ ମିନିଟରେ ଖାଇବା ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର ରଖାଯାଇଛି | ଏହି ରେଷ୍ଟୁରାଣ୍ଟର ନାମ ‘ନାଇଡୁ ଗାରି କୁଣ୍ଡା ବିରିୟାନି’ ହୋଇଥିବାବେଳେ ‘ବାହୁବଳୀ ଥାଳି’ରେ ଆମିଷ ଓ ନିରାମିଷ ଖାଦ୍ୟ ରହିବ | ଏହି ଥାଳିରେ ମୋଟ ୩୦ରୁ ଅଧିକ ଆଇଟମ୍ ରହିବ | କିନ୍ତୁ ୧ ଲକ୍ଷ ଟଙ୍କା ପାଇବା ପାଇଁ ସର୍ତ୍ତ ରହିଛି ଯେ ଅଧଘଣ୍ଟା ମଧ୍ୟରେ ସବୁ ଆଇଟମ ଖାଇବାକୁ ପଡିବ |

ରେଷ୍ଟୁରାଣ୍ଟର ମାଲିକ କହିଛନ୍ତି, “ବାହୁବଳୀ ଥାଳିକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି | ଆମେ ଥାଳିରେ ୩୦ଟି ଆଇଟମ୍ ଦେଇଥାଉ, ଯେଉଁଥିରେ ଭେଜ୍ ଏବଂ ନନଭେଜ୍ ଷ୍ଟାର୍ଟର୍, ନନଭେଜ୍ ବିରିୟାନି, ଫ୍ରାଇଡ଼ ରାଇସ ଏବଂ ଥଣ୍ଡା ପାନୀୟ ଅନ୍ତର୍ଭୁକ୍ତ ରହିଛି | ଏହି ଥାଳି ଆରମ୍ଭ କରିବା ପଛର ମୁଖ୍ୟ କାରଣଟି ହେଉଛି ଯେ କିଛି ଲୋକ ଥାଆନ୍ତି ଯେଉଁମାନେ ସ୍ପେଶାଲ ଆଇଟମ ଖାଇବାକୁ ପସନ୍ଦ କରନ୍ତି | ସେହିପରି କିଛି ଲୋକ ଥାଆନ୍ତି, ଯେଉଁମାନେ ରେଷ୍ଟୁରାଣ୍ଟରେ ଥିବା ସବୁ ଆଇଟମ ଚାଖିବାକୁ ଚାହାଁନ୍ତି। ”

ବାହୁବଳୀ ଥାଳିର ମୂଲ୍ୟ ୧୮୦୦ ଟଙ୍କା ରଖାଯାଇଛି | ସେହିପରି ଏପର୍ଯ୍ୟନ୍ତ ୩୦୦୦ରୁ ଅଧିକ ଗ୍ରାହକ ଏହାକୁ ଖାଇବାକୁ ଚେଷ୍ଟା କରିଛନ୍ତି, ସେଥିମଧ୍ୟରୁ କେବଳ ଦୁଇଜଣ ସଫଳତା ପାଇଛନ୍ତି | ସେହି ଦୁଇ ଜଣ ୧ ଲକ୍ଷ ଟଙ୍କା ପୁରସ୍କାର ପାଇଛନ୍ତି।

ସମ୍ବନ୍ଧିତ ଖବର