ସ୍ବରାଜ ମିଶ୍ର

Advertisment

ଫଗୁଦଶମୀଠାରୁ ଓଡ଼ିଶାର ପୁରପଲ୍ଲୀରେ ଦୋଳପର୍ବ ଆରମ୍ଭ ହୋଇଯାଏ। ବସନ୍ତର ମଧୁମୟ ପରିବେଶ ଭିତରେ କୃଷ୍ଣମୟ ହୋଇଉଠେ ସାରା ରାଜ୍ୟ। ଫଗୁଖେଳ, ଲଉଡ଼ିଖେଳ ତଥା ଭଜନକୀର୍ତ୍ତନରେ ଲୋକେ କୃଷ୍ଣପ୍ରେମ‌େର ମତୁଆଲା ହୁଅନ୍ତି। ଏ ସମୟରେ ଯେଉଁ ମହାନ୍ କବିମାନଙ୍କର ରଚନା ଲୋକମୁଖରେ ଗୁଞ୍ଜରିତ ହୁଏ ତା’ ଭିତରେ ଅଛନ୍ତି ଅଷ୍ଟାଦଶ ଶତାବ୍ଦୀର ଜଣେ ବୈଷ୍ଣବ କବି, ଯିଏ କେବଳ ଭକ୍ତ ନୁହନ୍ତି, ବୈରାଗୀ ମଧ୍ୟ। ‘ମଥୁରା ମଙ୍ଗଳ’ ଓ ‘କଳା କଳେବର ଚଉତିଶା’ ଭଳି ତାଙ୍କ ପ୍ରେମଭକ୍ତି ଭରା ରଚନାଗୁଡ଼ିକ ଯେଭଳି ଜନପ୍ରିୟ, ତାଙ୍କ ରଚିତ ବୈରାଗ୍ୟର ବିଧୁର ରାଗିଣୀ ‘ମନବୋଧ ଚଉତିଶା’ ମଧ୍ୟ ସେହିଭଳି ଘରେ ଘରେ ପରିଚିତ। ତାଙ୍କ ନାମ ଭକ୍ତଚରଣ ଦାସ ଏବଂ ସଂଯୋଗକୁ ତାଙ୍କ ମୂଳନାମ ବୈରାଗୀ ଚରଣ।

ଭକ୍ତଚରଣଙ୍କ ଜୀବନ ସହ ଯୋଡ଼ି ହୋଇ ରହିଛି ଅନେକ କିଂବଦନ୍ତି ଓ କାହାଣୀ। ଆଜୀବନ ସାଧନା ଭିତରେ ସେ ସଦାବେଳେ ରହିଛନ୍ତି ସାଧାରଣରୁ ସାଧାରଣତମ ମଣିଷଙ୍କ ସହିତ। କେତେବେଳେ ବୈଦ୍ୟ ହିସାବରେ ସେମାନଙ୍କ ଶରୀରର ଉପଚାର କରିଛନ୍ତି ତ କେତେବେଳେ ବୈରାଗୀ ହୋଇ ମନକୁ ସଂସାର ମାୟାରୁ ମୁକୁଳିବାର ବାଟ ଦେଖାଇଛନ୍ତି। ତାଙ୍କ ଜୀବନ କାହାଣୀ ଯେତିକି ବୈଚିତ୍ର୍ୟମୟ, ସେତିକି କୌତୂହଳପୂର୍ଣ୍ଣ। ଭକ୍ତଚରଣଙ୍କର ଜନ୍ମ ଖୋର୍ଦ୍ଧା ଜିଲ୍ଲାର ସାନପଦର ଗ୍ରାମରେ ହୋଇଥିଲା। ରାଜପଥରେ ଖୋର୍ଦ୍ଧାରୁ ନୟାଗଡ଼ ଯିବାବେଳେ ପିଚୁକୁଳିଠାରୁ ବାଁ ପଟକୁ ବାଟଭାଙ୍ଗି ପ୍ରାୟ ତିନି କି.ମି. ଗଲେ ପଡ଼େ ସାନପଦର ଗାଁ। ତାଙ୍କ ଜନ୍ମ ସମୟ ନେଇ ଭିନ୍ନ ଭିନ୍ନ ମତ ରହିଥିଲେ ହେଁ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି ତାଙ୍କ ଦ୍ବାରା ସମ୍ପାଦିତ ‘ମଥୁରାମଙ୍ଗଳ’ କାବ୍ୟର ମୁଖବନ୍ଧରେ ବିଭିନ୍ନ ଯୁକ୍ତି ଓ ପ୍ରମାଣ ସହ ଭକ୍ତଚରଣଙ୍କ ଜନ୍ମ ୧୭୨୯ ମସିହାରେ ହୋଇଥିଲା ବୋଲି ନିର୍ଣ୍ଣୟ କରିଛନ୍ତି। ସାନପଦରର ଏକ କୁଳୀନ କରଣ ପରିବାରରେ ତାଙ୍କର ଜନ୍ମ ହୋଇଥିଲା ଏବଂ ତାଙ୍କର ପିତୃଦତ୍ତ ନାମ ଥିଲା ବୈରାଗୀଚରଣ ପଟ୍ଟନାୟକ। ବୈଷ୍ଣବ ଧର୍ମର ଦୀକ୍ଷା ନେବା ପରେ ତାଙ୍କର ନାମ ହେଲା ଭକ୍ତଚରଣ ଦାସ। ସେ ଗଜପତି ଦିବ୍ୟସିଂହ ଦେବଙ୍କ ଭଉଣୀ ମୁକ୍ତାଦେଈଙ୍କୁ ଦୀକ୍ଷା ପ୍ରଦାନ କରିଥିବାରୁ ଗଜପତି ତୁଷ୍ଟ ହୋଇ ସାନପଦର ଗ୍ରାମରେ ତାଙ୍କ ପାଇଁ ବୃତ୍ତିବାଡ଼ି ଖଞ୍ଜି ଦେଇଥିଲେ। ସାନପଦର ଛଡ଼ା‌ ଆଉ ଦୁଇ ତିନୋଟି ସ୍ଥାନରେ ତାଙ୍କର ମଠ ଥିଲେ ହେଁ, ଦଶପଲ୍ଲାର ମଧ୍ୟଖଣ୍ଡ ଗ୍ରାମର ଗୌଡ଼ପାଟଣାରେ ସ୍ଥାପିତ ମଠ ସହିତ ଯୋଡ଼ିହୋଇ ରହିଛି ତାଙ୍କର ସାଧନାକାଳର ଅନେକ କୌତୂହଳପୂର୍ଣ୍ଣ କାହାଣୀ।

ଭକ୍ତଚରଣ ମୂଳତଃ ଥିଲେ ବୈରାଗୀ। ଉପେନ୍ଦ୍ର ଭଞ୍ଜ ଓ ଦୀନକୃଷ୍ଣଙ୍କ ରୀତିଯୁଗୀୟ ପରମ୍ପରାରେ ପୁଷ୍ଟ ହୋଇଥିଲେ ମଧ୍ୟ ସେ କ୍ଳିଷ୍ଟ ଆଳଙ୍କାରିକ ଶୈଳୀ ଊର୍ଦ୍ଧ୍ବକୁ ଯାଇ ସୃଷ୍ଟି କରିଛନ୍ତି ସରଳ ଆତ୍ମିକ ଆବେଗର ସ୍ନିଗ୍ଧ ରାଗିଣୀ। ଏହା ବଇରାଗୀ ଭକ୍ତଚରଣଙ୍କୁ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ବସାଇ ଦେଇଛି।

ମଧ୍ୟଖଣ୍ଡ ତତ୍କାଳୀନ ଦଶପଲ୍ଲା ରାଜାଙ୍କର ଉଆସବାଡ଼ି ବା ଖମାର ଗାଁ ଥିଲା। ଦଶପଲ୍ଲାର ଧର୍ମପ୍ରାଣ ରାଜା ତ୍ରିଲୋଚନ ଦେଓ ଭଞ୍ଜ ତାଙ୍କ ଶାସନକାଳରେ ଭକ୍ତଚରଣଙ୍କୁ ଏହି ଅଞ୍ଚଳର ଗୌଡ଼ପାଟଣାଠାରେ ନିଷ୍କର ଜମି ଦେଇ ମଠ ସ୍ଥାପନ କରିବାକୁ ଅନୁମତି ଦେଇଥିଲେ। ସ୍ଥାନୀୟ ଜନଜୀବନ ସହ ଅତି ଅନ୍ତରଙ୍ଗ ଭାବରେ ଜଡ଼ିତ ହୋଇ ପଡ଼ିଥିଲେ ଭକ୍ତଚରଣ। ଗୌଡ଼ପାଟଣାରେ ସେତେବେଳେ ମୁଖ୍ୟତଃ ଗୋପାଳ ଶ୍ରେଣୀର ଲୋକେ ବସବାସ କରୁଥିଲେ ଏବଂ ସେମାନଙ୍କ ସହିତ ସେ ଗଭୀର ଶ୍ରଦ୍ଧା ଓ ଆତ୍ମୀୟତାର ସମ୍ପର୍କରେ ବାନ୍ଧି ହୋଇ ପଡ଼ିଥିଲେ। ସତେ ଯେମିତି ଏ ସ୍ଥାନଟି ତାଙ୍କ ପାଇଁ ପାଲଟି ଯାଇଥିଲା ଗୋପପୁର। ଏଇଠି ବସି କୃଷ୍ଣପ୍ରେମରେ ବିଭୋର ହୋଇ ସେ ମଠ ନିକଟରେ ବହିଯାଇଥିବା ବେଶାଳିଆ ନଈରେ ଦେଖୁଥିଲେ ଯମୁନାକୁ। ସରଳା ଗୋପାଳୁଣୀଙ୍କ ସ୍ନେହ ଆଦର ଭିତରେ ସେ ଦେଖୁଥିଲେ ଗୋପନାରୀଙ୍କ କୃଷ୍ଣପ୍ରେମର ଝଲକ। ଏଭଳି ନିଚ୍ଛକ ଅନୁଭବ ତାଙ୍କ ରଚନାରେ ଭରିଦେଇଥିଲା ଏକ ଅଦ୍ଭୁତ ସମ୍ବେଦନା ଓ ଆତ୍ମୀୟତା, ଯାହା  ଲୋକଙ୍କ ହୃଦୟରେ ଲାଖି ରହୁଥିଲା; ତାହା ‘କଳାକଳେବର ଚଉତିଶା’ର ଲଳିତ ପଦ୍ୟାବଳୀ ହେଉ ବା ‘ମଥୁରାମଙ୍ଗଳ’ର ଛାନ୍ଦ।

ଯାହା ଜଣାଯାଏ, ମଧ୍ୟଖଣ୍ଡରେ ଭକ୍ତଚରଣ ‘ମଥୁରାମଙ୍ଗଳ’ ରଚନା ଆରମ୍ଭ କରିଥିଲେ ହେଁ, ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକ୍ରମରେ ତାଙ୍କୁ ଏ ସ୍ଥାନ ଛାଡ଼ି ସୁନାଖଳା ଯିବାକୁ ପଡ଼ିଥିଲା। ତ୍ରିଲୋଚନ ଭଞ୍ଜଙ୍କର ମୃତ୍ୟୁ ପରେ ମୁକୁନ୍ଦ ଦେଓ ଭଞ୍ଜ ୧୮୭୫ରେ ଦଶପଲ୍ଲାର ରାଜ୍ୟଭାର ସମ୍ଭାଳିଲେ। ଗବେଷକ ଡକ୍ଟର ମାଧବ ଚନ୍ଦ୍ର ମିଶ୍ର କହନ୍ତି, ସେ ସମୟରେ ମଠକୁ ଲାଗି ଲମ୍ବିଯାଇଥିବା ଦଶପଲ୍ଲା ଗଣିଆ ରାସ୍ତାରେ ଯବନ ସିପାହୀମାନେ ଯିବାଆସିବା କଲାବେଳେ  ଗାଈ ଚରାଇବାକୁ ଯାଇଥିବା ଗୋପାଳମାନଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଗୋପାଳ ରମଣୀଙ୍କ ସହ ରସିକତା କରୁଥିଲେ। ଏକଥାକୁ ନେଇ ଭକ୍ତଚରଣଙ୍କ ସହ ସେମାନଙ୍କର କଥା କଟାକଟି ହେଉଥିଲା ଏବଂ ସେମାନେ ରାଜାଙ୍କ ନିକଟରେ ଭକ୍ତଙ୍କ ବିରୋଧରେ ମିଛସତ କହୁଥିଲେ। ଥରେ ଏପରି ବିବାଦ ସମୟରେ ସିପାହୀମାନେ ମଠରେ ପୂଜିତ ବୃନ୍ଦାବନଚନ୍ଦ୍ର ମୂର୍ତ୍ତିଙ୍କୁ ନିକଟସ୍ଥ ନଦୀରେ ନିକ୍ଷେପ କରିଥିଲେ। ଏଥିରେ ରୁଷ୍ଟ ହୋଇ ଭକ୍ତଚରଣ ନିଜର ପୋଥିପତ୍ର ଧରି ରାଜସୁନାଖଳା ଚାଲି ଆସିଥିଲେ ଏବଂ ସେଠାରେ ମଠ ସ୍ଥାପନ କରି ଅବଶିଷ୍ଟ ଜୀବନ ଅତିବାହିତ କରିଥିଲେ।

ସୁନାଖଳା ବଜାରରୁ ରଣପୁର ଯିବା ରାସ୍ତାରେ ରତ୍ନପୁର ସାହିରେ ଏବେ ବି ରହିଛି ବୃନ୍ଦାବନଚନ୍ଦ୍ର ଦେବଙ୍କ ମଠ। ଏହିଠାରେ ସେ ‘ମଥୁରାମଙ୍ଗଳ’ କାବ୍ୟ ସମ୍ପୂର୍ଣ୍ଣ କରିଥିଲେ। ତେବେ ତାଙ୍କୁ ସଦାବେଳେ ଘାରୁଥିଲା ଗୌଡ଼ପାଟଣାର ସ୍ମୃତି। ପ୍ରିୟପରିଜନଙ୍କଠାରୁ ଦୂର ହେବାର ଏ ଆତ୍ମିକ ଆବେଗକୁ ସେ ଅତି ସୁନ୍ଦର ଭାବରେ ଫୁଟାଇଛନ୍ତି ‘ମଥୁରାମଙ୍ଗଳ’ରେ। ତାହା ଯଶୋଦାଙ୍କ କଣ୍ଠରେ ‘ଆରେ ବାବୁ ଶ୍ୟାମଘନ’ ରଚନା ହେଉ ବା ଗୋପୀମାନଙ୍କ ବିଳାପ। ସବୁଠାରୁ ଅଧିକ କୌତୂହଳର କଥା ହେଲା, ଏବେ ବି ଦଶପଲ୍ଲା ଅଞ୍ଚଳରେ ଅଭିନୀତ ହେଉଥିବା ଦଣ୍ଡଯାତ୍ରାର ‘ଦହିଖେଳ ସୁଆଙ୍ଗ’ରେ ଗୋପାଳୁଣୀଙ୍କ ସହ ସିପାହୀଙ୍କ ରସିକତା ଓ ବାବାଜିଙ୍କ ପ୍ରସଙ୍ଗ ଅଭିନୀତ ହୁଏ। ଭକ୍ତଚରଣ ୮୪ ବର୍ଷ ବୟସ ପର୍ଯ୍ୟନ୍ତ ଜୀବିତ ଥିବା ଜଣାଯାଏ। ଇହଧାମ ତ୍ୟାଗ କରିବାର ଆଠ ଦିନ ପୂର୍ବରୁ ସେ ଶିଷ୍ୟମାନଙ୍କ ସହ ସଂକୀର୍ତ୍ତନ କରି ପୁରୀ ଧାମରେ ପହଞ୍ଚିଥିଲେ ଏବଂ ୧୮୧୩ ମସିହା କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ପ୍ରଭୁଙ୍କ ନାମ ଉଚ୍ଚାରଣ କରି ସେଠାରେ ଦେହତ୍ୟାଗ କରିଥିଲେ। ଆର୍ତ୍ତବଲ୍ଲଭ ମହାନ୍ତି ଲେଖିଛନ୍ତି- ‘‘ସୁନାଖଳା ଲୋକେ ପରମ୍ପରାକ୍ରମେ ଶୁଣି କହନ୍ତି ଯେ, ଭକ୍ତଚରଣ ଶ୍ୟାମଳବର୍ଣ୍ଣବିଶିଷ୍ଟ, ଖର୍ବ ଓ କୃଶକାୟ ଥିଲେ। ତାଙ୍କ ଶିରରେ ଅତ୍ୟଳ୍ପ କେଶମାତ୍ର ଥିଲା।’’ ସେ ପଦବ୍ରଜରେ ଭାରତର ସମସ୍ତ ପ୍ରମୁଖ ତୀର୍ଥ ପର୍ଯ୍ୟଟନ କରିଥିଲେ। ତେବେ ଅନେକେ ଜାଣନ୍ତି ନାହିଁ ଯେ ଭକ୍ତଚରଣ କେବଳ ଭକ୍ତ ବା କବି ନଥିଲେ, ସେ ବୈଦ୍ୟଶାସ୍ତ୍ରରେ ମଧ୍ୟ ପାରଦର୍ଶୀ ଥିଲେ। ଶ୍ବାସ, ଯକ୍ଷ୍ମା, କୁଷ୍ଠ ଆଦି ଅନେକ ଦୂରାରୋଗ୍ୟ ବ୍ୟାଧିକୁ ସେ ଭଲ କରିଦେଇ ପାରୁଥିଲେ। ଆୟୁର୍ବେଦ ଚିକିତ୍ସାକୁ ନେଇ ତାଙ୍କର ଦୁଇଖଣ୍ଡ ପୋଥି ଥିବାର ଜଣାଯାଏ, ଯାହା ଏବେ ଉପଲବ୍ଧ ନାହିଁ।

ବୈଷ୍ଣବ ଭକ୍ତଚରଣଙ୍କ କୃଷ୍ଣପ୍ରେମର ରଚନାଗୁଡ଼ିକ ଆଜି ଲୋକଙ୍କ ହୃଦୟରେ ଲାଖିରହିଛି। ତେବେ ତାଙ୍କର ଯେଉଁ କବିତାଟି ସବୁଠାରୁ ବେଶୀ ଲୋକମୁଖରେ ଉଚ୍ଚାରିତ ହୁଏ ତାହା ହେଲା ‘ମନବୋଧ ଚଉତିଶା’। ସୁରେନ୍ଦ୍ର ମହାନ୍ତିଙ୍କ ଭାଷାରେ  ‘‘ଭକ୍ତଚରଣ ‘ମଥୁରାମଙ୍ଗଳ’ କାବ୍ୟ ପାଇଁ ଯେତେ ପ୍ରସିଦ୍ଧ ନୁହନ୍ତି, ସେ ପ୍ରସିଦ୍ଧ ତାଙ୍କର ଏକ କ୍ଷୁଦ୍ର ରଚନା ‘ମନବୋଧ ଚଉତିଶା’ ପାଇଁ।’’ କ ଠାରୁ କ୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟଞ୍ଜନ ବର୍ଣ୍ଣକୁ ଆଦ୍ୟରେ ରଖି ରଚିତ ତାଙ୍କର ଏହି ହୃଦୟସ୍ପର୍ଶୀ ଗୀତିକାଟି ସଂସ୍କୃତରେ ରଚିତ ଆଦିଶଙ୍କରାଚାର୍ଯ୍ୟଙ୍କ ‘ମୋହମୁଦ୍‌ଗର’ଠାରୁ କୌଣସି ଗୁଣରେ କମ୍ ନୁହେଁ। ଭକ୍ତଚରଣ ମୂଳତଃ ଥିଲେ ବୈରାଗୀ। ଉପେନ୍ଦ୍ର ଭଞ୍ଜ ଓ ଦୀନକୃଷ୍ଣଙ୍କ ରୀତିଯୁଗୀୟ ପରମ୍ପରାରେ ପୁଷ୍ଟ ହୋଇଥିଲେ ମଧ୍ୟ ସେ କ୍ଳିଷ୍ଟ ଆଳଙ୍କାରିକ ଶୈଳୀ ଊର୍ଦ୍ଧ୍ବକୁ ଯାଇ ସୃଷ୍ଟି କରିଛନ୍ତି ସରଳ ଆତ୍ମିକ ଆବେଗର ସ୍ନିଗ୍ଧ ରାଗିଣୀ। ଏହା ବଇରାଗୀ ଭକ୍ତଚରଣଙ୍କୁ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ବସାଇ ଦେଇଛି। ପ୍ରେମଭକ୍ତି ରସାଣିତ ମଥୁରାମଙ୍ଗଳ କାବ୍ୟର ଅନେକଗୁଡ଼ିଏ ଛାନ୍ଦ ମଧ୍ୟ ସେ ଭଣିତା କରିଛନ୍ତି ବଇରାଗୀ ଭକ୍ତଚରଣ ନାମରେ।
‘‘ସେହି ଗୋବିନ୍ଦ ଚରଣ ପଙ୍କଜେ, ବଇରାଗୀ ଭକ୍ତଚରଣ ଭଜେ।’’