ପୁରାତନ ଚିତାକୁଟା ପରମ୍ପରା ଏବେ ‘ଟାଟୁ’ର ରୂପ ନେଇଛି। ଯୁଗ ବଦଳୁଛି, ରୁଚି ବଦଳୁଛି, ମହିଳାମାନେ ଶରୀରର ବିଭିନ୍ନ ଅଙ୍ଗକୁ ସୁନ୍ଦର ଦିଶିବା ପାଇଁ ଟାଟୁ ଆଙ୍କୁଛନ୍ତି। ଏବେ ଏହାକୁ କିିଛି ମହିଳା ପେସା ଭାବେ ମଧ୍ୟ ଗ୍ରହଣ କଲେଣି। ତେବେ ସାଧାରଣତଃ ଆମ ରାଜ୍ୟରେ ପୁରୁଷମାନେ ଟାଟୁ ଆଙ୍କୁଥିଲେ। କିନ୍ତୁ ଏବେ ଭୁବନେଶ୍ବରସ୍ଥିତ ସ୍କାଇଭାସ୍ ଷ୍ଟୁଡିଓରେ ତିନିଜଣ ମହିଳା ଟାଟୁ କଳାକାର କାମ କରୁଛନ୍ତି। ଚିତାକୁଟିବା ଏକ କଳା। ଓଡ଼ିଶାରେ ଏମାନେ ପ୍ରଥମ ଯିଏକି ମହିଳା ଟାଟୁ କଳାକାର ନାମେ ପରିଚୟ ସୃଷ୍ଟି କରିପାରିଛନ୍ତି। ଏହି ଷ୍ଟୁଡିଓର ନିର୍ମାତା ହେଉଛନ୍ତି ଓମ୍ ଆଚାର୍ଯ୍ୟ। ତାଙ୍କ କହିବା ଅନୁଯାୟୀ, ଏହି ତିନି ମହିଳା ଓଡ଼ିଶାର ଜଣେ ଜଣେ ସିଦ୍ଧ ଓ ସ୍ବୀକୃତିପ୍ରାପ୍ତ ଟାଟୁ ଶିଳ୍ପୀ। ସେମାନଙ୍କ ନାଁ ହେଲା ବୈଶାଳୀ ପ୍ରଧାନ, ପ୍ରିୟଙ୍କା ସାହୁ ଓ ଅର୍ପିତା ମହାନ୍ତି। ସେ କହନ୍ତି, ମଁୁ ସବୁବେଳେ ମହିଳାମାନଙ୍କୁ ପ୍ରୋତ୍ସାହିତ କରିଥାଏ। ‘ଦ୍ବାରିକାନାଥ ଚାରିଟେବୁଲ୍ ଟ୍ରଷ୍ଟ୍’ ନାମକ ଆମ ସଂସ୍ଥା ମାଗଣାରେ ଟାଟୁ କୋର୍ସ ଯୋଗାଇଥାଏ ଏବଂ ସେଥିରୁ ୩୦ ପ୍ରତିଶତ ମହିଳାମାନଙ୍କ ପାଇଁ ସ୍ଥାନ ଛଡ଼ାଯାଇଥାଏ। ନାରୀ କେବେ ପଛରେ ନଥିଲେ, ଆମର କେବଳ ଏହା ଭାବନା ଯେ ମହିଳାମାନେ ପଛରେ ରହିଯାଉଛନ୍ତି। ସେହି ମହିଳାମାନଙ୍କ ପାଇଁ ଆମ ସଂସ୍ଥା ସବୁବେଳେ କାମ କରିଥାଏ। କିପରି ଜଣେ ଭଲ ଚିତ୍ରଶିଳ୍ପୀ ଜଣେ ଭଲ ଟାଟୁ କଳାକାର ହୋଇପାରିବ ସେ ନେଇ ଆମେ ସବୁପ୍ରକାର କୋର୍ସ ଯୋଗାଇଥାଉ ବୋଲି ସେ କହିଛନ୍ତି।
ବୈଶାଳୀ ପ୍ରଧାନ କହନ୍ତି, ମଁୁ ଦୀର୍ଘ ୩ବର୍ଷ ହେବ ଟାଟୁ ଅଙ୍କା କାମ କରୁଛି। ମହିଳା ଆଜି ସବୁକ୍ଷେତ୍ରରେ ଆଗରେ। ସମସ୍ତଙ୍କ ମନରେ ଏହି ଭାବନା ଥାଏ କି, ହେଃ ଏମାନଙ୍କୁ ବୋଧେ ଅନ୍ୟ କିଛି କାମ ଜଣା ନାହିଁ, ସେଥିପାଇଁ ଏଇ ଟାଟୁ ବସି ଆଙ୍କୁଛନ୍ତି। ନିଶ୍ଚିତ ବାତରା କି ଛତରାଟେ ହୋଇଥିବ। କିନ୍ତୁ ଅଧିକାଂଶଙ୍କୁ ଜଣା ନଥିବ, ଏହା ମଧ୍ୟ ଏକ ପେସା ଓ ନିଶା। ଯେପରି ଜଣେ ଚିତ୍ରଶିଳ୍ପୀ ନିଜର ଚିତ୍ରକୁ ଅାଙ୍କି ଲୋକଲୋଚନକୁ ଆଣିପାରୁଛି ସେହିପରି ଆମେ ମଧ୍ୟ ଶରୀରରେ ଚିତା ଆଙ୍କି ସେମାନଙ୍କୁ ଷ୍ଟାଇଲିସ୍ ବନେଇଥାଉ। ଝିଅ ହୋଇ ବି ଆମେ ସବୁ କାର୍ଯ୍ୟ କରିପାରିବା। ଆମେ ଏଠାରେ ନିଜକୁ ଖୁବ୍ ସୁରକ୍ଷିତ ମନେ କରୁ। ପୂର୍ବରୁ ମଁୁ ଭଲ ଚିତ୍ର ଆଙ୍କୁଥିଲି। ସେଥିପାଇଁ ଏହି ଦିଗରେ ଯିବା ପାଇଁ ମନ ବଳାଇଥିଲି। ମଣିଷ ନିଜକୁ ସର୍ବଦା ନିଆରା ରୂପରେ ଉପସ୍ଥାପନ କରିବାର ଆଗ୍ରହ ରଖିଥାଏ। ଏଣୁ ଟାଟୁ ଏ କ୍ଷେତ୍ରରେ ପାଲଟିଛି ଏକ କଳାତ୍ମକ ବିକଳ୍ପ। ଆମେ ଡିଭୋସ୍ନାଲ୍ ଟାଟୁ, ଟ୍ରାଇବାଲ୍, ଜ୍ୟାମିତି, ଆବ୍ଷ୍ଟ୍ରାକ୍ଟ୍, ପ୍ରାକୃତିକ ରଙ୍ଗ ଟାଟୁ ଆଦି କରିଥାଉ। ଅଧିକ ଡିମାଣ୍ଡ୍ରେ ଅଛି କଷ୍ଟମାଇଜ୍ଡ୍ ଡିଜାଇନ୍ ଟାଟୁ। ନିଜ ଇଚ୍ଛା ମୁତାବକ ଡିଜାଇନ୍କୁ କଷ୍ଟମାଇଜ୍ଡ୍ କୁହାଯାଏ। ଟାଟୁ ଦୁଇ ରକମର। ସୀମିତ ସମୟ ପାଇଁ ଏବଂ ଅନ୍ୟଟି ସାରା ଜୀବନ ପାଇଁ। ସୀମିତ କାଳ ପାଇଁ କରାଯାଉଥିବା ଟାଟୁ ୧ରୁ ୧୦ ଦିନ ପର୍ଯ୍ୟନ୍ତ ରହେ। ଯାହାର ଦର ୨୦୦ରୁ ୫ହଜାର ଟଙ୍କା। ସାରା ଜୀବନ ପାଇଁ କରାଯାଉଥିବା ଟାଟୁ ୧୫୦୦ ଟଙ୍କାରୁ ଆରମ୍ଭ। ଏହାପରେ ପ୍ରତି ବର୍ଗ ଇଞ୍ଚ୍ ପାଇଁ ଟଙ୍କା ବ୍ୟୟ କରିବାକୁ ପଡ଼ିଥାଏ। ମୋ ପରେ ପରେ ଜଗତସିଂହପୁରର ପ୍ରିୟଙ୍କା ଏବଂ କଟକର ଅର୍ପିତା ଏବେ ଆମ ସହ କାମ କରୁଛନ୍ତି।