ରେଳ ଷ୍ଟେସନରେ ଏକମାତ୍ର କୁଲିଙ୍କ ବିବାହ କରାଇଲେ ରେଳକର୍ମଚାରୀ: ଅତିଥି ଭାବେ ସାମିଲ ହୋଇଥିଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ବେତୁଲ ରେଳ ଷ୍ଟେସନର ଏକମାତ୍ର ମହିଳା କୁଲିଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗତକାଲି ରେଳ ଷ୍ଟେସନରେ ମହିଳା କୁଲିଙ୍କ ମେହେନ୍ଦୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି କ‌ାର୍ଯ୍ୟକ୍ରମରେ ସାଂସଦ, ରେଳ କର୍ମଚାରୀ, ଆରପିଏଫ କର୍ମଚାରୀ ସାମିଲ ହୋଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ବେତୁଲର ଏକମାତ୍ର ମହିଳା କୁଲି ଥିବା ଦୁର୍ଗା ବୋରକରଙ୍କ ବିବାହ ପାଇଁ ମେହେନ୍ଦୀ ଏବଂ ହଳଦୀ ସମାରୋହ ରେଳ ଷ୍ଟେସନର ଅପେକ୍ଷା କକ୍ଷରେ ହିଁ ଅନୁଷ୍ଠିତ ହୋଇଥିଲା। ଗତକାଲି ରାତିରେ ବେତୁଲର କଲ୍ୟାଣ କେନ୍ଦ୍ରରେ ଦୁର୍ଗା ବୋରକରଙ୍କ ବିବାହ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମକୁ ନେଇ ରେଳ କର୍ମଚାରୀ ଏବଂ ଆରପିଏଫ କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ଅନ୍ୟ ସାମାଜସେବୀ ମହିଳାମାନେ ବି ସ‌ାମିଲ ହୋଇଥିଲେ।

ବାସ୍ତବରେ ଦୁର୍ଗା ଅତ୍ୟନ୍ତ ଗରିବ ପରିବାରର ଝିଅ। ଦୁର୍ଗାଙ୍କ ପିତା ମୁନ୍ନାଲାଲ ବୋରକର ବେତୁଲ ରେଳ ଷ୍ଟେସନରେ ଜଣେ କୁଲି ଭାବେ କାମ କରୁଥିଲେ। ତାଙ୍କର ଉପରେ ତିନି ଝିଅଙ୍କର ଦାୟିତ୍ୱ ଥିଲା, କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ମୁନ୍ନାଲାଲ ଆଉ ଚାଲିବୁଲି ପାରିଲେ ନାହିଁ।

ଏହାପରେ ଦୁର୍ଗା ପରିବାରର ଦାୟିତ୍ୱ ତୁଲାଇବା ପାଇଁ ତାଙ୍କ ବାପା କାମକୁ କରିବାକୁ ସ୍ଥିର କରିଥିଲେ । ୨ ବର୍ଷ ଧରି ପରିଶ୍ରମ କରିବା ପରେ ଦୁର୍ଗାଙ୍କୁ ତାଙ୍କ ପିତାଙ୍କ ସ୍ଥାନ ମିଳିଯାଇଥିଲା।  ୨୦୨୨ ପରଠାରୁ ଦୁର୍ଗା ବେତୁଲ ରେଳ ଷ୍ଟେସନରେ କୁଲି ଭାବରେ କାମ କରି ଆସୁଛନ୍ତି। ଦୁର୍ଗା ବେତୁଲର ଏକମାତ୍ର ମହିଳା କୁଲି ଯିଏକି ବହୁତ ପରିଶ୍ରମୀ ଥିବା ରେଳବାଇର କର୍ମଚାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର