ଏବେ ବଜାରରେ ତଟକା ଇଲିସି ମାଛ ମିଳୁଛି। ବର୍ଷାଦିନେ ଏହାର ସୁଆଦ ବଢ଼ିଯାଏ। ଖାଣ୍ଟି ବାଲେଶ୍ବର ଢାଞ୍ଚାରେ କଞ୍ଚା ଇଲିସିରେ ତିଆରି ହେଉଥିବ‌ା ଦୁଇପ୍ରକାର ତରକାରି ତିଆରି କରିବା ଆସନ୍ତୁ। 

Advertisment

ଦହି ଇଲିସି- ଚାରିପିସ୍‌ ବଡ଼ ଇଲିସି ମାଛ ଧୋଇ ସେଥିରେ ଲୁଣ, ଲେମ୍ଭୁ ରସ ବା ଅଧଚାମଚ୍‌ ଭିନେଗାର ଗୋଳାଇ ଦଶମିନିଟ୍‌ ରଖିନିଅନ୍ତୁ। ଏପଟେ ଗୋଟେ ବଡ଼ ଚାମଚ କଳା ସୋରିଷ, ଗୋଟେ ଚାମଚ ଧଳା ସୋରିଷ, ଗୋଟେ ଚାମଚ ପୋସ୍ତ, ସାତଆଠ କୋଲା ରସୁଣ, ତିନିଚାରୋଟି ଶୁଖିଲା ଲଙ୍କା, ଅଳ୍ପ ଲୁଣ ମିଶେଇ ଚିକ୍କଣ କରି ବାଟି ଦିଅନ୍ତୁ। ଲୁଣ ପକାଇଲେ ସୋରିଷ ମସଲା ପିତା ହୁଏନି। ଏଥର ଗୋଟେ ମୋଟା କଡ଼େଇ ବା ମାଟି ପଲମ ନେଇ ସେଥିରେ ବଟା ମସଲା ଦିଅନ୍ତୁ। ସେଥିରେ ବାରିସ୍ତା(ସରୁସରୁ କଟା ପିଆଜକୁ ସୋରିଷ ତେଲରେ ସୁନେଲୀ କରି ଭାଜି ରଖିଥିବେ) ଦୁଇ ବଡ଼ ଚାମଚ ଦିଅନ୍ତୁ। ଗୋଟେ କପ୍‌ ସଜ ଦହିକୁ ଫେଣ୍ଟି ମସଲାରେ ମିଶାନ୍ତୁ। ଅଳ୍ପ ଭୁର୍ସଙ୍ଗ ପତ୍ର, ଚିରା କଞ୍ଚାଲଙ୍କା, ଟିପେ ହେଙ୍ଗୁ, ସ୍ବାଦ ଅନୁଯାୟୀ ଲୁଣ ଓ ମାଛକୁ ଆଉଥରେ ଧୋଇ ନେଇ ସେଇ ମିଶ୍ରଣରେ ଦୁଇ ବଡ଼ ଚାମଚ ସୋରିଷ ତେଲ ମିଶାଇ ‌େଗାଳାଇ ଢାଙ୍କି ଆଉ କିଛି ସମୟ ମାରିନେଟ୍‌ କରନ୍ତୁ। ରାନ୍ଧିଲା ବେଳକୁ ଆପଣ ଯେତିକି ଝୋଳ ଚାହାନ୍ତି ସେଇ ଅନୁସାରେ ପାଣି ମିଶେଇ ‌ଗୋଳାଇ ଦିଅନ୍ତୁ। ପ୍ରାୟ ୨୦ ମିନିଟ୍‌ରେ ପ୍ରସ୍ତୁତ ହୋଇଯିବ ସୁଆଦିଆ ଦହି ମାଛ। ଚୁଲିରୁ ଓହ୍ଲାଇଲା ପୂର୍ବରୁ ଆଉ ଚାମଚେ କଞ୍ଚା ସୋରିଷ ତେଲ ମିଶାଇ ଢାଙ୍କି ଦିଅନ୍ତୁ। ହଁ, ଆପ‌ଣ ଯଦି ଚାହିବେ ମାଛରେ ହଳଦୀ ଗୋଳେଇ ପାରିବେ।

ଇଲିଶି ବାଟିବସା- ଛୋଟଛୋଟ କଟା ଇଲିସି ମାଛ ଦୁଇ କପ୍‌ (ଗୋଟେ ଇଞ୍ଚରୁ ଦୁଇ ଇଞ୍ଚରେ କଟା); ଏଥିରେ ମାଛ ବିହନ ଓ ଚର୍ବି ଥିଲେ ମିଶାଇ ପାରିବେ। ଦୁଇ ଚାମଚ କଳା ସୋରି‌ଷ, ଗୋଟେ ଚାମଚ ପୋସ୍ତ, ଅଧାଚାମଚ ଜିରା, ଗୋଟେ ବଡ଼ ପିଆଜ, ୮/୯କୋଲା ରସୁଣ, କଞ୍ଚା ବା ଶୁଖିଲା ଲଙ୍କା ଚାରି/ପାଞ୍ଚଟା, ଟିକେ ଲୁଣ, ଅଧା ଚାମଚ ହଳଦୀଗୁଣ୍ଡ ମିଶାଇ ଚିକ୍କଣ କରି ବାଟି ଦିଅନ୍ତୁ। ଏଥର ମୋଟା ତଳିଥିବା ଗୋଟେ ବାଟି ବା ମାଟି ପଲମରେ ସରୁସରୁ କଟା ହୋଇଥିବା ଦୁଇଟି ଆଳୁ, ଗୋଟିଏ ପିଆଜ, ସବୁ ବଟା ମସଲା, ମାଛ, ଲୁଣ, ସୋରିଷ ତେଲ ଦୁଇ ଚାମଚ ମିଶେଇ ମସଲା ଓ ମାଛକୁ ହାତରେ ଭଲକି ଗେ‌ାଳାଇ ପାଖାପାଖି କପେ ପାଣି ଦେଇ ଚୁଲିରେ ଧିମା ଆଞ୍ଚରେ ଅଧଘଣ୍ଟେ ବସାନ୍ତୁ। ସୋରିଷ ମସଲା ଏଥିରେ ଟିକେ ବେଶି ପଡ଼ିଥିବାରୁ ତରକାରି ହୋଇଆସିଲେ ତଳି ଟିକେଟିକେ ଲାଗିଯାଏ। ଆଉ ସେଇଟା ହେଉଛି ବାଟିବସାର ସୁଆଦ ଲାଗିବାର କାରଣ। ଛୋଟ ଇଲିସି ବା ପିଲ ମାଛରେ ସାଧାରଣତଃ ବାଟି ବସା ହୁଏ।