ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ବେଲୁନ୍ ବିକି ପେଟ ପୋଷୁଥିବା ବେଳେ ନଖାଇ ନପିଇ ହସ୍ପିଟାଲ ବାରଣ୍ଡାରେ ପଡ଼ି ରହିଥିବା ଦୁଇ ଅନାଥ ପିଲାଙ୍କ ପାଇଁ ସହଯୋଗର ହାତ ବଢ଼ାଇଥିଲେ ମହମ୍ମଦ ଅଲ୍ଲୀ। ମହମ୍ମଦ ଅଲ୍ଲୀଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ସ୍ଥାନୀୟଲୋକେ ବେଶ୍ ପ୍ରଶଂସା କରୁଛନ୍ତି।
ସୁନ୍ଦରଗଡ଼ର ହସ୍ପିଟାଲ ଛକରେ ରାଜଗାଙ୍ଗପୁରରୁ ଆସି ବୁଲିବୁଲି ବେଲୁନ୍ ବିକ୍ରି କରୁଥିଲେ ଉତ୍ତରପ୍ରଦେଶର ନାବାଳକ ମହମ୍ମଦ ଅଲ୍ଲୀ। ଠିକ୍ ଏହି ସମୟରେ ତାଙ୍କର ନଜର ଦୁଇ କୁନିକୁନି ନାବାଳକଙ୍କ ଉପରେ ପଡ଼ିଥିଲା। ବେଶ କିଛି ସମୟ ତାଙ୍କ ଗତିବିଧି ଦେଖିବା ପରେ ଦୁଇ କୁନିକୁନି ପିଲାଙ୍କ ପରିଚୟ ପଚାରି ବୁଝିଥିଲା ମହମ୍ମଦ ଅଲ୍ଲୀ।
ଆଉ ଜାଣିବାକୁ ପାଇଥିଲେ ଦୁଇଜଣ ନାବାଳକ ଛତିଶଗଡ଼ କାଦୁମାଲ ଅଞ୍ଚଳର। ଏମାନଙ୍କ ମଧ୍ୟରୁ ଜଣେ ନାବାଳକର ମା’ବାପା ଗତମାସରେ ଆରପାରିକୁ ଚାଲି ଯାଇଥିବା ବେଳେ ସେ କ’ଣ କରିବ କିଛି ବୁଝି ନପାରି ତାର ସାଙ୍ଗକୁ ଧରି ଗାଁରୁ ନିଜ ମାଉସୀଘରକୁ ରାୟଗଡ଼ାକୁ ଚାଲି ଆସିଥିଲା।
ହେଲେ ସୁନ୍ଦରଗଡ଼ ଆସିବା ପରେ ଦୁହେଁ ବାଟବଣା ହୋଇଯାଇଥିଲେ। ଏହାପରେ ଭୋକ ଉପବାସରେ ଦୁଇଦିନ ହସ୍ପିଟାଲ ବାରଣ୍ଡା ପଡ଼ିଥିଲେ। ମହମ୍ମଦଙ୍କୁ ଦେଖି ଏମାନେ ଖାଇବାକୁ ମାଗିଥିଲେ। ହେଲେ ମହମ୍ମଦଙ୍କୁ ସେହି ସମୟରେ ବେଲୁନ୍ ବିକ୍ରି ହୋଇ ନ ଥିବାରୁ ସେ ସେମାନଙ୍କୁ ଖାଇବାକୁ ଦେଇ ପାରି ନଥିଲେ ସିନା, କିନ୍ତୁ ଦୁଇ କୁନି ପିଲାଙ୍କୁ ସାଥୀରେ ଧରି ବେଲୁନ୍ ବିକ୍ରି କରିବାକୁ ବାହାରି ଯାଇଥିଲେ।
ବେଲୁନ୍ ବିକ୍ରି କରିବା ପରେ ଯେତିକି ଟଙ୍କା ରୋଜଗାର କରିଥିଲେ ସେଥିରେ ପ୍ରଥମେ ସେ ଏହି ଦୁଇପିଲାଙ୍କୁ ଖାଇବାକୁ ଦେଇଥିଲେ। ବେଲୁନ୍ ବିକ୍ରି ପରେ ସେ ରାଜଗାଙ୍ଗପୁର ବାହାରି ଥିଲା ବେଳେ ଜଣେ ବ୍ୟକ୍ତିଙ୍କୁ ଏହି ଦୁଇ ପିଲାଙ୍କ ବିଷୟରେ କହିଥିଲେ।
ଉକ୍ତ ବ୍ୟକ୍ତି ଜଣକ ବେଲୁନ୍ ବିକାଳିଠାରୁ ସବୁକଥା ଶୁଣିବା ପରେ ସୁନ୍ଦରଗଡ଼ ଟାଉନ୍ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଦୁଇ ନାବାଳକଙ୍କୁ ଉଦ୍ଧାର କରି ସେମାନଙ୍କ ସମ୍ପର୍କୀୟଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି।