ପିଣ୍ତ-ବ୍ରହ୍ମାଣ୍ତ: ବାମନ ଅବତାର

ଧ୍ୟାନରୁ ଜାତ ଆନନ୍ଦ ବା ପ୍ରହ୍ଲାଦ ପିଣ୍ଡବ୍ରହ୍ମାଣ୍ଡରେ ନିଜର ବଂଶ ବିସ୍ତାର କରିଚାଲେ। ଅର୍ଥାତ୍ ଏହି ଆନନ୍ଦର ଅନ୍ତ ନ ହୋଇ ଏହା ବଢ଼ିଚାଲେ। ଏହି ପ୍ରହ୍ଲାଦରୂପୀ ଆନନ୍ଦର ପୁତ୍ର ଭାବେ ଜନ୍ମ ନିଏ ବିରୋଚନ, ଯାହାର ଅର୍ଥ ଦୀପ୍ତି ପାଇବା। ଧ୍ୟାନର ଆନନ୍ଦର ଦୀପ୍ତିରେ ସାଧକର ପିଣ୍ଡବ୍ରହ୍ମାଣ୍ଡ ଜାଜ୍ଜ୍ୱ୍ୱଲ୍ୟମାନ ହୋଇଯାଏ। ଧ୍ୟାନରୁ ପ୍ରାପ୍ତ ଏହି ଅବସ୍ଥାରୁ ଜାତ ହୁଏ ବଳି ବା ଧ୍ୟାନର ଅହଂକାର।

ବଳି ଶବ୍ଦ ସଂସ୍କୃତ ‘ବଳ୍‌’ ଧାତୁରୁ ଆସିଛି। ଏହାର ଅର୍ଥ- ଦାନ କରିବା ବା ବଧ କରିବା। ଧ୍ୟାନର ଅହଂକାର ପ୍ରକୃତ ଜ୍ଞାନ ପ୍ରାପ୍ତିର ଆକାଂକ୍ଷାକୁ ବଧ କରିବା ଆରମ୍ଭ କରେ। ପିଣ୍ଡବ୍ରହ୍ମାଣ୍ଡର ପ୍ରତ୍ୟେକ ତତ୍ତ୍ୱକୁ ଧ୍ୟାନର ପ୍ରାରମ୍ଭିକ ଅବସ୍ଥାର ଆନନ୍ଦ ଉପଲବ୍‌ଧ କରାଇ, ସନ୍ତୁଷ୍ଟ କରାଇ, ଶରୀରର ସ୍ୱର୍ଗ, ମର୍ତ୍ତ୍ୟ, ପାତାଳରୂପୀ ତ୍ରିପୁରକୁ ତାହା ନିଜର ଅଧିକାରକୁ ନେଇଯାଏ। ଏହି ଅହଂକାର ଶ୍ରେଷ୍ଠ ଦାନୀ, କାରଣ ଏହା କାହାକୁ ବି ନିଜ ଲବ୍‌ଧ ଆନନ୍ଦ ଦେବାପାଇଁ କୁଣ୍ଠା ଅନୁଭବ କରେ ନାହିଁ। କିନ୍ତୁ ଏହି ଅବସ୍ଥା ଧ୍ୟାନ ଓ ସାଧନାର ଲକ୍ଷ୍ୟ ନୁହେଁ। ମୂଳ ଅବ୍ୟକ୍ତ ସ୍ଥିତିକୁ ଫେରିବା ହେଉଛି ପ୍ରକୃତ ଲକ୍ଷ୍ୟ। ଏହାକୁ ଚେତାଇଦେବାପାଇଁ ସାଧକଙ୍କ ଚେତନାର ଆଜ୍ଞାଚକ୍ରରେ ଉଭା ହୁଅନ୍ତି ବାମନ ଅବତାର।

‘ବାମି’ ଧାତୁରୁ ସୃଷ୍ଟ ବାମନ ଶବ୍ଦର ଅର୍ଥ ସାଧାରଣ ପ୍ରାଣୀଙ୍କ ବିରୁଦ୍ଧ, ଯାହାକୁ ଆମେ ଖର୍ବ ବା ଗେଡ଼ା ଭାବେ ଗ୍ରହଣ କରୁ। ଧ୍ୟାନର ଅହଂକାରକୁ ଦମନ କରିବାପାଇଁ ସାଧକଙ୍କ ଆଜ୍ଞାଚକ୍ରରେ ଏକ ଛୋଟ ଜ୍ଞାନର ଆଭା ଅବତରିତ ହୁଏ। ଧ୍ୟାନର ଅହଂକାର ରୂପୀ ବଳିକୁ ତାହା ଦାନ ମାଗେ। ବଳି ରାଜି ହୁଏ। କିନ୍ତୁ ଏଥିରେ ବାଧା ଦିଏ ଶୁକ୍ର, ବା ପବିତ୍ର ହେବାର ଇଚ୍ଛା। ବାମନରୂପୀ ଜ୍ଞାନ ଶୁକ୍ରଙ୍କୁ ଏକଚକ୍ଷୁ କରି ଦିଅନ୍ତି। ଅର୍ଥାତ୍‌, ଏକାଗ୍ର କରି ଶୁଚିତାରୂପୀ ବାଧାକୁ ଦୂର କରନ୍ତି। ଏହା ପରେ ବାମନରୂପୀ ଜ୍ଞାନ ନିଜର ଆକାର ବୃଦ୍ଧି କରି ଧ୍ୟାନର ଅହଂକାରଠାରୁ ପିଣ୍ଡବ୍ରହ୍ମାଣ୍ଡର ମୁଖ୍ୟାଂଶ- ସ୍ୱର୍ଗ ଓ ମର୍ତ୍ତ୍ୟକୁ ଦାନ ରୂପେ ଗ୍ରହଣ କରି ନିଅନ୍ତି। ବଳି ରୂପକ ଧ୍ୟାନର ଅହଂକାର, ଜ୍ଞାନର ଏହି ଆଭାସ ବା ବାମନ ଅବତାର ପାଖରେ ମୁଣ୍ଡ ନୁଆଁଏ। ତାହାକୁ ଜ୍ଞାନର ବାମନ ଅବତାର ପାତାଳ ବା ପିଣ୍ଡ ବ୍ରହ୍ମାଣ୍ଡର ଅପହଞ୍ଚ ଇଲାକାକୁ ପଠାଇ ଦିଅନ୍ତି। ଏହାଦ୍ୱାରା ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ସାଧନା ଧ୍ୟାନରୁ ଜାତ ଶାରୀରିକ ଓ ମାନସିକ ଆନନ୍ଦରେ ଅଟକି ଯାଏ ନାହିଁ। ସାଧକ ସାଧନା ପଥରେ ଆଗକୁ ମାଡ଼ିଚାଲେ- ମୂଳ ଅବ୍ୟକ୍ତ ସ୍ଥିତିରେ ଏକାକାର ନହେବା ଯାଏ। ଏହା ହେଉଛି ପିଣ୍ଡବ୍ରହ୍ମାଣ୍ଡ ସିଦ୍ଧଙ୍କର ବାମନ ଅବତାର ତତ୍ତ୍ୱ।

ସମ୍ବନ୍ଧିତ ଖବର