ବନ୍ଦେ ଉତ୍କଳ ଜନନୀ
ଚାରୁ ହାସମୟୀ ଚାରୁ ଭାଷମୟୀ
ଜନନୀ, ଜନନୀ, ଜନନୀ।
ପୂତ-ପୟୋଧି-ବିଧୌତ-ଶରୀରା,
ତାଳତମାଳ-ସୁଶୋଭିତ-ତୀରା,
ଶୁଭ୍ର-ତଟିନୀକୂଳ-ଶୀକର-ସମୀରା
ଜନନୀ, ଜନନୀ, ଜନନୀ।
ଘନ ବନଭୂମି ରାଜିତ ଅଙ୍ଗେ,
ନୀଳ ଭୂଧରମାଳା ସାଜେ ତରଙ୍ଗେ,
କଳ କଳ ମୁଖରିତ ଚାରୁ ବିହଙ୍ଗେ
ଜନନୀ, ଜନନୀ, ଜନନୀ।
ସୁନ୍ଦରଶାଳି-ସୁଶୋଭିତ-କ୍ଷେତ୍ରା,
ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ରା,
ଯୋଗୀଋଷିଗଣ-ଉଟଜ-ପବିତ୍ରା
ଜନନୀ, ଜନନୀ, ଜନନୀ।
ସୁନ୍ଦର ମନ୍ଦିର-ମଣ୍ଡିତ-ଦେଶା,
ଚାରୁକଳାବଳି-ଶୋଭିତ-ବେଶା,
ପୁଣ୍ୟ ତୀର୍ଥଚୟ-ପୂର୍ଣ୍ଣ-ପ୍ରଦେଶା
ଜନନୀ, ଜନନୀ, ଜନନୀ।
ଉତ୍କଳ ସୁରବର-ଦର୍ପିତା-ଗେହା,
ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା,
ବିଶ୍ବଭୂମଣ୍ଡଳ-କୃତବର-ସ୍ନେହା
ଜନନୀ, ଜନନୀ, ଜନନୀ।
କବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା,
ଭୁବନବିଘୋଷିତ-କୀର୍ତ୍ତିଅନିନ୍ଦ୍ୟା,
ଧନ୍ୟେ, ପୁଣ୍ୟେ ଚିରଶରଣ୍ୟେ
ଜନନୀ, ଜନନୀ, ଜନନୀ।

Advertisment

୭ ନଭେମ୍ବର, ୧୯୯୪: ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ବିଧାନସଭାରେ ଏହି ସଙ୍ଗୀତ ଗାନ ପାଇଁ ବାଚସ୍ପତି ଯୁଧିଷ୍ଠିର ଦାସଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ।

୧ ଡିସେମ୍ବର, ୧୯୯୪: ବିଧାନସଭାରେ ଏହି ସଙ୍ଗୀତ ଗାନ ପାଇଁ ବିଧାନସଭା ସଚିବଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି।
୨୧ ଡିସେମ୍ବର, ୧୯୯୪: ସପ୍ତଦଶ ବିଧାନସଭା ଅଧିବେଶନର ଶେଷଦିନ ସର୍ବପ୍ରଥମେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ।

୧୯ ଡିସେମ୍ବର, ୨୦୦୨: ରାଜ୍ୟ ସଙ୍ଗୀତ ମାନ୍ୟତା ପାଇଁ ବିଧାନସଭାରେ ବିତର୍କ। ତତ୍କାଳୀନ ବାଚସ୍ପତି ଶରତ କୁମାର କର ସର୍କୁଲାର ଜାରି କରିବାକୁ ସରକାରଙ୍କୁ ନିର୍ଦେଶ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ଦାମୋଦର ରାଉତଙ୍କୁ ଏନେଇ ପତ୍ର।

୧୦ ମେ’, ୨୦୦୩: ରାଜ୍ୟ ସଙ୍ଗୀତ ମାନ୍ୟତା ପାଇଁ ବାଚସ୍ପତି ଶରତ କରଙ୍କ ଅଧ୍ୟକ୍ଷତାରେ ବୈଠକ। ଏଥିରେ ପ୍ରଥମ, ଚତୁର୍ଥ ଓ ଶେଷ ପଦକୁ ୭୦ରୁ ୯୦ ସେକେଣ୍ଡ ଭିତରେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ମୂଳ କଣ୍ଠ ସ୍ବରରେ ଗାନ କରିବାକୁ ନିଷ୍ପତ୍ତି।

୭ ଡିସେମ୍ବର, ୨୦୦୫: କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟୀକରଣ ପାଇଁ ପତ୍ର।

୭ ଡିସେମ୍ବର, ୨୦୦୬: ଆଇନ ପ୍ରଣୟନ ସମ୍ବିଧାନ ସମ୍ମତ ନୁହେଁ ବୋଲି କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ।

୨୬ ଅଗଷ୍ଟ, ୨୦୦୬: ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୈଠକ। ଏଥିରେ ପ୍ରଥମ, ଚତୁର୍ଥ ଓ ଷଷ୍ଠ ପଦ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ମୂଳ କଣ୍ଠ ସ୍ବରରେ ଗାନ କରିବାକୁ ନିଷ୍ପତ୍ତି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପୁଲିସ ବ୍ୟାଣ୍ଡ ସହାୟତାରେ ଏହି ଗୀତକୁ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି।

ଜୁଲାଇ,୨୦୧୨: ସଂଗୀତ ରେକର୍ଡିଂ ପାଇଁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟକୁ ଦାୟିତ୍ବ।

୧୫ ଡିସେମ୍ବର, ୨୦୧୨: ରାଜ୍ୟ ସଙ୍ଗୀତ ମାନ୍ୟତା ଦିଆଯାଇ ପାରିବ ନାହିଁ ବୋଲି ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ସ୍ପଷ୍ଟୀକରଣ

୧୭ ଡିସେମ୍ବର, ୨୦୧୨: ସଂସ୍କୃତି ମନ୍ତ୍ରୀ ମହେଶ୍ବର ମହାନ୍ତି ବିଧାନସଭା ପ୍ରକୋଷ୍ଠରେ ବୈଠକ ଡାକି ଗୃହ ବିଭାଗକୁ ପତ୍ର ଦେବାକୁ ନିଷ୍ପତ୍ତି ଓ ବିଧାନସଭାରେ ଏ ସମ୍ପର୍କରେ ସୂଚନା।

୨୨ ଜାନୁଆରି, ୨୦୧୩: ରାଜ୍ୟ ସଂସ୍କୃତି ବିଭାଗ ୧୭ ଡିସେମ୍ବର ୨୦୧୨ର ବିବରଣୀ ସହିତ ଦୁଇଟି ସିଡି ଗୃହ ବିଭାଗକୁ ପଠାଇଲେ।

୨୪ ଫେବ୍ରୁଆରି ୨୦୧୫: ତତ୍‌କାଳୀନ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ। ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଅଧିକ ଆଇନଗତ ତର୍ଜମା ପାଇଁ ଏକ ଚାରି ଜଣିଆ କମିଟି ଗଠନ। ତତ୍‌କାଳୀନ ଆଇନ ସଚିବ ମିହିର ରଞ୍ଜନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କମିଟିରେ ସଭ୍ୟ ରହିଲେ ତତ୍‌କାଳୀନ ସୂଚନା ଓ ଲୋକସମ୍ପର୍କ ସଚିବ ମଧୁସୂଦନ ପାଢ଼ୀ, ତତ୍‌କାଳୀନ ସଂସ୍କୃତି ସଚିବ ଅରବିନ୍ଦ ପାଢ଼ୀ ଓ ତତ୍‌କାଳୀନ ଗୃହ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଲଳିତ ଦାସ।

୧୦ ଜୁଲାଇ, ୨୦୧୫ : କମିଟି ରିପୋର୍ଟ ଭିତ୍ତିରେ ତତ୍‌କାଳୀନ ସଂସ୍କୃତି ସଚିବ ଅରବିନ୍ଦ ପାଢ଼ୀ ସମସ୍ତ ତଥ୍ୟ ଓ ଆଇନଗତ ଯୁକ୍ତି ସହ ଏକ ରିପୋର୍ଟ ପ୍ରସ୍ତୁତ କରି ମନ୍ତ୍ରୀଙ୍କ ନିକଟରେ ଦାଖଲ କଲେ।

ଜୁଲାଇ, ୨୦୧୫ : କୌଣସି ଆଇନଗତ ଓ ସାମ୍ବିଧାନିକ ସମସ୍ୟା ନାହିଁ ଦର୍ଶାଇ ତତ୍‌କାଳୀନ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବା ସପକ୍ଷରେ ମତ ଦେଇ କ୍ୟାବିନେଟ୍‌ ଅନୁମୋଦନ ପାଇଁ ଫାଇଲ୍‌ ପଠାଇଲେ

୧ ଅଗଷ୍ଟ ୨୦୧୯: ବନ୍ଦେ ଉତ୍କଳ ଜନନୀ ଗାନକୁ ନେଇ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉଦ୍‌ବେଗ। ପଦକ୍ଷେପ ନେବାକୁ ସଂସ୍କୃତି ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି।

୩୦ ମେ, ୨୦୨୦: କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକ୍ରମେ ରାଜ୍ୟ, ଦେଶ ଓ ବିଦେଶରେ ଥିବା ଓଡ଼ିଆମାନଙ୍କ ଦ୍ବାରା ସନ୍ଧ୍ୟା ସାଢ଼େ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାନ।

୭ ଜୁନ, ୨୦୨୦: ରାଜ୍ୟ କ୍ୟାବିନେଟର ଐତିହାସିକ ନିଷ୍ପତ୍ତି ସହ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା।