ସଂପ୍ରତି ଭାରତୀୟ ସୀମାରେ କ୍ରମବର୍ଦ୍ଧିଷ୍ଣୁ ଅନୁପ୍ରବେଶ ଓ ଆତଙ୍କବାଦୀ କାର୍ଯ୍ୟକଳାପ ଏକ ଗୁରୁତର ସମସ୍ୟା ଭାବେ ଉଭା ହୋଇଛି। ବିଶେଷକରି ଉତ୍ତର-ପୂର୍ବ ଭାରତରେ ଏହି ସମସ୍ୟା ଉଗ୍ରରୂପ ଧାରଣ କରିଛି। ଉଗ୍ରବାଦୀ ପ୍ରଶିକ୍ଷଣ ଓ ଅସ୍ତ୍ରଶସ୍ତ୍ର ଯୋଗାଣ ମାଧ୍ୟମରେ ଚୀନ୍‌ ଭାରତୀୟ ସୀମାରେ ଅସ୍ଥିରତା ସୃଷ୍ଟି କରୁଥିବା ହେତୁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଭୂମିକା କ୍ରମଶଃ ଗୁରୁତ୍ବପୂର୍ଣ୍ଣ ହୋଇପଡୁଛି। ସେହିପରି ବାଂଲାଦେଶୀ ଅନୁପ୍ରବେଶକାରୀ ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ଲାଗି ବଡ଼ ସମସ୍ୟ‌ା ସୃଷ୍ଟି କରିବାକୁ ଯାଉଛନ୍ତି। ଏହି ପ୍ରେକ୍ଷାପଟରେ ବିଏସ୍‌ଏଫ୍‌ର ପୂର୍ବତନ ଅତିରିକ୍ତ ମହାନିର୍ଦ୍ଦେଶକ ତଥା ଅବସରପ୍ରାପ୍ତ ବରିଷ୍ଠ ଓଡ଼ିଆ ଆଇପିଏସ୍‌ ଅଧିକାରୀ ପ୍ରଭାସ କୁମାର ମିଶ୍ରଙ୍କୁ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି ବରିଷ୍ଠ ପ୍ରତିନିଧି ବିଭୂତି ପତି

Advertisment

ଆସାମ, ମଣିପୁର, ନାଗାଲାଣ୍ଡ୍‌, ମେଘାଳୟ, ମିଜୋରାମ ଓ ଅରୁଣାଚଳ ପ୍ରଦେଶରେ ଉଲ୍‌ଫା ଭଳି ଉଗ୍ରବାଦୀ ସଂଗଠନ ଏବଂ ସୀମାନ୍ତରେ ଅନୁପ୍ରବେଶକାରୀ ନିୟନ୍ତ୍ରଣରେ ଆପଣଙ୍କର ବିଶେଷ ଅଭିଜ୍ଞତା ଓ ଦକ୍ଷତା ରହିଛି। ଜଣେ ଉତ୍ତରପୂର୍ବ ସୁରକ୍ଷା ବିଶେଷଜ୍ଞ ଭାବେ ମଣିପୁରରେ ହିଂସା ନିୟନ୍ତ୍ରଣ ରଣନୀତି ପ୍ରସଙ୍ଗରେ ଆପଣଙ୍କ ମତ କ’ଣ?
ମଣିପୁର ଦଙ୍ଗା ଦୁଇବର୍ଷ ପୂରଣ କରିବାକୁ ଯାଉଛି। ସେଠାରେ ‌େଯଉଁମାନଙ୍କୁ ସୁରକ୍ଷା ଦାୟିତ୍ବରେ ନିଯୁକ୍ତି ଦିଆଯାଉଛି ସେମାନେ ସେଠାକାର ଭୌଗୋଳିକ ସ୍ଥିତି ଓ ଜନସାଧାରଣଙ୍କ ସ୍ବଭାବ ସହିତ ଆଦୌ ପରିଚିତ ନୁହନ୍ତି। ମାନଚିତ୍ର ଦେଖି ସୁରକ୍ଷା ନୀତି ପରିଚାଳନା କଲେ ସଫଳତା ମିଳିବ ନାହିଁ। ମଣିପୁର ଓ ମିଅଁାମାର୍ ସୀମାରେଖା ସଂପୂର୍ଣ୍ଣ ମୁକୁଳା ପଡ଼ିଛି। ଏବେ ସରକାର ସେଠାରେ ସୁରକ୍ଷାବାହିନୀ ମୁତୟନ କରି ପହରା ବ୍ୟବସ୍ଥା କରିଛନ୍ତି, କିନ୍ତୁ ଅନୁପ୍ରବେଶ ରୋକିବା ଲାଗି ବିଗତ ସରକାରମାନେ ସେଠାରେ ତାରବାଡ଼ ଦେବା କାର୍ଯ୍ୟ କରି ନଥିଲେ। ମୁଁ ଆଇଜି ଥିବା ସମୟରେ ଦିଆଯାଇଥିବା ପ୍ରସ୍ତାବ ପ୍ରତି ମଧ୍ୟ ତତ୍‌କାଳୀନ ସରକାର ଧ୍ୟାନ ଦେଇ ନଥିଲେ। ମିଅଁାମ‌ାର୍ ପାର୍ଶ୍ବରୁ କୁକୀ ସଂପ୍ରଦାୟର ଶହ ଶହ ଲୋକ ଚୀନ୍‌ର ପ୍ରତ୍ୟକ୍ଷ ସହାୟତାରେ ବିପୁଳ ଅସ୍ତ୍ରଶସ୍ତ୍ର ଧରି ଅନୁପ୍ରବେଶ କରୁଛନ୍ତି। ବାଂଲାଦେଶ ସହିତ ମିଅଁାମାର୍ ସରକାରଙ୍କୁ ଚୀନ୍ ପ୍ରତ୍ୟକ୍ଷ ସହାୟତା ଦେଇ ଚଟ୍ଟଗାଓଁ ଓ କକ୍ସସ୍‌ ବଜାର, ମିଜୋରାମ, ଅରୁଣାଚଳ ପ୍ରଦେଶର କେତେକ ଅଞ୍ଚଳ ଏବଂ ମଣିପୁରର ଚୂଡ଼ାଚାନ୍ଦପୁର ପ୍ରଭୃତିକୁ ନେଇ ଏକ ଖ୍ରୀଷ୍ଟିଆନ ରାଜ୍ୟ ଗଠନ ନଁା’ରେ ଅସ୍ଥିରତା ସୃଷ୍ଟି କରୁଛି। ମିଅଁାମାର୍‌ର ଖାପ୍‌ଲଙ୍ଗ୍‌ ଠାରେ ଚୀନ୍ ଉଗ୍ରବାଦୀମାନଙ୍କୁ ତାଲିମ ଦେଉଛି। ମିଅଁାମାର୍ ସୀମାକୁ ଯଥାଶୀଘ୍ର ତାରବାଡ଼ ଦେଇ ବନ୍ଦକରିବା ସହିତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିପାରିଲେ ମଣିପୁରରେ ଖୁବ୍ ଶୀଘ୍ର ହିଂସା ଓ ଦଙ୍ଗା ନିୟନ୍ତ୍ରଣ ହେବ। ନଚେତ୍‌ ‘ସଶସ୍ତ୍ର ବିଦ୍ରୋହ ଦମନ ଅଭିଯାନ’ ସଫଳ ହେବନାହିଁ। ମିଅଁାମାର୍‌ରୁ ପ୍ରାୟ ୩୦ ହଜାର ସଶସ୍ତ୍ର ଉଗ୍ରବାଦୀ ମଣିପୁରରେ ପ୍ରବେଶ କରି ହିଂସା ସୃଷ୍ଟି କରିବା ସହିତ କୁକୀ ସଂପ୍ରଦାୟକୁ ଖ୍ରୀଷ୍ଟଧର୍ମ ନାମରେ ଉସୁକାଉଛନ୍ତି। ମୋ ମତରେ ମାଇତି ସଂପ୍ରଦାୟକୁ ସ୍ଥାନୀୟ ହାଇକୋର୍ଟ ଆଦିବାସୀ ମାନ୍ୟତା ପାଇଁ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାକୁ ମଧ୍ୟ ବର୍ତ୍ତମାନ କାର୍ଯ୍ୟକାରୀ କରିବା ଅନୁଚିତ।

ଉଲ୍‌ଫା ଉଗ୍ରବାଦୀ ଦମନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଆପଣ ସମ୍ମାନିତ ହୋଇଛନ୍ତି। ବହୁଚର୍ଚ୍ଚିତ ଉଲ୍‌ଫା ଉଗ୍ରବାଦୀ ପରେଶ ବରୁଆଙ୍କ ସହିତ ଆପଣଙ୍କର କେବେ ମୁହଁାମୁହିଁ ହୋଇଛି?
ଉଲ୍‌ଫା ଉଗ୍ରବାଦୀ ସଂଗଠନ ସହିତ ମୋର ବହୁବାର ସାମ୍ନାସାମ୍ନି ହୋଇଛି। ଉଲ୍‌ଫା ଉଗ୍ରବାଦୀ ମୁକାବିଲା ଅଭିଯାନ ସମୟରେ ଅନେକ ଥର ଯୁଦ୍ଧ ଭଳି ପରିସ୍ଥିତି ବି ସୃଷ୍ଟି ହୋଇଛି। ପରେଶ ବରୁଆ ଆସାମ-ମେଘାଳୟ ସୀମାନ୍ତ ଜଙ୍ଗଲରେ ଲୁଚିଥିବା ବେଳେ ତାକୁ ଧରିବାକୁ ରାତିରେ ମୁଁ ଅପରେସନ୍ କରିଥିଲି। କିନ୍ତୁ କୌଣସି ସୂତ୍ରରୁ  ଖବର ପାଇ ସେ ଫେରାର୍ ହୋଇଯାଇଥିଲା। ପରେ ଗୁଇନ୍ଦାସୂତ୍ରରୁ ଖବର ପାଇଲି ଯେ ସେ ବାଂଲାଦେଶ ଖସିଯାଇଛି। ବାଂଲାଦେଶ ସୁରକ୍ଷାବଳ ସହିତ ଯୋଗାଯୋଗ କରିବା ବେଳକୁ ସେ ସେଠାରୁ ଖସି ଚୀନ୍ ଚାଲିଯାଇଥିଲା।

ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ନକ୍ସଲ୍‌ ଦମନ ପାଇଁ ଆପଣଙ୍କୁ ସ୍ବତନ୍ତ୍ର ଭାବେ ନିଯୁକ୍ତି ଦିଆଯାଇଥିଲା। କିପରି ଥିଲା ଏହି ଅନୁଭୂତି? 
ସେତେବେଳେ ନଦିଆ ଜିଲ୍ଲାରେ ନକ୍ସଲ୍‌ କାର୍ଯ୍ୟକଳାପ ବଢ଼ିଚାଲିଥିଲା। ତାହା ନିୟନ୍ତ୍ରଣ କରିବା ସ୍ଥାନୀୟ ପୁଲିସ ଓ ପ୍ରଶାସନ ପକ୍ଷେ ସମ୍ଭବ ନଥିଲା। ମୁଁ ଦାୟିତ୍ବ ନେବାର ମାତ୍ର ତିନିଦିନ ପୂର୍ବରୁ ସେଠାକାର କୃଷ୍ଣନଗର ଜେଲ୍‌ ଭାଙ୍ଗି ଅସ୍ତ୍ରଶସ୍ତ୍ର ଲୁଟ୍ କରିବା ସହିତ ସେ ସମୟର ମୋଷ୍ଟ୍‌ ୱାଣ୍ଟେଡ୍ ମାଓନେତା ଗୋରା ସରକାର ଫେରାର ହୋଇଯାଇଥିଲା। ମୁଁ  ଘଟଣାର ଏଗାରଦିନ ପରେ ବିଭିନ୍ନ ଅଞ୍ଚଳରେ ଅପରେସନ୍‌ ଚଳାଇ ଶାନ୍ତିପୁରସ୍ଥିତ ଫୁଲିୟାରେ ଗୋରା ସରକାରକୁ ଗିରଫ କରି ଲୁଟ୍ ଅସ୍ତ୍ରଶସ୍ତ୍ର ଜବତ କରିଥିଲି। ନଦିଆ ଜିଲ୍ଲାରେ ଆତଙ୍କ ଖେଳାଇଥିବା ନକ୍ସଲ୍‌ମାନେ ଚାରୁ ମଜୁମ୍‌ଦାର୍‌ଙ୍କ ଚିନ୍ତାଧାରାରେ ପରିଚାଳିତ ହେଉ ନଥିଲେ, ବରଂ ସେମାନେ ଜଣେ ଜଣେ ଜଘନ୍ୟ ଅପରାଧୀ ବା ଉଗ୍ରବାଦୀ ଥିଲେ।

ଆପଣ ଦୀର୍ଘସମୟ ବିଏସ୍ଏଫ୍‌ରେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସ୍ଥିତିରେ ବିଏସ୍‌ଏଫ୍‌ ପାଇଁ ସବୁଠାରୁ ବଡ଼ ଆହ୍ବାନ କ’ଣ?
ବର୍ତ୍ତମାନର ବାଂଲାଦେଶ ପରିସ୍ଥିତି ଯୋଗୁଁ ବିଏସ୍ଏଫ୍‌ର ଦାୟିତ୍ବ ଓ ଆହ୍ବାନ ଯଥେଷ୍ଟ ବଢ଼ିଯାଇଛି। ବାଂଲାଦେଶ ‘ମିନି ପାକିସ୍ତାନ’ରେ ପରିଣତ ହୋଇସାରିଲାଣି। ଏହା ଭାରତ-ବାଂଲାଦେଶ ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗ, ଓଡ଼ିଶା ଓ ଆସାମ ଭଳି ରାଜ୍ୟ ପାଇଁ ଘାତକ ସାବ୍ୟସ୍ତ ହେବ। ଆତଙ୍କବାଦୀ ଅନୁପ୍ରବେଶ ବୃଦ୍ଧିପାଇବ ଏବଂ ହିଂସା ସୃଷ୍ଟିହେବ। ଓଡ଼ିଶାର ମୁକୁଳା ଉପକୂଳ ବାଂଲାଦେଶରୁ ଆତଙ୍କବାଦୀ ଅନୁପ୍ରବେଶକୁ ସହଜ କରିଦେବ। ଏହାଛଡ଼ା ଓଡ଼ିଶା ଓ ପଶ୍ଚିମବଙ୍ଗରେ ରହୁଥିବା ଲକ୍ଷାଧିକ ସଶସ୍ତ୍ର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଯଥାଶୀଘ୍ର ଚିହ୍ନଟ ଓ ନିୟନ୍ତ୍ରଣ କରିବା ଜରୁରି। ବାଂଲାଦେଶ ସୀମା ସୁରକ୍ଷାବାହିନୀ ବର୍ତ୍ତମାନ ପାକିସ୍ତାନ ସେନାଠାରୁ ତାଲିମ ନେଉଛି। ସେମାନଙ୍କ ସହିତ ଜେହାଦି, ଜମାତି, ଆଇଏସ୍ଆଇ, ଭାରତୀୟ ଉପମହାଦେଶର ଅଲ୍‌କାଏଦା, ବାଂଲାଦେଶୀ ଜମାତୁଲ୍ ମୁଜାହିଦ୍ଦିନ୍ ଆତଙ୍କବାଦୀମାନେ ଏକତ୍ର ତାଲିମ ନେଉଛନ୍ତି। ଏସବୁ କାରଣରୁ ବିଏସ୍ଏଫ୍ ପାଇଁ ବଡ଼ ଆହ୍ବାନ ସୃଷ୍ଟି ହୋଇଛି।

ସୀମାନ୍ତରେ ଶତ୍ରୁପକ୍ଷର ଡ୍ରୋନ୍ ଆକ୍ରମଣ ଏକ ବଡ଼ ବିପଦ ଭାବେ ଉଭା ହୋଇଛି। ଏହାର କିଭଳି ମୁକାବିଲା କରାଯାଇପାରିବ? 
ବର୍ତ୍ତମାନ ପାକିସ୍ତାନ ପାଖରେ ତୁର୍କୀ ନିର୍ମିତ ବୋର୍କା, ପିଭି-୨ ଓ ଆକିନି ଏବଂ ଚୀନ୍ ନିର୍ମିତ ଉଲଙ୍ଗ୍-୨ ଓ ସିଏଚ୍-୪ ସଙ୍ଗକୁ ଫାଲ୍‌କୋ, ଜିଆର୍‌ଡିଏସ୍ ଓ ତାଇହୋଙ୍ଗ୍ ଭଳି ‌ଶବ୍ଦବିହୀନ ‌ଷ୍ଟିଲ୍‌ଥ୍ ଡ୍ରୋନ୍ ରହିଛି। ଏହା ସହିତ ତୁର୍କୀରୁ ବୈଷୟିକ ଜ୍ଞାନକୌଶଳ ଆଣି ପାକିସ୍ତାନ ଡ୍ରୋନ୍ ନିର୍ମାଣ କରୁଛି। ଏସବୁର ମୁକାବିଲା ପାଇଁ ଭାରତର ଡିଆର୍‌ଡିଓ ପ୍ରତିରକ୍ଷା ସଂସ୍ଥାନ ରୁସ୍ତମ୍ ସ୍କାଏ ଗାର୍ଡିଆନ୍ ଓ ସି ଗାର୍ଡିଆନ୍ ଭଳି ଅତ୍ୟାଧୁନିକ ଡ୍ରୋନ୍ ନିର୍ମାଣ ଜାରି ରଖିଛି। ପୁନଶ୍ଚ ଆମେ ୩୨ ହଜାର କୋଟି ଟଙ୍କାର ଅତ୍ୟାଧୁନିକ ଡ୍ରୋନ୍ ଆମେରିକାଠାରୁ କ୍ରୟ କରିବା ପାଇଁ ଚୁକ୍ତି କରିଛୁ। ଇସ୍ରାଏଲ୍‌ରୁ ମଧ୍ୟ ଭାରତ ଅତ୍ୟାଧୁନିକ ଡ୍ରୋନ୍ କ୍ରୟ କରୁଛି। ମୋ ମତରେ ବିଶ୍ବରେ ତୃତୀୟ ଶୀତଳ ଯୁଦ୍ଧ ଆରମ୍ଭ ହୋଇସାରିଛି। ୟୁକ୍ରେନ୍ ଯେପରି ଡ୍ରୋନ୍ ସାହାଯ୍ୟରେ ରୁଷ୍ ଉପରେ ଆକ୍ରମଣ କରିଛି, ଯଦି ରୁଷ୍ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ତେବେ ତୃତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇଯିବ।    

ନିଜ ବାଲ୍ୟଜୀବନର ସ୍ମୃତିକୁ ନେଇ କ’ଣ କହିବେ?
ଜେଜେବାପା ଲୋକନାଥ ମିଶ୍ର ସ୍ବାଧୀନତା ସଂଗ୍ରାମୀ ଥିଲେ। ଏହାର ପ୍ରଭାବ ଆମ ପରିବାର ଉପରେ ପଡ଼ିଥିଲା। ବାପା ପ୍ରଭାକର ମିଶ୍ର ଓ ମାଆ ଶକୁନ୍ତଳା ମିଶ୍ର ସବୁବେଳେ ମୋତେ ଦେଶଭକ୍ତି ଶିକ୍ଷା ଦେଉଥିଲେ। ସବୁଦିନ ସକାଳେ ଓ ସନ୍ଧ୍ୟାବେଳେ ଶିବତାଣ୍ଡବ ଓ ଜଗନ୍ନାଥାଷ୍ଟକମ୍ ଗାନ ପାଇଁ ବାପା ନିର୍ଦ୍ଦେଶ ଦେଇଥିଲେ। ସେ ସମୟରେ ମୋ ବୋଉ ଭୋର୍ ୫ଟାରୁ ଗଁା’ର କେତେକ ମହିଳାଙ୍କୁ ସାଥୀକରି ଦେଶାତ୍ମବୋଧ ସଂଗୀତ ଗାଇ ପ୍ରଭାତଫେରି କରୁଥିଲା। ସହିଦ ଉଦ୍ଦାମ୍‌ ସିଂଙ୍କ ଗୀତ ‘‘ଜନ୍ମଦା ମୋର ଭାରତ ଭୂମିର ବହୁ ଦୂରେ ସାଥୀ ବହୁ ଦୂରେ... ବନ୍ଦୀ ମୁଁ ଆଜି ଉଦ୍ଦାମ୍ ସିଂ ସେଇ ଲଣ୍ଡନ୍‌ର କାରାଗାରେ’’ ସକ‌ା‌େଳ ସବୁବେଳେ ଆମକୁ ଆବୃତ୍ତି କରାଉଥିଲା। ଆଜି ବି ସେଇ ସ୍ମୃତିକୁ ସାଇତି ମୁଁ ପ୍ରତିଦିନ ବାପାବୋଉଙ୍କ ଉଦ୍ଦେଶ୍ୟରେ ଉଦ୍ଦାମ୍‌ ସିଂଙ୍କ ଗୀତ, ଜଗନ୍ନାଥାଷ୍ଟକମ୍ ଓ ଶିବତାଣ୍ଡବ ଆବୃତ୍ତି କରିଥାଏ।