ଗୋଟିଏ ଦେଶରୁ ଅନ୍ୟ ଏକ ଦେଶକୁ ଅବୈଧଭାବେ ଚୋରାଲୁଚାରେ ପ୍ରବେଶ କରିବା ମାର୍ଗକୁ କୁହାଯାଏ- ଡଙ୍କି ରୁଟ୍। ଏହି ଡଙ୍କି ରୁଟ୍‌ ବା ଚୋରାବାଟ ଦେଇ ଦୈନିକ ଶହ ଶହ ବା‌ଂଲାଦେଶୀ ଭାରତର ବିଭିନ୍ନ ରାଜ୍ୟରେ ପ୍ରବେଶ କରୁଛନ୍ତି। ଯେହେତୁ ଆସାମ, ତ୍ରିପୁରା ଓ ମେଘାଳୟ ଭଳି ଉତ୍ତର-ପୂର୍ବ ରାଜ୍ୟସମୂହ ଅନ୍ତର୍ଗତ ଭାରତ-ବାଂଲାଦେଶ ସୀମାରେ ତାରବାଡ଼ କାମ ପ୍ରାୟତଃ ଶେଷହୋଇଛି ଏବଂ ଆସାମ ସରକାର ଅନୁପ୍ରବେଶକାରୀଙ୍କ ପ୍ରତି କଠୋର ଅାଭିମୁଖ୍ୟ ଗ୍ରହଣ କରିଛନ୍ତି, ସେଥିଲାଗି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ପଶ୍ଚିମବଙ୍ଗ ଓ ଓଡ଼ିଶା ଏବେ ପାଲଟିଛି ନିରାପଦ ଆଶ୍ରୟସ୍ଥଳ। ବାଂଲାଦେଶର ଇଚ୍ଛାମତୀ ନଦୀ ପାର ହୋଇ ଟାକି ସହରଦେଇ ଓଡ଼ିଶାକୁ ପଶୁଛନ୍ତି ବାଂଲାଦେଶୀ। ବଙ୍ଗୋପସାଗରର ଜଳପଥରେ ଦୀଘା ଓ ପାରାଦୀପ ବାଟେ ଓଡ଼ିଶାରେ ପହଞ୍ଚୁଛନ୍ତି ଅନୁପ୍ରବେଶକାରୀ। ଗ୍ରାଉଣ୍ଡ୍ ଜିରୋରୁ ବରିଷ୍ଠ ପ୍ରତିନିଧି 
ବିଭୂତି ପତିଙ୍କ ‌ରିପୋର୍ଟ

Advertisment

ସଂପ୍ରତି ଉତ୍ତର-ପୂର୍ବ ରାଜ୍ୟସମୂହ, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବାରୁ କେନ୍ଦ୍ର ସରକାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେଥିଲାଗି ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ, ଅଟକ ଓ ବିତାଡ଼ିତ କରିବା ପନ୍ଥା ଆପଣାଇଛନ୍ତି। ଓଡ଼ିଶା ସରକାର ରାଜ୍ୟବ୍ୟାପୀ ଏପରି ଅନୁପ୍ରବେଶକାରୀଙ୍କୁ ଚିହ୍ନଟକରି ରାଜ୍ୟରୁ ବାହାର କରାଯିବ ବୋଲି ଘୋଷଣା କରିଛନ୍ତି। ଏହି ଅଭିଯାନରେ ଓଡ଼ିଶା ସ୍ବତନ୍ତ୍ର ଟାସ୍କ୍‌ଫୋର୍ସ (ଏସ୍.ଟି.ଏଫ୍)ନେତୃତ୍ବରେ ସାମୁଦ୍ରିକ ପୁଲିସ, ଭାରତୀୟ ତଟରକ୍ଷୀ, ରେଳ ସୁରକ୍ଷା ବାହିନୀ, ଜିଲ୍ଲା ପୁଲିସ ତଥା ଗୁଇନ୍ଦା ସଂସ୍ଥା ସାମିଲ ହୋଇଛନ୍ତି। ନିକଟରେ ଦିଲ୍ଲୀରେ ଦୁଇଜଣ ବାଂଲାଦେଶୀ ନାଗରିକଙ୍କ ସମେତ ଚ‌ାରିଜଣଙ୍କୁ ଗିରଫ କରାଯାଇଛି। ଏହା ସଙ୍ଗେ ସଙ୍ଗେ ଆଧାର, ପାନ୍‌କାର୍ଡ ଓ ଅନ୍ୟାନ୍ୟ ଦଲିଲ ଜାଲ୍ କରି ବାଂଲାଦେଶୀ ନାଗରିକଙ୍କୁ ଅବୈଧ ଉପାୟରେ ଭାରତରେ ଅନୁପ୍ରବେଶ କରିବାରେ ସହାୟତା କରିବା ଏବଂ ଭାରତୀୟ ନାଗରିକ ବୋଲି ପରିଚୟ ପ୍ରଦାନ କାର୍ଯ୍ୟ କରୁଥିବା ଏକ ରୢାକେଟ୍‌ର ପର୍ଦ୍ଦାଫାଶ ହୋଇଛି। କିଛିଦିନ ତଳେ ଭୁବନେଶ୍ବର ରେଳ ଷ୍ଟେସନ୍‌ରୁ ଛ’ଜଣ ପୁରୁଷ, ତିନିଜଣ ମହିଳା ଓ ଜଣେ କିଶୋର ବାଂଲାଦେଶୀଙ୍କୁ ଧରାଯାଇଥିଲା। ପଚରାଉଚରା ପରେ ସେମାନେ ସ୍ବୀକାର କରିଥିଲେ ଯେ ସେମାନେ ବାଂଲାଦେଶୀ ଏବଂ ଆସାମ-ବାଂଲାଦେଶ ସୀମାରେ ଥିବା ଧୁବୁରୀ ଦେଇ ଦଲାଲଙ୍କ ଦ୍ବାରା ଚୋରାବାଟରେ ଭାରତ ଆସିଛନ୍ତି। ଭୁବନେଶ୍ବରରେ ରହିବା ପାଇଁ ଆସିଥିବା ଏହି ବାଂଲାଦେଶୀଙ୍କଠାରୁ ତଲାସୀ ସମୟରେ ସାତଟି ମୋବାଇଲ ଫୋନ୍, କିଛି ବାଂଲାଦେଶୀ ଓ ଭାରତୀୟ ମୁଦ୍ରା ଜବତ ହୋଇଥିଲା। ଏମାନେ ବାଂଲାଦେଶର ମଇମନସିଂ, ବାଗେରହାଟ, ପ୍ରିସ୍‌ପୁର ଏବଂ ଢାକା ଜିଲ୍ଲାର ବ‌ାସିନ୍ଦା ବୋଲି ଜଣାପଡ଼ିଥିଲା।

ସେହିପରି ଦିଲ୍ଲୀରେ ଗିରଫ ହୋଇଥିବା ଦୁଇ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ପଚରାଉଚରା ବେଳେ ସେମାନେ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଥିଲେ। ଏହାକୁ ନେଇ ଏବେ ତଦନ୍ତ କରାଯାଉଛି। ବିଶେଷକରି ସେମାନଙ୍କର ଅନୁପ୍ରବେଶ ମାର୍ଗ (ଡଙ୍କି ରୁଟ୍) ସଂପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରାଯାଉଛି। ବର୍ତ୍ତମାନ ଭାରତ ପାଇଁ ବାଂଲାଦେଶୀ ଅନୁପ୍ରବେଶକାରୀ ବଡ଼ ବିପଦ ସାଜିଛନ୍ତି। ତଦନ୍ତରୁ ଜଣାପଡ଼ିଛି, କିଛିବର୍ଷ ପୂର୍ବେ ବାଂଲାଦେଶର ଜମାତ୍-ଉଲ୍-ମୁଜାହିଦ୍ଦିନ୍ ଆତଙ୍କବାଦୀ ସଂଗଠନର ସଦସ୍ୟମାନେ ପଶ୍ଚିମବଙ୍ଗକୁ ସ୍ଥାନାନ୍ତରିତ ହୋଇଥିଲେ। ଏହି ସଂଗଠନର ସଭ୍ୟମାନେ ବିଭିନ୍ନ ରାଜ୍ୟରେ ଜାଲ୍ ସରକାରୀ କାଗଜପତ୍ର ମା‌ଧ୍ୟମରେ ବସବାସ କରି ବିଭିନ୍ନ ଅାପରାଧିକ ଓ ଆତଙ୍କବାଦୀ କାର୍ଯ୍ୟକାଳାପ ସହ ସଂପୃକ୍ତ ରହୁଛନ୍ତି। ସେମାନଙ୍କୁ ଚିହ୍ନଟ କରି ଅଟକ ରଖିବା ସହିତ ଦେଶାନ୍ତର କରିବା ପାଇଁ ଅଭିଯାନ ଆରମ୍ଭ କରାଯାଇଛି। ଗୁପ୍ତ ରାସ୍ତାଘାଟ ଓ ଜଳମାର୍ଗରେ ସେମାନେ ଭାରତ ଆସୁଥିବାରୁ ଏହାକୁ ରୋକିବା ଲାଗି ସୁରକ୍ଷା ବାହିନୀ ପଦକ୍ଷେପ ନେଉଛନ୍ତି।  

କେମିତି ଓ କେଉଁ ରାସ୍ତାରେ ଆସନ୍ତି ବାଂଲାଦେଶୀ?
ବାଂଲାଦେଶୀ ନାଗରିକଙ୍କୁ ଭାରତ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି ଦଲାଲ୍‌ମାନଙ୍କ ଦ୍ବାରା ସଂଗଠିତ ରାକେଟ୍‌। ଆହୁରି ମଧ୍ୟ ଜଣାପଡ଼ିଛି ଯେ ଏଠାକୁ ଆଣିବାପରେ ସେମାନେ ବାଂଲାଦେଶୀ ନାଗରିକମାନଙ୍କ ପାଇଁ ଜାଲ୍ ଆଧାର କାର୍ଡ, ପାନ୍‌କାର୍ଡ ଇତ୍ୟାଦି ତିଆରି କରାଉଛନ୍ତି। ବାଂଲାଦେଶୀ ନାଗରିକମାନେ ଜଙ୍ଗଲ ରାସ୍ତାରେ ଚାଲି ଚାଲି ବାଂଲାଦେଶର ଦୁର୍ଗାପୁରରୁ ମେଘାଳୟର ବାଘମରାରେ ପହଞ୍ଚିଥାନ୍ତି। ଏଠାରେ ପହଞ୍ଚିବା ପରେ ଦଲାଲ୍‌ମାନଙ୍କ ସହାୟତାରେ ସେମାନଙ୍କୁ ଆସାମର କୃଷ୍ଣା ଓ ନ୍ୟୁ ‌ବୋଙ୍ଗାଇଗାଓଁ ରେଳ ଷ୍ଟେସନ୍‌କୁ ନିଆଯାଇଥାଏ। ପୁଣି ସେମାନଙ୍କ ମଧ୍ୟରୁ ଅନେକ ପଶ୍ଚିମବଙ୍ଗରେ ପ୍ରବେଶ କରିଥାଆନ୍ତି। ଆଉ କେତେକ ତ୍ରିପୁରା ଦେଇ ଦିଲ୍ଲୀ ଆସିଥାଆନ୍ତି। ଏହି ଅନୁପ୍ରବେଶ ଗତିବିଧିର ପର୍ଦ୍ଦାଫାଶ୍‌ କରିବାରେ ଭାରତୀୟ ତଦନ୍ତକାରୀ ସଂସ୍ଥା ଗୁରୁତ୍ବପୂର୍ଣ୍ଣ ସଫଳତା ହାସଲ କରିଛନ୍ତି। ମୋଟାମୋଟି ବାଂଲାଦେଶରୁ ତ୍ରିପୁରା, ମିଜୋରାମ ଓ ମେଘାଳୟ ସୀମାଦେଇ ଅନୁପ୍ରବେଶକାରୀ ଭାରତ ଆସୁଛନ୍ତି। ଗୋଟିଏ ରାସ୍ତାରେ ଆସିବା ଦ୍ବାରା ଧରାପଡ଼ିବା ଭୟ ଥିବାରୁ ସେମାନେ ବାରମ୍ବାର ରାସ୍ତା ବଦଳାଇଥାଆନ୍ତି। ସୁରକ୍ଷା ଏଜେନ୍‌ସି ସୂତ୍ର ଅନୁସାରେ, ବାଂଲାଦେଶୀମାନେ ଏବେ ମୁଖ୍ୟତଃ ପଶ୍ଚିମବଙ୍ଗ ଓ ଓଡ଼ିଶାକୁ ଟାର୍ଗେଟ୍‌ କରୁଛନ୍ତି। ଭାରତୀୟ ସୁରକ୍ଷା ମଞ୍ଚର ବରିଷ୍ଠ ପଦାଧିକାରୀ ଅନିଲ ଧୀର କହନ୍ତି, ‘‘ଭାରତ ସୀମାରେ ପ୍ରବେଶ କରିବାପରେ ଦଲାଲମାନେ ବାଂଲାଦେଶୀଙ୍କୁ ପଶ୍ଚିମବଙ୍ଗର ଦୁର୍ଗାପୁର, ମେଦିନୀପୁର ଏବଂ ଓଡ଼ିଶାର ବାଲେଶ୍ବର, ଭଦ୍ରକ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ାର ବିଭିନ୍ନ ମଦ୍ରାସା ଓ ମସ୍‌ଜିଦ୍‌ରେ ରଖାଇଥାନ୍ତି। ଏପରି ଅଭିଯୋଗ ଆସିବା ପରେ ଏହାକୁ ନେଇ ତଦନ୍ତ ଚାଲିଛି।’’

ଇଚ୍ଛା ପୂରଣ କରୁଛି ଇଚ୍ଛାମତୀ
ନଦୀ ଲୋକଙ୍କୁ ଏକତ୍ର କରେ। ନଦୀ ମଧ୍ୟ ସେମାନଙ୍କୁ ବିଭାଜିତ କରେ। ଭାରତ ଓ ବାଂଲାଦେଶକୁ ବିଭାଜିତ କରି ପ୍ରବାହିତ ହୋଇଛି ଇଚ୍ଛାମତୀ ନଦୀ। ଏହା ଦୁଇ ଦେଶର ସୀମା ରୂପେ କାର୍ଯ୍ୟକରୁଛି। ପଶ୍ଚିମବଙ୍ଗର ଟାକି ସହରଠାରୁ ଉଭୟ ଦେଶର ରାଜନୈତିକ ସୀମା ମାତ୍ର ୧୦ ମିନିଟର ଡଙ୍ଗାଯାତ୍ରା। ୨୮୮ କିଲୋମିଟର ଦୀର୍ଘ ଇଚ୍ଛାମତୀ ନଦୀ ପଶ୍ଚିମବଙ୍ଗର ରାଣାଘାଟ, ବନଗାଓଁ, ବସିରହାଟ ଏବଂ ବରାସାତ ଲୋକସଭା ନିର୍ବାଚନ ମଣ୍ଡଳୀ ଦେଇ ପ୍ରବାହିତ ହୁଏ। ଦୀର୍ଘ ୨୧ କିଲୋମିଟର ପର୍ଯ୍ୟନ୍ତ ଏହା ଭାରତ ଓ ବାଂଲାଦେଶର ସୀମା ନିର୍ଦ୍ଧାରଣ କରିଥାଏ। କେବଳ ଇଚ୍ଛାମତୀ ନୁହେଁ, ଗଙ୍ଗା (ବାଂଲାଦେଶରେ ପଦ୍ମାରୂପେ ପରିଚିତ), ବ୍ରହ୍ମପୁତ୍ର, ତିସ୍ତା, ଫେନି, କୁଶିୟାରା ଓ ମେଘନା ନଦୀ ଭାରତ-ବାଂଲାଦେଶ ସୀମାର ଅଂଶବିଶେଷ। ଦୁଇ ଦେଶର ସୀମା ନିର୍ଦ୍ଧାରଣ କରୁଥିବା ବ୍ରହ୍ମପୁତ୍ର ଓ ଗଙ୍ଗା ବୃହଦାକାରର ହୋଇଥିବ‌ା ବେଳେ ତିସ୍ତା, ଫେନି, କୁଶିୟାରା ଏବଂ ମେଘନା ପରି କ୍ଷୁଦ୍ର ନଦୀଗୁଡ଼ିକ ମଧ୍ୟ କେତେକ ସ୍ଥାନରେ ସୀମା ହୋଇଛନ୍ତି। ଏହି ସବୁ ନଦୀକୂଳରେ ଥିବା ସୀମାନ୍ତବର୍ତ୍ତୀ ଥାନାଗୁଡ଼ିକର ଅପାରଗତା ସଙ୍ଗକୁ ପର୍ଯ୍ୟାପ୍ତ ପାଟ୍ରୋଲିଂ ଅଭାବ ହେତୁ ସ୍ଥଳପଥ ଅପେକ୍ଷା ଏହି ନଦୀଗୁଡ଼ିକ ବାଂଲାଦେଶୀଙ୍କ ଅନୁପ୍ରବେଶ ପାଇଁ ସହଜ ଓ ସୁଗମ ପଥ ସାବ୍ୟସ୍ତ ହୋଇଛି।

fhfhfh

ଡଙ୍ଗାରେ ଆସନ୍ତି ଭାରତ
ବିଭିନ୍ନ ନଦୀ ସହ ସଂପୃକ୍ତ ଚୋରାବାଟ ଅନୁଧ୍ୟାନ କରିବାକୁ ‘ରବିବାର ସମ୍ବାଦ’ ଇଚ୍ଛାମତୀ କୂଳରେ ପହଞ୍ଚିଥିଲା। ସେଠାରେ ଦଳ ଦଳ ହୋଇ ଲୋକ ଅନ୍ଧାରରେ ଇତସ୍ତତଃ ଓ ଚିନ୍ତାଗ୍ରସ୍ତ ଅବସ୍ଥାରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା। ରାତ୍ରିର ଅନ୍ଧାର ବଢୁଥିଲା ଏବଂ ଇଚ୍ଛାମତୀ କୂଳ କ୍ରମଶଃ ଚଳଚଞ୍ଚଳ ହେଉଥିଲା। ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକର ବାସିନ୍ଦାମାନଙ୍କ ସହ କଥାବାର୍ତ୍ତାରୁ ଜଣାପଡ଼ିଥିଲା ଯେ ବାଂଲାଦେଶୀମାନେ ଭାରତରୁ ଫେରୁଛନ୍ତି ଏବଂ ପରିଚିତ ଓ ସଂପର୍କୀୟମାନେ ତାଙ୍କ ଆଗମନକୁ ଅପେକ୍ଷା କରିଛନ୍ତି। ବସିରହାଟ୍ ସହର ନିକଟବର୍ତ୍ତୀ ଯୋଜାଡ଼ଙ୍ଗାର ଏକ୍‌ଲାକ୍‌ ହୁସେନ୍‌ କହନ୍ତି, ‘‘ଏପରି ଗତିବିଧି ମୁଖ୍ୟତଃ ରାତିରେ ହିଁ ହୋଇଥାଏ। ବାଂଲାଦେଶ ପ୍ରତ୍ୟାବର୍ତ୍ତନ କରୁଥିବା ବ୍ୟକ୍ତିମାନଙ୍କୁ ନେଇ ଭାରତ କୂଳରୁ ଗୋଟିଏ ଡଙ୍ଗା ‘ଇଚ୍ଛାମତୀ’ ନଦୀର ମଧ୍ୟଭାଗରେ ପହଞ୍ଚେ। ଅନ୍ୟ ପକ୍ଷରେ ବାଂଲାଦେଶ ପଟୁ ଯାଇଥିବା ଆଉ ଏକ ଡଙ୍ଗା ସେଠାରେ ପହଞ୍ଚି ଅପେକ୍ଷା କରିଥାଏ। ଦୁଇଟି ଡଙ୍ଗା ପାଖାପାଖି ଲାଗିଯିବା ପରେ ଭାରତୀୟ ଡଙ୍ଗାରୁ ବାଂଲାଦେଶୀମାନେ ଅନ୍ୟ ଡଙ୍ଗାକୁ ଆସିଥାଆନ୍ତି ଏବଂ ଭାରତ ଆସିବାକୁ ଥିବା ବାଂଲାଦେଶୀ ଆର ଡଙ୍ଗାକୁ ପଳାଇ ଯାଆନ୍ତି।

ଉଭୟ ପଟର ଦଲାଲମାନଙ୍କର ମିଳିତ ପ୍ରୟାସରେ ଏହି କାର୍ଯ୍ୟ ହୋଇଥାଏ।’’ ବର୍ଷା ଦିନେ ଗାଈ ସାହାଯ୍ୟରେ ଇଚ୍ଛାମତୀ ନଦୀ ପାର ହେବା ସବୁଠାରୁ ସହଜ ବୋଲି ଏକ୍‌ଲାକ୍‌ ସୂଚନା ଦେଇଥିଲେ। ମଝିନଈରେ ଦୁଇଟି ଡଙ୍ଗାର ଯାତ୍ରୀ ଅଦଳବଦଳ ଅତ୍ୟନ୍ତ ସାବଧାନତାର ସହ କରାଯାଏ। ପ୍ରଶିକ୍ଷିତ ନାବିକମାନେ ଡଙ୍ଗା ଦୁଇଟିକୁ ସମାନ୍ତରାଳ ଭାବେ ସମାନ ଗତିରେ ଚଳାନ୍ତି। ଏଇ ସମୟରେ ଦଲାଲମାନେ ଦୁଇ ଡଙ୍ଗାର ଯାତ୍ରୀଙ୍କୁ ଅଦଳବଦଳ କରନ୍ତି। ଅଧିକାଂଶ ସମୟରେ ଏହି ଅଦଳବଦଳ କାର୍ଯ୍ୟ ରାତିରେ ହିଁ କରାଯାଏ। ଫଳରେ ସୁରକ୍ଷା କର୍ମୀ ଟେର୍‌ ପାଆନ୍ତି ନାହିଁ। ଏହାପରେ ‘ରବିବାର ସମ୍ବାଦ’ ପହଞ୍ଚିଥିଲା ବାଂଲାଦେଶ ସୀମାକୁ ଲାଗିଥିବା ପଶ୍ଚିମବଙ୍ଗର ଉତ୍ତରଭାଗରେ ଥିବା ହସନାବାଦ ଥାନା ଅନ୍ତର୍ଗତ ଟାକି ସହରରେ। ପଶ୍ଚିମବଙ୍ଗର ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଟାକି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କର ଏକ ପେଣ୍ଠ। ଇଚ୍ଛାମତୀ ନଦୀ ଏହି ସହରକୁ ବାଂଲାଦେଶର ଖୁଲନା ଜିଲ୍ଲାଠାରୁ ପୃଥକ କରିଥାଏ। ସାଂପ୍ରଦାୟିକ ସଦ୍‌ଭାବ  ପାଇଁ ଜଣାଶୁଣା ଟାକିରେ ବର୍ଷ ବର୍ଷ ଧରି ହିନ୍ଦୁ ଓ ମୁସଲ୍‌ମାନମାନେ ଏଠାରେ ଶାନ୍ତିରେ ରହିଆସିଛନ୍ତି। ଅନୁକୂଳ ପରିସ୍ଥିତିର ଫାଇଦା ନେଇ ବାଂଲାଦେଶୀ ଅନୁପ୍ରବେଶକାରୀ ଭାରତରେ ପଶିବା ସକାଶେ ଟାକିକୁ ବ୍ୟବହାର କରିଆସୁଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ପ୍ରସନ୍ନ ଚକ୍ରବର୍ତ୍ତୀ କହିଛନ୍ତି। ସେ ଆହୁରି କହନ୍ତି, ‘‘ଦେଶ ସ୍ବାଧୀନ ହେବା ପରଠାରୁ ଟାକି ସହରରେ ମା’ ଦୁର୍ଗାଙ୍କ ବିସର୍ଜନ ଉତ୍ସବ ଇଚ୍ଛାମତୀ ନଦୀକୂଳରେ ଧୂମଧାମ୍‌ରେ ପାଳିତ ହୋଇଆସୁଛି। ଏହି ସମୟରେ ପ୍ରବଳ ଜନସମାଗମ ହୋଇଥାଏ। ଭିଡ଼ର ସୁଯୋଗ ନେଇ ବାଂଲାଦେଶୀ ଅନୁପ୍ରବେଶକାରୀ ପଶ୍ଚିମବଙ୍ଗ ଭିତରକୁ ଚାଲି ଆସନ୍ତି। ମୋର ମନେଅଛି, ୨୦୧୧ ମସିହା ବିଜୟା ଦଶମୀରେ ବହୁସଂଖ୍ୟକ ବାଂଲାଦେଶୀ ନଦୀ ପାରିହୋଇ ଭାରତରେ ଅନୁପ୍ରବେଶ କରିଥିଲେ।’’

ଓଡ଼ିଶାକୁ ‘ଡଙ୍କି ରୁଟ୍’
ବାଂଲାଦେଶୀମାନେ ମୁଖ୍ୟତଃ ବଙ୍ଗୋପସାଗର ପାରିହୋଇ ଓଡ଼ିଶାରେ ପ୍ରବେଶ କରିଥାଆନ୍ତି। ଆଉ କିଛି ବାଂଲାଦେଶୀ ନାଗରିକ ଆସାମର ଧୁବୁରୀ ସୀମା ଦେଇ ଭାରତରେ ଅନୁପ୍ରବେଶ କରି ଓଡ଼ିଶା ଆସିଥାଆନ୍ତି। ଏହା ବ୍ୟତୀତ ବାଂଲାଦେଶୀମାନେ ରାଜ୍ୟର ପୂର୍ବ ଉପକୂଳରେ ଥିବା ବଙ୍ଗୋପସାଗର ଦେଇ ସିଧାସଳଖ ଓଡ଼ିଶାରେ ପ୍ରବେଶ କରିବାର ପ୍ରମାଣ ମଧ୍ୟ ରହିଛି। ସୂଚନା ଅନୁସାରେ, ବାଂଲାଦେଶୀ ଅନୁପ୍ରବେଶକାରୀମା‌େ‌ନ ଉପକୂଳବର୍ତ୍ତୀ ସାମୁଦ୍ରିକ ଚୋରାବାଟକୁ ବ୍ୟବହାର କରୁଛନ୍ତି। ଆବଶ୍ୟକ ସଂଖ୍ୟକ ସୁରକ୍ଷାକର୍ମୀଙ୍କ ଅଭାବ ଏବଂ ସାମୁଦ୍ରିକ ଥାନାଗୁଡ଼ିକର ଅପାରଗତା କାରଣରୁ ଜଳପଥରେ ବାଂଲାଦେଶର କକ୍‌ସ ଉପକୂଳରୁ ପଶ୍ଚିମବଙ୍ଗର କାକ୍‌ଦ୍ବୀପକୁ ବହୁ ବାଂଲାଦେଶୀ ଛୋଟ ଛୋଟ ଡଙ୍ଗାରେ ଦୀଘାଦେଇ ଓଡ଼ିଶାରେ ପ୍ର‌େବଶ କରୁଛନ୍ତି। ଦୀଘାରୁ ପାରାଦୀପ ଓ ପୁରୀ ପର୍ଯ୍ୟନ୍ତ ଏହି ‘ଡଙ୍କି ରୁଟ୍’ ପ୍ରଶସ୍ତ ‌ଅଟେ। ଦଲାଲମାନେ ଏଥିପାଇଁ ସମସ୍ତ ସୁବନ୍ଦୋବସ୍ତ ପୂର୍ବରୁ କରି ରଖିଥାନ୍ତି। ପ୍ରାୟ ଦୁଇମାସ ସେମାନଙ୍କୁ ବିଭିନ୍ନ ସ୍ଥାନରେ ଚୋରାଲୁଚାରେ ରଖିବାପରେ ସେମାନଙ୍କ ଲାଗି ଆବଶ୍ୟକ ଜାଲ୍ କାଗଜପତ୍ର ପ୍ରସ୍ତୁତ କରାଯାଇଥାଏ। ଏହି ଚୋରାବାଟରେ ସହଜରେ ପହଞ୍ଚି ହେଉଥିବା ଜିଲ୍ଲା ମଧ୍ୟରେ ରହିଛି କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଭଦ୍ରକ ଓ ବାଲେଶ୍ବର। ବାଂଲାଦେଶୀମାନେ କେବଳ ଜଳପଥ ନୁହେଁ, ସ୍ଥଳପଥରେ ବି ଆସୁଛନ୍ତି। ପ୍ରଥମେ ପଶ୍ଚିମବଙ୍ଗରେ ପ୍ରବେଶକରି ପରବର୍ତ୍ତୀ କାଳରେ ଓଡ଼ିଶାରେ ପଶୁଥିବା ସୂଚନା ରହିଛି।

ଦଲାଲଙ୍କ ଦୋହରା ଲାଭ
ବର୍ତ୍ତମାନ ବାଂଲାଦେଶୀଙ୍କୁ ନେଇ ତନାଘନା ଆରମ୍ଭ ହେବାପରେ ଦଲାଲ ଦୋହରା ଲାଭ କରୁଛନ୍ତି। ପ୍ରଥମତଃ, ପଶ୍ଚିମବଙ୍ଗର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଦଲାଲ ମୋଟା ଅଙ୍କର ଅର୍ଥ ନେଇ ବାଂଲାଦେଶୀମାନଙ୍କୁ ଅବୈଧ ଉପାୟରେ ଭାରତରେ ପ୍ରବେଶ କରାଇଥାନ୍ତି। ଏହାପରେ ସେମାନେ ସେହି ବାଂଲାଦେଶୀମାନଙ୍କୁ ପୁଣି ଥରେ ବାଂଲାଦେଶ ଫେରିବା ପାଇଁ ମୋଟା ଅଙ୍କର ଟଙ୍କା ଆଦାୟ କରୁଛନ୍ତି। ୨୦୧୯ ମସିହାରେ ନାଗରିକ ସଂଶୋଧନ ବିଲ୍ (ସି.ଏ.ବି.) ଭାରତରେ ଆଇନ ହେବା ପରଠାରୁ ବହୁ ବାଂଲାଦେଶୀ ସ୍ବଦେଶ ଫେରୁଛନ୍ତି। ସୀମାନ୍ତବର୍ତ୍ତୀ ଅଞ୍ଚଳର ବାସିନ୍ଦା ଜାହାଙ୍ଗୀର୍‌ ହୁସେନ୍‌ଙ୍କ ସୂଚନା ଅନୁଯାୟୀ, ସଂପ୍ରତି ବାଂଲାଦେଶୀଙ୍କ ସ୍ବଦେଶ ଫେରିବା ବୃଦ୍ଧି ପାଇଛି ଏବଂ ଏ ବାବଦରେ ଦଲାଲମାନେ ପ୍ରବଳ ଟଙ୍କା ଆଦାୟ କରୁଛନ୍ତି। ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଏପରି ଅନୁପ୍ରବେଶ ଘଟଣା ଅଧିକ ସଂଖ୍ୟାରେ ପରିଦୃଷ୍ଟ ହୋଇଥାଏ। କାରଣ ଏହି ଜିଲ୍ଲା ଓ ବାଂଲାଦେଶ ମଧ୍ୟରେ ନଦୀର ସୀମା ରହିଛି।

କେତେକ ଦଲାଲ କହନ୍ତି, ନିଜ ଦେଶକୁ ଫେରିଯିବାକୁ ଚାହୁଥିବା ବାଂଲାଦେଶୀମାନଙ୍କ ନିକଟରେ ପାସ୍‌ପୋର୍ଟ ଓ ବୈଧ ଭାରତୀୟ ଭିସା ନ ଥିବାରୁ ସେମାନେ ଆଇନଗତ ଭାବେ ପ୍ରତ୍ୟାବର୍ତ୍ତନ କରିପାରୁ ନାହାନ୍ତି। ଏହି କାରଣରୁ ସେମାନଙ୍କୁ ଦଲାଲଙ୍କ ସହାୟତା ନେବାକୁ ପଡୁଛି। ଜଣେ ଦଲାଲ କହିଛନ୍ତି ଯେ କେତେକ ଅନୁପ୍ରବେଶକାରୀ ବାଂଲାଦେଶ ଫେରିଯିବାକୁ ତାଙ୍କୁ ଅନୁରୋଧ କରୁଛନ୍ତି। କିନ୍ତୁ ‘ଡଙ୍କି ରୁଟ୍’ରେ ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଥିବାରୁ ସେମାନଙ୍କୁ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଗୋପନ ଭାବେ ରଖାଯାଇଛି। ଏମାନଙ୍କ ମଧ୍ୟରୁ ପାରାଦୀପ ଅଞ୍ଚଳରୁ ଆଠଜଣ ଲୋକ ଆସିଥିଲା ବେଳେ ପୂର୍ବରୁ କେନ୍ଦ୍ରାପଡ଼ାର ରାଜନଗର ଅଞ୍ଚଳର ଛ’ଜଣଙ୍କୁ ବାଂଲାଦେଶ ପଠାଯାଇଛି। ଚୋରାରାସ୍ତାରେ ଭାରତ ଆସି ପୁଣି ସ୍ବଦେଶ ଯିବାକୁ ଚାହୁଥିବା ଏହି ବାଂଲାଦେଶୀଙ୍କ ନିକଟରେ ଜାଲ୍ ଆଧାର କାର୍ଡ ଓ ଭାରତୀୟ ରାସନ୍‌କାର୍ଡ ରହିଛି।

ପୂର୍ବରୁ ଦଲାଲମାନେ ନଈନାଳ, ସମୁଦ୍ର ସୀମାଦେଇ ବାଂଲାଦେଶୀଙ୍କୁ ଚୋରାବାଟରେ ଭାରତରେ ପ୍ରବେଶ କରାଇବା ପାଇଁ ମୁଣ୍ଡପିଛା ୧୫ରୁ ୨୦ ହଜାର ଟଙ୍କା ନେଉଥିଲେ। ଏବେ ସେମାନଙ୍କୁ ବାଂଲାଦେଶକୁ ଫେରସ୍ତ ପଠାଇବା ସକାଶେ ମୁଣ୍ଡପିଛା ୨୮ରୁ ୩୦ ହଜାର ପର୍ଯ୍ୟନ୍ତ ଟଙ୍କା ‌ଜୋର୍ କରି ନେଉଛନ୍ତି। ଚୋରାବାଟରେ ଆସିଥିବା ବାଂଲାଦେଶୀଙ୍କଠାରୁ କେତେକ କ୍ଷେତ୍ରରେ ମୁଣ୍ଡପିଛା ଏକ ଲକ୍ଷ ଟଙ୍କା ମଧ୍ୟ ଆଦାୟ କରାଯାଉଛି ବୋଲି ଦଲାଲ ହୁସେନ୍ ମହମ୍ମଦ୍‌ (ଛଦ୍ମନାମ) ପ୍ରକୃତ ନାମ ଗୋପନ ରଖିବା ସର୍ତ୍ତରେ ‘ରବିବାର ସମ୍ବାଦ’କୁ କହିଛନ୍ତି।