ପ୍ରଥମରୁ କହି ରଖାଯିବା ଉଚିତ ଯେ ଏହି ଶୀର୍ଷକର ଅର୍ଥ ହେଲା ଆମ ରାଜ୍ୟରେ ରଙ୍ଗ ତିଆରି ଲାଗି ଉଦ୍ୟୋଗ ପ୍ରାୟତଃ ଅଦୃଶ୍ୟ କାହିଁକି? କାନ୍ଥ ବା ଲୁହା ବା କାଠ ରଙ୍ଗ କାରବାରର ପ୍ରାୟ ୭୫-୮୦ ଭାଗ ‘ଏସିଆନ୍ ପେଣ୍ଟ୍, ବର୍ଜର ପେଣ୍ଟ୍ସ, ନେରୋଲାକ ପେଣ୍ଟ୍ସ, ନିପନ ଓ ଆକଜୋ ନୋବେଲ ଭଳି ପ୍ରତିଷ୍ଠିତ ବ୍ରାଣ୍ଡ୍ମାନ ଅକ୍ତିଆର କରିଛନ୍ତି। ପ୍ରକାଶ ଥାଉ କି ଦେଶରେ ପ୍ରଥମ ରଙ୍ଗ କମ୍ପାନି ୧୯୦୨ ମସିହାରେ କଲିକତାର ହାଓଡ଼ା ଠାରେ ପ୍ରତିଷ୍ଠିତ ହୋଇଥିଲା, ଯାହା ଥିଲା ଦୁଇ ବ୍ରିଟିସ ଉଦ୍ୟୋଗୀଙ୍କ ପରିଶ୍ରମର ଫଳ। ତା’ର ନାମ ଥିଲା ‘ଶାଲିମାର ପେଣ୍ଟ କଲର ଏଣ୍ଡ୍ ବାର୍ନିସ କମ୍ପାନି’। ସେମିତି ଆଜିର ‘ବର୍ଜର ପେଣ୍ଟ’ ଓ ‘ନେରୋଲାକ ପେଣ୍ଟ’ ସେତେବେଳେ ଯଥାକ୍ରମେ ‘ବ୍ରିଟିସ ପେଣ୍ଟ’ ଓ ‘ଗୁଡ୍ଲାସ ୱାଲ୍ସ’ ନାମରେ ପରିଚିତ ଥିଲେ। ୧୯୪୨ ମସିହାରେ ପ୍ରଥମ କରି ‘ଏସିଆନ ପେଣ୍ଟ୍ସ’ ନାମଧାରୀ ସ୍ବଦେଶୀ କମ୍ପାନି ରଙ୍ଗ କାରଖାନା ବସାଇଲେ। ଏହା ପରଠାରୁ ଆଜି ଭିତରେ ୧୨ଟି ବଡ଼ ନାମୀ ରଙ୍ଗ କମ୍ପାନି ଓ ପ୍ରାୟ ୨୦୦୦ଟି କ୍ଷୁଦ୍ର ଓ ଆଞ୍ଚଳିକ ରଙ୍ଗ କମ୍ପାନି ସ୍ଥାପିତ ହୋଇ ସାରିଛନ୍ତି। ବିଦେଶରେ ଚୀନା ରଙ୍ଗ କଂପାନିର ଚାହିଦା ଅଧିକ; ଉଦାହରଣ ସ୍ବରୂପ ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଦେଶଗୁଡ଼ିକରେ ଚୀନର ବଜାର ଅଂଶ ୬୦% ଥିଲା ବେଳେ ଭାରତର ବଜାର ଅଂଶ ମାତ୍ର ୧୨%। ସେଠାରେ ଜାପାନର ଅଂଶ ୮%, କୋରିଆର ୬% ଓ ଅନ୍ୟାନ୍ୟ ଦେଶମାନଙ୍କର ୧୪ ପ୍ରତିଶତ।
୨୦୨୩-୨୦୨୪ ଆର୍ଥିକ ବର୍ଷ ସୁଦ୍ଧା ଭାରତରେ ରଙ୍ଗ ବ୍ୟବସାୟର ବଜାରର ମୂଲ୍ୟ ପହଞ୍ଚିଥିଲା ୯.୫୬ ବିଲିଅନ୍ ଡଲାର୍ ବା ୮୦,୩୦୪ କୋଟି ଟଙ୍କାରେ। ଏହା ବାର୍ଷିକ ୯%-୧୦% ଚକ୍ର ବୃଦ୍ଧି ହାରରେ ବୃଦ୍ଧି ପାଇବାରେ ଲାଗିଛି। ଏକ ଆକଳନ ଅନୁସାରେ ଆଗାମୀ ୫ ବର୍ଷରେ ଏହି ବ୍ୟବସାୟର ବାର୍ଷିକ ମୂଲ୍ୟ ୧୫ ବିଲିଅନ୍ ଡଲାର୍ ବା ୧.୨୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ। ନାମୀ କମ୍ପାନିର ରଙ୍ଗ ବ୍ୟବହାର କରିବାର ଆଗ୍ରହ ହେତୁ ଦିନକୁ ଦିନ ଉପର ବର୍ଣ୍ଣିତ ନାମୀ କମ୍ପାନିଗୁଡ଼ିକର ବଜାର ଅଂଶ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ଉଦ୍ୟୋଗ ଓ ବ୍ୟବସାୟ ଯେ ଦ୍ରୁତ ବୃଦ୍ଧିଶୀଳ ଏଥିରେ ଦ୍ବିରୁକ୍ତି ନାହିଁ।
ଏଇ ସନ୍ଦର୍ଭରେ ଆମ ରାଜ୍ୟ ଉପରେ ଏକ ନଜର ପକାଯାଉ। ରଙ୍ଗ ବ୍ୟବସାୟର ଆକାର ପରିପ୍ରେକ୍ଷୀରେ ଏହା ଯେ ନିତାନ୍ତ ନିରାଶାଜନକ ତହିଁରେ ଦ୍ବିରୁକ୍ତି ନାହିଁ। ତେବେ ଏହାର କାରଣ କ’ଣ? ଏହା ମୁଖ୍ୟତଃ ଦୁଇଟି। ପ୍ରଥମଟି ହେଲା ବଡ଼ ଧରଣର ରଙ୍ଗ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ବିପୁଳ ପୁଞ୍ଜିର ଆବଶ୍ୟକତା ଥିବାରୁ ଆମ ରାଜ୍ୟରେ ଏ ସଂକ୍ରାନ୍ତ ଅଭିଜ୍ଞତାର ଅଭାବ ହୁଏତ ଉଦ୍ୟୋଗୀମାନଙ୍କୁ ଏ କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ସାହସ ଯୋଗାଇ ପାରୁନାହିଁ। ଦ୍ବିତୀୟରେ କେବଳ ପ୍ରତିଷ୍ଠିତ ବ୍ରାଣ୍ଡ୍ ଉପରେ ଲୋକଙ୍କ ଆସ୍ଥା କାରଣରୁ ବ୍ୟାବସାୟିକ ବିଫଳତାକୁ ଭୟ କରି ଉଦ୍ୟୋଗୀ ମାନେ ସମ୍ଭବତଃ ଏ ଦିଗରେ ଆଗ୍ରହୀ ହେଉ ନାହାନ୍ତି। ତେଣୁ ଓଡ଼ିଶାରେ ରଙ୍ଗ ବ୍ୟବସାୟ କେବଳ ‘ଡିଲର୍ସିପ୍’ ବା ବିକ୍ରେତାଙ୍କ ମଧ୍ୟରେ ସୀମିତ।
ଏବେ ସମସ୍ୟାର ସମ୍ଭାବ୍ୟ ସମାଧାନ କଥା ବିଚାର କରିବା। ‘ଏସିଆନ ପେଣ୍ଟ’ର ରିପୋର୍ଟରୁ ଜଣାପଡ଼ିଥାଏ ଯେ ଭାରତରେ ପ୍ରାୟ ୪୦% ଲୋକ ଆର୍ଥିକ ଅକ୍ଷମତା କାରଣରୁ ଅଧିକ ଦାମ୍ ଦେଇ ପ୍ରତିଷ୍ଠିତ ବ୍ରାଣ୍ଡ୍ର ରଙ୍ଗ ବଦଳରେ ଆଞ୍ଚଳିକ କମ୍ପାନି ଦ୍ବାରା ପ୍ରସ୍ତୁତ ଶସ୍ତା ଦରର ରଙ୍ଗ କିଣୁଥିଲେ ବା ଚୂନର ବ୍ୟବହାର କରୁଥିଲେ। ଏହାକୁ ଦେଖି ଚୂନର ସମକକ୍ଷ ‘ଡିସ୍ଟେଂପର୍’ ରଙ୍ଗ ତିଆରି ହେଲା। ଆମ ରାଜ୍ୟରେ ‘ଡିସ୍ଟେଂପର୍’ ରଙ୍ଗର ଏକ ଭଲ ବଜାର ମଧ୍ୟ ଅଛି। କିନ୍ତୁ ଏକ ଧାରଣା ସୃଷ୍ଟି ହୋଇଛି ଯେ ଆଞ୍ଚଳିକ ଓ ସ୍ବଳ୍ପ ଜ୍ଞାତ ରଙ୍ଗ କଂପାନିଗୁଡ଼ିକ ନିର୍ଦ୍ଧାରିତ ଗୁଣବତ୍ତା ଉପରେ ଦୃଷ୍ଟି ଦିଅନ୍ତି ନାହିଁ ବା ଏଭଳି ଅନେକ ରଙ୍ଗ ନକଲି ହୋଇଥାଏ। ସେଭଳି ଧାରଣା ଦୂର ହେବା ଜରୁରି। ଆମ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ୧୯୮୧ ମସିହାରୁ ‘ପପୁଲାର ପେଣ୍ଟ ଏଣ୍ଡ୍ କେମିକାଲ୍ସ’ ରଙ୍ଗ ପ୍ରସ୍ତୁତ କରୁଛି। ଛତିଶଗଡ଼ ସମେତ ୭ଟି ରାଜ୍ୟରେ ଏହି କଂପାନିର ୨୨୦୦ ଡିଲର୍ ଅଛନ୍ତି। ଛତିଶଗଡ଼କୁ ଲାଗି ରହିଥିବା ଆମ ରାଜ୍ୟରେ ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ ଆଦି ଜିଲ୍ଲାରେ ଏହି ରଙ୍ଗ ବହୁଳ ଭାବେ ବିକ୍ରି ହୋଇଥାଏ। ଛତିଶଗଡ଼ରେ ଏଭଳି ୧୮-୨୫ଟି ରଙ୍ଗ ତିଆରି କରୁଥିବା କାରଖାନା ରହିଛି। ୨୦୦୮ ମସିହାରୁ ରଙ୍ଗ ତିଆରି କରୁଥିବା ରାଜସ୍ଥାନସ୍ଥିତ ‘କାମଧେନୁ ପେଣ୍ଟ’ ମଧ୍ୟ ଆଉ ଏକ ଉଦାହରଣ। ଗତ ୧୫ ବର୍ଷ ମଧ୍ୟରେ ଏହି କମ୍ପାନି ୪୩୦୦ ଡିଲର୍ଙ୍କ ଏକ ବିଶାଳ ବ୍ୟବସାୟ ନେଟ୍ୱର୍କ ତିଆରି କରି ପାରିଛି। ସେମିତି ୨୦୧୦ ମସିହାରେ ହାଇଦ୍ରାବାଦରେ ସ୍ଥାପିତ ‘ରେଟିନା ପେଣ୍ଟ୍ସ’ ଏହାର ଆଉ ଏକ ଉଦାହରଣ। ଓଡ଼ିଶାର ଦକ୍ଷିଣ ଭାଗରେ ଏହି କମ୍ପାନିର ବ୍ୟବସାୟ ପ୍ରଖର ବେଗରେ ବଢ଼ିବାକୁ ଲାଗିଛି। ତେଣୁ ଆମ ରାଜ୍ୟରେ କେବଳ ଯେ ପ୍ରତିଷ୍ଠିତ ବ୍ରାଣ୍ଡ୍ ବ୍ୟବସାୟ କରୁଛନ୍ତି, ତାହା ନୁହେଁ। ବାହାର ରାଜ୍ୟର ସ୍ବଳ୍ପ ଜ୍ଞାତ ରଙ୍ଗ କଂପାନିଗୁଡ଼ିକ ମଧ୍ୟ ଆମ ରାଜ୍ୟର ଚାହିଦାର ଫାଇଦା ନେଉଛନ୍ତି। ତାହା ହେଲେ ଆମ ନିଜ ରାଜ୍ୟରେ ରଙ୍ଗ କଂପାନି ସ୍ଥାପିତ ହେଲେ, ସେହି ସୁଯୋଗ ନେଇପାରିବ ନାହିଁ କାହିଁକି? ତେଣୁ ଏଠାରେ ରଙ୍ଗ କଂପାନି ଚାଲି ପାରିବ ନାହିଁ ବୋଲି ଉଦ୍ୟୋଗୀ ମାନଙ୍କ ମନରେ ରହିଥିବା ‘ଏଣ୍ଟ୍ରି ବ୍ୟାରିଅର୍’ ବା ‘ପ୍ରବେଶ ପ୍ରତିବନ୍ଧକ’ ସୁଲଭ ଧାରଣା ଦୂର ହେବା ଉଚିତ। ଏହା ମଧ୍ୟ ସତ ଯେ ଏକ ବୃହତ୍ ରଙ୍ଗ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ବିପୁଳ ପୁଞ୍ଜିର ଆବଶ୍ୟକତା ଥାଏ ଏବଂ ବଜାରରେ ନୂଆ କମ୍ପାନିଗୁଡ଼ିକୁ ଈପ୍ସିତ ବେପାର ପାଇବା ଲାଗି ଅନ୍ତତଃ ୫ରୁ ୬ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ। ତେଣୁ ଏହି ଉଦ୍ୟୋଗର ପ୍ରତିଷ୍ଠା ଓ ବିକାଶ ନିମନ୍ତେ ସରକାରୀ ସାହାଯ୍ୟ ନିତାନ୍ତ ଆବଶ୍ୟକ। ତେବେ ବୃହତ୍ ପ୍ରକଳ୍ପ ପରିବର୍ତ୍ତେ ଛୋଟ ରଙ୍ଗ କାରଖାନାର ପରିକଳ୍ପନା କରାଯାଇପାରେ। ତେବେ ପୁଂଜି ଓ ଆବଶ୍ୟକ ଜାଗା ଲାଗି ସରକାରୀ ସହଯୋଗ ଓ ପ୍ରୋତ୍ସାହନ ଲୋଡ଼ା ପଡ଼ିଥାଏ। ଉଲ୍ଲେଖ ଥାଉ କି ନିକଟରେ ‘ଇଡ୍କୋ’ ପକ୍ଷରୁ ‘ବର୍ଜର ପେଣ୍ଟ୍’ କମ୍ପାନିକୁ ଖୋର୍ଦ୍ଧା ଜିଲ୍ଲାରେ ୮୦ ଏକର ପରିମିତ ଜମି ପ୍ରଦାନ କରାଯାଇଛି। ଏହା ଦ୍ବାରା ରାଜ୍ୟରେ ୪.୧୦ ଲକ୍ଷ ମେଟ୍ରିକ୍ ଟନ୍ ବିଶିଷ୍ଟ ରଙ୍ଗ କାରଖାନା ବସାଇବ। ଏହି ପରିପ୍ରେକ୍ଷୀରେ ଆଶା କରାଯିବା ଉଚିତ ଯେ ରାଜ୍ୟରେ ଏହି ଶିଳ୍ପର ଭିତ୍ତି ପ୍ରସ୍ତୁତ କରିବା ଲାଗି ସରକାର ସ୍ଥାନୀୟ ଉଦ୍ୟୋଗୀଙ୍କ ସକାଶେ ସହଯୋଗ ଓ ସବ୍ସିଡିର ବ୍ୟବସ୍ଥା କରିବେ।
‘ଆଇ.ସି.ଆଇ.ସି.ଆଇ. ଡାଇରେକ୍ଟ’ର ମାର୍କେଟ୍ ରିସର୍ଚ ରିପୋର୍ଟରେ କୁହାଯାଇଛି ଯେ ପ୍ରତି ୮ରୁ ୧୦ ବର୍ଷରେ ଥରେ ଘରକୁ ରଙ୍ଗ କରିବାର ଧାରା ଏବେ ହାରାହାରି ୩ରୁ ୫ ବର୍ଷକୁ ଖସି ଆସିଛି, ଯାହା ରଙ୍ଗ ବ୍ୟବସାୟ ବୃଦ୍ଧିର ଏକ କାରଣ। ଏଣେ ଆମ ରାଜ୍ୟରେ ‘ରିଏଲ୍ ଇଷ୍ଟେଟ୍’ ଓ ଭିତ୍ତିଭୂମି ନିର୍ମାଣ କାରବାରରେ ବାର୍ଷିକ ପ୍ରାୟ ୧୨% ହାରରେ ବୃଦ୍ଧି ଘଟୁଛି, ଅର୍ଥାତ୍ ରଙ୍ଗ ବ୍ୟବସାୟ କେବଳ ଉର୍ଦ୍ଧ୍ବମୁଖୀ ହୋଇ ରହିବା ଏକ ସ୍ବାଭାବିକତା ହିଁ ହେବ। ତେବେ, ଆମ ରାଜ୍ୟ ତଥା ଅନ୍ୟ ରାଜ୍ୟରେ ଅସାଧୁ କଂପାନିଗୁଡ଼ିକ ନକଲି ରଙ୍ଗ ତିଆରି କରୁ ନାହାନ୍ତି ବୋଲି କହିବା ମଧ୍ୟ ସତ୍ୟର ଅପଳାପ ହେବ। ତେଣୁ ନକଲି ରଙ୍ଗର ମୂଳୋତ୍ପାଟନ କରିବାକୁ ହେବ, ଯାହା ହେଲେ ଅସଲି ରଙ୍ଗ ବଜାର ପ୍ରବେଶ କରି ଗ୍ରାହକ ପ୍ରତ୍ୟୟ ସୃଷ୍ଟି କରିପାରିବ। ଆଉ ଏକ ସମସ୍ୟା ହେଲା ରଙ୍ଗ ତିଆରି ଲାଗି ଲୋଡ଼ା କଞ୍ଚାମାଲ ଦରରେ ଅହେତୁକ ବୃଦ୍ଧି। ଅନେକାଂଶରେ ରଙ୍ଗ ପାଇଁ ଆବଶ୍ୟକ କଞ୍ଚାମାଲକୁ ବିଦେଶରୁ ଆମଦାନି କରାଯାଉଥିବାରୁ ରଙ୍ଗ ପ୍ରସ୍ତୁତି ଅଧିକ ବ୍ୟୟବହୁଳ ହୋଇଯାଇଛି। ରଙ୍ଗ ପ୍ରସ୍ତୁତି ଲାଗି ମୁଖ୍ୟତଃ ପିଗ୍ମେଣ୍ଟ, ବାଇଣ୍ଡର୍ ବା ରେଜିନ୍ସ, ସଲ୍ଭେଣ୍ଟ୍ସ ଓ ଟର୍ପେଣ୍ଟାଇନ୍ ଭଳି କଞ୍ଚାମାଲର ଆବଶ୍ୟକତା ପଡ଼ିଥାଏ। ରଙ୍ଗକୁ ତା’ର ବର୍ଣ୍ଣ ପ୍ରଦାନ କରିଥାଏ ପିଗ୍ମେଣ୍ଟ। ପିଗ୍ମେଣ୍ଟ ପ୍ରସ୍ତୁତି ପାଇଁ ଆବଶ୍ୟକ କଞ୍ଚାମାଲ ଆମ ରାଜ୍ୟରେ ଉପଲବ୍ଧ। ତେଣୁ ପିଗ୍ମେଣ୍ଟ କାରଖାନା ମଧ୍ୟ ସ୍ଥାପନ କରାଯାଇପାରେ। ଆମ ଦେଶରେ ଅନେକ ପ୍ରତିଷ୍ଠିତ ଉଦ୍ୟୋଗୀ ପିଗ୍ମେଣ୍ଟ ପ୍ରସ୍ତୁତ କରି ରଙ୍ଗ କମ୍ପାନିଙ୍କୁ ଯୋଗାନ୍ତି। ଉଲ୍ଲେଖ ଥାଉ କି ଓଡ଼ିଶାର ରାଉରକେଲା ଓ ଝାରସୁଗୁଡ଼ାରେ ମଧ୍ୟ ଲଘୁ, କ୍ଷୁଦ୍ର ଓ ମଧ୍ୟମ ସ୍ତରୀୟ ପିଗ୍ମେଣ୍ଟ ଉଦ୍ୟୋଗ ରହିଛି। ଆମ ରାଜ୍ୟରେ ପିଗ୍ମେଣ୍ଟ ଲାଗି କଞ୍ଚାମାଲ ଉପଲବ୍ଧ ଥିବାରୁ ଅଧିକ ସଂଖ୍ୟକ ଏଭଳି ଉଦ୍ୟୋଗ ହେବା ଉଚିତ। ସେହିଭଳି ରଙ୍ଗ ଉଦ୍ୟୋଗ ସହିତ ଜଡ଼ିତ ଦକ୍ଷତା ବିକାଶ ତଥା ପାଠ୍ୟକ୍ରମ (‘ପାଉଡର୍ ମେଟାଲର୍ଜି’) ଉପରେ ଗୁରୁତ୍ବ ପ୍ରଦାନ ଆବଶ୍ୟକ।
ରଙ୍ଗ ଉଦ୍ୟୋଗ ଏକ ନିରନ୍ତର ବୃଦ୍ଧି ପାଉଥିବା କ୍ଷେତ୍ର, ଯାହାର ସୁଯୋଗ ଆମ ରାଜ୍ୟ ନେବା ଉଚିତ।
ମୋ: ୯୭୯୧୧୨୧୦୬୮
ବଣିଜ ବିଚାର: ଓଡ଼ିଶା ଉଦ୍ୟୋଗରେ ‘ରଙ୍ଗ’ ନାହିଁ କାହିଁକି?
ପୂର୍ଣ୍ଣେନ୍ଦୁ କର