କୋଲକାତା: କୋଲକାତାରେ ଥିବା ସୋନାଗାଚ୍ଛିକୁ ଏସିଆର ସବୁଠାରୁ ବଡ଼ ରେଡ଼୍ ଲାଇଟ୍ ଏରିଆ ଭାବେ ଜଣାଶୁଣା । ପ୍ରାୟ ୧୧,୦୦୦ ଦେହଜୀବି ଏଠି ବସବାସ କରନ୍ତି । ଦୀର୍ଘ ଦିନ ଧରି ଏଠାରେ ରହୁଥିବା ଦେହଜୀବୀମାନେ ବ୍ୟାଙ୍କ ଏବଂ ବ୍ୟାଙ୍କରେ ମିଳୁଥିବା ସୁବିଧାକୁ ଉପଭୋଗ କରିପାରୁ ନ ଥିଲେ । କାରଣ ସେମାନଙ୍କ ପେସା ଯୋଗୁ ସେମାନଙ୍କୁ କେହି ବ୍ୟାଙ୍କ ଯିବାକୁ ଦେଉ ନଥିଲେ । ସାଧାରଣ ମଣିଷଙ୍କ ଭଳି ସେମାନଙ୍କୁ କିଛି ସୁବିଧା ମିଳୁ ନଥିଲା ।
ପଢ଼ିବା ପାଇଁ ହେଉ ବା ରୋଜଗାର କରିବା ପାଇଁ ହେଉ ସେମାନଙ୍କୁ ସାଧାରଣ ଲେକାମାନଙ୍କ ଭଳି ସୁବିଧା ମିଳୁ ନ ଥିଲା । ଏହି ସବୁ ସମସ୍ୟାର ସମାଧାନ ପାଇଁ ୨ ଦଶକ ପୂର୍ବରୁ ୧୩ ଜଣ ଦେହଜୀବୀ ମିଶି ନିଜର ଜମା ପୁଞ୍ଜି ମିଶାଇ ଉଷା ନାମରେ ଏକ ବ୍ୟାଙ୍କ ଖୋଲିଥିଲେ । ଏହାକୁ ଦେହଜୀବୀମାନଙ୍କର ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ପାଇଁ ଗଢ଼ା ଯାଇଥିଲା । ଜୁନ୍ ୨୧, ୧୯୯୫ରେ ମାତ୍ର ୩୦,୦୦୦ଟଙ୍କା ପୁଞ୍ଜିକୁ ନେଇ ଆରମ୍ଭ ହୋଇଥବା ଏହି ବ୍ୟାଙ୍କର ଜମା ପୁଞ୍ଜି ଏବେ ୩୦ କୋଟିରେ ପହଞ୍ଚିଲାଣି । ଏହି ବ୍ୟାଙ୍କ ହେବା ଦ୍ୱାରା ସେମାନେ ଋଣ ନେଇ କାମରେ ଲଗାଇ ପାରୁଛନ୍ତି ।
ଏହା ଉପରେ ନିଜର ମତ ରଖି ୩୬ ବର୍ଷୀୟ ଜରେ ଦେହଜୀବୀ କହନ୍ତି, ‘ଆଗରୁ ବ୍ୟାଙ୍କକୁ ଲୋନ ଆଣିବାକୁ ଗଲେ ସେମାନେ ଆମ ମାନଙ୍କ ପେସା ବିଷୟରେ ଜାଣି ଆମକୁ ଲୋନ ଦେଉ ନ ଥିଲେ । ଯାହା ଦ୍ୱାରା ଆମର ଦରକାର ବେଳେ ଆମେ ପଇସା ପାଇ ପାରୁ ନଥିଲୁ । କିନ୍ତୁ ଉଷା ବ୍ୟାଙ୍କ ହେବା ପର ଠାରୁ ମୁଁ ମୋର ତିନି ଭଉଣୀଙ୍କ ବିବାହ ଏବଂ ଘରର ମରାମତି କରିବା ପାଇଁ ପାଞ୍ଚ ଥର ଲୋନ କରି ସାରିଛି । ’
୨୦୧୬-୧୭ରେ ଏହି ବ୍ୟାଙ୍କ ୭,୨୩୧ ଦେହଜୀବୀଙ୍କ ପିଲାମାନଙ୍କ ପଢ଼ା ଖର୍ଚ୍ଚ ଏବଂ ଘର କରିବା ପାଇଁ ପ୍ରାୟ ୭.୬୨ କୋଟି ଟଙ୍କା ଲୋନ ଦେଇଛି । ଏହି ବ୍ୟାଙ୍କର ୩ଟି ଶାଖା ଥିବା ବେଳେ ୧୬ କଲେକ୍ସନ୍ ସେଣ୍ଟର ଅଛି । ପ୍ରାୟ ୨୮ ଜଣ ଦେହଜୀବୀଙ୍କ ପିଲାମାନେ ଏଜେଣ୍ଟ ହିସାବରେ ଲୋନ ନେଇଥିବା ଲୋକଙ୍କଠାରୁ ପଇସା ଆଣି ଜମା କରନ୍ତି ।