ବର୍ଷାରେ ଫସିଥିଲା ଆମ୍ବୁଲାନ୍ସ, ଦେବଦୂତ ସାଜି ଉଦ୍ଧାର କଲେ ବ୍ୟାଙ୍କ ମ୍ୟାନେଜର

ଚେନ୍ନାଇ: ଶୁକ୍ରବାର ତାମିଲନାଡୁ ରାଜଧାନୀ ଚେନ୍ନାଇରେ ପ୍ରବଳ ବର୍ଷାଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ବେଳେ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ସାହସିକ କାର୍ଯ୍ୟ ଚର୍ଚ୍ଚାକୁ ଆସିଛି। ଜିନ୍ନା ନାମକ ଏହି ବ୍ୟକ୍ତିଙ୍କ କାର୍ଯ୍ୟର ଭିଡିଓ ସୋସିଆଲ୍ ମିଡିଆରେ ସେୟାର ହେବାପରେ ପ୍ରଶଂସିତ ହୋଇଛି। ପ୍ରବଳ ବର୍ଷା ଯୋଗୁ ଚେନ୍ନାଇର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇ ଯାଇଥିଲା । ରାସ୍ତା ପାଣିରେ ବୁଡ଼ିଯିବା ଯୋଗୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ବହୁସଂଖ୍ୟାରେ ଲୋକେ ଟ୍ରାଫିକ୍ ଜାମ୍ ଯୋଗୁଁ ଫସି ରହିଥିଲେ।

ଏହି ଟ୍ରାଫିକ୍ ଜାମ୍ ଯୋଗୁ ଆନ୍ନା ସଲାଇରେ ତିନୋଟି ଆମ୍ଵଲାନ୍ସ ଅଟକି ରହିଥିଲା । ଗୁରୁତର ରୋଗୀଙ୍କୁ ନେଇ ଏହି ତିନୋଟି ଆମ୍ଵଲାନ୍ସ ରାଜୀବ ଗାନ୍ଧି ହସ୍ପିଟାଲକୁ ଯାଉଥିଲେ । କିନ୍ତୁ ଆମ୍ଵଲାନ୍ସ ଡ୍ରାଇଭରମାନେ ଟ୍ରାଫିକ୍ ଜାମ୍ ଯୋଗୁଁ ବାହାରିବାର ରାସ୍ତା ପାଉ ନଥିଲେ । ଏହି ସମୟରେ ଏକ ଘରୋଇ ବ୍ୟାଙ୍କର ମ୍ୟାନେଜର ଜିନ୍ନା ପରିସ୍ଥିତିକୁ ଦେଖି ରାସ୍ତାକୁ ଓହ୍ଲାଇ ଆସିଥିଲେ। ସେ ତାଙ୍କ ମଟରସାଇକେଲକୁ ପାର୍କିଂ କରି ପ୍ରାୟ ୪ କିଲୋମିଟର ବର୍ଷାରେ ଚାଲି ଆମ୍ବୁଲାନ୍ସ ପାଇଁ ରାସ୍ତା ଖାଲି କରିଥିଲେ । ତାଙ୍କର ଏହି ସାହସିକ କାର୍ଯ୍ୟ ଯୋଗୁ ବଡ ବିପଦରୁ ରୋଗୀମାନେ ବର୍ତ୍ତିଯାଇଥିଲେ, କାରଣ ଠିକ୍ ସମୟରେ ଆମ୍ଵୁଲାନ୍ସଗୁଡ଼ିକ ହସ୍ପିଟାଲରେ ପହଞ୍ଚିଯାଇଥିଲା । ଜିନ୍ନାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରେରଣାଦାୟୀ ଥିଲା। ତାଙ୍କ କାର୍ଯ୍ୟରେ ଖୁସୀ ହୋଇ ଆମ୍ବୁଲାନ୍ସ ଡ୍ରାଇଭରମାନେ ତାଙ୍କ ସହ ସେଲ୍ଫି ନେଇଥିଲେ ।

ଜଣେ ଆମ୍ବୁଲାନ୍ସ ଡ୍ରାଇଭର ଜିନ୍ନା ରାସ୍ତା ଫାଙ୍କା କରୁଥିବାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ, ଯାହାକୁ ଢ଼େର ପ୍ରଶଂସା ମିଳିଥିଲା । ଜିନ୍ନାଙ୍କ ନିଃସ୍ଵାର୍ଥପର କାର୍ଯ୍ୟକୁ ପସନ୍ଦ କରି ଲୋକମାନେ ସୋସିଆଲ ମିଡିଆରେ ଭଲଭଲ କମେଣ୍ଟ ଦେଇଛନ୍ତି ।

ସମ୍ବନ୍ଧିତ ଖବର