ଜିକାଲି ଲୋକେ କ୍ରେଡିଟ୍ ଓ ଡେବିଟ୍ କାର୍ଡ ବ୍ୟବହାର କରି ଅନ୍ଲାଇନ୍ ଟଙ୍କା ପଇଠ କରିବା ଅଧିକ ପସନ୍ଦ କରୁଛନ୍ତି। ଏହି ସମୟରେ ଆମକୁ ପେମେଣ୍ଟ ପୋର୍ଟାଲରେ କାର୍ଡ ନମ୍ବର, କାର୍ଡ ଧାରକଙ୍କ ନାମ, କାର୍ଡ ବୈଧତାର ଶେଷ ତାରିଖ ଆଦି ତଥ୍ୟ ଦେବାକୁ ପଡ଼େ। ଏଥିସହ ଆମକୁ ଆଉ ଏକ କୋଡ୍ ମଧ୍ୟ ଲେଖିବାକୁ ପଡ଼ିଥାଏ। ଏହା ଏକ ତିନି ବା ଚାରି ଅଙ୍କ ବିଶିଷ୍ଟ ସଂଖ୍ୟା, ଯାହା କେତେବେଳେ କାର୍ଡର ସାମନା ପଟେ ଲେଖାଥାଏ ତ କେତେବେଳେ ଓଲଟା ପଟେ। ଏହା ଏକ ବିଶେଷ ଧରଣର ସୁରକ୍ଷା କୋଡ୍, ଯାହାକି ଆମ ଅନ୍ଲାଇନ୍ ପଇଠକୁ ଅଧିକ ସୁରକ୍ଷିତ କରିଥାଏ। ଏହାକୁ ‘କାର୍ଡ ଭେରିଫିକେସନ୍ ଭାଲ୍ୟୁ’ ବା ସି.ଭି.ଭି. କୁହାଯାଏ। କେତେକ ଏହାକୁ କାର୍ଡ ସିକ୍ୟୁରିଟି କୋଡ୍ ବା ସି.ଏସ୍.ସି. ମଧ୍ୟ କହନ୍ତି। ଏହି କୋଡ୍ର ବିଶେଷତ୍ବ ହେଲା, ଏହା କାର୍ଡରେ ଏମ୍ବସ୍ ହୋଇ ଲେଖା ହୋଇ ନ ଥାଏ। ଅର୍ଥାତ କାର୍ଡ ନମ୍ବର, ଧାରକଙ୍କ ନାମ ଓ ବୈଧତା ଶେଷ ତାରିଖ ଆଦି ଯେପରି କାର୍ଡ ଉପରକୁ ଉଠି ଦିଶେ, ଏହା ସେପରି ଲେଖା ନହୋଇ କେବଳ ଛପା ହୋଇ ଲେଖାଥାଏ। କାର୍ଡର ଚୁମ୍ବକୀୟ ଷ୍ଟ୍ରିପ୍ରେ ମଧ୍ୟ ଏହି ତଥ୍ୟ ନ ଥାଏ। ଏଣୁ ଏହି ସଂଖ୍ୟାକୁ କାର୍ଡରୁ ଦେଖି ସ୍ବତନ୍ତ୍ର ଭାବରେ ଉଲ୍ଲେଖ କରିବାକୁ ହୁଏ।
ସାଧାରଣତଃ କିଣାକିଣି ବେଳେ କାର୍ଡଧାରକ କାର୍ଡକୁ ସ୍ବାଇପ୍ କରି ନିଜର ପାସ୍ୱାର୍ଡ ଦେଇ ଟଙ୍କା ପଇଠ କରନ୍ତି। ଏଠାରେ ସି.ଭି.ଭି. ବ୍ୟବହାର ଆବଶ୍ୟକ ହୁଏନାହିଁ। ମାତ୍ର ଅନ୍ଲାଇନ୍ କାରବାର ସମୟରେ ଏହି ନମ୍ବର ଏଇଥିପାଇଁ ଦେବାକୁ କୁହାଯାଏ ଯେ କାର୍ଡଟି ହାତରେ ନଥିଲେ ନମ୍ବରଟି ଅନ୍ୟ କେଉଁଠାରୁ ମିଳିବ ନାହିଁ। ଏହା ଜାଲିଆତି ରୋକିବା ପାଇଁ ଉଦ୍ଦିଷ୍ଟ।
ଭିସା, ମାଷ୍ଟରକାର୍ଡ ଓ ରୁପେ ଆଦି କ୍ରେଡିଟ୍ ଓ ଡେବିଟ୍ କାର୍ଡରେ ଏହି ସଂଖ୍ୟାଟି କାର୍ଡର ପଛ ପାଖରେ ଲେଖାଥାଏ। ଆମେରିକାନ୍ ଏକ୍ସପ୍ରେସ୍ କାର୍ଡରେ ଏହା ସାମ୍ନା ପଟେ ଥାଏ। ପାସ୍ୱାର୍ଡ ଭଳି ସିଭିଭି ଅତ୍ୟନ୍ତ ଗୋପନୀୟ, ତେଣୁ ଏହାକୁ ଅନ୍ୟ କେଉଁଠି ଲେଖି ରଖିବା ବା କାହାକୁ ଜଣାଇବା ଉଚିତ ନୁହେଁ।