ବ୍ୟାଙ୍କ କାରବାର ସମୟରେ ବେଳେବେଳେ ଆମକୁ ଏମ୍.ଆଇ.ସି.ଆର୍. କୋଡ୍ ଲେଖିବା ପାଇଁ କୁହାଯାଏ। ଏହି କୋଡ୍ଟି କ’ଣ? କ’ଣ ଏହାର ବ୍ୟବହାର?
ପ୍ରତ୍ୟେକ ବ୍ୟାଙ୍କ ଶାଖାକୁ ଚିହ୍ନିତ କରିବା ପାଇଁ ତାହାର ବ୍ରାଞ୍ଚ କୋଡ୍ ଓ ଆଇ.ଏଫ୍.ଏସ୍.କୋଡ୍ ଛଡ଼ା ଅନ୍ୟ ଏକ କୋଡ୍ ହେଉଛି ଏମ୍.ଆଇ.ସି.ଆର୍. କୋଡ୍। ଏହା ‘ମାଗ୍ନେଟିକ୍ ଇଙ୍କ୍ କ୍ୟାରେକ୍ଟର୍ ରେକଗ୍ନିସନ୍’କୁ ବୁଝାଏ। ଏହି କୋଡ୍ ମୁଖ୍ୟତଃ ଚେକ୍ କ୍ଲିଅରାନ୍ସ ସମୟରେ ଆବଶ୍ୟକ ହୁଏ। ଚେକ୍ ମାଧ୍ୟମରେ କାହାକୁ ଟଙ୍କା ଦେଲେ, ଚେକ୍ ଗ୍ରହୀତା ତାହାକୁ ନିଜ ବ୍ୟାଙ୍କ ଶାଖାରେ ଜମା କରନ୍ତି ଏବଂ ସମ୍ପୃକ୍ତ ଶାଖା ତାହାକୁ କ୍ଲିଅରିଂ ହାଉସକୁ ପଠାନ୍ତି। ଏହି କ୍ଲିଅରିଂ ସମୟରେ ଏମ୍.ଆଇ.ସି.ଆର୍. କୋଡ୍ ମାଧ୍ୟମରେ ବ୍ୟାଙ୍କ ଶାଖାର ଚିହ୍ନଟ ହୋଇଥାଏ। ଆଜିକାଲି କ୍ଲିଅରିଂ ପାଇଁ କାଗଜ ଚେକ୍ ନପଠାଇ କେବଳ ଏହାର କମ୍ପ୍ୟୁଟର ପ୍ରତିଛବି ପଠାଯାଉଛି।
ଏମ୍.ଆଇ.ସି.ଆର୍. କୋଡ୍ ପ୍ରତି ଚେକ୍ ପୃଷ୍ଠାର ତଳ ଭାଗରେ ଲେଖାଥାଏ। ଏହା ଏକ ନଅ ଅଙ୍କ ବିଶିଷ୍ଟ ସଂଖ୍ୟା। ଏହାର ପ୍ରଥମ ତିନିଟି ଅଙ୍କ ସହରକୁ ଚିହ୍ନାଏ, ଯାହାକି ଡାକବିଭାଗର ପିନ୍କୋଡ୍ ସହ ସଂପୃକ୍ତ। ଉଦାହରଣ ସ୍ବରୂପ ଭୁବନେଶ୍ବର ସହରର ବ୍ୟାଙ୍କ ଶାଖାଗୁଡ଼ିକର ଏମ୍.ଆଇ.ସି.ଆର୍. କୋଡ୍ ୭୫୧ରୁ ଆରମ୍ଭ। ଏହାର ପରବର୍ତ୍ତୀ ତିନିଟି ଅଙ୍କ ବ୍ୟାଙ୍କକୁ ଓ ଶେଷ ତିନିଟି ଅଙ୍କ ନିର୍ଦ୍ଦିଷ୍ଟ ଶାଖାକୁ ଚିହ୍ନିତ କରିଥାଏ। ଏହି ନଅ ଅଙ୍କ ବିଶିଷ୍ଟ କୋଡ୍ ପ୍ରତି ଚେକ୍ ପୃଷ୍ଠା ଉପରେ ଚୁମ୍ବକୀୟ ଗୁଣ ଥିବା କାଳିରେ ଛାପା ଯାଇଥାଏ, ଯାହାକୁ କମ୍ପ୍ୟୁଟର ଅନାୟାସରେ ପଢ଼ି ନେଇପାରେ। ଚେକ୍ ଉପରେ ଅନ୍ୟ କିଛି ଲେଖା ଥିଲେ ବା ଷ୍ଟାମ୍ପ୍ ଲାଗିଥିଲେ ମଧ୍ୟ ଚୁମ୍ବକୀୟ କାଳିରେ ଲେଖା ଏହି ସଂଖ୍ୟାକୁ କମ୍ପ୍ୟୁଟର ସହଜରେ ପଢ଼ି ନେଇପାରେ।