ବିଦେଶକୁ ଟଙ୍କା ପଠାଇବାକୁ ଚାହୁଛନ୍ତି କି? ଧରାଯାଉ ଆପଣଙ୍କୁ କୌଣସି ଏକ ବିଦେଶୀ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାର ଅଛି, ଏଥିପାଇଁ ସେହି ଅନୁଷ୍ଠାନର ବ୍ୟାଙ୍କ୍ ଆକାଉଣ୍ଟ୍‌କୁ ଟଙ୍କା ପଠାଇବାକୁ ହେବ କିମ୍ବା ବିଦେଶରେ ଥିବା ପିଲାମାନେ ସେମାନେ ବାପାମା’ଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇବାକୁ ଚାହାନ୍ତି। ଉଭୟ କ୍ଷେତ୍ରରେ ବ୍ୟାଙ୍କ ଆକାଉଣ୍ଟର ସଂପୂର୍ଣ୍ଣ ସୂଚନା ସହ ଏକ କୋଡ୍‌ର ଆବଶ୍ୟକତା ପଡ଼ିଥାଏ। ତାହା ହେଉଛି ସ୍ବିଫ୍ଟ୍ କୋଡ୍। ଦେଶ ଭିତରେ ବ୍ୟାଙ୍କ୍ ମାଧ୍ୟମରେ ଟଙ୍କା ନେଣଦେଣ ପାଇଁ ଆଇଏଫ୍‌ଏସ୍‌ କୋଡ୍ ଆବଶ୍ୟକ ହେଉଥିବା ବେଳେ ଅନ୍ୟଦେଶ ସହ ଟଙ୍କା ଦେଣନେଣ ପାଇଁ ଆବଶ୍ୟକ ହୁଏ ସ୍ବିଫ୍ଟ୍ କୋଡ୍‌। ଏହାକୁ ‘ବ୍ୟାଙ୍କ୍ ଆଇଡେଣ୍ଟିଫାୟର୍‌ କୋଡ୍‌‘ ବା ସଂକ୍ଷେପରେ ‘ବିିକ୍‌‘ ମଧ୍ୟ କୁହାଯ‌ାଏ। ସ୍ବିଫ୍‌ଟ କହିଲେ ‘ସୋସାଇଟି ଫର୍ ୱାର୍ଲଡୱାଇଡ୍‌ ଇଣ୍ଟରବ୍ୟାଙ୍କ୍‌ ଫାଇନାନ୍‌ସିଆଲ୍ ଟେଲିକମ୍ୟୁନିକେସନ୍‌‘କୁ ବୁଝାଏ। ଏହା ବ୍ୟାଙ୍କମାନଙ୍କ ଭିତରେ ବିତ୍ତୀୟ ସନ୍ଦେଶ ଦିଆନିଆ କରୁଥିବା ଏକ ମଞ୍ଚ।

Advertisment

ଦେଶବିଦେଶର ଅଧିକାଂଶ ବ୍ୟାଙ୍କ ଏହାର ସଦସ୍ୟ। ଇ-କମର୍ସ ଓ ଅନ୍ତର୍ଜାତୀୟ ସ୍ତରରେ ଆର୍ଥିକ କାରବାର ବୃଦ୍ଧିକୁ ଦୃଷ୍ଟିରେ ରଖି ଦ୍ରୁତ ଓ ସୁରକ୍ଷିତ ଅର୍ଥ ଦେଣନେଣ ନିଶ୍ଚିତ କରିବା ପାଇଁ ୧୯୭୩ ମସିହାରେ ଏହା ଆରମ୍ଭ କରାଯାଇଥିଲା। ଏବେ ଏଥିରେ ପ୍ରାୟ ୨୦୦ ‌ଦେଶର ୧୧୦୦ରୁ ଅଧିକ ବ୍ୟାଙ୍କ୍ ସଦସ୍ୟ ଅଛନ୍ତି। ଦେଶବିଦେଶର ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦିଷ୍ଟ ଭାବେ ଚିହ୍ନିତ କରିବା ଅଂଶୀଦାର ବ୍ୟାଙ୍କ ଶାଖାମାନଙ୍କ ପାଇଁ ସ୍ବିଫ୍‌ଟ‌ କୋଡ୍‌ର ବ୍ୟବସ୍ଥା କରାଯାଇଥାଏ। ଏଥିରେ ଅକ୍ଷର ଓ ସଂଖ୍ୟା ମିଶି ୮ରୁ ୧୧‌ ପର୍ଯ୍ୟନ୍ତ ଅଙ୍କ ରହିଥାଏ। ଏହାର ପ୍ରଥମ ୪ଟି ଅକ୍ଷର ବ୍ୟାଙ୍କ ନାମର ଏକ ସଂକ୍ଷିପ୍ତ ରୂପ ହୋଇଥିବା ବେଳେ ପରବର୍ତ୍ତୀ ଦୁଇଟି ଅକ୍ଷର ଦେଶର ନାମ ଓ ତା’ପରର ଦୁଇଟି ଅକ୍ଷର ବା ସଂଖ୍ୟା ବ୍ୟାଙ୍କ ମୁଖ୍ୟାଳୟର ସ୍ଥାନକୁ ବୁଝାଏ। ଶେଷ ତିନିଟି ସଂଖ୍ୟା ଶାଖାର କୋଡ୍‌ ନମ୍ବର ହୋଇଥାଏ। ଉଦାହରଣ ସ୍ୱରୂପ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭୁବନେଶ୍ବର ମୁଖ୍ୟଶାଖାର ସ୍ବିଫ୍‌ଟ କୋଡ୍ SBININBB270। ସାଧାରଣତଃ ବ୍ୟାଙ୍କ ଚେକ୍‌ ଓ ଆକାଉଣ୍ଟ୍‌ ‌େଷ୍ଟଟ୍‌ମେଣ୍ଟରେ ଏହି କୋଡ୍‌ ଲେଖାଥାଏ। ବ୍ୟାଙ୍କର ୱେବସାଇଟ୍‌ରେ ମଧ୍ୟ ଏହି ତଥ୍ୟ ଉପଲବ୍ଧ। ଏହି ସ୍ବିଫ୍ଟ କୋଡ୍ ବ୍ୟବସ୍ଥା ଅନ୍ତର୍ଜାତୀୟ ସ୍ତରରେ ଟଙ୍କା ଦେଣନେଣକୁ ଅଧିକ ସୁରକ୍ଷିତ କରିଛି।