ଚୋରତସ୍କରଙ୍କ ଠାରୁ ବଞ୍ଚାଇବା ପାଇଁ ଲୋକେ ନିଜର ଗହଣାଗାଣ୍ଠି ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ବ୍ୟାଙ୍କ୍ ଲକର୍ରେ ରଖନ୍ତି। ମାତ୍ର ଲକର୍ ବ୍ୟବହାରର ବିଧିବିଧାନ ଜାଣି ନ ଥିଲେ ଅନେକ ସମୟରେ ଗ୍ରାହକଙ୍କୁ ହଟହଟା ହେବାକୁ ପଡେ। ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଲକର୍ ରାଜିନାମାର ସର୍ତ୍ତାବଳୀରେ ମଧ୍ୟ କିଛି ପରିବର୍ତ୍ତନ ଆଣିଛନ୍ତି। ଆସନ୍ତୁ ଜାଣିବା ଲକର୍କୁ ନେଇ ବ୍ୟାଙ୍କ୍ର ନିୟମାବଳୀ କ’ଣ ରହିଛି।
ଲକର୍ ନେବାବେଳେ ବ୍ୟାଙ୍କ୍ ସହ ଗ୍ରାହକର ସଂପର୍କ ଲିଜ୍ଦାତା ଓ ଭଡ଼ାଟିଆର ସଂପର୍କ ଭଳି। ବ୍ୟାଙ୍କ୍ ଗ୍ରାହକକୁ କେବଳ ନିର୍ଦ୍ଦିଷ୍ଟ ଲକର୍ଟି ଭଡ଼ା ସୂତ୍ରରେ ଦେଇଥାଏ। ସେଥିରେ ଗ୍ରାହକ କ’ଣ ରଖନ୍ତି ବା ତାହାର ମୂଲ୍ୟ କେତେ, ସେସବୁ ସହ ବ୍ୟାଙ୍କ୍ର କୌଣସି ସଂପର୍କ ନାହିଁ।
ଲକର୍ ଭିତରେ କ’ଣ ରହିଲା, ନ ରହିଲା ତାହା ଗ୍ରାହକଙ୍କର ବ୍ୟକ୍ତିଗତ ଦାୟିତ୍ବ ହୋଇଥିଲେ ମଧ୍ୟ ଯଦି ବ୍ୟାଙ୍କର ଅବହେଳା କାରଣରୁ ଗ୍ରାହକଙ୍କୁ କ୍ଷତି ସହିବାକୁ ପଡ଼େ, ସେଥିପାଇଁ ବ୍ୟାଙ୍କକୁ କ୍ଷତିପୂରଣ ଦେବାକୁ ହୁଏ। ଏହି କ୍ଷତିପୂରଣର ପରିମାଣ ସଂପୃକ୍ତ ଲକର୍ର ବାର୍ଷିକ ଭଡ଼ାର ଶହେଗୁଣ ରଖାଯାଇଛି।
ଲକର୍ର ଚାବି ସୁରକ୍ଷିତ ରଖିବା ଗ୍ରାହକଙ୍କର ନିଜ ଦାୟିତ୍ବ। ଚାବି ହଜିଗଲେ ଲକର୍ର ତାଲା ଭାଙ୍ଗିବା ଓ ନୂଆ ତାଲା ଲଗାଇବାର ସମସ୍ତ ଖର୍ଚ୍ଚ ଗ୍ରାହକଙ୍କୁ ଦେବାକୁ ପଡ଼େ।
ଲଗାତାର ତିନିବର୍ଷ ଧରି ଭଡ଼ା ଅନାଦେୟ ରହିଲେ ବ୍ୟାଙ୍କ ଏହାକୁ ଭାଙ୍ଗିଦେଇ ପାରିବେ। ପୁଣି ଭଡ଼ା ଦେଉଥିଲେ ମଧ୍ୟ ୭ ବର୍ଷ ଧରି ଲକର୍ ଅବ୍ୟବହୃତ ରହିଲେ ବା ଗ୍ରାହକଙ୍କୁ ଯୋଗାଯୋଗ କରିନହେଲେ ନିୟମାନୁସାରେ ଏପରି ଅବ୍ୟବହୃତ ଲକର୍ ଭାଙ୍ଗିବା ପାଇଁ ବ୍ୟାଙ୍କ୍ର ଅଧିକାର ରହିଛି।
ରିଜର୍ଭ ବ୍ୟାଙ୍କ୍ର ସଂଶୋଧିତ ନିୟମ ଅନୁସାରେ ବ୍ୟାଙ୍କ୍ ଲକର୍ ଭିତରେ ନଗଦ ଟଙ୍କା, ମାରଣାସ୍ତ୍ର, ବିସ୍ଫୋରକ ସାମଗ୍ରୀ ଓ ନିଶାଦ୍ରବ୍ୟ ଆଦି ରଖିବା ନିଷେଧ।
ଏହାଛଡ଼ା ରିଜର୍ଭ ବ୍ୟାଙ୍କ୍ର ନିୟମ ଅନୁସାରେ କେୱାଇସି ପ୍ରମାଣପତ୍ର ଦେବା ସହିତ, ସଂଶୋଧିତ ରାଜିନାମାପତ୍ର ସ୍ବାକ୍ଷର କରି ନ ଥିଲେ ଯଥାଶୀଘ୍ର ବ୍ୟାଙ୍କ୍ ସହ ଯୋଗାଯୋଗ କରି ଏସବୁ କରାଇଦେବା ଜରୁରି।