ପ୍ରବାସୀ ଭାରତୀୟମାନେ ବାହାରେ ଥାଇ ଘରଲୋକଙ୍କ ପାଖକୁ ଟଙ୍କା ପଠାଇବା ଲାଗି ଆଉ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ୟୁଏସ୍, ୟୁକେ, ୟୁଏଇ, ସିଙ୍ଗାପୁର, ଅଷ୍ଟ୍ରେଲିଆ ପରି ଦେଶରେ ରହୁଥିବା ପ୍ରବାସୀମାନେ ଭାରତରେ ସହଜରେ ୟୁପିଆଇ ଜରିଆରେ କାରବାର କରିପାରିବେ। ‘ମିଣ୍ଟ୍’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଯେଉଁମାନଙ୍କ ପାଖରେ ନନ୍-ରେସିଡେଣ୍ଟ୍ ଏକ୍ସଟର୍ନାଲ୍ (ଏନ୍ଆର୍ଇ) କିମ୍ବା ନନ୍-ରେସିଡେଣ୍ଟ୍ ଅର୍ଡିନାରି (ଏନ୍ଆରଓ) ଆକାଉଣ୍ଟ ଅଛି, ନ୍ୟାସ୍ନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ସେହି ପ୍ରବାସୀମାନଙ୍କୁ ୟୁପିଆଇ ସୁବିଧା ପ୍ରଦାନ କରିଛି, ଯାହାଦ୍ବାରା ସେମାନେ ନିଜ ଅନ୍ତର୍ଜାତୀୟ ମୋବାଇଲ୍ ନମ୍ବର ବ୍ୟବହାର କରି ନିଜ ସ୍ମାର୍ଟଫୋନ୍ରୁ ୟୁପିଆଇରେ କାରବାର କରିପାରିବେ।
ଅର୍ଥାତ୍, ଆଗରୁ ପ୍ରଚଳିତ ଆର୍ଟିଜିଏସ୍ କାରବାର ବଦଳରେ ପ୍ରବାସୀମାନେ ନିଜ ପରିବାରକୁ ଟଙ୍କା ପଠାଇବା କିମ୍ବା ଭାରତରେ କୌଣସି ଦେୟ ପୈଠ କରିବା ପାଇଁ ୟୁପିଆଇ ବ୍ୟବହାର କରିପାରିବେ। ଏହା ସମ୍ପୂର୍ଣ୍ଣ ମାଗଣା ଏବଂ ଭାରତ କିମ୍ବା ଅନ୍ୟ ଦେଶ ଭ୍ରମଣ ସମୟରେ ମଧ୍ୟ ଏହାକୁ ବିନା ଦେୟରେ ବ୍ୟବହାର କରିହେବ। ତେବେ ପ୍ରବାସୀମାନେ ନିର୍ଦ୍ଦିଷ୍ଟ ବ୍ୟାଙ୍କ୍ ମାଧ୍ୟମରେ ୟୁପିଆଇ କାରବାର କରିପାରିବେ। ସେହି ବ୍ୟାଙ୍କ୍ଗୁଡ଼ିକ ମଧ୍ୟରେ ଅଛନ୍ତି: ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ୍, ଏକ୍ସିସ୍ ବ୍ୟାଙ୍କ୍, କାନାରା ବ୍ୟାଙ୍କ୍, ସିଟି ୟୁନିୟନ୍ ବ୍ୟାଙ୍କ୍, ଡିବିଏସ୍ ବ୍ୟାଙ୍କ୍, ଇକ୍ବିଟାସ୍ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ୍, ଫେଡେରାଲ୍ ବ୍ୟାଙ୍କ୍, ଏଚ୍ଡିଏଫ୍ସି ବ୍ୟାଙ୍କ୍, ଆଇସିଆଇସିଆଇ ବ୍ୟାଙ୍କ୍, ଆଇଡିଏଫ୍ସି ଫାଷ୍ଟ୍ ବ୍ୟାଙ୍କ୍, ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ୍, ପଞ୍ଜାବ ନାସ୍ନାଲ୍ ବ୍ୟାଙ୍କ୍ ଓ ସାଉଥ୍ ଇଣ୍ଡିଆନ୍ ବ୍ୟାଙ୍କ୍। ସେମାନେ BHIM AU, FedMobile, iMobile, BHIM ଇଣ୍ଡସ୍ ପେ, SIB ମିରର୍+ ଓ ଫୋନ୍ ପେ ଭଳି ଆପ୍ ବ୍ୟବହାର କରି ଏହି କାରବାର କରିପାରିବେ। ସେମାନେ ଦିନକୁ ସର୍ବାଧିକ ୧ ଲକ୍ଷ ଟଙ୍କା କାରବାର କରିପାରିବେ। ନୂଆ ଆଇଡି ଖୋଲିବାର ପ୍ରଥମ ୨୪ ଘଣ୍ଟାରେ କେବଳ ୫୦୦୦ ଟଙ୍କା କାରବାର କରିପାରିବେ।
ପ୍ରବାସୀମାନେ ଏନ୍ଆର୍ଇ, ଏନ୍ଆର୍ଓ ଖାତା ଓ ଭାରତୀୟ ରେସିଡେଣ୍ଟ୍ ଆକାଉଣ୍ଟ୍ ସହିତ କାରବାର କରିପାରିବେ। ଏକାଧିକ ବ୍ୟାଙ୍କ୍ ଖାତା ଧାରକଙ୍କ ପାଇଁ ପ୍ରତ୍ୟେକ ଆକାଉଣ୍ଟରେ ଏକ ସ୍ୱତନ୍ତ୍ର ୟୁପିଆଇ ଆଇଡି ରହିବା ଜରୁରି ଏବଂ ସଂଯୁକ୍ତ ଖାତାଧାରକଙ୍କ ପାଇଁ ୟୁପିଆଇ ପ୍ରାଥମିକ ଆକାଉଣ୍ଟଧାରୀଙ୍କ ମଧ୍ୟରେ ସୀମିତ ରହିଥାଏ। ୟୁପିଆଇରେ ପଞ୍ଜୀକୃତ ହୋଇ ନଥିଲେ ମଧ୍ୟ ପ୍ରବାସୀମାନେ ୟୁପିଆଇ ଆପ୍ରେ ଥିବା ‘ସେଣ୍ଡ୍ ଟୁ ଆକାଉଣ୍ଟ୍’ ବିକଳ୍ପ ମାଧ୍ୟମରେ ଟଙ୍କା ପାଇପାରିବେ।
ୟୁପିଆଇ ସେଟ୍ କରିବେ କିପରି?
ଏଥିଲାଗି ପ୍ରବାସୀମାନଙ୍କୁ ସେମାନଙ୍କର ଅନ୍ତର୍ଜାତୀୟ ମୋବାଇଲ୍ ନମ୍ବର୍କୁ ସେମାନଙ୍କର ଏନ୍ଆର୍ଇ କିମ୍ବା ଏନ୍ଆର୍ଓ ବ୍ୟାଙ୍କ୍ ଆକାଉଣ୍ଟ୍ ସହିତ ଲିଙ୍କ୍ କରିବାକୁ ପଡ଼ିବ। ଆଇମୋବାଇଲ୍ କିମ୍ବା ଫୋନ୍ପେ ପରି ଅନ୍ତର୍ଜାତୀୟ ମୋବାଇଲ୍ ନମ୍ବର ସହିତ ସୁସଙ୍ଗତ ଏକ ୟୁପିଆଇ ଆପ୍ଲିକେସନ୍କୁ ପ୍ରଥମେ ଡାଉନ୍ଲୋଡ୍ କରିବାକୁ ପଡ଼ିବ। ମୋବାଇଲ୍ ନମ୍ବର୍ ଯାଞ୍ଚ ସହିତ ଅନ୍ବୋର୍ଡିଂ ପ୍ରୋସେସ୍ କରିବାକୁ ଏକ ୟୁନିକ୍ ୟୁପିଆଇ ଆଇଡି କିମ୍ବା ଭର୍ଚୁଆଲ୍ ପେମେଣ୍ଟ୍ ଆଡ୍ରେସ୍ (ଭିପିଏ) ସୃଷ୍ଟି କରିବାକୁ ପଡ଼ିବ। ବ୍ୟାଙ୍କ୍ ଆକାଉଣ୍ଟ ଚୟନ କରି ୟୁପିଆଇ ପ୍ରୋଫାଇଲ୍ ସକ୍ରିୟ କରିବାକୁ ସବିଶେଷ ତଥ୍ୟ ଦାଖଲ କରିବାକୁ ପଡ଼ିବ।