ଯେଉଁମାନେ କମ୍ପ୍ୟୁଟରର ବ୍ୟବହାର ଜାଣନ୍ତି ନାହିଁ, ଅନ୍ଲାଇନ୍ କାରବାର କରିବାରେ ଅକ୍ଷମ, ଏପରିକି ବ୍ୟାଙ୍କ ଶାଖାରେ ଭାଉଚର୍ ଆଦି ଭରିବାରେ ଅସମର୍ଥ, ସେମାନଙ୍କ ପାଇଁ ଟଙ୍କା ପଠାଇବାର ସବୁଠାରୁ ସରଳ ଉପାୟ- ‘ଗ୍ରିନ୍ ରେମିଟ୍ କାର୍ଡ’। ଲେଖିପଢ଼ି ଜାଣୁ ନ ଥିବା ବାପାମା’ ଦୂର ସହରରେ ପାଠ ପଢୁଥିବା ପିଲାଙ୍କ ପାଖକୁ ନିୟମିତ ଟଙ୍କା ପଠାଇବା ହେଉ ବା ପ୍ରବାସରେ କାମ କରି ପେଟ ପୋଷୁଥିବା ନିରକ୍ଷର ଲୋକଟି ପାଇଁ ଗାଁକୁ ଟଙ୍କା ପଠାଇବା ହେଉ, ଏହି କାର୍ଡ ଅତ୍ୟନ୍ତ ଉପଯୋଗୀ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଗତ କିଛିବର୍ଷ ହେଲା ଏଭଳି କାର୍ଡର ପ୍ରଚଳନ ଆରମ୍ଭ କରିଛନ୍ତି।
ଏହାର ବ୍ୟବହାର ଅତି ସହଜ। ଯେ କୌଣସି ଷ୍ଟେଟ୍ ବ୍ୟାଙ୍କ୍ ଶାଖାକୁ ଯାଇ ନିଜର ଆଧାର କାର୍ଡ, ଫଟୋ ଓ ପରିଚୟର ପ୍ରମାଣ ଦେଇ ଗ୍ରିନ୍ ରେମିଟ୍ କାର୍ଡ ପାଇଁ ଦରଖାସ୍ତ କଲେ ତାହା ଖୁବ୍ଶୀଘ୍ର ମିଳିଯାଏ। ଚୁମ୍ବକୀୟ ଷ୍ଟ୍ରିପ୍ ଥିବା ଏହି କାର୍ଡରେ ଯେଉଁ ବ୍ୟକ୍ତିଙ୍କ ଖାତାକୁ ଆପଣ ନିୟମିତ ଟଙ୍କା ପଠାଇବାକୁ ଚାହାନ୍ତି ସେହି ସୂଚନା ଡିଜିଟାଲ ମାଧ୍ୟମରେ ଲିପିବଦ୍ଧ କରାଯାଇଥାଏ। ଏହାପରେ ଆପଣ କାର୍ଡକୁ ନେଇ ଦେଶର ଯେ କୌଣସି ଷ୍ଟେଟ୍ ବ୍ୟାଙ୍କ୍ ଶାଖାର ଗ୍ରିନ୍ ଚାନେଲ୍ କାଉଣ୍ଟର୍ (ଯେଉଁଠାରେ ସ୍ବାଇପ୍ ମେସିନ୍ ଥାଏ) କିମ୍ବା କ୍ୟାସ୍ ଜମା ସୁବିଧା ଥିବା ଏଟିଏମ୍ ସାହାଯ୍ୟରେ ଟଙ୍କା ପଠାଇ ପାରିବେ। ବ୍ୟାଙ୍କର ସ୍ବାଇପ୍ ମେସିନ୍ ବା କ୍ୟାସ୍ ଡିପୋଜିଟ୍ ଏଟିଏମ୍ରେ ଏହି କାର୍ଡଟି ଦେବା ମାତ୍ରେ ସେଥିରେ ଲିପିବଦ୍ଧ ଥିବା ବ୍ୟକ୍ତିଙ୍କ ନାମ ଓ ଆକାଉଣ୍ଟ ନମ୍ବର ମେସିନ ପଢ଼ିନିଏ ଏବଂ ତାହା ସ୍କ୍ରିନ୍ରେ ଦେଖାଏ। ଆପଣ ଟଙ୍କା ପୈଠ କଲେ ସଂପୃକ୍ତ ବ୍ୟକ୍ତିଙ୍କ ଖାତାରେ ତାହା ତୁରନ୍ତ ଜମା ହୋଇଯାଏ ଏବଂ ଟଙ୍କା ପଠାଉଥିବା ଓ ପାଉଥିବା ଉଭୟ ବ୍ୟକ୍ତିଙ୍କୁ ମେସେଜ ଆସିଯାଏ।
ମନେ ରଖିବାକୁ ହେବ-
ଏହି ସୁବିଧା କେବଳ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ରେ ଉପଲବ୍ଧ। ତେଣୁ ଯାହାକୁ ଟଙ୍କା ପଠାଯିବ, ତାଙ୍କର ଜମାଖାତା ଷ୍ଟେଟ୍ ବ୍ୟାଙ୍କ୍ରେ ଥିବା ଜରୁରି।
ଏହି କାର୍ଡ ମାଧ୍ୟମରେ କେବଳ ନଗଦ ଟଙ୍କା ପଠାଯାଇ ପାରିବ। ପ୍ରତିଥର ସର୍ବାଧିକ ୨୫,୦୦୦ ଟଙ୍କା ଏବଂ ଗୋଟିଏ ମାସରେ ସର୍ବାଧିକ ୧ ଲକ୍ଷ ଟଙ୍କା ପଠାଯାଇ ପାରିବ।
ଟଙ୍କା ପଠାଉଥିବା ବ୍ୟକ୍ତିଙ୍କର ନିଜର ବ୍ୟାଙ୍କ୍ ଆକାଉଣ୍ଟ ନ ଥିଲେ ମଧ୍ୟ ଏହି କାର୍ଡ ମାଧ୍ୟମରେ ଟଙ୍କା ପଠାଇ ହେବ।
ଏହି ଟଙ୍କା ପଠାଇବା ପାଇଁ କୌଣସି ଜମା ଭାଉଚର୍ ଭରିବା, ପାସ୍ୱାର୍ଡ ବା ଓଟିପିର ଆବଶ୍ୟକତା ନାହିଁ।
ଏହି କାର୍ଡ ବ୍ୟବହାର କରି ଖାତାରୁ ଟଙ୍କା କାଢ଼ିବା ସମ୍ଭବ ନୁହେଁ। ଏଣୁ ଏହା ଅତ୍ୟନ୍ତ ନିରାପଦ।