ବ୍ୟାଙ୍କିଙ୍ଗ୍‌ ସୂତ୍ର: ଋଣ ପ୍ରକ୍ରିୟାକୁ ସୁଗମ କରୁଛି ଜନସମର୍ଥ ପୋର୍ଟାଲ୍

ଜନସାଧାରଣଙ୍କ ହିତରେ ଜାରି ହୋଇଥିବା ଅନେକ ଋଣ ସୁବିଧା ବିଷୟରେ ଆମେ ଶୁଣୁଛୁ। ମାତ୍ର ସେ ମଧ୍ୟରୁ କେଉଁଟି ଆମ ପାଇଁ ଉପଯୁକ୍ତ ଏବଂ ଆମେ କିପରି ଋଣ ପାଇଁ ଦରଖାସ୍ତ କରିବା ଓ ପାଇବା, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ପ୍ରାୟ ମିଳେ ନାହିଁ। ଏହି ସୂଚନା ଓ ସହାୟତାର ଅଭାବ ହିଁ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସବୁଠାରୁ ବଡ଼ ବାଧକ। ଏହାର ଉତ୍ତରରେ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସହାୟତାରେ ଏବେ ଆସିଯାଇଛି- ‘ଜନସମର୍ଥ ପୋର୍ଟାଲ’।
ଡିଜିଟାଲ୍ ମାଧ୍ୟମରେ ସରକାରୀ ଯୋଜନାଭିତ୍ତିକ ଋଣକୁ ଜନସାଧାରଣ କିପରି ସରଳ ଓ ସହଜରେ ପାଇପାରିବେ, ସେହି ଉଦ୍ଦେଶ୍ୟରେ ଭାରତ ସରକାର ୨୦୨୨ ଜୁନ୍ ୬ ତାରିଖରେ ଏହି ପୋର୍ଟାଲ୍‌ର ଶୁଭାରମ୍ଭ କରିଛନ୍ତି।
ଏହି ପୋର୍ଟାଲ୍‌ କ’ଣ କରେ?
 ଏହା ଋଣ ଯୋଜନା ସହ ସଂପୃକ୍ତ ସମସ୍ତ ଅଂଶୀଦାରଙ୍କୁ ଅର୍ଥାତ୍ ଋଣ ଆବେଦନକାରୀ, ବିତ୍ତୀୟ ସଂସ୍ଥା, ସଂପୃକ୍ତ ସରକାରୀ ବିଭାଗ ଓ ତାହାର ନୋଡାଲ୍ ସଙ୍ଗଠନକୁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଗୋଟିଏ ଫ୍ଲାଟ୍‌ଫର୍ମରେ ଏକାଠି କରେ।
 ଏହି ପୋର୍ଟାଲ୍‌ରେ ବର୍ତ୍ତମାନ ସୁଦ୍ଧା ୧୫ଟି ସରକାରୀ ଯୋଜନାଭିତ୍ତିକ ଋଣକୁ ସାମିଲ କରାଯାଇଛି। ଶିକ୍ଷା, କୃଷି, ବ୍ୟବସାୟ ତଥା ଜୀବିକା ଋଣ ଆଦି ଏଥିରେ ଅନ୍ତର୍ଭୁକ୍ତ।
 ପୋର୍ଟାଲ୍‌ଟିରେ ଋଣ ଯୋଜନାଗୁଡ଼ିକର ସମସ୍ତ ସୂଚନା ଉପଲବ୍ଧ।
 ଏହା ମାଧ୍ୟମରେ ଜଣେ ଆବେଦନକାରୀ ପ୍ରାୟ ସମସ୍ତ ଉପଯୋଗୀ ପରାମର୍ଶ ଗୋଟିଏ ସ୍ଥାନରେ ପାଇପାରିବେ।
 ଆବେଦନକାରୀ ଋଣ ପାଇଁ ଯୋଗ୍ୟ କି ନାହିଁ, ସବ୍‌ସିଡି ପାଇବା ପାଇଁ କେଉଁ ଯୋଗ୍ୟତା ଆବଶ୍ୟକ ଏବଂ ଆବେଦନକାରୀଙ୍କ ଆବଶ୍ୟକତା ଅନୁସାରେ କେଉଁ ଯୋଜନାଟି ତାଙ୍କ ପାଇଁ ଅଧିକ ଉପଯୋଗୀ, ଏ ସମସ୍ତ ସୂଚନା ପୋର୍ଟାଲ୍‌ରୁ ମିଳିଥାଏ।
 ଏହି ପୋର୍ଟାଲ୍‌ରେ ନିଜକୁ ପଞ୍ଜୀକୃତ କରିବା ପରେ, ବ୍ୟବହାରକାରୀ ପ୍ରତ୍ୟେକଟି ଋଣ ଯୋଜନା ସମ୍ପର୍କରେ ଅବଗତ ହେବା ସହିତ ଋଣ ପାଇଁ ଅନ୍‌ଲାଇନ୍‌ ଦରଖାସ୍ତ ମଧ୍ୟ କରିପାରିବେ।
 ପୋର୍ଟାଲ୍‌ରେ ଅନ୍‌ଲାଇନ୍‌ ଋଣ ମଞ୍ଜୁରୀ ତଥା ଦରଖାସ୍ତର ଅଗ୍ରଗତି ଜାଣିବାର ସୁବିଧା ମଧ୍ୟ ଅଛି।
ପୋର୍ଟାଲ୍‌ରେ ପଞ୍ଜୀକରଣ କରିବେ କିପରି?
ଏହି ପୋର୍ଟାଲ୍‌ରେ ପଞ୍ଜୀକରଣ କରିବା ଅତି ସହଜ। ଯେ କେହି ନିଜର ମୋବାଇଲ ନମ୍ବର, ଇମେଲ ଆଇଡି ଏବଂ ଓଟିପି ନମ୍ବର ତନଖି କରାଇ ପୋର୍ଟାଲରେ ନିଜକୁ ପଞ୍ଜୀକୃତ କରାଇପାରିବେ। ପୋର୍ଟାଲର ଇଣ୍ଟର୍‌ନେଟ୍‌ ଠିକଣା www.jansamarth.in। ପୋର୍ଟାଲଟି ଏବେ ଯୁବବର୍ଗ, ଉଦ୍ୟୋଗୀ ତଥା ଚାଷୀମାନଙ୍କ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହେଉଛି।

ସମ୍ବନ୍ଧିତ ଖବର