ଅନେକ ସମୟରେ ସରକାରୀ ଦପ୍ତରରେ ବା କୌଣସି ଅନୁଷ୍ଠାନରେ ଟଙ୍କା ଜମା ଦେବାପାଇଁ ବ୍ୟାଙ୍କ୍ ଡ୍ରାଫ୍ଟ ଦେବାକୁ କୁହାଯାଇଥାଏ। ଟଙ୍କା ଦେବାନେବା ପାଇଁ ଚେକ୍ ଓ ଡ୍ରାଫ୍ଟ ଉଭୟ ଉପଯୋଗୀ। ତେବେ ଚେକ୍ ଅପେକ୍ଷା ଡ୍ରାଫ୍ଟକୁ ଯଥେଷ୍ଟ ଅଧିକ ନିର୍ଭରଯୋଗ୍ୟ ବୋଲି ବିବେଚନା କରାଯାଏ। ଏହି ବ୍ୟାଙ୍କ୍ ଡ୍ରାଫ୍ଟର ବ୍ୟବହାର ଓ ସୁରକ୍ଷାବିଧି ସଂପର୍କରେ ଆସନ୍ତୁ ଜାଣିବା।
ଖାତାଧାରକ ନିଜ ବ୍ୟାଙ୍କ୍ ଖାତାରୁ କିଛି ଟଙ୍କା ଅନ୍ୟକୁ ଦେବା ପାଇଁ ଚେକ୍ ଦିଅନ୍ତି। ଏହା ଏକ ଧନାଦେଶ ପତ୍ର। ମାତ୍ର ଚେକ୍ଟି ହାତରେ ଥାଇ ମଧ୍ୟ ଯଦି ଖାତାଧାରକଙ୍କ ଖାତାରେ ଆବଶ୍ୟକ ପରିମାଣର ଟଙ୍କା ନ ଥାଏ, ତେବେ ଚେକ୍ଟି ଫେରସ୍ତ ହୋଇଥାଏ। ତା’ ଛଡ଼ା ଖାତାଧାରକ ଷ୍ଟପ୍ ପେମେଣ୍ଟ୍ ବା ପୈଠ ରଦ୍ଦ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇ ପାରନ୍ତି।
ମାତ୍ର ବ୍ୟାଙ୍କ୍ ଡ୍ରାଫ୍ଟ କ୍ଷେତ୍ରରେ ଏଭଳି ଫେରସ୍ତ ବା ପଇଠ ରଦ୍ଦ ହେବାର ଭୟ ନ ଥାଏ। କାରଣ ଏଥିରେ ଖାତାଧାରକଙ୍କ ବଦଳରେ ବ୍ୟାଙ୍କ୍ ନିଜେ ସେତିକି ଟଙ୍କା ପ୍ରଦାନ କରିବାର ଭରସା ଦେଇଥାଏ। ବ୍ୟାଙ୍କ୍ର ଅଧିକାରୀ ସ୍ବାକ୍ଷର କରି ଏହି ଧନାଦେଶ ଦେଇଥାନ୍ତି।
ବ୍ୟାଙ୍କ୍ ଡ୍ରାଫ୍ଟ କରିବାକୁ ହେଲେ ଖାତାଧାରକ ପ୍ରଥମେ ନିଜ ଖାତାରୁ ବ୍ୟାଙ୍କ୍କୁ ଟଙ୍କା ଦିଅନ୍ତି। ଏଥି ସହ ଡ୍ରାଫ୍ଟ ପ୍ରସ୍ତୁତି ଖର୍ଚ୍ଚ ମଧ୍ୟ ଦେବାକୁ ହୁଏ।
ଡ୍ରାଫ୍ଟରେ ଟଙ୍କା ପାଇବାକୁ ଥିବା ବ୍ୟକ୍ତି/ଅନୁଷ୍ଠାନ ନାମ, ଟଙ୍କାର ପରିମାଣ (ସଂଖ୍ୟାରେ ଓ ଅକ୍ଷରରେ), ତାରିଖ ତଥା ବ୍ୟାଙ୍କ୍ ଅଧିକାରୀଙ୍କ ହସ୍ତାକ୍ଷର ଆଦି ତନଖି କରି ଦେଖିନେବା ଆବଶ୍ୟକ।
ଯେଉଁ ଶାଖା ଉପରେ ଡ୍ରାଫ୍ଟ ଇସୁ କରାଯାଇଛି ସେହି ଶାଖାର ନାମ ଓ କୋଡ୍ ମଧ୍ୟ ତନଖି କରିନେବା ଜରୁରି।
ଚେକ୍ ଭଳି ବ୍ୟାଙ୍କ୍ ଡ୍ରାଫ୍ଟକୁ ତିନିମାସ ମଧ୍ୟରେ ବ୍ୟବହାର ନ କଲେ ତାହା ଅଚଳ ହୋଇଯାଏ।
ସୁରକ୍ଷା ପାଇଁ ଡ୍ରାଫ୍ଟର ଉପରିଭାଗ ବାଁ ପଟେ ତେରଛାରେ ଛୋଟ ଦୁଇଟି ସମାନ୍ତର ଗାର ଟାଣି ତାହାକୁ କ୍ରସ୍ ବା ରେଖାଙ୍କିତ କରାଯାଇପାରେ।
ବ୍ୟାଙ୍କ୍ ଡ୍ରାଫ୍ଟ ହଜିଗଲେ ତାହାର ଡୁପ୍ଲିକେଟ୍ ବା ବିକଳ୍ପ ଡ୍ରାଫ୍ଟ ତିଆରି କରାଇବାକୁ ପଡ଼େ। ଏଣୁ ଡ୍ରାଫ୍ଟଟି କାହାକୁ ଦେବା ପୂର୍ବରୁ ତାହାର ନମ୍ବର ଓ ତାରିଖ ଟିପି ରଖିବା ବା ତାହାର ଫଟୋକପି କରି ରଖିନେବା ଉଚିତ।
ବ୍ୟାଙ୍କିଙ୍ଗ୍ ସୂତ୍ର: ଅଧିକ ନିର୍ଭରଯୋଗ୍ୟ ବ୍ୟାଙ୍କ୍ ଡ୍ରାଫ୍ଟ
/sambad/media/post_attachments/wp-content/uploads/2024/08/adgdagadgad.jpg)
/sambad/media/agency_attachments/2024-07-24t043029592z-sambad-original.webp)