ଆଜିକାଲି ଗ୍ରାହକମାନଙ୍କ ସୁବିଧା ପାଇଁ ବ୍ୟାଙ୍କ୍ ଓ ଅଣବ୍ୟାଙ୍କିଙ୍ଗ୍ ବିତ୍ତୀୟ ସଂସ୍ଥାମାନେ ନୂଆ ନୂଆ ଯୋଜନା ଆଣୁଥିବା ବେଳେ ସେବାପ୍ରଦାନକାରୀ କର୍ମଚାରୀ ଓ ଅଧିକାରୀମାନଙ୍କ ଅବହେଳା ତଥା ଅନ୍ୟାନ୍ୟ ତ୍ରୁଟିବିଚ୍ୟୁତିର ଖବର ମଧ୍ୟ ଆସିବାରେ ଲାଗିଛି। ବି‌ଶେଷ କରି ଡିଜିଟାଲ୍‌ ଦେଣନେଣକୁ ନେଇ ଅଭିଯୋଗ ସଂଖ୍ୟା ବଢ଼ିବାରେ ଲାଗିଛି ଏବଂ ଏହାର ସମାଧାନ ମିଳିପାରୁନାହିଁ। ଏଭଳି ଅଭିଯୋଗର ତୁରନ୍ତ ଓ ନ୍ୟାୟୋଚିତ ସମାଧାନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଆଣିଛନ୍ତି ଏକୀକୃତ ଲୋକପାଳ ଯୋଜନା।

Advertisment

କ’ଣ ଏହି ଯୋଜନା?
ପୂର୍ବରୁ ବ୍ୟାଙ୍କିଙ୍ଗ୍ ସେବାରେ ଅବହେଳା ନେଇ ଅଭିଯୋଗର ବିଚାର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କିଙ୍ଗ୍ ଲୋକପାଳ (ଓମ୍ବୁଡ୍‌ସ୍‌ମାନ୍) ବ୍ୟବସ୍ଥାର ପ୍ରବର୍ତ୍ତନ କରିଥିଲେ। ପରବର୍ତ୍ତୀ ସମୟରେ ୨୦୧୮ ମସିହାରେ ଅଣବ୍ୟାଙ୍କିଙ୍ଗ୍ ବିତ୍ତୀୟ ସଂସ୍ଥା (ଏନ୍‌.ବି.ଏଫ୍‌.ସି) ପାଇଁ ଏବଂ ୨୦୧୯ ମସିହାରେ ଡିଜିଟାଲ୍ ଦେଣନେଣକୁ ‌ନେଇ ଅଭିଯୋଗର ବିଚାର ପାଇଁ ଆଉ ଦୁଇଟି ଲୋକପାଳ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏବେ ଗ୍ରାହକମାନଙ୍କ ସୁବିଧା ପାଇଁ ୨୦୨୧ ମସିହାରୁ ଏହି ତିନିଟି ବ୍ୟବସ୍ଥାକୁ ଏକାଠି କରି ‘ଇଣ୍ଟିଗ୍ରେଟେଡ୍‌ ଓମ୍ବୁଡ୍‌ସ୍‌ମାନ୍ ସ୍କିମ୍’ ବା ଏକୀକୃତ ଲୋକପାଳ ଯୋଜନା ପ୍ରବର୍ତ୍ତିତ ହୋଇଛି। ଏବେ ଗୋଟିଏ ସ୍ଥାନରେ ଏ ସମସ୍ତ ପ୍ରକାର ଅଭିଯୋଗ କରିହେଉଛି।

 ଏହି ଯୋଜନାରେ ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ୍ ବିତ୍ତୀୟ ସଂସ୍ଥା ସହ ଡିଜିଟାଲ ଦେଣନେଣ କରୁଥିବା ପେମେଣ୍ଟ ସିଷ୍ଟମ୍‌ ପାର୍ଟିସିପାଣ୍ଟ ଓ କ୍ରେଡିଟ୍‌ ଇନ୍‌ଫର୍‌ମେସନ୍‌ କମ୍ପାନିମାନେ ମଧ୍ୟ ଅନ୍ତର୍ଭୁକ୍ତ।
 ଏହି ବ୍ୟବସ୍ଥା ଅନୁଯାୟୀ ଲୋକପାଳଙ୍କ ନିକଟରେ ଅଭିଯୋଗ କରିବା ପୂର୍ବରୁ ପ୍ରଥମେ ସେବାରେ ତ୍ରୁଟି କରିଥିବା ବ୍ୟାଙ୍କ୍ ବା ବିତ୍ତୀୟ ସଂସ୍ଥା ନିକଟରେ ଲିଖିତ ଅଭିଯୋଗ କରିବା ଆବଶ୍ୟକ। ୩୦ ଦିନ ମଧ୍ୟରେ ଅଭିଯୋଗର ସମାଧାନ ନ ମିଳିଲେ ବା ସମାଧାନ ସନ୍ତୋଷଜନକ ନହେଲେ ଏକୀକୃତ ଲୋକପାଳଙ୍କ ନିକଟରେ ଅଭିଯୋଗ କରାଯାଇପାରିବ।
 ଭାରତୀୟ ରିଜର୍ଭ ବ୍ୟାଙ୍କ୍ ‘ସେଣ୍ଟ୍ରାଲାଇଜ୍‌ଡ ରିସିପ୍ଟ ଆଣ୍ଡ୍ ପ୍ରୋସେସିଙ୍ଗ୍ ସେଣ୍ଟର୍‌’ ନାମରେ ଏକ କେନ୍ଦ୍ରୀୟ ଅଭିଯୋଗ ଗ୍ରହଣ କେନ୍ଦ୍ର ଚଣ୍ଡୀଗଡ଼ଠାରେ ସ୍ଥାପନ କରିଛନ୍ତି। ଦେଶର ଯେ କୌଣସି ସ୍ଥାନରେ ଘଟିଥିବା ତ୍ରୁଟିବିଚ୍ୟୁତି ପାଇଁ ଏଠାକୁ ଲିଖିତ ଅଭିଯୋଗ ପଠାଯାଇପାରିବ ବା ଅନ୍‌ଲାଇନ୍ ମାଧ୍ୟମରେ cms.rbi.org.inକୁ ଯାଇ ଅଭିଯୋଗ ଦାଖଲ କରିହେବ।