ଚିକିତ୍ସା, ପାଠପଢ଼ା ବା ଅନ୍ୟାନ୍ୟ ଯେ କୌଣସି ଜରୁରି ଖର୍ଚ୍ଚ ପାଇଁ ହଠାତ୍ ଟଙ୍କା ଦରକାର ହେଲେ ଲୋକେ ସୁନାଗହଣା ବନ୍ଧକ ରଖି ଋଣ ନିଅନ୍ତି। ଅପେକ୍ଷାକୃତ ସହଜରେ ଓ ଶୀଘ୍ର ମିଳିଯାଉଥିବାରୁ ଲୋକେ ଏହି ଋଣ ନେବାପାଇଁ ଆଗ୍ରହୀ ହୁଅନ୍ତି। ଆଜିକାଲି ବ୍ୟାଙ୍କ ଛଡ଼ା ରିଜର୍ଭ ବ୍ୟାଙ୍କ ଦ୍ବାରା ଅଧିକୃତ ଅଣବ୍ୟାଙ୍କିଙ୍ଗ୍ ବିତ୍ତୀୟ ସଂସ୍ଥା (ଏନ୍.ବି.ଏଫ୍.ସି) ମଧ୍ୟ ଏହି ଋଣ ଦେଉଛନ୍ତି। ତେବେ ଆସନ୍ତୁ ଜାଣିବା, ସୁନାଋଣ ନେବାବେଳେ ଆମେ କେଉଁ କେଉଁ ଦିଗ ଉପରେ ଧ୍ୟାନ ଦେବା ଉଚିତ।
୧୮ ବର୍ଷରୁ ଅଧିକ ବୟସର ଯେ କେହି ବ୍ୟକ୍ତି ସ୍ବର୍ଣ୍ଣଋଣ ନେଇପାରିବେ। ତାଙ୍କର ବ୍ୟାଙ୍କ୍ ଖାତାଟିଏ ଥିଲେ ଭଲ। କେବଳ ନିଜର ପରିଚୟ ଓ ଠିକଣା ପ୍ରମାଣପତ୍ର ଆଦି କେୱାଇସି ଦସ୍ତାବିଜ ଦାଖଲ କରି ଏହି ଋଣ ନେଇ ହୁଏ। ଏଥିପାଇଁ କୌଣସି ଗ୍ୟାରେଣ୍ଟର୍ଙ୍କ ଆବଶ୍ୟକତା ନାହିଁ।
ଯେକୌଣସି ଆବଶ୍ୟକତା ପୂରଣ ପାଇଁ ଏହି ଋଣ ନିଆଯାଇପାରେ। ତେବେ ଘରକିଣା, ମରାମତି ଆଦି ପାଇଁ ସ୍ବର୍ଣ୍ଣଋଣ ନେଉଥିଲେ ତାହା ସ୍ପଷ୍ଟ ସୂଚାଇବା ଜରୁରି। କାରଣ ସେଭଳି କ୍ଷେତ୍ରରେ ଏହି ଋଣ ଉପରେ ଆୟକର ରିହାତି ମିଳିିବାର ସୁବିଧା ଅଛି।
ସ୍ବର୍ଣ୍ଣଋଣ ପାଇଁ ସାଧାରଣତଃ ୧୮ରୁ ୨୪ କ୍ୟାରେଟ୍ ସୁନାଗହଣା ଗ୍ରହଣ କରାଯାଏ। ଗହଣାରେ ଥିବା ସୁନାର ପରିମାଣ ଓ ଶୁଦ୍ଧତା ହିସାବରେ ସେହି ସମୟରେ ସୁନାର ଦାମ୍ ଯାହା ରହିଛି ତାହା ଭିତ୍ତିରେ ଋଣର ପରିମାଣ ହିସାବ କରାଯାଏ। ସୁନାର ପରୀକ୍ଷଣ ସମୟରେ ଋଣଗ୍ରହୀତା ଉପସ୍ଥିତ ରହିବା ଉଚିତ।
ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ନିର୍ଦ୍ଦେଶନାମା ଅନୁସାରେ ସାଧାରଣତଃ ସୁନାର ମୂଲ୍ୟ ସହ ଋଣର ଅନୁପାତ ବା ଏଲ୍.ଟି.ଭି. (ଲୋନ ଟୁ ଭାଲ୍ୟୁ) ଶତକଡ଼ା ୭୫ ପ୍ରତିଶତ ରହେ। ଅର୍ଥାତ୍ ସୁନା ମୂଲ୍ୟର ୭୫ ପ୍ରତିଶତ ପର୍ଯ୍ୟନ୍ତ ଋଣ ଦିଆଯାଏ।
କେତେକ ଋଣ ପ୍ରଦାନକାରୀ ସଂସ୍ଥା ସୁନା ମୂଲ୍ୟର ୭୫ରୁ ଅଧିକ ପ୍ରତିଶତ ଋଣ ଦେବାର ଆକର୍ଷଣ ଦେଖାନ୍ତି। ମାତ୍ର ସେଭଳି କ୍ଷେତ୍ରରେ ସୁଧର ହାର ବେଶ୍ ଅଧିକ ଥାଏ।
ସ୍ବର୍ଣ୍ଣଋଣର ପରିଶୋଧ ଅବଧି ଖୁବ୍ କମ୍ ହୋଇଥାଏ। ଇଏମ୍ଆଇ ବା କିସ୍ତି ପରିଶୋଧ ଛଡ଼ା ଏକକାଳୀନ ପରିଶୋଧର ବ୍ୟବସ୍ଥା ଥାଏ।
ଠିକ୍ ସମୟରେ ସ୍ବର୍ଣ୍ଣଋଣ ପରିଶୋଧ ନ କରିପାରିଲେ ଋଣ ଦେଇଥିବା ସଂସ୍ଥା ସୁନାଗହଣା ନିଲାମ କରିଦେଇ ପାରିବେ। ଏହା ପୂର୍ବରୁ ସେମାନେ ଋଣଗ୍ରହୀତାଙ୍କୁ ନୋଟିସ୍ ଦେବେ ସତ, ମାତ୍ର ଏଭଳି ପରିସ୍ଥିତିରୁ ନିଜକୁ ବଞ୍ଚାଇବା ପାଇଁ ଧାର୍ଯ୍ୟ ଅବଧି ମଧ୍ୟରେ ଋଣ ପରିଶୋଧ କରିବା ବା ଋଣର ନବୀକରଣ କରାଇନେବା ଜରୁରି।