ଟଙ୍କା ଉଠାଣ ପାଇଁ ଆଗରୁ ଲୋକମାନେ ବ୍ୟାଙ୍କ୍ ଆଗରେ ଧାଡ଼ି ବାନ୍ଧି ଛିଡ଼ା ହେଉଥିବାର ଚିତ୍ର ବେଶ୍ ପୁରୁଣା ହୋଇଗଲାଣି। ଅଧିକାଂଶ ଲୋକ ଏବେ ଏଟିଏମ୍ ସମେତ ଅନ୍ଲାଇନ୍ କାରବାର, ୟୁପିଆଇ ଓ ମୋବାଇଲ୍ ବ୍ୟାଙ୍କିଂ ଉପରେ ନିର୍ଭରଶୀଳ। କିନ୍ତୁ ଏଟିଏମ୍ରୁ ଟଙ୍କା ଉଠାଣ ପାଇଁ ବ୍ୟାଙ୍କ୍ ପକ୍ଷରୁ ନିର୍ଦ୍ଧାରିତ ସୀମା ଅତିକ୍ରମ କଲେ ଅତିରିକ୍ତ ଦେୟ ପୈଠ କରିବାକୁ ହେଉଛି। ଏହା ବ୍ୟାଙ୍କ୍ ଜମାଖାତାରୁ ଆପେଆପେ କଟିଯାଉଛି। ଆସନ୍ତୁ ଜାଣିବା କେତେ ଟଙ୍କା ପର୍ଯ୍ୟନ୍ତ ଏଟିଏମ୍ରୁ ବିନା ଦେୟରେ କାଢ଼ିହେବ ଏବଂ ଅତିରିକ୍ତ କାରବାର ପାଇଁ କେତେ ଅଧିକ ଟଙ୍କା ଗଣିବାକୁ ପଡ଼ିବ।
କନ୍ଫେଡେରେସନ୍ ଅଫ୍ ଏଟିଏମ୍ ଇଣ୍ଡଷ୍ଟ୍ରି (ସିଏଟିଏମ୍ଆଇ), ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ) ଓ ନ୍ୟାସ୍ନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ)କୁ ଇଣ୍ଟର୍ଚେଞ୍ଜ ଫି’ ବୃଦ୍ଧି କରିବାକୁ ଅନୁରୋଧ କରିବା ପରେ ଆର୍ବିଆଇ ନୂଆ ନିୟମାବଳୀ ଜାରି କରିଥିଲା। ଏଥିରେ ଉଲ୍ଲେଖ ଥିଲା କି, ଗ୍ରାହକ ମାସକୁୁ ସର୍ବାଧିକ ୫ ଥର ଏଟିଏମ୍ରୁ ଟଙ୍କା ଉଠାଇ ପାରିବେ ଏବଂ ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। କିନ୍ତୁ ୫ରୁ ଅଧିକ ଥର ଟଙ୍କା ଉଠାଇଲେ ପ୍ରତି ଟ୍ରାଞ୍ଜାକ୍ସନ୍ ପାଇଁ ଜିଏସ୍ଟି ସହ ଅତିରିକ୍ତ ୨୧ ଟଙ୍କା ଗଣିବାକୁ ପଡ଼ିବ। ବିଭିନ୍ନ ବ୍ୟାଙ୍କ୍ ନିଜର ଏଟିଏମ୍ ଚାର୍ଜ ଅଲଗା ରଖିଥାନ୍ତି। ଭାରତର ପ୍ରତ୍ୟେକ ବ୍ୟାଙ୍କ୍ ପାଇଁ ସର୍ବାଧିକ ନଗଦ ଟଙ୍କା ଉଠାଣ ସୀମା ଭିନ୍ନ ଭିନ୍ନ। ଅବଶ୍ୟ, କେତେକ ବ୍ୟାଙ୍କ୍ ସର୍ବାଧିକ ୧୦,୦୦୦ ଟଙ୍କାରୁ ଆରମ୍ଭ କରି ପ୍ରିମିୟମ୍ ଗ୍ରାହକଙ୍କ ପାଇଁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦୈନିକ ଟଙ୍କା ଉଠାଣ ସୀମା ଧାର୍ଯ୍ୟ କରିଥାନ୍ତି।
ଜଣେ ଗ୍ରାହକ ଚାହିଲେ ଏଟିଏମ୍ ଉଠାଣ ଲିମିିଟ୍ ବଢ଼ାଇ ପାରିବ କି? ହଁ, ଆପଣ ଚାହିଲେ ନିମ୍ନଲିଖିତ ପ୍ରକ୍ରିୟା ମାଧ୍ୟମରେ ଏହା କରିପାରିବେ:
ଆପଣ ଆପଣଙ୍କ ବ୍ୟାଙ୍କ୍କୁ ଫୋନ୍ କରି କିମ୍ବା ବ୍ୟକ୍ତିଗତ ସାକ୍ଷାତ କରି ଲିମିଟ୍ ବଢ଼ାଇବା ପାଇଁ ଅନୁରୋଧ କରିପାରିବେ।
ଆପଣଙ୍କ ବ୍ୟାଙ୍କ୍ ଅସ୍ଥାୟୀ କିମ୍ବା ସ୍ଥାୟୀ ଭାବେ ଆପଣଙ୍କ ଏଟିଏମ୍ ନଗଦ ପ୍ରତ୍ୟାହାର ସୀମା ବଢ଼ାଇବାକୁ ରାଜି ହୋଇପାରେ।
ଏଥିପାଇଁ ବ୍ୟାଙ୍କ୍ ସହିତ ଥିବା କାରବାର ସଂପର୍କ, ଆପଣଙ୍କ ଆକାଉଣ୍ଟ୍ର ପ୍ରକାର, ଆକାଉଣ୍ଟ୍ ହିଷ୍ଟ୍ରି ଓ ଅନୁରୋଧ କରୁଥିବା ବୃଦ୍ଧିର ଅବଧି ଉପରେ ବ୍ୟାଙ୍କ୍ର ନିଷ୍ପତ୍ତି ନିର୍ଭର କରେ।
ଯଦି କିଛି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ, ଯେପରିକି କୌଣସି ବଡ଼ ଜିନିଷ କ୍ରୟ କିମ୍ବା ପର୍ଯ୍ୟଟନ ଲାଗି ଅବଧି ବୃଦ୍ଧି ଚାହାନ୍ତି ତେବେ ବ୍ୟାଙ୍କ୍ ସୀମିତ ସମୟ ପାଇଁ ଏହାକୁ ଅନୁମୋଦନ କରିପାରେ।
ଯଦି ଅାପଣ ସ୍ଥାୟୀ ସୀମା ବୃଦ୍ଧି ପାଇଁ ଇଚ୍ଛୁକ, ତେବେ ବ୍ୟାଙ୍କ୍ କାହିଁକି ଏଥିରେ ରାଜି ହେବ ବୋଲି ଏକ ସତ୍ୟପାଠ ଦେବାକୁ ହେବ।
ସୁରକ୍ଷା ଦୃଷ୍ଟିରୁ ବ୍ୟାଙ୍କ୍ ନଗଦ ଉଠାଣ ସୀମା ରଖିଥାଏ। ଡେବିଟ୍ କାର୍ଡରେ ଅଧିକ ସୀମା ଥିଲେ ଠକେଇ ବା ଚୋରି ରୋକିବା ଲାଗି କାର୍ଡକୁ ସୁରକ୍ଷିତ ରଖିବା ଜରୁରି।