ଗୋଟିଏ ଅଜଣା ନମ୍ବରରୁ କଲ୍ ଆସିବ। ନିଜକୁ ଜଣେ ପୁଲିସ କିମ୍ବା ବରିଷ୍ଠ ଅଧିକାରୀର ପରିଚୟ ଦେଇ ଆପଣ କୌଣସି ଅପରାଧରେ ସଂପୃକ୍ତ ବୋଲି ସେ ଭୟ ଦେଖାଇବ। ପରେ ଲକ୍ଷାଧିକ ଟଙ୍କା ଦାବି କରିବ। ଆପଣ ଭୟରେ ଟଙ୍କା ଦେଇଦେବେ। ପରେ ଜଣାପଡ଼ିବ କି ଅନ୍ଲାଇନ୍ ଲୁଟେରା ଆପଣଙ୍କୁ ଠିକିଛି। କିନ୍ତୁ ଏହି ଲୁଟେରାମାନେ ନିଜ ବ୍ୟାଙ୍କ୍ ଅାକାଉଣ୍ଟକୁ କେବେ ବ୍ୟବହାର କରନ୍ତି ନାହିଁ। ଧରା ନପଡ଼ିବା ଲାଗି ତଞ୍ଚକତାପୂର୍ବକ ଅନ୍ୟ ଜଣଙ୍କର ଆକାଉଣ୍ଟ ବ୍ୟବହାର କରନ୍ତି। ଏପରି କାର୍ଯ୍ୟକଳାପକୁ ‘ମନି ମ୍ୟୁଲିଙ୍ଗ୍’ କୁହାଯାଉଥିବା ବେଳେ ଠକେଇ ଲାଗି ବ୍ୟବହୃତ ବ୍ୟାଙ୍କ୍ ଆକାଉଣ୍ଟକୁ ‘ମ୍ୟୁଲ୍ ଅାକାଉଣ୍ଟ’ କୁହାଯାଏ। ବେଆଇନ ଭାବେ ସଂଗୃହୀତ ଅର୍ଥକୁ ଅପରାଧୀ ମ୍ୟୁଲ୍ ଆକାଉଣ୍ଟରେ କାରବାର କରେ।
ସ୍ମୁର୍ଫର୍ଙ୍କ ଠାରୁ ସତର୍କ ରହନ୍ତୁ
ଯଦି ଠକମାନେ ନିଜର ଆକାଉଣ୍ଟକୁ ବ୍ୟବହାର କରନ୍ତି ତେବେ କେଵାଇସି ନିୟମ ଆଧାରରେ ସେମାନେ ସହଜରେ ଧରା ପଡ଼ିଯିବାର ଭୟ ରହିଛି। ଏହାକୁ ଏଡ଼ାଇବା ଲାଗି ଅପରାଧୀ ବା ସ୍ମୁର୍ଫର୍ମାନେ ଜଣେ ତୃତୀୟ ବ୍ୟକ୍ତିର ଅାକାଉଣ୍ଟକୁ ବ୍ୟବହାର କରନ୍ତି। ଉକ୍ତ ତୃତୀୟ ବ୍ୟକ୍ତି ହୁଏତ ନିଜେ ଜାଣି ନଥିବେ ଯେ ତାଙ୍କ ଆକାଉଣ୍ଟ ଅପରାଧ କାମରେ ଲାଗୁଛି। ଆଉ ଏହି କାମ ଲାଗି ସ୍ମୁର୍ଫର୍ ଏପରି ଲୋକଙ୍କୁ ବାଛିଥାନ୍ତି, ଯେଉଁମାନଙ୍କର ବ୍ୟାଙ୍କ୍ କାରବାର ବିଷୟରେ ଅଧିକ ଜ୍ଞାନ ନଥିବ। ପୁଣି ସ୍ମୁର୍ଫର୍ମାନେ ଆପଣଙ୍କ ଆକାଉଣ୍ଟ୍, କ୍ରେଡିଟ୍ ଓ ଡେବିଟ୍ କାର୍ଡ ବ୍ଲକ୍ ହୋଇଯାଇଛି, ଆପଣ ଆଉ କାରବାର କରିପାରିବେ ନାହିଁ, ବ୍ୟାଙ୍କ୍ ଖାତା ନମ୍ବର, ଆଧାର ଓ ପ୍ୟାନ୍ ନମ୍ବର ଦିଅନ୍ତୁ ବୋଲି ଫୋନ୍ କି ମେସେଜ୍ କରନ୍ତି। ତାଙ୍କ କଥାରେ ଫସି ତଥ୍ୟ ଦେଲାପରେ ସ୍ମୁର୍ଫର୍ ଆପଣଙ୍କ ନାମରେ ଆକାଉଣ୍ଟ ଖୋଲି ନିେଜ କାରବାର କରିଥାଏ। ସାଧାରଣତଃ ମନି ଲଣ୍ଡରିଂ କିମ୍ବା ଫିସିଂ ସ୍କାମ୍ରେ ହିଁ ମ୍ୟୁଲ୍ ଅାକାଉଣ୍ଟ ବ୍ୟବହାର ହୋଇଥାଏ। ଅପରାଧୀମାନେ ଉକ୍ତ ଅାକାଉଣ୍ଟକୁ ସାଧାରଣ କାରବାର ମାଧ୍ୟମରେ ସକ୍ରିୟ ରଖିଥା’ନ୍ତି, ଯାହାକୁ ବ୍ୟାଙ୍କ୍ ମଧ୍ୟ ଠଉରେଇ ପାରେନାହିଁ।
କେମିତି ବର୍ତ୍ତିବେ?
ଏପରି ଠକେଇରୁ ବର୍ତ୍ତିବା ପାଇଁ ଆପଣଙ୍କ ବ୍ୟାଙ୍କ୍ ଖାତାକୁ କୌଣସି ଅଜ୍ଞାତ ବ୍ୟକ୍ତି ଯେମିତି କରାୟତ୍ତ କରିନାହାନ୍ତି ତାହା ନିୟମିତ ବ୍ୟବଧାନରେ ପରଖିବା ଉଚିତ। ଯେକୌଣସି ଅଜଣା ଲୋକ ବ୍ୟାଙ୍କ୍ କାରବାର କିମ୍ବା ବ୍ୟକ୍ତିଗତ ତଥ୍ୟ ଦେବାକୁ କହିଲେ ଅଥବା ତାଙ୍କ ଅାକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍ କରିବାକୁ କହିଲେ ଆପଣ ମନା କରନ୍ତୁ ଏବଂ ସତର୍କ ହୋଇଯାନ୍ତୁ। କାହାକୁ ନିଜର ଆଧାର ଓ ପ୍ୟାନ୍ ନମ୍ବର୍ ଦିଅନ୍ତୁ ନାହିଁ। ଯଦି ଭୁଲ୍ରେ ତାହା କରିଦେଇଛନ୍ତି ତେବେ ବ୍ୟାଙ୍କ୍ ସହ ଯୋଗାଯୋଗ କରି ଅାପଣଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିବା ସହିତ ଡେବିଟ୍ ଓ କ୍ରେଡିଟ୍ କାର୍ଡକୁ ବ୍ଲକ୍ କରାନ୍ତୁ। ପୁଲିସ୍ ଓ ସାଇବର୍ ଥାନାରେ ଅଭିଯୋଗ କରନ୍ତୁ।
ମ୍ୟୁଲ୍ ଆକାଉଣ୍ଟ୍ ପାଇଁ ସଫ୍ଟୱେୟାର୍
ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଏକ ସହଯୋଗୀ ସଂସ୍ଥା ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଇନୋଭେସନ୍ ହବ୍ (ଆର୍ବିଆଇଏଚ୍) ଏକ କୃତ୍ରିମ ବୁଦ୍ଧିମତ୍ତା ଓ ମେସିନ୍ ଲର୍ଣ୍ଣିଂ ମଡେଲ୍ ବିକଶିତ କରିଛି, ଯାହା ବ୍ୟାଙ୍କ୍ ଓ ବିଭିନ୍ନ ଆର୍ଥିକ ପ୍ରତିଷ୍ଠାନଙ୍କୁ ମ୍ୟୁଲ୍ ଅାକାଉଣ୍ଟ୍କୁ ଚିହ୍ନଟ ପାଇଁ ସାହାଯ୍ୟ କରିଥାଏ। ଏହାବାଦ୍ ଜେନେରେଟିଭ୍ ଏଆଇ, କ୍ବାଣ୍ଟମ୍ ସେନ୍ସର୍ କମ୍ପ୍ୟୁଟିଂ ମଧ୍ୟ ମ୍ୟୁଲ୍ ଆକାଉଣ୍ଟ୍କୁ ଧରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/20/0rFA3mrsQrGpAX0z8K8n.jpg)