ପାର୍ବଣ ଋତୁରେ ସୁନା କିଣିବା ଭାରତୀୟଙ୍କର ଏକ ପୁରୁଣା ପରମ୍ପରା। ପୁଣି ପୁଞ୍ଜି ବିନିଯୋଗ ଲାଗି ସୁବର୍ଣ୍ଣ ଧାତୁ ଉପରେ ଅନେକ ଲୋକ ଆସ୍ଥା ପ୍ରକଟ କରିଥାନ୍ତି। ଏହାର କାରଣ ହେଲା ସୁନା ସଫଳତା ଓ ପ୍ରତିପତ୍ତିର ପ୍ରତୀକ। ସୁନା, ରୁପା ପରି ଧାତୁ ବିରଳ ଓ ମୂଲ୍ୟବାନ ହୋଇଥିବାରୁ ଏଥିରେ ନିବେଶ କରିବା ବୁଦ୍ଧିମାନର କାର୍ଯ୍ୟ ବୋଲି ବିଚାର କରାଯାଏ। ଷ୍ଟକ୍ ବଜାରରେ ଏସ୍ଆଇପି ପ୍ରକ୍ରିୟାରେ ନିବେଶ କରିବା ଭଳି ଏବେ ସୁନା କ୍ରୟର ଦେୟକୁ ମଧ୍ୟ ମାସିକ, ସାପ୍ତାହିକ ଓ ଦୈନିକ ଦେୟ ରୂପେ ଆବଣ୍ଟନ କରିହେଉଛି। ଏଭଳି ଦେୟ ସୁବିଧା ହେତୁ ବିଭିନ୍ନ ଆର୍ଥିକ ବର୍ଗର ବ୍ୟକ୍ତିବିଶେଷ ସୁନାରେ ନିବେଶ କରିପାରୁଛନ୍ତି। ତେବେ ସୁନାରେ ନିବେଶ କରିବା ସମୟରେ କେତେକ ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବା ଗୁରୁତ୍ବପୂର୍ଣ୍ଣ।
ଡିଲର୍ଙ୍କ ବିଶ୍ବସନୀୟତା: ସୁନା କିଣୁଥିବା ଦୋକାନ ଏକ ସଂଗଠିତ କ୍ଷେତ୍ରର ଖ୍ୟାତିସମ୍ପନ୍ନ କମ୍ପାନି କି ନୁହେଁ ତାହା ପ୍ରଥମେ ଦେଖନ୍ତୁ। ଦୋକାନର ସୁନା ଅଳଙ୍କାରଗୁଡ଼ିକ ବିଆଇସ୍ ହଲ୍ମାର୍କ ସହିତ ମିଳୁଛି କି ନାହିଁ ତାହା ସୁନିଶ୍ଚିତ କରିନିଅନ୍ତୁ। କେବଳ ନଗଦ ଟଙ୍କାରେ ନେଣଦେଣ କରୁଥିବା ଅସଂଗଠିତ କ୍ଷେତ୍ରର ଦୋକାନୀଙ୍କ ପାଖରୁ ସ୍କିମ୍ ନ କିଣିବା ଭଲ, କାରଣ ଏଥିର ନିବେଶ ହରାଇବାର ବିପଦ ଥାଏ। ସେହିପରି ଡିଲର୍ ଓ ସ୍କିମ୍ର ବିଶ୍ବସନୀୟତା ସମ୍ପର୍କରେ ଜାଣିବା ଲାଗି ସାମାଜିକ ଗଣମାଧ୍ୟମ ପୃଷ୍ଠାରୁ ପୁରୁଣା ଗ୍ରାହକଙ୍କ ଅଭିଜ୍ଞତା ପଢ଼ିବା ଉଚିତ।
କ୍ରୟ ସମୟର ତଥ୍ୟାବଳୀ: ‘ଇଏମ୍ଆଇ’ ବା ସହଜ ମାସିକ ଦେୟ ଜରିଆରେ ସୁନା କିଣୁଥିଲେ ତା’ ସହ ଜଡ଼ିତ ସବୁପ୍ରକାର ସର୍ତ୍ତଗୁଡ଼ିକ ଜାଣନ୍ତୁ। ନିଷେଧ ହୋଇସାରିଥିବା ନଗଦ ସ୍କିମ୍ରେ ନିବେଶ କରନ୍ତୁ ନାହିଁ, ଯେଉଁଥିରେ ସଂପୂର୍ଣ୍ଣ ଦେୟର ତଥ୍ୟ ଆରମ୍ଭରୁ ଗ୍ରାହକଙ୍କୁ ପ୍ରଦାନ କରାଯାଏ ନାହିଁ। ଏହା ପରିବର୍ତ୍ତେ ଆରମ୍ଭରୁ ଧାର୍ଯ୍ୟ ହେଉଥିବା ଦେୟ ଓ ଅବଧିଯୁକ୍ତ ସ୍କିମ୍ରେ ନିବେଶ କରନ୍ତୁ ଯେଉଁଥିରେ ଶେଷରେ ମିଳିବାକୁ ଥିବା ସୁନାର ଓଜନ ମଧ୍ୟ ସ୍ପଷ୍ଟ ରୂପେ ଉଲ୍ଲେଖ କରାଯାଇଥାଏ। ଏଭଳି ସ୍କିମ୍ରେ ସ୍ବଚ୍ଛତା ସବୁଠାରୁ ଗୁରୁତ୍ବପୂର୍ଣ୍ଣ।
ବଜାର ଦର: ସୁନାର ଦର ସବୁ ଦିନ ବଦଳୁଥିବାରୁ କିଛି ଦିନର ବ୍ୟବଧାନରେ ଏହାର ମୂଲ୍ୟ ଖୁବ୍ ଉପରତଳ ହୋଇପାରେ। ତେଣୁ ଅର୍ଥନୈତିକ ସମ୍ବାଦ ସଂସ୍ଥାର ଆପ୍ ବା ୱେବ୍ସାଇଟ୍ରେ ଏହାର ଦର ଉପରେ ନଜର ରଖନ୍ତୁ। ଦର ଉପରମୁହାଁ ନା ତଳମୁହାଁ ହେଉଛି ସେହି ଅନୁସାରେ ନିବେଶ ସମୟ ନେଇ ସୁଚିନ୍ତିତ ନିଷ୍ପତ୍ତି ନେବା ସହଜ ହୋଇଥାଏ। ଲୁକ୍କାୟିତ ଦେୟ: ସୁନା କ୍ରୟ ସମୟରେ ଯେକୌଣସି କାଗଜରେ ଦସ୍ତଖତ କରିବା ପୂର୍ବରୁ ତାକୁ ଭଲଭାବେ ପଢ଼ନ୍ତୁ। ଏହା ଦ୍ବାରା ଭବିଷ୍ୟତରେ କୌଣସି ଲୁକ୍କାୟିତ ଦେୟର ବାଧ୍ୟବାଧକତାକୁ ପରିହାର କରିହେବ। ଆଜିକାଲି ସୁନାରେ ନିବେଶ କରିବାର ଅତ୍ୟାଧୁନିକ ବ୍ୟବସ୍ଥା ମଧ୍ୟ ଉପଲବ୍ଧ। ଗ୍ରାହକ ଡିଜିଟାଲ୍ ସୁନା ଓ ସଭ୍ରେନ୍ ଗୋଲ୍ଡ ବଣ୍ଡ୍ ଆକାରରେ ସୁନା କ୍ରୟ କରିପାରିବେ। ଡିଜିଟାଲ୍ ସୁନାର ବିଶେଷତ୍ବ ହେଲା ଏଥିରେ ସର୍ବନିମ୍ନ ଏକ ଟଙ୍କା ନିବେଶ କରିହୁଏ ଏବଂ ଏହାକୁ ରଖିବା ଲାଗି ସ୍ଥାନ ଅନାବଶ୍ୟକ। ଯେକୌଣସି ସମୟରେ ଡିଜିଟାଲ୍ ସୁନାକୁ ଟଙ୍କା ଅଥବା ଅସଲି ସୁନାରେ ରୂପାନ୍ତର କରିହେବ। ସେହିପରି ସରକାର ଜାରି କରୁଥିବା ସଭ୍ରେନ୍ ଗୋଲ୍ଡ ବଣ୍ଡ୍ କିଣି ଭୌତିକ ସୁନା ରଖିବାର ଚିନ୍ତାରୁ ମୁକ୍ତ ହୋଇପାରିବେ। ଏଥିରେ ବାର୍ଷିକ ୨.୫ ପ୍ରତିଶତର ସୁଧ ମଧ୍ୟ ମିଳିଥାଏ।