ନିଜକୁ ତଥା ନିଜର ସୃଜନଶୀଳତାକୁ ଅନ୍ୟମାନଙ୍କ ପାଖରେ ପ୍ରଦର୍ଶନ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଫଟୋ ଛାଡ଼ିବା ଏକ ସାଧାରଣ କଥା ପାଲଟିଛି। ମାତ୍ର ଏକ ସଦ୍ୟ  ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସେଭଳି ଉତ୍ସାହୀ ଚିତ୍ର ପ୍ରେରଣକାରୀ ଏଣିକି ସତର୍କ ରହିବା ଜରୁରି। କାରଣ ବିପଦହୀନ ମନେ ହେଉଥିବା ସେହି ଫଟୋଗୁଡ଼ିକ ମଧ୍ୟ ସାଂଘାତିକ ବିପଦ ଆଣିବାର ଆଶଙ୍କା ରହିଛି। ବିଶେଷ କରି ଆଙ୍ଗୁଳିର ଟିପଚିହ୍ନ ଦିଶୁଥିବା ଫଟୋକୁ ହରଣଚାଳ କରି ସାଇବର୍‌ ଅପରାଧୀମାନେ ‘ଆଧାର କାର୍ଡ’ ଆଧାରିତ ପେମେଣ୍ଟ ସିଷ୍ଟମ୍ ଜରିଆରେ ଅନ୍ୟର ଅର୍ଥକୁ ହଡ଼ପ କରିନେବାର ଆଶଙ୍କା ରହିଛି। ନିକଟରେ ନୋଏଡ଼ାରେ ଏଭଳି ୧୦ଟି ମାମଲା ଧରାପଡ଼ିଛି, ଯହିଁରେ ଅପରାଧୀମାନେ ସାମାଜିକ ଗଣମାଧ୍ୟମରୁ ଲୋକଙ୍କ ଟିପଚିହ୍ନକୁ ନକଲ କରି ତାହାର ଅପବ୍ୟବହାର କରିଛନ୍ତି। ଏସବୁରୁ ବର୍ତ୍ତିବା ପାଇଁ ଅାମକୁ କିଛି ଜରୁରି ବିଷୟ ଉପରେ ଧ୍ୟାନ‌ ଦେବାକୁ ପଡ଼ିବ।

Advertisment

 ସୋସିଆଲ୍‌ ମିଡିଆରେ ସତର୍କତା ଅବଲମ୍ବନ କରନ୍ତୁ: ସୋସିଆଲ୍‌ ମିଡିଆରେ ଫଟୋ ଛାଡ଼ିଲା ବେଳେ ସୁନିଶ୍ଚିତ କରନ୍ତୁ ଯେ ସେଥିରେ ନିଜର ଟିପଚିହ୍ନ, ବାୟୋମେଟ୍ରିକ୍‌ ତଥ୍ୟ ପରି ସମ୍ବେଦନଶୀଳ ସୂଚନା ନାହିଁ। 
 ପ୍ରାଇଭେସି ସେଟିଂକୁ ଗୋପନୀୟ ରଖନ୍ତୁ: ସାମାଜିକ ଗଣମାଧ୍ୟମ, ବ୍ୟାଙ୍କିଂ ଆପ୍‌ସ ସହିତ ଆପଣଙ୍କର ସମସ୍ତ ଅନ୍‌ଲାଇନ୍‌ ଆକାଉଣ୍ଟରେ ପ୍ରାଇଭେସି ସେଟିଂକୁ ଶକ୍ତିଶାଳୀ କରନ୍ତୁ। ନିଜର ବ୍ୟକ୍ତିଗତ ସୂଚନାକୁ ଅଧିକ ନିରାପଦ କରିବା ଲାଗି ଦୁଇ-ସ୍ତରୀୟ ପ୍ରାମାଣିକ ତଥ୍ୟ (ଟୁ-ଫ୍ୟାକ୍ଟର ଅଥେଣ୍ଟିକେସନ୍‌) ଆପଣାଇବା ଆବଶ୍ୟକ।
 ବିଶ୍ବସ୍ତ ପ୍ଲାଟ୍‌ଫର୍ମ ବ୍ୟବହାର କରନ୍ତୁ: କୌଣସି ଅଣପ୍ରାଧିକୃତ ଆପ୍‌ କିମ୍ବା ୱେବ୍‌ସାଇଟ୍‌ରେ ନିଜର ବାୟୋମେଟ୍ରିକ୍‌ ତଥ୍ୟ ଛାଡ଼ିବାକୁ ବାରଣ କରାଯାଇଛି। କେବଳ ଭରସାଯୋଗ୍ୟ ତଥା ଅଫିସିଆଲ୍‌ ପ୍ଲାଟ୍‌ଫର୍ମରେ ନିଜର ସମ୍ବେଦନଶୀଳ ସୂଚନା ବାଣ୍ଟିବା ଉଚିତ। 
 ନିୟମିତ ସଫ୍‌ଟୱେର୍‌ ଅପ୍‌ଡେଟ୍‌: ଆପଣ ବ୍ୟବହାର କରୁଥିବା ଫୋନ୍‌ ଓ କମ୍ପ୍ୟୁଟର ଆଦି ଉପକରଣର ଅପରେଟିଂ ସିଷ୍ଟମ୍‌ ଓ ସଫ୍‌ଟୱେର୍‌ଗୁଡ଼ିକ ନିୟମିତ ଅପ୍‌ଡେଟ୍‌ ହେବା ଆବଶ୍ୟକ। ଏହାଦ୍ବାରା ପରିବର୍ଦ୍ଧିତ ସୁରକ୍ଷା ବ୍ୟବସ୍ଥାର ଲାଭ ମିଳିପାରିବ। 
 ଆବଶ୍ୟକ ସ୍ଥଳେ ବାୟୋମେଟ୍ରିକ୍‌ ବ୍ୟବହାର: ବିଶେଷତଃ ଆମେ ବ୍ୟାଙ୍କିଂ କାରବାର କିମ୍ବା ଅନ୍ୟ ଜରୁରି ସେବା ପାଇଁ ବାୟୋମେଟ୍ରିକ୍‌ର ବ୍ୟବହାର କରିଥାଉ। କେବଳ ଅତ୍ୟାବଶ୍ୟକ ଥିଲେ ହିଁ ବାୟୋମେଟ୍ରିକ୍‌ ତଥ୍ୟର ଉପଯୋଗ କରିବା ଦରକାର, ଅନ୍ୟଥା ସେଥିରୁ ନିବୃତ୍ତ ରହିବା ଭଲ। କାରଣ ଏହାଦ୍ବାରା ଆପଣଙ୍କ ତଥ୍ୟ ଚୋରି ହେବାର ସମ୍ଭାବନା ବୃଦ୍ଧି ପାଇଥାଏ।
 ସନ୍ଦେହଜନକ ପରିସ୍ଥିତିରେ ରିପୋର୍ଟ କରନ୍ତୁ: ନିଜର ବାୟୋମେଟ୍ରିକ୍‌ ତଥ୍ୟ ହରଣଚାଳ ହୋଇଥିବାର କୌଣସି ସନ୍ଦେହ ହେଲେ, ତାହାକୁ ସଂପୃକ୍ତ କର୍ତ୍ତୃପକ୍ଷ କିମ୍ବା ପୁଲିସ୍‌ର ସାଇବର ଅପରାଧ ବିଭାଗରେ ଜଣାଇବା ଜରୁରି।