ବ୍ୟାଙ୍କ୍ରେ ଗ୍ରାହକର ସମସ୍ତ ସୂଚନା ସମ୍ବଳିତ ନଥିପତ୍ର ସାଇତି ରଖାଯାଏ। ଏହାକୁ ପ୍ରତି ମାସ ଶେଷରେ ହିସାବ କରି ସମସ୍ତ ସୂଚନା ଆକାଉଣ୍ଟଧାରୀଙ୍କୁ ପ୍ରଦାନ କରାଯାଏ, ଯାହାକୁ ଆକାଉଣ୍ଟ ଷ୍ଟେଟ୍ମେଣ୍ଟ୍ କୁହାଯାଏ। ଆଗରୁ ପାସ୍ବୁକ୍ ଅପ୍ଡେଟ୍ କଲେ ଏହା ଜଣାପଡୁଥିଲା। ଏବେ ଅନ୍ଲାଇନ୍ ବ୍ୟାଙ୍କିଙ୍ଗ୍ ଓ ଇମେଲ୍ ଜରିଆରେ ବ୍ୟାଙ୍କ୍ ଗ୍ରାହକଙ୍କୁ ଷ୍ଟେଟ୍ମେଣ୍ଟ୍ ପଠାଇ ଦେଉଛି। ଏହାକୁ ‘ଇ-ଆକାଉଣ୍ଟ୍ ଷ୍ଟେଟ୍ମେଣ୍ଟ୍’ କହନ୍ତି।
ବ୍ୟାଙ୍କ ଷ୍ଟେଟ୍ମେଣ୍ଟ୍ ଉପର ଭାଗରେ ଖାତାଧାରୀଙ୍କ ନାମ, ଆକାଉଣ୍ଟ ନମ୍ବର, ବ୍ୟାଙ୍କ ଶାଖା ନମ୍ବର ଲେଖାଯାଇଥାଏ। ଏହାର ଠିକ୍ ତଳକୁ ଏକ ସାରାଂଶ ସାରଣୀ ରହିଥାଏ, ଯେଉଁଥିରେ ଅବଧି, ଓପନିଂ ବାଲାନ୍ସ, ଜମା ରାଶି, ଉଠାଣ ରାଶି ଓ କ୍ଲୋଜିଂ ବାଲାନ୍ସ ଉଲ୍ଲେଖ ଥାଏ। କ୍ଲୋଜିଂ ବାଲାନ୍ସ ଏହି ସୂତ୍ର ଅନୁସାରେ ହିସାବ କରାଯାଏ: ଓପନିଂ ବାଲାନ୍ସ+ଜମାରାଶି-ଉଠାଣ ରାଶି।
ଆକାଉଣ୍ଟ ସାରାଂଶ ତଳେ ଖାତାଧାରୀଙ୍କ ସଂପୂର୍ଣ୍ଣ କାରବାରର ବିବରଣୀ ରହିଥାଏ। ବ୍ୟାଙ୍କ କ୍ରମାନୁସାରେ ହିସାବ କରି ବିବରଣୀ ପ୍ରଦାନ କରିଥାଏ। ଆସନ୍ତୁ ବ୍ୟାଙ୍କ୍ ଷ୍ଟେଟ୍ମେଣ୍ଟ୍ର ବହୁବିଧ ଉପଯୋଗିତା ବିଷୟରେ ଜାଣିବା।
ବଜେଟ୍ ଓ ଆର୍ଥିକ ଖସଡ଼ା ପସ୍ତୁତି
ବିଭିନ୍ନ ବାଟରେ ଆର୍ଥିକ ବିନିଯୋଗ ଓ କାରବାରର ସଂପୂର୍ଣ୍ଣ ବିବରଣୀ ବ୍ୟାଙ୍କ ଷ୍ଟେଟ୍ମେଣ୍ଟ୍ରୁ ଜଣାପଡ଼େ। ତେଣୁ ଭବିଷ୍ୟତର ବଜେଟ୍ ଓ ଆର୍ଥିକ ଯୋଜନା ଆକଳନ ତଥା ପ୍ରସ୍ତୁତି େକ୍ଷତ୍ରରେ ଏହା ବିଶେଷ ସହାୟକ ହୋଇପାରିବ।
ଠକେଇ ଚିହ୍ନଟ
ମାସ ଶେଷରେ ବ୍ୟାଙ୍କ ଷ୍ଟେଟ୍ମେଣ୍ଟ୍ କିମ୍ବା ଇ-ଷ୍ଟେଟ୍ମେଣ୍ଟ୍ ପ୍ରସ୍ତୁତ କଲାପରେ, ଆକାଉଣ୍ଟଧାରୀଙ୍କୁ ସାଧାରଣତଃ ୩୦ରୁ ୬୦ ଦିନ ଦିଆଯାଏ। ଏହି ଅବଧିରେ ବ୍ୟାଙ୍କ୍ ଚାର୍ଜ ବିଶ୍ଳେଷଣ ଓ ନଗଦ ଜମାର ପୁନଃସମୀକ୍ଷା କରାଯାଇପାରେ। ଯେହେତୁ ବ୍ୟାଙ୍କ ଷ୍ଟେଟ୍ମେଣ୍ଟ୍ରେ ସବୁ ତଥ୍ୟ ଥାଏ, ଏହା ଆକାଉଣ୍ଟଧାରୀଙ୍କୁ ଠକାମି ଚିହ୍ନଟ କରିବାରେ ସାହାଯ୍ୟ କରିଥାଏ। ଉଦାହରଣ ସ୍ୱରୂପ, ଆକାଉଣ୍ଟଧାରୀ କରି ନ ଥିବା କୌଣସି କାରବାର ଯଦି ବ୍ୟାଙ୍କ ଷ୍ଟେଟ୍ମେଣ୍ଟ୍ରେ ଦେଖିବାକୁ ମିଳେ ତେବେ ସେମାନେ ବ୍ୟାଙ୍କ ସହିତ ଯୋଗାଯୋଗ କରି ଏହା ସମ୍ପର୍କରେ ଅଭିଯୋଗ କରିପାରିବେ ଏବଂ ଭବିଷ୍ୟତରେ ସେଭଳି ଜାଲିଆତି କାରବାରର ପୁନରାବୃତ୍ତିକୁ ରୋକିପାରିବେ।
କ୍ରେଡିଟ୍ ଭେରିଫିକେସନ୍
ଖାତାଧାରକଙ୍କ ଋଣ ଯୋଗ୍ୟତା ବିଶ୍ଳେଷଣ କରିବାକୁ ବ୍ୟାଙ୍କ ଷ୍ଟେଟ୍ମେଣ୍ଟ୍ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଅଧିକାଂଶ ବ୍ୟାଙ୍କ୍ ଓ ଆର୍ଥିକ ସଂସ୍ଥା ଗ୍ରାହକଙ୍କୁ ଋଣ ଦେବା ଆଗରୁ ଗତ ୨-୫ ବର୍ଷର ବ୍ୟାଙ୍କ ଷ୍ଟେଟ୍ମେଣ୍ଟ୍ ଯାଞ୍ଚ କରନ୍ତି। ସେମାନଙ୍କ ଅନ୍ୟାନ୍ୟ କାରବାର ଦଲିଲ୍ ବିଶ୍ଳେଷଣ କରି ଶିକ୍ଷା ଋଣ, ଆବାସିକ ବନ୍ଧକ, ତଥା ଛୋଟ ବ୍ୟବସାୟ ପାଇଁ ଋଣ ସମେତ ବିଭିନ୍ନ ପ୍ରକାର ଋଣ ପ୍ରଦାନ କରନ୍ତି।