ବାଉଁଶ ଦେଖିବାକୁ ଯେମିତି ସବୁଜ ଓ ସୁନ୍ଦର, ସେମିତି ଉପଯୋଗୀ ମଧ୍ୟ। କେଉଁ ପୁରୁଣା ସମୟରୁ ଆଜିଯାଏ ଏହା ଆମର ବିଭିନ୍ନ ଆବଶ୍ୟକତା ମେଣ୍ଟାଇ ଆସୁଛି। ଘର ତିଆରିଠାରୁ ନେଇ ଆଧୁନିକ ବୈଠକଖାନାର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ବ୍ୟବହାର ହେଉଛି। ବାଉଁଶ ତିଆରି କଳାକୃତିର ଚାହିଦା କାହିଁରେ କ’ଣ। ସୋଫାରୁ ନେଇ କାନ୍ଥରେ ଲାଗୁଥିବା ଚିତ୍ରକଳା ପର୍ଯ୍ୟନ୍ତ ନାନା ରକମର ଆକର୍ଷଣୀୟ ସାମଗ୍ରୀ ବାଉଁଶରୁ ତିଆରି ହେଉଛି।
ଏବେ ବାଉଁଶକୁ ବ୍ୟବହାର କରି ଭୁବନେଶ୍ବରର ପ୍ରିୟଦର୍ଶିନୀ ଦାସ ତିଆରି କରୁଛନ୍ତି ନାନା ପ୍ରକାରର ଅଳଙ୍କାର। ଏହା ଜରିଆରେ ବାଉଁଶର ଉପଯୋଗିତା ବଢ଼ାଇବା ସହିତ ଗ୍ରାମୀଣ ମହିଳାଙ୍କୁ ଆଭୂଷଣ ପ୍ରସ୍ତୁତି କଳା ଶିଖାଇ ରୋଜଗାରର ବାଟ ଦେଖାଉଛନ୍ତି। ଦୁଇଶହ ଟଙ୍କାରେ ମିଳୁଥିବା ଖଣ୍ଡିଏ ସବୁଜ ବାଉଁଶରୁ ଲକ୍ଷେ ଟଙ୍କାର ଅଳଙ୍କାର ତିଆରି କରିପାରୁଥିବାରୁ ପ୍ରିୟଦର୍ଶିନୀ ଏବେ ‘ସବୁଜ ରାଣୀ’ ନାଁରେ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି। କଞ୍ଚା ବାଉଁଶ ସଂଗ୍ରହ କରି ସେଥିରୁ ବିଭିନ୍ନ ପ୍ରକାରର ଉପକରଣ ଓ ଅଳଙ୍କାର ପ୍ରସ୍ତୁତ କରୁଛନ୍ତି ପ୍ରିୟଦର୍ଶିନୀ। ପ୍ରସ୍ତୁତି ପ୍ରଣାଳୀ ସଂପର୍କରେ ସୂଚନା ଦେଇ ସେ କହନ୍ତି, ‘‘ବାଉଁଶକୁ ପ୍ରଥମେ ଖଣ୍ଡ ଖଣ୍ଡ କରି ଗୋବର ପାଣିରେ ମାସେ ପର୍ଯ୍ୟନ୍ତ ବତୁରେଇ ରଖାଯାଏ। ସେଥିରୁ କାଢ଼ିଲା ପରେ ଗୋବର ଗନ୍ଧ ରହିଯାଏ। ଏହା କାଟିବାକୁ ଦ୍ବିତୀୟ ପର୍ଯ୍ୟାୟରେ ଲେମନ୍ ଗ୍ରାସ୍ ଅଏଲ୍ରେ ପୁଣି ପନ୍ଦର ଦିନ ବତୁରେଇ ରଖାଯାଏ। ଏମିତି କରିବା ଦ୍ବାରା ଏଥିରେ କୌଣସି ଫଙ୍ଗସ୍ କିମ୍ବା ପୋକ ଲାଗେନାହିଁ । ତା’ପରେ ସେଇ ବାଉଁଶ ଖଣ୍ଡରୁ ଚୁଡ଼ି, କମରବନ୍ଧ, କାନଫୁଲ ଓ ବିଭିନ୍ନ ପ୍ରକାର ଘରୋଇ ଉପକରଣ ପ୍ରସ୍ତୁତ ହୁଏ। କାର୍ଡ ହୋଲ୍ଡର୍, ଗ୍ଲାସ୍, ଥର୍ମୋଫ୍ଲାକ୍ସ୍, ବିଭିନ୍ନ ଘରସଜ୍ଜା ଜିନିଷ ବି ଏଥିରୁ ତିଆରି କରାଯାଏ। ଏହାର ପ୍ରସ୍ତୁତି ପ୍ରଣାଳୀ ଦୀର୍ଘ ହୋଇଥିବାରୁ ଏହି ସାମଗ୍ରୀର ଦାମ୍ ଟିକେ ଅଧିକ ରହିଥାଏ।
ବାଉଁଶର ଔଷଧୀୟ ଗୁଣ
ଆୟୁର୍ବେଦ ଅନୁସାରେ ବାଉଁଶର ଅନେକ ଔଷଧୀୟ ଗୁଣ ରହିଛି। ବାଉଁଶ ପତ୍ର ଗୁଣରେ କଟୁତିକ୍ତ, ଅମ୍ଳ ଓ ଶୀତଳ ଗୁଣକାରକ। ଏହାର ରସ ସେବନ କଲେ ମୂତ୍ର ପ୍ରବାହ ଠିକ୍ ରୂପେ ହୋଇଥାଏ। ଅର୍ଶ, ପିତ୍ତ ବିକାର, ଶରୀର ପୋଡ଼ାଜଳା, ବିଭିନ୍ନ ରକ୍ତ ବିକାର, ବ୍ରଣ, ରକ୍ତବାନ୍ତିର ଉପଚାରରେ ଏହା ସହାୟକ ହୋଇଥାଏ। ବାଉଁଶ ଗଣ୍ଠି ଚୂର୍ଣ୍ଣ ଚାଉଳଧୁଆ ପାଣି ସହିତ ସେବନ କଲେ ଏହା ଶ୍ୱେତପ୍ରଦର ଓ ବିଭିନ୍ନ ମାସିକ ଋତୁସ୍ରାବ ସମସ୍ୟା ଦୂର କରିଥାଏ। ଶ୍ବାସ, କାଶ, ଶରୀର କ୍ଷୟ ରୋଗ, ରକ୍ତ ଦୂଷିତ ରୋଗ, ଜଣ୍ଡିସ୍, ରକ୍ତହୀନତା, ପୋଡ଼ାଜଳାରେ ବାଉଁଶ ମହୌଷଧି ରୂପେ କାର୍ଯ୍ୟ କରିଥାଏ।
ଅଳଙ୍କାରର ଦର ୫୦ ଟଙ୍କାରୁ ଆରମ୍ଭ ହୋଇ ୨୦୦୦ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ସାଜସଜ୍ଜା ଉପକରଣର ଦାମ୍ ୫୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ।’’ ଏସବୁ ସାମଗ୍ରୀକୁ ରଙ୍ଗିନ ଓ ସୁଗନ୍ଧଯୁକ୍ତ କରିବା ଲାଗି ପ୍ରାକୃତିକ ଉପାୟ ଅବଲମ୍ବନ କରନ୍ତି ପ୍ରିୟଦର୍ଶନୀ। ବାଉଁଶଗୁଡ଼ିକୁ ଆବଶ୍ୟକତା ଅନୁସାରେ ସେ ହଳଦୀପାଣି, କଫି ଓ ଚା’ପତି ପାଣିରେ ବୁଡ଼ାଇ ରଖନ୍ତି। ପ୍ରସ୍ତୁତି ପରେ ଏଥିରେ ପାରମ୍ପରିକ ଆଦିବାସୀ ଚିତ୍ରକଳା ଓ ପଟ୍ଟଚିତ୍ର ଶୈଳୀର ଅଙ୍କନ ବି କରନ୍ତି। ଏହା ସହିତ ସଙ୍ଗାତ, ଫୁଲ, ମକର ଆଦି ନାମକରଣ କରି ଗ୍ରାହକଙ୍କୁ ଆକର୍ଷିତ କରିଥା’ନ୍ତି ସେ। ପ୍ରିୟଦର୍ଶିନୀ ତାଙ୍କ ବ୍ରାଣ୍ଡ୍ର ନାଁ ରଖିଛନ୍ତି ‘ଇକୋଦର୍ଶିନୀ’। ପରିବେଶ ଅନୁକୂଳ ହୋଇଥିବାରୁ ତାଙ୍କ ଅଳଙ୍କାର ଓ ଘରୋଇ ଉପକରଣର ଚାହିଦା ବିଦେଶରେ ମଧ୍ୟ ରହିଛି। ଭିଏତ୍ନାମ୍, ଫିନ୍ଲ୍ୟାଣ୍ଡ, ଆମେରିକା, ୟୁ.କେ. ଆଦି ଦେଶକୁ ଏହା ରପ୍ତାନି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/s4086PqgllfTwtkFvYKB.jpg)