ସହସ୍ରାଧିକ ବର୍ଷ ବଞ୍ଚେ ବାଓବାବ

‘ଓଲଟା ବୃକ୍ଷ’ ଭାବେ ପରିଚିତ ଆଫ୍ରିକାର ଦେବପ୍ରତିମ ‘ବାଓବାବ ବୃକ୍ଷ’ (ଆଡାନସୋନିଆ)ର ସମ୍ଭାବ୍ୟ ଉତ୍ପତ୍ତିସ୍ଥଳ ବାବଦରେ ନୂତନ ତଥ୍ୟ ମିଳିପାରିଛି। ଆଫ୍ରିକା ଓ ଅଷ୍ଟ୍ରେଲିଆ ମହାଦେଶକୁ ଏହା ବ୍ୟାପିବା ପୂର୍ବରୁ ମାଡାଗାସ୍କର ଦ୍ବୀପରେ ପ୍ରଥମେ ଏହାର ଉତ୍ପତ୍ତି ହୋଇଥିଲା ବୋଲି ଗବେଷକମାନେ ଜାଣିପାରିଛନ୍ତି। ତେବେ ସେଠାରୁ ଅଷ୍ଟ୍ରେଲିଆକୁ ଏହା କିପରି ଲମ୍ଫ ମାରିଲା, ସେ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିନାହିଁ। ସୂଚନାଯୋଗ୍ୟ, ପ୍ରାୟ ୨୫ ମିଟର ବା ୮୨ ଫୁଟ ଉଚ୍ଚ ଯାଏ ବଢ଼ି ପାରୁଥିବା ଏହି ଗଛ ହଜାର ହଜାର ବର୍ଷ ଧରି ବଞ୍ଚି ରହିବାର ସାମର୍ଥ୍ୟ ରଖିଛି। ଏହାର ଅସାଧାରଣ ଜଳଧାରଣ ଓ ଖାଦ୍ୟଯୋଗାଣ କ୍ଷମତା ସହ ଏହାର ପତ୍ରର ଔଷଧୀୟ ଗୁଣ ଯୋଗୁଁ ବେଳେ ବେଳେ ଏହାକୁ ‘ଜୀବନ ବୃକ୍ଷ’ ଭାବେ ଅଭିହିତ କରାଯାଇଥାଏ। ତେବେ ବିଭିନ୍ନ ଅଞ୍ଚଳରେ ଏପରି ଏକ ଯାଦୁକରୀ ବୃକ୍ଷର ଉପସ୍ଥିତି ଯୋଗୁଁ ତାହାର ଉତ୍ପତ୍ତିସ୍ଥଳ ହିଁ ସର୍ବଦା ରହସ୍ୟାବୃତ୍ତ ହୋଇ ରହି ଆସିଥିଲା। ଏହାର ‘ଆଡାନସୋନିଆ ଡିଜିଟାଟା’ ନାମକ ଏକ ପ୍ରଜାତି ୩୨ଟି ଆଫ୍ରିକୀୟ ଦେଶରେ ଉପଲବ୍‌ଧ ଥିବା ବେଳେ ଅନ୍ୟତମ ପ୍ରଜାତି ‘ଏ. ଗ୍ରିଗୋରି’ ଉତ୍ତର ପଶ୍ଚିମ ଅଷ୍ଟ୍ରେଲିଆରେ ଦେଖାଯାଏ।

ଏହାର ଅସାଧାରଣ ଜଳଧାରଣ ଓ ଖାଦ୍ୟଯୋଗାଣ କ୍ଷମତା ସହ ଏହାର ପତ୍ରର ଔଷଧୀୟ ଗୁଣ ଯୋଗୁଁ ବେଳେ ବେଳେ ଏହାକୁ ‘ଜୀବନ ବୃକ୍ଷ’ ଭାବେ ବିବେଚନା କରାଯାଇଥାଏ।

ଅପରପକ୍ଷେ, ଏହାର ଅନ୍ୟ ଛଅଟି ପ୍ରଜାତି ମାଡାଗାସ୍କରରେ ପ୍ରଚୁର ପରିମାଣରେ ରହିଛି। ତେବେ ତାହାର ଐତିହାସିକ ମୂଳ ଖୋଜିବା ଲାଗି ଗବେଷକମାନେ ଆଠଟି ଯାକ ପ୍ରଜାତିର ବାଓବାବ ଗଛର ଜିନୋମ୍‌କୁ ବିଶ୍ଳେଷଣ କରିଥିଲେ। ଏଥି ସହିତ ଉକ୍ତ ବୃକ୍ଷର ଉତ୍ପତ୍ତି ଓ ବ୍ୟାପ୍ତିର ପୁନଃସଂରଚନା ପାଇଁ ଅତୀତର ପାଣିପାଗ ଓ ଭୂତାତ୍ତ୍ବିକ ସ୍ଥିତିକୁ ମଧ୍ୟ ସାମିଲ କରିଥିଲେ। ସେଥିରୁ ଏହା ଅନୁମାନ କରାଯାଉଛି କି, ପ୍ରାୟ ୪.୧୧ କୋଟି ବର୍ଷ ପୂର୍ବେ ମାଡାଗାସ୍କରରେ ଏହାର ବୀଜ ଉଦ୍ଭବ ହୋଇଥିବା ବେଳେ ପ୍ରାୟ ୨.୧ କୋଟି ବର୍ଷ ତଳେ ପ୍ରଥମ ବାଓବାବ ବୃକ୍ଷ ଜନ୍ମ ନେଇଥିଲା। ପରେ ତାହାର ଅନ୍ୟ ପ୍ରଜାତିଗୁଡ଼ିକ ୨.୦୬ କୋଟି ଓ ୧.୨୬ କୋଟି ବର୍ଷ ତଳେ ସାମନାକୁ ଆସିଥିଲା। ତେବେ ପାର୍ବତ୍ୟାଞ୍ଚଳର ଉନ୍ନତି ଓ ଆଗ୍ନେୟଗିରିର ଚଞ୍ଚଳତା ଯୋଗୁଁ ତାହାର ଭିନ୍ନ ପ୍ରଜାତିଗୁଡ଼ିକ ଏପରି ଭିନ୍ନ ଭିନ୍ନ ବୈଶିଷ୍ଟ୍ୟ ଧାରଣ କରିବା ସହ ନିଜ ପାଇଁ ନୂତନ ତଥା ଅନନ୍ୟ ବାସସ୍ଥାନ ସୃଷ୍ଟି କରିଥିଲେ। ସମ୍ପ୍ରତି ମରୁଡ଼ି ଓ ମାନବ ହସ୍ତକ୍ଷେପ ଯୋଗୁଁ ଏହାର ତିନିଟି ପ୍ରଜାତିକୁ ଅବଲୁପ୍ତପ୍ରାୟ ବା ବିପନ୍ନ ଭାବେ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର