‘୨୦୦ ଓଡ଼ିଆ ପରିବାରକୁ ଅନ୍‌ଲାଇନ୍‌ରେ ଯୋଗ ଶିଖାଉଛି’

‘କରୋନା ପାଇଁ ୪ ସପ୍ତାହରୁ ଅଧିକ ସମୟ ଧରି ଘରେ ରହିଛି। ମୁଁ ଯେଉଁଠି ରହୁଛି ସେଠାରୁ ମାତ୍ର ୨୦ କିମି ଦୂରରେ ୪ ହଜାରରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇସାରିଲେଣି। ଏବେ ତ ପ୍ରତିଦିନ ପାଖାପାଖି ୨୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗୋଟିଏ ସପ୍ତାହ ଭିତରେ ସଂକ୍ରମିତଙ୍କ ସଂଖ୍ୟା ଢେର ବଢିଗଲାଣି।’ ଆମେରିକାରେ ବିଗତ ୧୫ ବର୍ଷ ଧରି ରହୁଥିବା ପ୍ରବାସୀ ଓଡ଼ିଆ ବାପି ବେହେରା (୪୦)ଙ୍କର ଏହା ହେଉଛି ପ୍ରତିକ୍ରିୟା।

ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ନଦୀଗିରା ଗାଁରେ ଶ୍ରୀ ବେହେରାଙ୍କ ଘର। ଆମେରିକାର ଫ୍ଲୋରିଡା ରାଜ୍ୟର ଟାମ୍ପାସ୍ଥିତ ପାସ୍କୋ କାଉଣ୍ଟି ସହରରେ ସେ ରହୁଥିବାବେଳେ ପ୍ରାଇମ୍‌ ଥେରାପେଟିକ୍‌ ନାମକ କମ୍ପାନିରେ ସ୍ଥପତି (ଆ‌ର୍‌କିଟେକ୍ଟ) ଅଛନ୍ତି। କରୋନା ସଂପର୍କରେ ତାଙ୍କର ଅନୁଭୂତି ପଚାରିବାରୁ ଶ୍ରୀ ବେହେରା କହିଥିଲେ, ଏବେ ତ ଅଫିସ ଯିବା ମନା। ଘରେ ଅଫିସ କାମ ସାରିବା ପରେ ଦୁଇ ପିଲା ଓ ପତ୍ନୀଙ୍କ ସହିତ ସମୟ କଟୁଛି। ପିଲାଙ୍କୁ ପଢାଇବା, ଅନ୍‌ଲାଇନ୍‌ରେ କ୍ଲାସ କରିବା, ବିଭିନ୍ନ ପ୍ରକାର ଗେମ୍‌ ଖେଳୁଛି।

କରୋନା ପାଇଁ ତାଙ୍କର ବ୍ୟକ୍ତିଗତ ଦିନଚର୍ଯ୍ୟା ବଦଳିଯାଇଛି। ସକାଳେ ନିଜେ ଯୋଗ ଶିଖିବା ସହ ସନ୍ଧ୍ୟାରେ ଏଠାରେ ରହୁଥିବା ୨୦୦ ଓଡ଼ିଆ ପରିବାର ଲୋକଙ୍କୁ ଅନ୍‌-ଲାଇନ୍‌ରେ ଯୋଗ ଶିଖାଉଛନ୍ତି। ଖାଲି ସେତିକି ନୁହେଁ, ଏଠି ଯେତେ ଓଡ଼ିଆ ଅଛନ୍ତି ସମସ୍ତେ ପରସ୍ପରର ସୁବିଧା ଅସୁବିଧା ବୁଝୁଛନ୍ତି। କରୋନାକୁ ନେଇ ସେମାନଙ୍କ ଭିତରେ ଥିବା ଭୟକୁ ଦୂର କରିବାକୁ ଚେଷ୍ଟା କରୁଛି ଏବଂ ସେମାନଙ୍କର ମ‌ନୋବଳ ମଧ୍ୟ ବଢାଉଛି। ସଂପର୍କର ସେତୁକୁ ମଜବୁତ କରିବା ଲାଗି ଏବେ ଓଡ଼ିଆ ପରିବାରଗୁଡ଼ିକ ନିଜ ନିଜ ଭିତରେ ଭିଡିଓ କଲ୍‌ ମାଧ୍ୟମରେ କଥା ହେଉଥିବା ‘ସମ୍ବାଦ’କୁ କହିଛନ୍ତି ଶ୍ରୀ ବେହେରା।

ଏଥିସହିତ, ଭାରତର ପ୍ରାୟ ସବୁ ରାଜ୍ୟରେ କରୋନା ମୁକାବିଲା ପାଇଁ ଯାହା ସବୁ ପଦକ୍ଷେପ ନିଆଯାଉଛି ତାହା ସନ୍ତୋଷଜନକ। ଖାଲି ସରକାର ନୁହେଁ, ପରସ୍ପରକୁ ମଧ୍ୟ ଏହି ବିପତ୍ତି ସମୟରେ ସହାୟତାର ହାତ ବଢ଼ାଇବା ଆବଶ୍ୟକ ବୋଲି ବୋଲି କହିଛନ୍ତି ଶ୍ରୀ ବେହେରା।

(ବାପି ବେହେରାଙ୍କ ସହ କଥା ହୋଇଥିଲେ ବାଲେଶ୍ବର ସହର ପ୍ରତିନିଧି କବିତା ପାତ୍ର)

ସମ୍ବନ୍ଧିତ ଖବର