ଆଜିକାଲି ଦୋକାନରେ କିଣାବିକା ଓ ଟଙ୍କା ଦେଣନେଣ ସମୟରେ ଦୁଇଟି କୋଡ୍ର ବହୁଳ ବ୍ୟବହାର ହେଉଛି- ବାର୍ କୋଡ୍ ଓ କ୍ୟୁ.ଆର୍.କୋଡ୍। ସେମାନଙ୍କ ମଧ୍ୟରେ ପ୍ରଭେଦ କ’ଣ ଜାଣିବା । ସାମଗ୍ରୀ କିଣିଲା ବେଳେ କାଉଣ୍ଟର୍ରେ ଥିବା କର୍ମଚାରୀ ପ୍ୟାକେଟ୍ ଉପରେ ଥିବା ଏକ ଛବିକୁ ସ୍କାନର୍ ସାମନାରେ ଦେଖାଇ ଦିଅନ୍ତି। ତା’ପରେ ‘ବିପ୍’ କରି ଶବ୍ଦ ହେବା ସାଙ୍ଗେ ସାଙ୍ଗେ ସାମଗ୍ରୀର ମୂଲ୍ୟ ଆପେ ବିଲିଂ କମ୍ପ୍ୟୁଟରକୁ ଆସିଯାଏ। ପ୍ୟାକେଟ୍ ଉପରେ କଳାଧଳା ଗାର ଥିବା ଏହି ଆୟତାକାର ଛବିଟି ଏକ ପ୍ରକାରର ୟୁପିସି ବା ୟୁନିଭର୍ସାଲ ପ୍ରଡ଼କ୍ଟ କୋଡ୍। ଏହି କୋଡ୍ରେ ସାମଗ୍ରୀ ବ୍ୟାଚ୍ ନମ୍ବର ଓ ବିକ୍ରି ମୂଲ୍ୟ ଆଦି ସାଙ୍କେତିକ ଲେଖାକୁ କୋଡ୍ ରିଡର୍ ପଢ଼ି ଦେଇପାରେ।
ମାତ୍ର ଟଙ୍କା ଦେଣନେଣ ପାଇଁ ବ୍ୟବହୃତ କ୍ୟୁ.ଆର୍.କୋଡ୍ ଭିନ୍ନ। ଏହା ଏକ ବର୍ଗାକାର ଗ୍ରୀଡ୍, ଯେଉଁଥିରେ ଧଳା ପୃଷ୍ଠଭୂମିରେ କଳାରଙ୍ଗର ଛୋଟବଡ଼ କୋଠି ବିଚିତ୍ର ଭଙ୍ଗୀରେ ସଜାଇ ହୋଇଥାଏ। ଏହି କୋଡ୍କୁ ‘କ୍ବିକ୍ ରେସ୍ପନ୍ସ କୋଡ୍’ ବା ସଂକ୍ଷେପରେ କ୍ୟୁ.ଆର୍ କୋଡ୍ କୁହାଯାଏ। ଏହାକୁ ପଢ଼ିବା ପାଇଁ କୌଣସି ବିଶେଷ ଧରଣର ସ୍କାନର୍ ଆବଶ୍ୟକ ହୁଏନାହିଁ। ଆଜିକାଲି ଅଧିକାଂଶ ସ୍ମାର୍ଟଫୋନ୍ କ୍ୟାମେରା ଏହି ଛବିକୁ ସ୍କାନ୍ କରି ପଢ଼ି ଦେଇପାରୁଛି। ଏହା ଭିତରେ କିଛି ଡାଟା ଥାଏ ଯାହାକି ସଂପୃକ୍ତ ବିକ୍ରେତାଙ୍କ ବ୍ୟାଙ୍କ୍ଖାତାର ସୂଚନା ବହନ କରେ। ଆମେ ୟୁପିଆଇ ପେମେଣ୍ଟ୍ ପାଇଁ ଉଦ୍ଦିଷ୍ଟ କ୍ୟୁ.ଆର୍.କୋଡ୍କୁ ସ୍ମାର୍ଟଫୋନ୍ ମାଧ୍ୟମରେ ପଢ଼ି ୟୁପିଆଇ ଦ୍ବାରା ଆମ ଖାତାରୁ ଦୋକାନୀଙ୍କ ଖାତାକୁ ଟଙ୍କା ପୈଠ କରିପାରୁ।
ବାର୍ କୋଡ୍ ଓ କ୍ୟୁ. ଆର୍ କୋଡ୍ ମଧ୍ୟରେ ପ୍ରଥମ ପ୍ରଭେଦ ହେଲା, ବାର୍ କୋଡ୍ରେ ସାମଗ୍ରୀର ଦର ଆଦି ତଥ୍ୟ ରହୁଥିବା ବେଳେ କ୍ୟୁ ଆର୍ କୋଡ୍ରେ ଦୋକାନୀଙ୍କ ବ୍ୟାଙ୍କ୍ଖାତାର ତଥ୍ୟ ଥାଏ। ଆମେ କ୍ୟୁ.ଆର୍ କୋଡ୍କୁ ସ୍କାନ୍ କରି ଦୋକାନୀଙ୍କୁ ଟଙ୍କା ପୈଠ କରୁ। ସାମଗ୍ରୀର ଦର ଲେଖା ରହୁଥିବା ବାର୍କୋଡ୍କୁ ଆମ ସ୍ମାର୍ଟଫୋନ୍ କ୍ୟାମେରାରେ ପଢ଼ିବା ସମ୍ଭବ ହୁଏନାହିଁ। ଏହାକୁ ଦୋକାନୀ ତାଙ୍କର ସ୍କାନର୍ ମାଧ୍ୟମରେ ପଢ଼ନ୍ତି। ତେବେ ଆଜିକାଲି କ୍ୟୁ.ଆର୍ କୋଡ୍କୁ ୟୁପିଆଇ ଅର୍ଥ ପୈଠ ଛଡ଼ା ଅନ୍ୟ କାମରେ ମଧ୍ୟ ବ୍ୟବହାର କରାଯାଉଛି। ଉଡ଼ାଜାହାଜ ଟିକେଟ, ସିନେମା ଟିକେଟ ବା ଉତ୍ସବ ଅନୁଷ୍ଠାନର ପ୍ରବେଶ ପତ୍ରରେ ମଧ୍ୟ କ୍ୟୁ.ଆର୍ କୋଡ୍ ବ୍ୟବହାର କରାଯାଉଛି। ୱେବ୍ସାଇଟ୍ ଠିକଣା, ଇମେଲ୍, ଭିଜିଟିଂ କାର୍ଡ, ଗୁଗଲ୍ ମ୍ୟାପ୍ ଲୋକେସନ୍ ଠାରୁ ଆରମ୍ଭ କରି ଫଟୋକୁ ମଧ୍ୟ ଏହି କୋଡ୍ ମାଧ୍ୟମରେ ପଠାଇ ହେଉଛି। ପ୍ରବେଶପତ୍ର ଓ ଟିକେଟ ଆଦିରେ ଥିବା କ୍ୟୁ.ଆର୍ କୋଡ୍ରୁ ବ୍ୟବହାରକାରୀଙ୍କର ପରିଚୟ ଓ ଅନୁମତି ଆଦି ତଥ୍ୟ ତନଖି କରି ହେଉଛି।