ଦୀର୍ଘ ବର୍ଷ ଧରି ବାରବାଟୀ ଷ୍ଟାଡିୟମ ରହିଛି ଆଶୀର୍ବାଦଙ୍କ କବଜାରରେ। କୁହାଯାଏ ଆଶୀର୍ବାଦଙ୍କ ସମ୍ମତି ବିନା ବାରବାଟୀରେ ପତ୍ର ବି ହଲେନି। ଜଣେ ଫୁଟବଲ ଖେଳାଳି ଭାବେ ପରିଚୟ ହାସଲ କରିଥିବା ଆଶୀର୍ବାଦ ପ୍ରଥମେ ଫୁଟବଲ ସଂଘର କର୍ମକର୍ତ୍ତା ଥିଲେ। ୧୯୮୮ ଅଗଷ୍ଟ ୨୯ ତାରିଖରେ ପ୍ରଥମ ଥର ପାଇଁ ଅଲିମ୍ପିକ ସ˚ଘର ସମ୍ପାଦକ ଭାବେ ତାଙ୍କର କ୍ରୀଡ଼ା ପ୍ରଶାସକ ଯାତ୍ରା ଆରମ୍ଭ ହୋଇଥିଲା। ଅଲିମ୍ପିକ୍‌ ସହିତ ଦୌଡ଼କୁଦ ସ˚ଘରେ ମଧ୍ୟ ସେ ସମାନ ପଦବିରେ ବର୍ତ୍ତମାନ ପର୍ଯ୍ୟନ୍ତ ଦାୟିତ୍ବ ନିର୍ବାହ କରିଆସୁଛନ୍ତି। ୨୦୦୦ ମସିହାରେ ଓଡିଶା କ୍ରିକେଟ ଆସୋସିଏସନ ସହ ସଂପୃକ୍ତ ହେବା ପରେ ଆଶୀର୍ବାଦ କ୍ରୀଡା ରାଜନୀତିରେ ପ୍ରକୃତ ପ୍ରଭାବ ଦେଖାଇବା ଆରମ୍ଭ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ୨୦୧୬ ମାର୍ଚ୍ଚ ୯ ତାରିଖରେ ସେ ଅଲିମ୍ପିକ୍‌ ଆସୋସିଏସନ ଦାୟିତ୍ବରୁ ଓହରିଯାଇଥିଲେ। କିନ୍ତୁ ଏବେ ବି ଓଡ଼ିଶା କ୍ରୀଡ଼ାର କ୍ଷମତା କେନ୍ଦ୍ର ଭାବେ ସେ ପରିଗଣିତ ହେଉଛନ୍ତି। ତାଙ୍କ ଇସାରାରେ ବାରବାଟୀ ଷ୍ଟାଡିୟମ ପରିଚାଳିତ ହେଉଛି। ଯିଏ ବି ତାଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଛି, ତାଙ୍କୁ ଷ୍ଟାଡିୟମ ମାଟି ବି ଛୁଇଁବାକୁ ଦିଆଯାଇନାହିଁ। ବାରବାଟୀ ଗେଷ୍ଟ ହାଉସ, ଅଲିମ୍ପିକ୍‌ ହଲ୍‌, ତେନ୍ଦୁଲକର ଇଣ୍ତୋର ହଲ ଇତ୍ୟାଦି ନିର୍ମାଣ ଓ ପରିଚାଳନାରେ ବିଭିନ୍ନ ସମୟରେ ଦୁର୍ନୀତିର ଅଭିଯୋଗ ସାମନାକୁ ଆସିଥିବା ବେଳେ ବାରବାଟୀ ଜମି ଜବରଦଖଲ, ଖେଳାଳିଙ୍କ ବୟସ ଜାଲିଆତି, ଅର୍ଥତତ୍ତ୍ବ (ଏଟି) ଚିଟ୍‌ଫଣ୍ତ ମାମଲା ଜାଲରେ ଆଶୀର୍ବାଦ ଛନ୍ଦି ହୋଇଯାଇଛନ୍ତି। ଏଟି ଗ୍ରୁପ୍‌ ଲିଙ୍କ୍‌ରେ ଏକାଧିକବାର ଆଶୀର୍ବାଦଙ୍କୁ ସିବିଆଇ କାର୍ଯ୍ୟାଳୟ ଡକାଯାଇ ଜେରା କରାଯାଇଛି। ଓଡ଼ିଶା କ୍ରିକେଟ ଦଳ ସହିତ ଓପିଏଲ୍‌-୧ର ମୁଖ୍ୟ ପ୍ରାୟୋଜକ ଭାବେ ଏଟି ଥିବାବେଳେ ଯାହା ଟଙ୍କା କାରବାର ହୋଇଥିଲା, ସେସବୁର କାଗଜପତ୍ର ସିବିଆଇର ତଦନ୍ତକାରୀ ଅଧିକାରୀଙ୍କୁ ଆଶୀର୍ବାଦ ଦେଖାଇଥିଲେ। ହେଲେ ଆଉକିଛି ନଥିପତ୍ରର ଆବଶ୍ୟକତା ହେଉଥିବାବେଳେ ଆଶୀର୍ବାଦ ତାହାକୁ ପ୍ରଦାନ କରିବାରେ ବିଫଳ ହୋଇଥିଲେ। ତଦନ୍ତରେ ସହଯୋଗ କରୁନଥିବା ଦର୍ଶାଇ ସିବିଆଇ ପକ୍ଷରୁ ତାଙ୍କ ବିରୋଧରେ କୋର୍ଟରୁ ଵାରେଣ୍ଟ ବାହାର କରାଯାଇଥିଲା।