୬୧ ବର୍ଷ ବୟସରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ‌ବାରାକ ଓବାମା, ଭାରତ ପ୍ରତି ରହିଛି ସ୍ବତନ୍ତ୍ର ଆକର୍ଷଣ

ନୂୂଆଦିଲ୍ଲୀ: ଅଗଷ୍ଟ ୪ରେ ଥିଲା ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଜନ୍ମଦିନ। ତାଙ୍କର ଏକ ଯୁବ ବେଳର ଫଟୋ ଦେଇ ତାଙ୍କୁ ସୋସିଆଲ୍‌ ମିଡିଆ ଜରିଆରେ ଶୁଭେଚ୍ଛା ଜଣାଇଥିଲେ ପତ୍ନୀ ମିସେଲ୍‌ ଓବାମା। ୬୧ ବର୍ଷ ବୟସରେ ପାଦ ରଖିଛନ୍ତି ଆମେରିକାର ୪୪ତମ ରାଷ୍ଟ୍ରପତି।

ଆପଣ ଜ‌ାଣନ୍ତି କି ଭାରତର ଅନେକ କିଛି ଚିନ୍ତାଧାରାକୁ ନେଇ ବିଶ୍ବର ବହୁ ବଡ଼ ବଡ଼ ବ୍ୟକ୍ତି ଅନୁପ୍ରାଣିତ ହୋଇଥିବା ବେଳେ ସେହି ତାଲିକାରେ ରହିଛନ୍ତି ବାରାକ ଓବାମା। ଓବାମା ପିଲାଦିନେ ଇଣ୍ଡୋନେସିଆରେ ଥିବା ‌ବେଳେ ଭାରତର ସୁପରିଚତ ଗ୍ରନ୍ଥ ରାମାୟଣ ଓ ମହାଭାରତର କାହାଣୀ  ଶୁଣିଥିବା କଥା ଥରେ ନିଜେ ସ୍ବୀକାର କରିଥିଲେ।

ଓବାମା ରାଷ୍ଟ୍ରପତି ହେବା ପରେ ପ୍ରଥମେ ୨୦୧୦ ମସିହାରେ ଭାରତ ଆସିଥିଲେ। ହେଲେ ତାଙ୍କ କଳ୍ପନାରେ ସେ ଭାରତକୁ ଏକ ସ୍ବତନ୍ତ୍ର ସ୍ଥାନରେ ରଖିଥିଲେ। ବୋଧହୁଏ ତାଙ୍କର ପିଲାଦିନ ହିନ୍ଦୁ ମହାକାବ୍ୟ ରାମାୟଣ ଓ ମହାଭାରତ ଶୁଣି କଟିଛି ବୋଲି ଭାରତ ପ୍ରତି ତାଙ୍କର ଏପରି ଆକର୍ଷଣ ରହିଛି ବୋଲି ଓବାମା ଥରେ କହିଥିଲେ।

କେବଳ ସେତିକି ନୁହେଁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ବି ଓବାମାଙ୍କର ରହିଛି ସ୍ବତନ୍ତ୍ର ଆକର୍ଷଣ। ସେ ଥରେ କହିଥିଲେ ଯେ ଭାରତ ପ୍ରତି ତାଙ୍କର ଆକର୍ଷଣ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ କାର୍ଯ୍ୟଧାରା ଦ୍ବାରା ପ୍ରଭାବିତ। ଗାନ୍ଧୀଜୀଙ୍କ ଅହିଂସା ଆନ୍ଦୋଳନକୁ ଓବାମା ପ୍ରଶଂସା କରିଥିବା ବେଳେ ଧର୍ମ ଆଧାରରେ ଦେଶର ବିଭାଜନକୁ ରୋକିବା ପାଇଁ ସେ ଅସଫଳ ରହିଥିଲେ ବୋଲି କହିଥିଲେ। ଏହି କଥା ଓବାମା ତାଙ୍କର ଜୀବନୀ ପୁସ୍ତକ ‘ଦ ପ୍ରୋମିଜ୍‌ଡ ଲ୍ୟାଣ୍ଡ୍‌’ରେ ବି ଲେଖିଛନ୍ତି।

ସମ୍ବନ୍ଧିତ ଖବର