ଭିଲାଇ: ଛତିଶଗଡ଼ର ଭିଲାଇ ସହରରୁ ପାଖାପାଖି ୧୦କିମି ଦୂରରେ ଥିବା ଚରୋଦାରେ ରାସ୍ତାପାର୍ଶ୍ୱରେ ଏକ ଛୋଟ ଦୋକାନରେ ଇଡଲି ଓ ଚା’ ବିକ୍ରି କରୁଥିବା ଜଣେ ବାଳକ ଇସ୍ରୋରେ ପହଞ୍ଚି ଯାଇଛନ୍ତି। ଏହି ବାଳକର ନାମ ଭରତ କୁମାର ବୋଲି ଜଣାପଡ଼ିଛି।
ଭରତ କୁମାର ୨୦୨୦ ନଭେମ୍ବରରେ ମହାକାଶକୁ ପଠାଯିବାକୁ ଥିବା ଚନ୍ଦ୍ରଯାନ-୩ ପାଇଁ ନକସା ପ୍ରସ୍ତୁତ କରୁଥିବା ଦଳରେ ସାମିଲ ହୋଇଛନ୍ତି। ଭାରତ କୁମାର ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ ହେଁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ତାଙ୍କର ପ୍ରତିଭା, ପରିଶ୍ରମ ଓ ପାଠପଢ଼ାକୁ ଆଧାର କରି ଚୟନ କରିଛି।
୨୩ବର୍ଷୀୟ ଭରତ କୁମାରଙ୍କ ବାପାଙ୍କ ନାମ ଚନ୍ଦ୍ରମେନେଶ୍ୱର ରାଓ। ଚନ୍ଦ୍ରମେନେଶ୍ୱର ଏକ ବ୍ୟାଙ୍କର ସୁରକ୍ଷାକର୍ମଚାରୀ ଭାବେ କାମ କରନ୍ତି। ପରିବାରର ଆର୍ଥିକସ୍ଥିତି ଠିକ୍ ନଥିବାରୁ ଭାରତ କୁମାରଙ୍କ ମା’ ଘର ପାଖରେ ଏକ ଇଡଲି ଓ ଚା’ର ଦୋକାନ କରିଛନ୍ତି। ଇସ୍ରୋରେ ଚୟନ ହେବା ପୂର୍ବରୁ ଭରତ ପାଠପଢ଼ା ସହିତ ମା’ଙ୍କୁ ଏହି ଦୋକାନରେ ଇଡଲି ଓ ଚା’ ବ୍ୟବସାୟ କରିବାରେ ସାହାଯ୍ୟ କରୁଥିଲେ।
ଘରର ଆର୍ଥିକସ୍ଥିତି ଠିକ୍ ନ ଥିବା ବେଳେ ବହୁତ କଷ୍ଟରେ ଭାରତ ଦ୍ୱାଦଶଶ୍ରେଣୀ ପାଠପଢ଼ା ଶେଷ କରିଥିଲେ। ଏହାପରେ ଭରତ ଆଇଆଇଟି ଧାନବାଦରେ ପାଠପଢ଼ିବାକୁ ଇଚ୍ଛା ରଖିଥିଲେ, କିନ୍ତୁ ସେତେବେଳେ ବି ତାଙ୍କ ସାମ୍ନାରେ ଅର୍ଥ ବାଧକ ସାଜିଥିଲା। ଭାରତଙ୍କ ଆର୍ଥିକ ସଙ୍କଟ ବିଷୟରେ ଜାଣିବା ରାୟପୁର ବ୍ୟବସାୟୀ ଅରୁଣ ବାଗ ଓ ଘରୋଇ କମ୍ପାନି ଜିନ୍ଦଲ ତାଙ୍କୁ ସାହାଯ୍ୟ ହାତ ବଢ଼ାଇ ପାଠପଢ଼ା ଖର୍ଚ୍ଚ ଉଠାଇଥିଲେ।
ଆଇଆଇଟି ଧାନବାଦରେ ୭ମ ସେମିଷ୍ଟାର ପୂରା କରୁଥିବା ବେଳେ ଇସ୍ରୋର କ୍ୟାମ୍ପସରେ ଭରତଙ୍କ ଚୟନ ହୋଇଯାଇଥିଲା। ୨୦୨୯ରେ ଭରତ ଇସ୍ରୋରେ ଯୋଗ ଦେଇଥିଲେ। ଏଠାରେ ପ୍ରଶିକ୍ଷଣ ନେବା ପରେ ଚନ୍ଦ୍ରଯାନ-୩ ପାଇଁ ସେ ନକସା ଆଙ୍କିବା ପ୍ରକଳ୍ପ ଉପରେ କାମ କରୁଛନ୍ତି।